ଅଣୁଗଳ୍ପ

ଦୟା

Ritika Pattanaik's odia short story Dayaa

ରେଖା ଭାବୁଥିଲା କୌଣସି ଜରାଶ୍ରମକୁ ଯୋଗାଯୋଗ କରି ଏହାଙ୍କର କିଛି ଥଇଥାନ କରିବାକୁ ।

ଦୟା

ମନ୍ଦିରରେ ପୂଜା ଓ ଦିଅଁ ଦର୍ଶନ ସାରି ଭିକାରିମାନଙ୍କୁ(ସେମାନଙ୍କ ଭିତରେ କିଛି ସୁସ୍ଥ ସବଳ ମଧ୍ୟ ଥିଲେ) ଟଙ୍କାପଇସା କିଛି ବାଣ୍ଟିସାରି ଅସୀମା କହିଲା, “ରେଖା ତୁ ଭାରି କଞ୍ଜୁସ୍, ଟିକେ ବି ଦୟା ନାହିଁ ? ଏତେ ରୋଜଗାର କରି କରିବୁ କ’ଣ । ଏ ଗରିବ ଲୋକମାନଙ୍କୁ ତ ତୁ କିଛି ଦେ !” ରେଖା ଏକ ଦଶ ଟଙ୍କିଆ ନୋଟ କାଢି ଏକ ଅତି ଦୁର୍ବଳ ଅଶୀତପର ବୃଦ୍ଧା ଭିକାରୁଣୀଙ୍କ ହାତକୁ ବଢାଇଦେଲା । କ୍ଷଣକ ପାଇଁ ବୃଦ୍ଧା ଚେହେରାରେ ଉକୁଟି ଉଠିଲା ଏକ ସ୍ନେହବୋଳା ଉଜ୍ଜଳତା । ଥରଥର ଶୀର୍ଣ୍ଣ ଡାହାଣ ହାତଟି ଉଠାଇ ସେ ଆର୍ଶାବାଦ କଲେ । ରେଖା ଭାବୁଥିଲା କୌଣସି ଜରାଶ୍ରମକୁ ଯୋଗାଯୋଗ କରି ଏହାଙ୍କର କିଛି ଥଇଥାନ କରିବାକୁ ।

ସେମାନେ ଅଟୋ ପାଇଁ ଅପେକ୍ଷା କଲେ କିଛି ସମୟ । “ରେଖା ! ଦେଖ, ସେହି ଯେଉଁ ଝିଅଟା ଯାଉଛି, ଛୋଟିଟେ, ମୋ ଜୁନିୟର । ଅଫିସରେ ନୂଆ ଜଏନ କରିଛି ଏହି କିଛି ମାସ ହେବ । ଯାହା ତ କାମ କରୁଛି, ହୁଃ ! । ତା’ର କିଛି ଗୋଟେ ବନ୍ଦୋବସ୍ତ କରିବାକୁ ହେବ । କିଛି କହିଲେ ଜବାବ୍ ଦେଉଛି, କହୁଛି ଯାହା ତାଗିଦ୍ କରିବା କଥା ଧୀର ନରମ ଭାବେ ବି କୁହାଯାଇପାରିବ । ଏତେ ବଡ଼ ପାଟିରେ ସମସ୍ତଙ୍କ ସାମନାରେ କାହିଁକି? ବୋଧହୁଏ ହାର୍ଟ ପ୍ରୋବ୍ଳମ ଅଛି !” ନିଜ ବିଦ୍ରୁପଭରା ମନ୍ତବ୍ୟରେ ନିଜେ ଆମୋଦିତ ଅସୀମା ଏମିତି ଖିଲି ଖିଲି ହସିଲା ଯେ, ରାସ୍ତାରେ ଯାଉଥିବା ଲୋକେ ତା’ ଆଡ଼କୁ ଅନେଇ ଅନେଇ ଗଲେ । ରେଖା ଟିକେ ଅପ୍ରସ୍ତୁତ ହେଇ ଏକ ଅଟୋକୁ ଡାକ ପକେଇଲା ।

ଲୋକପ୍ରିୟ ଲେଖା

To Top