ଅଣୁଗଳ୍ପ

ଦେଶୀକୁକୁର

Hemanta Kumar Rout's Odia Short Story DESHIKUKURA

ଝୁମ୍ପୁଡ଼ି ଆଗରେ ମୋର ଦୁଇଟି ଦେଶୀ କୁକୁର ଅଛନ୍ତି, ସେମାନଙ୍କୁ ଯାହା ଦେଲେ ସେମାନେ ତାହା ଖାଇବେ । ଆପଣ ଗୋଟା ଦେଶୀ କୁକୁର ରଖନ୍ତୁ ସେମାନେ ବିଦେଶୀ କୁକୁରଙ୍କ ଠାରୁ ଟାଣୁଆ ଭାରି ଲଢୁଆ ।

ଦେଶୀକୁକୁର

ସେଇ ଉଚ୍ଚା କୋଠାର ଝର୍କାରୁ ଥାଇ ବାବୁଆଣୀ ଡାକ ପକାଏ । ତଳେ ଝୁମ୍ପୁଡ଼ିରେ ରହୁଥିବା ରିକ୍ସାବାଲାର ପିଲାମାନେ ଯାଇ ବାସିରୁଟି ତରକାରୀ ପଚାଫଳ ନେଇ ଆସନ୍ତି । ତା’ପରେ ବାବୁଆଣୀ ତାଙ୍କୁ କାମରେ ଲଗେଇ ଦିଏ । କେତେବେଳେ ବାସନ ମଜାଏ କେତେବେଳେ ପରିବା ଅଣାଏ । ପାଣି ନ ଆସିଲେ ଆଖ ପାଖରୁ ପାଣି ବୁହାଏ । କେତେବେଳେ ଶାଢ଼ୀପଟା ସଫା କରିବାକୁ ଦେଇଦିଏ ।

ଯେଉଁଦିନ ବାବୁଙ୍କ ଘରେ ଭୋଜିଭାତ ହୁଏ । ମାଛ, ମାଂସ, କ୍ଷୀରି, ପୁରୀ ଖାଇ ଖାଇ ଫୋପଡ଼ାଯାଏ । ସେଦିନ କେହି ଡାକନ୍ତିନି କି ସେମାନଙ୍କ ହିସାବ ରହେନି ।

ସେଦିନ ସେମିତି ବାବୁଆଣୀ ଡାକିଲେ, ପିଲାମାନେ ନ ଥିଲେ । ରିକ୍ସାବାଲା ନିଜେ ଗଲା । ବାବୁଆଣୀ କହିଲେ, “ଏ ରୁଟି ଦିଖଣ୍ଡ ଅଛି । ନେଇଯା’ ଛୁଆ ଖାଇଦେବେ ।”

ରିକ୍ସାବାଲା ମନା କରି ପାରେନି । ଏତେବଡ଼ ଲୋକ ଭଲମନ୍ଦ ଅଛି । ସେମାନଙ୍କ ସହ ବିରୁଦ୍ଧ କରି ପାରିବନି । ପିମ୍ପୁଡ଼ିର ବଳ କାହିଁ ଯେ ହାତୀ ସଙ୍ଗରେ ତାଳ ଦେବ । ତଥାପି କହିଲା ।

“ମା’ ଏତେ କଷ୍ଟ କରି ଡାକୁଛନ୍ତି । ଜିନିଷଗୁଡ଼ା ନଷ୍ଟ ହେଉଚି । କୁକୁର ଗୋଟେ ରଖୁନାହାନ୍ତି, ଏ ଗୁଡ଼ା ଖାଇ ଦିଅନ୍ତା ।”

ବାବୁଆଣୀ କହିଲେ, “ପୋଷାକୁକୁର ଓପର ତାଲାରେ ଦୁଇଟି ଅଛନ୍ତି । ବିଦେଶୀ କୁକୁର । ସେ ଗୁଡ଼ା ଏଣୁତେଣୁ ବାସି ଜିନିଷ ଖାଇବେନି ।”

ଲୋକଟା କହିଲା, “ସକାଳେ ପାଉଁରୁଟି ବିସ୍କୁଟ୍ ଆଣି ପିଲାଙ୍କୁ ଦଉଚି । ସେମାନେ ବାସିରୁଟି ଖାଉନାହାନ୍ତି । ଝୁମ୍ପୁଡ଼ି ଆଗରେ ମୋର ଦୁଇଟି ଦେଶୀ କୁକୁର ଅଛନ୍ତି, ସେମାନଙ୍କୁ ଯାହା ଦେଲେ ସେମାନେ ତାହା ଖାଇବେ । ଆପଣ ଗୋଟା ଦେଶୀ କୁକୁର ରଖନ୍ତୁ ସେମାନେ ବିଦେଶୀ କୁକୁରଙ୍କ ଠାରୁ ଟାଣୁଆ ଭାରି ଲଢୁଆ ।”

ଏତେ ବଡ଼ ଲୋକ ଆମେ । ଦେଶୀ କୁକୁର ରଖିବୁ କେମିତି, ଆମ ପ୍ରେଷ୍ଟିଜ୍ ରହିବ ।

ରିକ୍ସାବାଲା କହିଲା, “ଏତେ ବଡ଼ ଲୋକ ହୋଇ ଯଦି ବଳକା ବାସି ରୁଟି ଗରିବଙ୍କୁ ଦେବ ସେଥିରେ ତମର କଉ ପ୍ରେଷ୍ଟିଜ୍ ରହିବ ନାଁ ଯିଏ ଖାଇବ ତା’ର ରହିବ । ମା’ ! ଧନୀ ହେଉ କିବା ଗରିବ ହେଉ । ସମସ୍ତଙ୍କ ଜୀବନ ଏକା, ସମସ୍ତେ ଆମେ ମଣିଷ ।”

ଲୋକପ୍ରିୟ ଲେଖା

To Top