ଅଣୁଗଳ୍ପ

ବୁଲା କୁକୁର

Hemanta Kumar Rout's Odia Small Story BULAA KUKURA-1

ତୁ ତ ଦିନେ ରାସ୍ତା ତଳକୁ ଓହ୍ଲାଇ ଯାଇନୁ । ସୁଖଦୁଃଖ ଭାଗି ହେଇନୁ ଲଢ଼େଇ କରିନୁ । ହେଲେ ତୋତେ ସେମାନେ ଏତେ ଭଲ ପାଇବା ଦେଇ ସୁନ୍ଦର କୋଠା ଘରେ ରଖି ଆଦର କରୁଛନ୍ତି କାହିଁକି ?

ବୁଲା କୁକୁର

ସେଇ ବିଶାଳ କୋଠା ତଳେ ଯେଉଁ ପରିତ୍ୟକ୍ତ ଭଙ୍ଗା କୋଠାଘରଟିଏ ଥିଲା ସେଠି ବୁଲା କୁକୁରଟିଏ ଜନ୍ମକଲା ଦୁଇଟି ଛୁଆ । ଗୋଟିଏ ଧଳା ଲୋମଶ ଝାଉଁଳିଆ କାମ କଉତୁକିଆ, ଆଉ ଗୋଟିଏ ତା’ ମା’ ପରି ଦେଶୀ ଟାଉଁସିଆକାନ ରୁକ୍ଷଚୁଳ ।

କିଛିଦିନ ପରେ କୋଠାଘର ମାଲିକଙ୍କ ଦୃଷ୍ଟିପଥରେ ସେଇ ଲୋମଶ କୁକୁରଟିଏ ପଡ଼ିଗଲା । ସେଇ ଛୁଆକୁ ଯତ୍ନରେ ଆଣି ରଖିଲେ କ୍ଷୀର ପାଉଁରୁଟି ଖାଇବାକୁ ଦେଲେ । ସେ କାର୍‌ରେ ବୁଲିଲା । ଭଲ ଘରେ ଶୋଇଲା । ତାକୁ ଗେହ୍ଲାରେ “ଟମ୍” ବୋଲି ନାଁଟିଏ ଦେଇ ଡାକିଲେ । ସେ ସୁଖରେ ରହିଲା ବଡ଼ ଲୋକଙ୍କ ପରି ।

ଆରଛୁଆଟା ରୁଗ୍ଣ ହୋଇଗଲା । ମା’ ଥନରୁ କ୍ଷୀର ପାଇଲାନି ସବୁବେଳେ ଟିଙ୍କ ମାଛିରେ ରନ୍ଥି ହେଲା । ଦୋକାନକୁ ଦୋକାନ ବୁଲିଲା । ଗରମପାଣି ଗରମ ତେଲ ତା’ ଦେହରେ ଛଟା ହେଲା । ସେ ଯେଉଁଠିକି ଗଲା ତାକୁ ବାଡ଼େଇ ବାହାର କରିଦେଲେ । ମୁଣ୍ଡ ଫାଟି ନହୁନୁହାଣ । ଦିନରାତି ବୁଲିଲା ମୁଠେ ଖାଇବାକୁ । ହୋଟେଲ୍ ନାଳନର୍ଦ୍ଦମାରୁ ଅଇଁଠା ମଇଁଠା ପାଇଲା, ହେଲେ ପେଟ ପୂରିଲାନି । ଦୁନିଆଁର ସବୁ ଭୋକ ବସା ବାନ୍ଧିଲା ଆପଣା ଦେହରେ । ସବୁ ଯନ୍ତ୍ରଣା ଯେମିତି ଅଭିଶପ୍ତ ଜୀବଟିଏରେ ରୂପାନ୍ତରିତ ହେଲା ଏହି ସୁନ୍ଦର ପୃଥିବୀରେ ।

ସେଦିନ ବାବୁଙ୍କ ସଙ୍ଗରେ ସକାଳେ ବୁଲିବାକୁ ଆସିଥିଲା । ଭେଟ ହୋଇଗଲା ତା’ଭାଇ ବୁଲା କୁକୁର ସହ । ଚିହ୍ନାଚିହ୍ନି ହୋଇ ସୁଖ ଦୁଃଖ ହେଲେ । ବୁଲା କୁକୁର ପଚାରିଲା ।

“ଆମେ ଦୁହେଁ ଜନ୍ମ ହୋଇଥିଲେ ସେଇ ଭଙ୍ଗାକୋଠାରେ ଗୋଟିଏ ମା’ ପେଟରୁ । ଅଇଁଠା କଣ୍ଟା, ମାଂସ ଟୁକୁଡ଼ା, ପଚାସଢ଼ା ଓ ରାସ୍ତା ତଳର ମଳ ଖାଇ ପରିବେଶକୁ ମୁଁ ସଫା ରଖୁଛି । ମୋ ପରି ହଜାର ହଜାର ବୁଲା କୁକୁର ଗାଁ ଗହଳି ସହର ବଜାର ଚାରିଆଡ଼େ ଅପରିଷ୍କାର ଦ୍ରବ୍ୟକୁ ଭକ୍ଷଣ କରି ନିର୍ମଳ ରଖୁଛୁ । ତୁ ତ ଦିନେ ରାସ୍ତା ତଳକୁ ଓହ୍ଲାଇ ଯାଇନୁ । ସୁଖଦୁଃଖ ଭାଗି ହେଇନୁ ଲଢ଼େଇ କରିନୁ । ହେଲେ ତୋତେ ସେମାନେ ଏତେ ଭଲ ପାଇବା ଦେଇ ସୁନ୍ଦର କୋଠା ଘରେ ରଖି ଆଦର କରୁଛନ୍ତି କାହିଁକି ?”

ଲୋମଶ କୁକୁରଟି କହିଲା, “କେବଳ ଏଇ ଧଳା ଲୋମ ପାଇଁ । ଏ ଦୁନିଆଁ ପାଇଁ ଯେତେ ଯାହା କଲେ ବି ସେମାନେ ତୋତେ ଆଦର କରିବେନି । ତୁ ଈଶ୍ୱରକୁ ପ୍ରାର୍ଥନା କର ପର ଜନ୍ମରେ କିଛି ଲମ୍ୱା ଲୋମ ଦେବେ । ତାରି ପାଇଁ ତୁ ସ୍ୱର୍ଗ ଲାଭ କରିବୁ ।”

ଲୋକପ୍ରିୟ ଲେଖା

To Top