ଅଣୁଗଳ୍ପ

ଦୂରଦର୍ଶୀ

Madhumita Mohanty's odia short story Dooradarshee

ଆମର ଦି’ଟା ସିଙ୍ଗଲ ବେଡ୍‌ସିଟ୍ ସିନା ଆଣିଥାନ୍ତୁ ଏଡ଼େଟାଏ କ’ଣ ଦରକାର ଏଠି ?

ଦୂରଦର୍ଶୀ

ବେଡ଼ସିଟ୍, ଶାଢ଼ି, ଟାୱେଲ୍, ପାଣିବୋତଲ, ଗ୍ଲାସ୍, କପ୍ ସବୁ ଆଣିଥିଲି । ହଠାତ୍ ରାତିଅଧଟାରେ ବାପାଙ୍କ ଛାତି ଭୀଷଣ ଦରଜ ହେଲା । ତାଙ୍କୁ ନେଇ ହସ୍ପିଟାଲ୍ ଯିବା ବ୍ୟତୀତ ଅନ୍ୟ ରାସ୍ତା ନଥିଲା । ଇସିଜି, ଇକୋ, ଆହୁରି ଆହୁରି କ’ଣ ସବୁ ପରୀକ୍ଷା ହବ ବୋଲି ଡାକ୍ତର କହିଲେ । ପିଲାଙ୍କର ଛୁଟି ଥିଲା ଏଣୁ ରଶ୍ମି ସେମାନଙ୍କୁ ନେଇ ବୁଲିଯାଇଥିଲା ତାଙ୍କ ଘରକୁ । ଘରେ ବାପା, ମୁଁ ଆଉ ରଘୁଆ ଆମ ରୋଷେୟା, ମାଳି, ମ୍ୟାନେଜର୍ ସବୁ ।

ଖୁବ୍ କଷ୍ଟରେ, ଚିନ୍ତାରେ ରାତିଟା କଟିଗଲା । ସକାଳୁ ରଶ୍ମୀକୁ ସାଙ୍ଗେ ସାଙ୍ଗେ ଆସିବା ପାଇଁ କହିଦେଲି । ଦେଖିଲି ତରତରରେ ଛୁରୀ, ଥାଳିଆ, ଗିନା, ଚାମଚ ଇତ୍ୟାଦି ଆହୁରି କିଛି ଦରକାରୀ ଜିନିଷ ଆଣିପାରି ନାହିଁ । ରଘୁଆକୁ ଘରକୁ ପଠେଇଲି, ତୁ ଯା’- କର ଟିକେ ରନ୍ଧାରନ୍ଧି କରି ଖାଇ ଦେବୁ । ଆମ ପାଇଁ ଖାଇବା ଆଣିବୁ । ସାଙ୍ଗରେ ଆଉ ଯାହା ଯାହା ଦରକାର ନେଇ ଆସିବୁ ।

ଦି’ଘଣ୍ଟା ପରେ ସେ ଫେରିଲା । ମନେକରି ଯାହା ଛାଡ଼ି ଆସିଥିଲି ସବୁ ଆଣିଥିଲା । ସାଙ୍ଗରେ ଆଣିଥିଲା ଆଉ ଗୋଟେ ମୋଟା ଡବଲ ବେଡ଼ସିଟ୍, ଗୋଟାଏ ବଡ଼ ଶକ୍ତ ଠେଙ୍ଗା ।

କହିଲି ଆମର ଦି’ଟା ସିଙ୍ଗଲ ବେଡ୍‌ସିଟ୍ ସିନା ଆଣିଥାନ୍ତୁ ଏଡ଼େଟାଏ କ’ଣ ଦରକାର ଏଠି ? ଏ ଠେଙ୍ଗାଟା କ’ଣ ହବ ପୁଣି ?

ଗୁପ୍ତ କଥାଟାଏ କହିଲା ଭଳି ଘୁଞ୍ଚି ଆସିଲା ସେ ମୋ ପାଖକୁ । କହିଲା, “ରଖିଥିବ ବାବୁ, ଦରକାର ବେଳେ କାମରେ ଆସିବ । ଯଦି କେତେବେଳେ ସର୍ଟସର୍କିଟ୍ ହେଇ ନିଆଁ ଲାଗିଯିବ ଠେଙ୍ଗାଟା ଦରକାର କାଚ ଭାଙ୍ଗି ବାହାରକୁ ଯିବା ପାଇଁ ଏଇ ବେଡ଼ସିଟ୍‌ରେ ବଡ଼ ବାବୁଙ୍କୁ ଟେକିନବା- ସିଙ୍ଗଲଟାରେ କ’ଣ ନେଇ ହବ ?”

ହସିଦେଲି ମୁଁ ଚମତ୍କୃତ ବି ହେଲି- ଆଃ ! କେତେ ବୁଦ୍ଧି ଲୋକଟାର. . . !

ଲୋକପ୍ରିୟ ଲେଖା

To Top