ଅଣୁଗଳ୍ପ

ଜହ୍ନ, ଗୋଲାପ ଓ ଭଅଁର

Anupam Behera's odia short story Jahna Golaap Bhanara

ଆୟତ୍ତରୁ ବାହାରକୁ ଚାଲିଯାଏ ଭଅଁରର କ୍ରୋଧ । ଖିନ୍‌ଭିନ୍‌କରିପକାଏ ସେ ଗୋଲାପର ପ୍ରତିଟି ସୁନ୍ଦର ପାଖୁଡା ଗୁଡାକୁ ।

ଜହ୍ନ, ଗୋଲାପ ଓ ଭଅଁର

ଗୋଟିଏ ସୁନ୍ଦର ପୃଥିବୀ ଥାଏ । ସେଇ ସୁନ୍ଦର ପୃଥିବୀରେ ଥାଏ ଗୋଟିଏ ସୁନ୍ଦର ଫୁଲ ବଗିଚା । ସେଇ ସୁନ୍ଦର ପୃଥିବୀର ସୁନ୍ଦର ଫୁଲ ବଗିଚାରେ ଥାଏ ଗୋଟିଏ ସୁନ୍ଦର ଗୋଲାପ ଫୁଲ ଗଛ । ସେଇ ସୁନ୍ଦର ପୃଥିବୀର ସୁନ୍ଦର ଫୁଲ ବଗିଚାର ସୁନ୍ଦର ଗୋଲାପ ଗଛଟିରେ ଦିନେ ଜନ୍ମ ନିଏ ସୁନ୍ଦର ଗୋଲାପ କଢିଟିଏ । ତା’ରି ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇଯାଏ ସମଗ୍ର ପୃଥିବୀ ଚତୁର୍ଦ୍ଦିଗ ମହକିଯାଏ ତା’ ସୁଗନ୍ଧରେ । ଯେଉଁଦିନ କଢିଟି ଫୁଲ ହୁଏ ସେଇଦିନ ତା’ର ଦେଖା ହୁଏ ଆକାଶର ରାଜକୁମାର ଜହ୍ନ ସାଥିରେ । ସେଇ ପ୍ରଥମ ଦେଖାରେ ଭଲ ପାଇ ବସନ୍ତି ଦୁହେଁ ଦୁହିଁଙ୍କୁ ।

ନିଇତି ସନ୍ଧ୍ୟାରେ ଜହ୍ନ ଆସେ ଅସଂଖ୍ୟ ତାରାର ରୋଷଣୀ ନେଇ । ତା’ର ସ୍ୱଚ୍ଛ ଧବଳ ଶୀତଳ ଜ୍ୟୋସ୍ନାରେ ଭିଜେଇଦିଏ ଗୋଲାପର ପ୍ରତିଟି ପାଖୁଡାକୁ । ସ୍ନିଗ୍ଧ ହୋଇଯାଏ ଗୋଲାପ, ଜହ୍ନର କୋମଳ ସ୍ପର୍ଶରେ । ସୁଲୁସୁଲିଆ ପବନର ତାଳେ ତାଳେ ମଥା ହଲେଇ ସ୍ଵୀକାର କରିନିଏ ଜହ୍ନର ପ୍ରେମ ନିବେଦନକୁ । ଧିରେ ଧିରେ ଦୁହିଁଙ୍କ ପ୍ରେମ ସଂପର୍କ ହୋଇଯାଏ ଆହୁରି ନିବିଡ । ଦୁହିଁଙ୍କର ପ୍ରେମ କାହାଣୀର ଚର୍ଚ୍ଚା ହୁଏ ସାରା ପୃଥିବୀରେ ।

ଭଅଁର ପାଖରେ ବି କଥା ପହଞ୍ଚିଯାଏ । ତା ଖଳ ବୁଦ୍ଧି ସଂପନ୍ନ ମସ୍ତିଷ୍କ ଗ୍ରହଣ କରିପାରେନା ଏ କଥାଟିକୁ ସହଜରେ । ସେ ଆସି ପହଞ୍ଚେ ସେଇ ସୁନ୍ଦର ବଗିଚାରେ ଗୋଲାପର ଠିକଣା ସଂଗ୍ରହ କରି । ବିମୋହିତ ହୋଇଯାଏ ସେ ଗୋଲାପର ସୌନ୍ଦର୍ଯ୍ୟକୁ ସ୍ୱଚକ୍ଷୁରେ ଦେଖି । ମନେ ମନେ ପଣ କରିନିଏ ତା’କୁ ନିଜର କରିବାକୁ ।

ଗୁଣୁଗୁଣୁ ଗୀତ ଗାଇ ଉଡି ବୁଲେ ଗୋଲାପର ଚତୁପାର୍ଶ୍ୱରେ । ଗୋଲାପ କିନ୍ତୁ ପ୍ରତ୍ୟାଖ୍ୟାନ କରିଦିଏ ଭଅଁରର ପ୍ରେମ ନିବେଦନକୁ । ସହଜରେ ଗ୍ରହଣ କରିପାରେନା ସେ ଗୋଲାପର ପ୍ରତ୍ୟାଖ୍ୟାନକୁ । ହଳାହଳ ବିଷ ସଂଚରିଯାଏ ତା ହୃଦୟରେ । ପ୍ରତିଶୋଧର ବହ୍ନି ବ୍ୟତିବ୍ୟସ୍ତ କରିପକାଏ ତା ବିଚଳିତ ମସ୍ତିଷ୍କକୁ ।

ପୁଣି ଥରେ ଗୁଣୁଗୁଣୁ ଗୀତ ଗାଇ ଭଅଁର ଉଡିବୁଲେ ଗୋଲାପର ଚତୁପାର୍ଶ୍ୱରେ । ଗୋଲାପ କିନ୍ତୁ ତାକୁ ଚାହେଁନା ଆଡ ଆଖିରେ । ଆୟତ୍ତରୁ ବାହାରକୁ ଚାଲିଯାଏ ଭଅଁରର କ୍ରୋଧ । ଖିନ୍‌ଭିନ୍‌କରିପକାଏ ସେ ଗୋଲାପର ପ୍ରତିଟି ସୁନ୍ଦର ପାଖୁଡା ଗୁଡାକୁ । କିଛି କ୍ଷଣ ଭିତରେ ଗୋଲାପର ସୌନ୍ଦର୍ଯ୍ୟ ହଜିଯାଏ ପୃଥିବୀ ଗର୍ଭରେ । ଭଅଁରର ବିଜୟ ସୂଚକ ଅଟ୍ଟହାସ୍ୟରେ ଥରିଉଠେ ସୁନ୍ଦର ଫୁଲବଗିଚାଟି ।
ଏମିତି ଏକ ଲୋମହର୍ଷଣକାରୀ ସ୍ପର୍ଶକାତର ଦୁର୍ଘଟଣାରେ ମର୍ମାହତ ହୋଇ ସୂର୍ଯ୍ୟ ବିଶ୍ରାମ ନିଅନ୍ତି ପଶ୍ଚିମ ଆକାଶର ପର୍ବତ ମାଳା କୋଳରେ । ଅସଂଖ୍ୟ ତାରାର ରୋଷଣୀ ନେଇ ଜହ୍ନ ଆସେ ଗୋଲାପକୁ ଭେଟିବାକୁ । କିନ୍ତୁ ନ ଥାଏ ସେ ସୁନ୍ଦର ପୃଥିବୀ । ନ ଥାଏ ସେ ସୁନ୍ଦରପୃଥିବୀର ସୁନ୍ଦର ଫୁଲବଗିଚା । ନ ଥାଏ ସେଇ ସୁନ୍ଦର ପୃଥିବୀର ସୁନ୍ଦର ଫୁଲବଗିଚାର ସୁନ୍ଦର ଗୋଲାପ ଗଛ । ନ ଥାଏ ସେଇ ସୁନ୍ଦର ସୁନ୍ଦର ଫୁଲବଗିଚାର ସୁନ୍ଦର ଗୋଲାପଗଛରେ ଫୁଟିଥିବା ତା ଅତିପ୍ରିୟ ଗୋଲାପ ଫୁଲ ।

ସ୍ନିଗ୍ଧ ହୋଇଯାନ୍ତି ଗୋଲାପର ଭୂମିଷ୍ଠ ପାଖୁଡା ଗୁଡାକ ଜହ୍ନର ଶୀତଳ ଧବଳ ଜ୍ୟୋସ୍ନାରେ । ଧୈର୍ଯ୍ୟର ବନ୍ଧ ଭାଙ୍ଗିଯାଏ ଜହ୍ନର । ତା ଦୁଃଖ ଜର୍ଜରିତ ଭଙ୍ଗା ହୃଦୟର ଅଶ୍ରୁରେ ଭିଜିଯାଏ ସମଗ୍ର ପୃଥିବୀ । ଗୋଲାପର ଆତ୍ମା ଧିରେ ଧିରେ ନିଜ ମରଶରୀର ଛାଡି ଉର୍ଦ୍ଧ୍ଵମୁଖୀ ହୋଇ ପହଞ୍ଚେ ଜହ୍ନପାଖରେ । ଚୁମ୍ବନଟିଏ ଆଙ୍କିଦିଏ ଜହ୍ନର କପାଳରେ ।

ଜହ୍ନ ନିଜର ଅଶ୍ରୁଳ ଆଖି ଯୋଡାକ ଉପରେ ବିଶ୍ୱାସ କରିପାରେନା ଗୋଲାପକୁ ନିଜ ପାଖରେ ଦେଖି । ଖୁସିରେ କୁଣ୍ଢେଇପକାଏ ତାକୁ । ଗୋଲାପକୁ ଜହ୍ନର ବାହୁପାଶରେ ଦେଖି ପରାଜୟର ଗ୍ଲାନିରେ ପାଗଳପ୍ରାୟ ହୋଇଯାଏ ଭଅଁର ।

ପୁଣି ହସିଉଠେ ସୁନ୍ଦର ପୃଥିବୀ । ହସିଉଠେ ସୁନ୍ଦର ପୃଥିବୀର ସେଇ ସୁନ୍ଦର ଫୁଲ ବଗିଚା । ହସିଉଠେ ସୁନ୍ଦର ପୃଥିବୀର ସୁନ୍ଦର ଫୁଲ ବଗିଚାର ସେଇ ସୁନ୍ଦର ଗୋଲାପ ଗଛ । ହସି ହସି ଗୋଲାପ ବିଦା ନିଏ ଜହ୍ନ ପାଖରୁ । ଜହ୍ନ କିନ୍ତୁ ଚାହୁଁ ନ ଥାଏ ତାକୁ ଦୂରେଇଦେବାକୁ। ଗୋଲାପ ହାତ ବଢେଇ ଇସାରା କରେ ସୁନ୍ଦର ପୃଥିବୀର ସୁନ୍ଦର ଫୁଲ ବଗିଚାର ସେଇ ସୁନ୍ଦର ଗୋଲାପ ଗଛଟିକୁ । ସେଇ ସୁନ୍ଦର ପୃଥିବୀର ସୁନ୍ଦର ଫୁଲ ବଗିଚାର ସୁନ୍ଦର ଗୋଲାପ ଗଛଟିରେ ଜନ୍ମ ନେଇଥାଏ ସୁନ୍ଦର ଗୋଲାପ କଢିଟିଏ ।

ଲୋକପ୍ରିୟ ଲେଖା

To Top