ଅଣୁଗଳ୍ପ

ଭୂକମ୍ପ

Aravind Das's odia short story Bhukampa

ପୁଣିଥରେ ସେମିତିକା ପାଟି ସହିତ, ଦୁଲଦାଲ, ଭୁସ୍ଭାସ୍ ଶବ୍ଦ ଶୁଣି ସୁଦାମବାବୁ ଡ୍ରଇଂରୁମ୍‌କୁ ଚାଲି ଆସିଲେ ।

ଭୂକମ୍ପ

ହଠାତ୍ ଏକ ବିକଟାଳ ଶବ୍ଦରେ ଚମକି ପଡି ନିଦ ବାଉଳାରେ ଖଟରୁ ତଳକୁ ପଡିଗଲେ ସୁଦାମ ବାବୁ ।

ଝାଡିଝୁଡି ହୋଇ ଅନ୍ଧାର ଭିତରେ ଉଠିଲା ବେଳେ ତାଙ୍କ ମନରେ ଗୋଟାଏ ପ୍ରଶ୍ନ ବାରମ୍ବାର ଆସୁଥିଲା – ଭୂମିକମ୍ପ ହେଲା କି ? ଅଥବା ସ୍ୱପ୍ନ ଥିଲା!

ପୁଣିଥରେ ସେମିତିକା ପାଟି ସହିତ, ଦୁଲଦାଲ, ଭୁସ୍ଭାସ୍ ଶବ୍ଦ ଶୁଣି ସୁଦାମବାବୁ ଡ୍ରଇଂରୁମ୍କୁ ଚାଲି ଆସିଲେ ।

ଡ୍ରଇଂରୁମ୍‌ଟା ଯେମିତି ରଣକ୍ଷେତ୍ର ପାଲଟି ଯାଇଥିଲା । ଦୁଇ ପୁଅ ପରସ୍ପର ଭିତରେ ମାଡଗୋଳ ହେଉଥିଲେ । ଜଣଙ୍କ ସହାତରେ ଠେଙ୍ଗା, ଅନ୍ୟଜଣଙ୍କ ହାତରେ ଏକ ଶାବଳ । ମାଡମରାମରି ହୋଇ ଲହୁଲୁହାଣ ହୋଇଥିଲେ ଦୁହେଁ । ସ୍ତ୍ରୀ ପଦ୍ମଜାଙ୍କ କାନ୍ଦଣା ଏବଂ ଦୁଇ ବୋହୁ ନିଜନିଜ ସ୍ୱାମୀଙ୍କୁ ଟାଣି ଓଟାରି ଝଗଡାରୁ ନିବୃତ୍ତ କରାଉଥିବାର ପ୍ରୟାସ ଦେଖି ସୁଦାମବାବୁଙ୍କୁ କାନ୍ଦ ମାଡୁଥିଲା ।

ସବୁ ଝଗଡାର ମୂଳ କାରଣ ଏଇ ଘର ଓ ଜାଗା ହିଁ ଥିଲା । ଦୁଇପୁଅ ଚାହୁଁଥିଲେ ନିଜ ନିଜ ନାଁରେ ଘରଟା ସୁଦାମ ବାବୁଙ୍କ ପାଖରୁ ଲେଖାଇ ନେବା ପାଇଁ । ବଡପୁଅର ଇଚ୍ଛା ଏଠାରେ ଆପାର୍ଟମେଣ୍ଟ ଏବଂ ସାନପୁଅର ଇଚ୍ଛା ସପିଂମଲ୍ କରିବା ପାଇଁ, ସୁଦାମବାବୁ କିନ୍ତୁ ନିଜର ପ୍ରିୟ ଘରଟାକୁ ଭାଙ୍ଗିବା ସପକ୍ଷରେ ଜମା ନ ଥିଲେ ।

ହଠାତ୍ ଘରଟା ଦୋହଲିବାକୁ ଆରମ୍ଭ କଲା ।

ଆରେ ଜଲଦି ବାହାରକୁ ପଲାଇଚାଲ । ଭୂମିକମ୍ପ ହେଉଛି । କହି ସମସ୍ତେ ଘର ବାହାରକୁ ଦୌଡି ପଳାଇଗଲେ ।

କିଛି ସମୟ ପରେ ସମସ୍ତେ ଘର ଭିତରକୁ ଫେରି ଆସିଲେ । ଶୋଇଲା ପୂର୍ବରୁ ପଦ୍ମଜା କହିଲେ, “ଭଗବାନଙ୍କ କୃପା ଯୋଗୁଁ ବଡ ଭୂମିକମ୍ପ ହେଲାନାହିଁ । ନହେଲେ ଆମ ଘରଟା ମାଟିରେ ମିଶି ଯାଇଥାନ୍ତା ।”

ଦୀର୍ଘ ନିଶ୍ୱାସ ଛାଡି ସେଇ ଅନ୍ଧାର ଭିତରେ ଛାତକୁ ଅନାଇ ସୁଦାମ ବାବୁ କହିଲେ, ତୁମ ଦୁଇ ପୁଅଙ୍କ ଜିଦି ଓ ପଇସା ଲୋଭର ନିଶା ଭୂମିକମ୍ପ ଠାରୁ ଆହୁରି ଭୟଙ୍କର । ସେମାନଙ୍କ ହାତରୁ ଏ ଘରଟାକୁ ଧୂଳିସାତ୍ ହେବାରୁ କିଏ ବଞ୍ଚାଇପାରିବ ? ବରଂ ଭୂମିକମ୍ପରେ ଘରଟା ଭାଙ୍ଗି ଯାଇଥିଲେ ଆତ୍ମଗ୍ଲାନିରେ ମୁଁ ସଢୁନଥାନ୍ତି ।

ଲୋକପ୍ରିୟ ଲେଖା

To Top