ଅଣୁଗଳ୍ପ

ଦୁଇଧାର ରକ୍ତ

Pradipta Sundar Moharana's odia short story Duidhaara Rakta

ଆଉ କିଛି ସମୟରେ ସାଇବର୍ କେଫେ୍‌ଟିର ଚଟାଣରେ ଦୁଇ ଧାର ରକ୍ତ କ୍ୟାବିନ୍‌ଟି ର କବାଟ ତଳେ ଗଡିଆସୁଥିଲା ।

ଦୁଇଧାର ରକ୍ତ

ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ବା ନହେବା , ମନମୋହନ ପାଇଁ ଏକ ଜୀବନ ମରଣର ପ୍ରଶ୍ନ ସଦୃଶ ହୋଇସାରିଥିଲା । ବାପା ହରମୋହନ, ତାଙ୍କର ସୁଦୂର କର୍ମଭୂମି କଲିକତାରୁ ଚିଠିଟିଏ ମାଧ୍ୟମରେ ତାଗିଦ କରିଦେଇଥିଲେ ପୁଅକୁ , “ବାପରେ ସୁଧୁରି ଯା ! ଯଦି ଏହି ପରୀକ୍ଷାରେ ତୁ ଉତ୍ତୀର୍ଣ୍ଣ ନ ହେଉ ତାହା ହେଲେ, ତୋ ପାଇଁ ମୋ କାର୍ଯ୍ୟାଳୟ ପାଖ ପାଠାଗାରରେ ଗୋଟିଏ ସାଇକେଲ ଜଗିବା ଚାକିରୀ ବୁଝିକି ରଖିଛି । ଭୁବନେଶ୍ୱର ଛାଡି କଲିକତା ଆସିବୁ ଆଉ ଏଠି ସାଇକଲ୍ ଜଗିବୁ । ଯେଉଁ ନୂଆଗାଡି, ଅଧିକା ପକେଟ ଖର୍ଚ୍ଚ ଇତ୍ୟାଦି ବିଷୟରେ କହୁଥିଲୁ, ଏସବୁର ଆଶାକୁ ଛାତ୍ରାବାସର କୋଠରୀରେ ଜାଳିଦେଇ ଆସିବୁ ।”

ଯୁବକମାନେ କ’ଣ ଯେ ଚାହାଁନ୍ତି, ସେକଥା ନିଶ୍ଚିତ ରୂପେ ବୟସ୍କ ଲୋକମାନେ ବୁଝିପାରନ୍ତିନାହିଁ ବୋଲି ମନମୋହନର ଆଉ ସନ୍ଦେହ ନଥିଲା । ମନମୋହନର ଗୀଟାର ବଜାଇ ମହାବିଦ୍ୟାଳୟ କାର୍ଯ୍ୟକ୍ରମ ଗୁଡିକରେ ଗୀତ ଗାଇବାଟା ଆଜି ବାପାଙ୍କ ଆଖିରେ ଫାଜିଲାମି, ତା’ର ନୂଆପୋଷାକ ଆଉ ସୌଖୀନ ସାମଗ୍ରୀ ବାପାଙ୍କ ପାଇଁ ନବରଙ୍ଗ । ତା’ର ପାଠପଢିବାଟା ମଧ୍ୟ କୁଆଡେ ଲୋକଦେଖାଣିଆ ଏପରି ଅନେକ କିଛି ।

ସତେ ଯେପରି ପିତା ଆଉ ପୁତ୍ର ମଧ୍ୟରେ ଥିବା ବିଶ୍ୱାସରୁ ଆଉ ତିଳଟିଏ ମାତ୍ର ବାକି ରହିଯାଇଥିଲା । ବାପାଙ୍କ ଆଖିରେ ଟିକିଏ ସମ୍ମାନର ଝଲକ ପାଇବାପାଇଁ ମନମୋହନ ଏବେ ଯେପରି ଅଣ୍ଟା ଭିଡ଼ିଥିଲା ସର୍ବଭାରତୀୟ ଭେଷଜ ବିଜ୍ଞାନ ପଢିବା ପାଇଁ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ତା’ର ଶେଷ ଲକ୍ଷ୍ୟ ହୋଇସାରିଥିଲା । ଏସବୁ ଭିତରେ ମନମୋହନ ଏକଥା ବି ବୁଝୁଥିଲା, କି ସେ ଅନ୍ୟ ମାନଙ୍କଠାରୁ ବିଳମ୍ବରେ ପ୍ରସ୍ତୁତି ଆରମ୍ଭ କରିଛି । ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ ଇତ୍ୟାଦି ବିଷୟଗୁଡିକୁ ସେ ଆଗରୁ ଅବହେଳା କରି ଆସିଛି । ବାପାଙ୍କ ଠାରୁ ୨ ଲକ୍ଷ ଟଙ୍କା ନେଇ ଗୋଟିଏ ଦାମିକା କୋଚିଂ ସେଣ୍ଟର୍ ରେ ପରୀକ୍ଷା ପ୍ରସ୍ତୁତି ପାଇଁ ଯୋଗ ଦେଇଛି ମନମୋହନ୍ । ବାପାଙ୍କ କାନ୍ଧରେ ୨ ଲକ୍ଷ ଟଙ୍କା ଋଣର ବୋଝ – ଆଉ ମନ ମୋହନ କାନ୍ଧରେ ଗ୍ଲାନିର ବୋଝ । ମନମୋହନ ପାଇଁ ପୁନର୍ବାର ଅସଫଳତାର ଅନ୍ୟ ନାମ ଆଉ ଟିକିଏ ଅଧିକା ଲଜ୍ଜା, ଆଉ ଅଧିକ ଭର୍ତ୍ସନା, ଆଉ ତା’ପରେ ସବୁକିଛି ଯେପରି ଅନ୍ଧକାରମୟ ।

ମନମୋହନ ମନର ଅନ୍ତର୍ଦ୍ୱନ୍ଦ ତା ବାପାଙ୍କ ସହିତ ନଥିଲା, ବରଂ ସେଠି ଯୁଦ୍ଧ ଚାଲୁଥିଲା ସ୍ୱାଧୀନତା ଏବଂ ପର ଆଦେଶରେ ପରିଚାଳିତ ହେବାର ପରାଧୀନତା ମଧ୍ୟରେ, ଯୁଦ୍ଧ ଚାଲୁଥିଲା ଆଶା ଓ ନିରାଶା ମଧ୍ୟରେ, ଯୁଦ୍ଧ ଚାଲୁଥିଲା ସଫଳତାର ସ୍ୱପ୍ନ ଓ ଅସଫଳତାର ଗ୍ଲାନି ମଧ୍ୟରେ – ଯୁଦ୍ଧକୁ ଟିକିଏ ବିରାମ ଦେଇ କମ୍ପୁଟରର ଦୃଶ୍ୟପଟଳରେ ତା’ର ପରୀକ୍ଷା କ୍ରମାଙ୍କ ସଂଖ୍ୟା ଲେଖି “ଏଣ୍ଟର୍” ସୁଇଚ୍‌କୁ ଚାପିଦେଲା । ଯେତେବେଳେ ସେ ଫଳାଫଳ ତାଲିକାଟି ଦୃଶ୍ୟମାନ ହେଲା, ତା’ର ଗତବର୍ଷ ପରି କ୍ରମାଙ୍କ ସଂଖ୍ୟାଟି ନାଲି ରଙ୍ଗରେ ଲେଖା ହୋଇଥିଲା ପୁଣିଥରେ – ଯୁଦ୍ଧରେ ପୁଣି ଏକ ପରାଜୟ । ମନମୋହନ ପେନ୍ସିଲ୍ ବାକ୍ସରୁ କିଛି କାଢିବାର ଶବ୍ଦ ବାହାରିଲା । ଆଉ କିଛି ସମୟରେ ସାଇବର୍ କେଫେ୍‌ଟିର ଚଟାଣରେ ଦୁଇ ଧାର ରକ୍ତ କ୍ୟାବିନ୍‌ଟି ର କବାଟ ତଳେ ଗଡିଆସୁଥିଲା ।

ପରେ ଆଖିଖୋଲିଲା ବେଳକୁ , ମନମୋହନ କ୍ୟାପିଟାଲ୍ ହସ୍ପିଟାଲ୍‌ର ୱାର୍ଡରେ ଥିଲା । ଅନେକଲୋକ ତା ବେଡ୍ ପାଖରେ, ଏହାମଧ୍ୟରେ ଆସି ଅନେକ ଫୁଲ, ହର୍ଲିକ୍ସ୍ ରଖିଯାଇଥିଲେ । ହର୍ଳିକ୍ସ୍ ଡବାଟି ତଳେ ଗୋଟିଏ ଅଲଗାପ୍ରକାରର ଉପହାର ଥିଲା, ଗୋଟିଏ ବହି “ମହାନାୟକ”, ମଲାଟ୍‌ରେ ସୁବାଷ ଚନ୍ଦ୍ର ବୋଷ୍‌ଙ୍କ ଫଟୋ । ପଚାରିବାରୁ ଜାଣିଲା, ଡାକ୍ତର ଅଙ୍କଲ୍ ଦେଇଛନ୍ତି ।

ଆଜି। ଅନେକ ଦିନ ପରେ ଦୁଇ ଧାର ଝାଳ ମନ ମୋହନ ମଥାରୁ ଗଡି ଗଡି ଆସୁଛି । ହାତରେ କଟା ଦାଗଟିକୁ ଦେଖିଲେ ସାଙ୍ଗସାଥୀ ଜାଣି ନଜାଣିଲା ପରି ଅନେକ ପ୍ରଶ୍ନ କରନ୍ତି , ସେଥିପାଇଁ ଧଳା ରଙ୍ଗର ଫୁଲ୍ ସାର୍ଟର କଫ୍‌ରେ ଦାଗଟିକୁ ଲୁଚାଇ ରଖେ । ସାଇକେଲ୍ ଷ୍ଟାଣ୍ତରେ କାମ କରୁନି ସେ, ମାତ୍ର ସାଇକେଲ୍ ଚଲାଉଛି କଲିକତାରେ । ସେଦିନ ସେ କରିଥିବା ଆତ୍ମହତ୍ୟାର ଉଦ୍ୟମରେ ତା ବାପା ଭାଙ୍ଗି ପଡି ତାହାର ସବୁ ଇଚ୍ଛା ପୂରଣ କରିବାକୁ ଚାହିଁଥିଲେ , ତାପାଇଁ ଗାଡିଟିଏ କିଣିବାକୁ ଚାହିଁଥିଲେ ମାତ୍ର, ମନମୋହନ ମନା କରିଥିଲା, ଅଭିମାନରେ ନୁହେଁ ବରଂ ଆନନ୍ଦରେ । ଏହା ମଧ୍ୟରେ, କଲିଲତା ର ରାଜ୍ୟ ପାଠାଗାରରେ , ସେ ନିଜର ଆଉ ଏକ ସ୍ୱରୂପକୁ ଖୋଜି ପାଇଛି। ସାଇକେଲ୍ ଚଲାଇ ୬ କିଲୋମିଟର୍ ଯାଏ ଓ ଏକ ଏମ୍ ପି ଥ୍ରୀ ପ୍ଲେୟାର୍ ରେ ପାଠ ଗୁଡିକୁ ଅଡିଓ ରେକର୍ଡ୍ କରି ଶିଣୁ ଶୁଣି ଯାଏ । ଏଇତ ଗତ କାଲି ଏ ଏଫ୍ ଏମ୍ ସି ର କଲ୍‌ଲେଟର୍ ପହଞ୍ଚିଛି । ମନମୋହନ କିଛି ବର୍ଷ ଭିତରେ ଡାକ୍ତରଟିଏ ହେବ, ଜଣେ ଭଲ ଡାକ୍ତର ।

ଲୋକପ୍ରିୟ ଲେଖା

To Top