ଅଣୁଗଳ୍ପ

ଡାଲ୍‌ଖାଇକୁ ଡରନା

Pradipta Sundar Moharana's odia story Dalkhaiku Daranaa

ଝାଉଁ ବଣ ଯୋଗୁ ପୁରୀ ବଞ୍ଚିଗଲା, ନହେଲେ କଅଣ ଯେ ହୋଇଥାଆନ୍ତା କିଏ ଜାଣେ ?

ଡାଲ୍‌ଖାଇକୁ ଡରନା

ସ୍ୱରୁପ (ଡାକନାମ ଗୁଡୁଲ୍) ପାଇଁ, ସେଦିନ ଏକ ’ଢେର ମଜା’ ର ଦିନ ଥିଲା । ପରିବାର ସହ ନୂଆବର୍ଷରେ ବଣଭୋଜି , ପିକ୍‌ନିକ୍ । ବଡ଼ଦିନ ଠାରୁ ଆରମ୍ଭ କରି ନୂଆବର୍ଷ, ଏହି ପାଞ୍ଚଦିନର ଛୁଟିକୁ ସେ ଅପେକ୍ଷା କରି ବସିଥାଏ ଦଶହରା ପରଠାରୁ । ପାଖାପାଖି ପ୍ରତି ରବିବାର ଯେତେବେଳେ ବାପା ଟିକିଏ ଆରାମରେ ବସି ଖବରକାଗଜ ଲେଉଟାଉଥାଆନ୍ତି, ତାଙ୍କୁ ପଚାରିବସେ , “ବାପା , ଏଥର ପିକ୍‌ନିକ୍ ପାଇଁ କୁଆଡେ ଯିବା? ” ସେଦିନ ସେ ବହୁତ ଖୁସିଥିଲା କାରଣ ତାହାର ଅନେକ ଦିନର ଇଚ୍ଛା ପୂରଣ ହୋଇଥିଲା ।

ଏଥର ବଣଭୋଜିର ସ୍ଥାନ ହେଉଛି ପୁରୀ ଚନ୍ଦ୍ରଭାଗା ମଧ୍ୟରେ ସମୁଦ୍ର କୂଳ । ସମୁଦ୍ର ଗୁଡୁଲ୍‌କୁ ବହୁତ ପସନ୍ଦ – ଧଳା ସଫା ବାଲି, ବାଲିରେ ଢେଉଟିଏ ଆସିବା ପୂର୍ବରୁ ଗାର ଟାଣି ନିଜ ନାମ ଲେଖିବା, ବାଲିରେ ମନ୍ଦିର ତିଆରି କରିବା, ଫ୍ରୀସ୍ ବୀ ଖେଳିବା, ଦାଦାଙ୍କ ହାତ ଧରି ଢେଉ ଭାଙ୍ଗିବା – ଆଜି ଖୁସିର ଦିନ ।

ବାପାଙ୍କ ସହିତ ତାଙ୍କ ହାତ ଧରି ୯ ବର୍ଷର ଗୁଡୁଲ୍ , ବାଲିରେ ଚାଲି ଚାଲି ଯାଉଥାଏ, ବାପାଙ୍କ କଥା ମାନି ଚପଲ କାଢ଼ି ଦେଇଥାଏ । ଆଃ ! ଏହିପରି ଏକ ଶବ୍ଦ କରି ସେ ହଠା‍ତ୍ ଅଟକିଗଲା । -“ଗୁଡୁଲ୍ କ’ଣ ହେଲା?” – ବାପା ପଚାରିଲେ । “ମୋ ପାଦରେ କଅଣ ଫୋଡ଼ି ହୋଇଗଲା !” କହି , ବାପାଙ୍କ ହାତ ଜାବୁଡି ଧରି ପାଦ ଉଠାଇଲା ଗୁଡୁଲ୍ । ତା’ର ନରମ ପାଦ ତଳେ , ଶୁଖିଲା ଧୂସର ରଙ୍ଗର ଝାଉଁ ଫଳଟିଏ ଟିକିଏ ଫୋଡ଼ି ହୋଇ ଯାଇ ଲଗିଥିଲା । ବାପା କାଢ଼ିଦେଇ କହିଲେ, “ଏଇ କଥା ? କିଛି ହେଇନି – ଆଗକୁ ଚାଲ ।” -ଗୋଲ୍ ଗାଲ୍ ଗୁଡୁଲ୍ ନାକ ଟେକି କହିଲା , “ମୋତେ ଏଇଥି ପାଇଁ ଖାଲି ପାଦ ରେ ଚାଲିବା ପସନ୍ଦ ନୁହେଁ । ଆଉ, ଏ ଗଛ ଗୁଡିକ କାହିଁ ଏଠି ଠିଆ ହେଇଛନ୍ତି କେଜାଣି ? କଷ୍ଟ ଦେଉଛନ୍ତି , ଖାଲି । ଏ ଝାଉଁ ଗଛଗୁଡାକ ହେତୁ, ମୁଁ ଦାଦାଙ୍କ ସହିତ ଫ୍ରୀସ୍ ବୀ ଠିକ୍ ସେ ଖେଳି ପାରୁନି ଆଉ ସମୁଦ୍ର କୂଳରେ ଖାଲି ପବନ , ଉଡି ଯାଉଛି ଫ୍ରିସ୍ ବୀ” – ବାପା କହିଲେ ,”ଗୁଡୁଲ୍, ତୁ ଏଇ ସାମାନ୍ୟ କଥା ପାଇଁ ବ୍ୟସ୍ତ ହେଉଛୁ ? ଏ ଗଛ ମାନେ ମୋ ଠାରୁ ଅଧିକ ଜିନିଷ ତୋ ପାଇଁ ଦିଅନ୍ତି, ତୋ ମା’ଙ୍କ ଠାରୁ ମଧ୍ୟ ଅଧିକ ତୋତେ ସ୍ନେହ ଦିଅନ୍ତି, ଓ ଦରକାର ପଡିଲ ତୋ ପାଇଁ ଜୀବନ ମଧ୍ୟ ଦିଅନ୍ତି ।” – “ଜୀବନ ଦିଅନ୍ତି? କେମିତି ?” ଗୁଡୁଲ୍ ପଚାରିଲା – ବାପା କିଛି ଉତ୍ତର ଦେବା ପୂର୍ବରୁ , ଦୁହେଁ ଚାଲି ଚାଲି ଗୋଟିଏ ତୋରଣ (ଗେଟ୍) ପାଖକୁ ଚାଲି ଆସିଥିଲେ ।

ତୋରଣ ଉପରେ ଜଣେ ଦେବୀ ଥିଲେ ଆଉ ତାଙ୍କ ଚାରିପାଖରେ , ସିମେଣ୍ଟ୍‌ରେ ତିଆରି ଅନେକ ଜନ୍ତୁ । ପାଖରେ, ଗୋଟିଏ ପୂଜା ସାମଗ୍ରୀର ଏକ ଛୋଟ ଦୋକାନଟିଏ ଥାଏ, ଯେଉଁଠାରେ ଥାଏ ରଙ୍ଗ ବେରଙ୍ଗୀ କରିଆ, ଶାଢ଼ୀ, ନଡ଼ିଆ , ଭୋଗ, ଦୀପ । ଏସବୁ ତ ଆଗରୁ ତ ଗୁଡୁଲ୍ ଦେଖିଥିଲା । କିନ୍ତୁ, ତା’ର ଛୋଟ ଛୋଟ ଭୃଲତା ଉପରେ ହାତ ରଖି ଦୂର ଦୂର ପର୍ଯ୍ୟନ୍ତ ବାଇନୋକ୍ୟୁଲାର୍ସ ରେ ଦେଖିଲା ଭଳି ଆଖି ବୁଲେଇଗଲା , ଏପଟକୁ, ସେପଟକୁ । ଖରାରେ ଆଖି ଝଲସି ଗଲା ସିନା କିନ୍ତୁ ଗଛ ଛଡ଼ା ଆଉ କିଛି ଦିଶିଲା ନାହିଁ । ପୁଣି ନାକ ଟେକି ପଚାରିଲା , “ବାପା , ମନ୍ଦିର କାହିଁ ?” – ବାପା କହିଲେ, “ଏହି ଜଙ୍ଗଲରେ ଡାଲ୍‌ଖାଇ ଦେବୀ ଅଛନ୍ତି , ଏଠି ମନ୍ଦିର ନାହିଁ ।” । ଡରିକରି ଗୁଡୁଲ୍ କହିଲା,”ଡାଲ୍‌ଖାଇ ?? ନା , ନା , ତେବେ ମୁଁ ଭିତରକୁ ଯିବିନି। ମାମୁଁ ଘରକୁ ଗତ ଖରାଛୁଟିରେ ଯାଇଥିଲି , ସେଠି ପାଖରେ ଡାଲ୍‌ଖାଇ ମନ୍ଦିର ଅଛି । ସେ ଦେବୀ ଡାଳ ଖାଆନ୍ତି ନାଁ ?? ଏ ଡାଳ ରୁ ସେ ଡାଳକୁ ଡିଅଁନ୍ତି । ସେ ଯେଉଁଠି ରୁହନ୍ତି ତାଙ୍କ ଚାରିପାଖରେ ସାପ, ବିଲୁଆ ଆଉ ସବୁ ପ୍ରକାରର ଜନ୍ତୁ ରୁହନ୍ତି । ମୁଁ ଯିବିନି । ଖାଲି ଯେତେବେଳେ ଆଦିବାସୀ ଲୋକମାନେ ବାଜା ବଜାଇ ନାଚନ୍ତି , ସେ ଖୁସି ହୁଅନ୍ତି । ଖୁସି ନହେଲେ ବାଘ ଉପରେ ବସି ପିଲା ମାନଙ୍କୁ ନେଇଯାଆନ୍ତି।” ବାପା ଆଶ୍ଚର୍ଯ୍ୟ ଚକିତ ହୋଇ ଶୁଣୁଥାଆନ୍ତି, ଗୁଡୁଲ୍‌ର ଭୟ ମିଶ୍ରିତ କଥା ଗୁଡିକୁ।

“କିଏ କହିଲା ଏସବୁ କଥା ତୋତେ?” ବାପା ପଚାରିଲେ । ଗୁଡୁଲ୍‌ଉତ୍ତର ଦେଲା, “ଆଉ କିଏ ? ପିକୁଲ୍ ଭାଇ (ଗୁଡୁଲ୍‌ର ମାମୁଁ ପୁଅ ଭାଇ) ! ସନ୍ଧ୍ୟା ବେଳକୁ ଆମ ବଲ୍ ସେ ଜଙ୍ଗଲ ଭିତରକୁ ପଳାଇଥିଲା । ପିକୁଲ୍ ଭାଇ କହିଲା କି ଆମେ ଭିତରକୁ ଯିବାନି । ଡାଲ୍‌ଖାଇ ପିଲା ମାନଙ୍କୁ ନେଇଯାଆନ୍ତି । ଆମେ ଗଲୁନି । ସେ ମନ୍ଦିର ଗେଟ୍‌ରେ ବି ମୂର୍ତ୍ତି ଥିଲା , ଜଣେ କିଏ ଠାକୁରାଣୀ ପିଲାକୁ ଧରିଥିଲେ, ବାଘ ଉପରେ ବସିଥିଲେ । ମୁଁ ଆଉ ଆମ କ୍ରିକେଟ୍‌ଟିମ୍‌ର ସମସ୍ତେ ଡରିଗଲୁ ।” ବାପା ଦୀର୍ଘ ନିଶ୍ୱାସ ଟିଏ ଛାଡି ଟିକିଏ ସମୟ ଚୁପ୍ ରହିଲେ ଆଉ କହିଲେ , “ଆସ୍ ! ମୋ ସହିତ ଚାଲ୍ । ମୁଁ ଅଛି , କିଛି ଅସୁବିଧା ହେବନାହିଁ ।” – ଏହା କହି ବାପା ଗୁଡୁଲ୍‌ର ହାତ ଧରି ଭିତରକୁ ନେଇ ସେ ଜଙ୍ଗଲ ମଧ୍ୟରେ ଯାଉଥିବା ଅଣ-ଓସାରିଆ ରାସ୍ତା ଦେଇ ଚାଲିଲେ । କୋଇଲି ଓ ଚଢ଼େଇମାନଙ୍କର ସୁନ୍ଦର ଗାନ କାନରେ ପଡିବା ସହିତ , ଗୁଡୁଲ୍‌ ମନରୁ ଭୟ ଅପସରି ଯାଉଥାଏ । ଶେଷରେ ଦୁହେଁ ପହଞ୍ଚିଲେ ଏକ ବର ଗଛ ପାଖରେ, ଯାହା ଉପରେ ଅନେକ ନାଲି କରିଆ , ଓ ବିଭିନ୍ନ ରଙ୍ଗର ଶାଢ଼ୀ ସଜା ହୋଇଥାଏ । କି ଶୀତଳ , ସ୍ୱଚ୍ଛ ଓ ପବିତ୍ର ସେ ପରିବେଶ ଥିଲା । ଗୁଡୁଲ୍‌ ତଳେ ବସିଗଲା, ଓ ଗହଳ ବନ ମଧ୍ୟରେ ପଡୁଥିବା, ଚମକୁଥିବା ହାଲକା ସୁନେଲି ସୂର୍ଯ୍ୟ କିରଣକୁ ଦେଖିଲା । ବାପା ମୂର୍ତ୍ତିକୁ ଦେଖାଇ କହିଲେ, ଏ, ହେଉଛନ୍ତି ବନଦେବୀ ଡାଲ୍‌ଖାଇ । ତାଙ୍କୁ ସମ୍ମାନ ଦେଇ, ଏଠିକାର ଲୋକ ମାନେ ଏଠାରୁ ଗଛ କାଟନ୍ତି ନାହିଁ । ଡାଲ୍‌ଖାଇ, ବାଉଁଶୁଣୀ, ଭୂଆଷୁଣୀ ପରି ଅନେକ ବନ ଦେବୀ ଜଙ୍ଗଲରେ ରୁହନ୍ତି । ଆଉ ସେ , ପିଲା ମାନଙ୍କୁ ଚୋରି କରନ୍ତି ନାହିଁ, ବରଂ ପିଲାମାନଙ୍କୁ, ଖାଇବାକୁ ମିଠା କୋଳି ଓ ଫଳ, ଖେଳିବା ପାଇଁ ସୁନ୍ଦର ପ୍ରଜାପତି , ଶୁଣିବା ପାଇଁ ଚଢ଼େଇର ସୁନ୍ଦର ଗୀତ ମଧ୍ୟ ଦେଇଛନ୍ତି । ସେଦିନ ପିକୁଲ୍‌ ଯାହା ତାହା କହି ତୋତେ ଡରାଇ ଦେଲା , ସେ ହେଉଛନ୍ତି ଦେବୀ ଷଷ୍ଟୀ , ଯାହାଙ୍କର ବାହନ ହେଉଛି ବିଲେଇ , ସେ ପିଲାମାନଙ୍କୁ ରକ୍ଷା କରନ୍ତି ।” କିଛି ସମୟ ପରେ ଗୁଡୁଲ୍‌ ଓ ବାପା ପିକ୍‌ନିକ୍‌ର ରୋଷେଇ ସ୍ଥଳକୁ ଫେରି ଆସିଲେ ।

ଆଜି ଷୋହଳ ବର୍ଷ ପରେ ଗୁଡୁଲ୍ ହେଉଛି ଡାକ୍ତର ସ୍ୱରୂପ କର । ଦୁଇ ଦିନ ଆଗରୁ ଫଣି ଘୂର୍ଣ୍ଣି ବାତ୍ୟା ପୁରୀରେ ଅଜସ୍ର କ୍ଷୟ କ୍ଷତି କରିଛି । ମେଡିକାଲ୍‌ଟିମ୍‌ ସହିତ ଗୁଡୁଲ୍, ପୁରୀରୁ କୋଣାର୍କ ରାସ୍ତାରେ ଅଗ୍ରସର ହେଉଥିଲେ । ଯେଉଁ ଝାଉଁବଣରେ ପିଲାବେଳେ ପିକ୍‌ନିକ୍ କରିବାକୁ ଆସିଥିଲେ, ବସ୍‌ଟି ସେହି ବାଟ ଦେଇ ଗଡିଲା । ଝାଉଁ ବଣର ସବୁ ଗଛ ଗୁଡିକର ବିଶାଳ କାଣ୍ଡ ଗୁଡିକ , ଫଣୀର ପ୍ରଲୟଙ୍କରୀ ଶକ୍ତି କୁ ବାଧା ଦେଉ ଦେଉ ଭାଙ୍ଗି ପଡିଥାଆନ୍ତି, ମାଟି ଉପରେ ଠିଆ ହୋଇଥାଆନ୍ତି, ବିଖଣ୍ଡିତ ଦ୍ରୁମର ଭଗ୍ନ କାଣ୍ଡ , ଦିଲ୍ଲୀର ଅମର ଜବାନର ସ୍ମୃତିସ୍ଥମ୍ଭ ସଦୃଶ । “ଝାଉଁ ବଣ ଯୋଗୁ ପୁରୀ ବଞ୍ଚିଗଲା, ନହେଲେ କଅଣ ଯେ ହୋଇଥାଆନ୍ତା କିଏ ଜାଣେ ?” – ପଛ ସିଟ୍‌ରୁ ଜଣେ ଡାକ୍ତରୀ ବନ୍ଧୁ କହିଲେ ।

“ତୋ ମା’ଙ୍କ ଠାରୁ ମଧ୍ୟ ଅଧିକ ତୋତେ ସ୍ନେହ ଦିଅନ୍ତି, ଓ ଦରକାର ପଡିଲ ତୋ ପାଇଁ ଜୀବନ ମଧ୍ୟ ଦିଅନ୍ତି ।” – ଗୁଡୁଲ୍ ବାପାଙ୍କର ପିଲାବେଳେ କହିଥିବା କଥାକୁ ଆଜି ପ୍ରଥମ ଥର ପାଇଁ ମର୍ମେ ମର୍ମେ ଅନୁଭବ କରୁଥିଲା ।

ଲୋକପ୍ରିୟ ଲେଖା

To Top