ଅଣୁଗଳ୍ପ

ଜହ୍ନ ଆଉ ନୀଳ କଇଁ

Rajiba Lochana Panda's odia short story Janha aau neelakain

ଜହ୍ନ ଖୋଜୁଥିଲା ନୀଳ କଇଁକୁ ଗାଁରେ ପୁରପଲ୍ଲିରେ ସହରର କଂକ୍ରିଟ ଘର ଆଉ ଚାରି ଛକିଆ ରାସ୍ତା ସେପାଖରେ ହେଲେ କୋଉଠିବି ନୀଳ କଇଁକୁ ନପାଇ ଜହ୍ନ ନିରାଶ ହୋଇଗଲା ।

ଜହ୍ନ ଆଉ ନୀଳ କଇଁ

ପୂନେଇଁ ରାତିରେ ସଜବାଜ ହୋଇ ‘ଜହ୍ନ’ ଚାଲିଥିଲା ଆଗକୁ ଆଗକୁ ସତେ ଯେମିତି ସରଗ ରାଇଜର ଗୋଟେ ବୋଲି ରାଜକୁମାର । ହଠାତ୍ ମନେ ପଡିଲା ଜହ୍ନର ପୁରୁଣା ଅତିତର ସ୍ମୃତି । ମନଟା ଛଟ୍ ପଟ୍ ହେଲା ଜହ୍ନର , ପୁରୁଣା ସ୍ମୃତିଟା ମନେ ପଡୁପଡୁ ଜହ୍ନକୁ ଲାଗୁଥିଲା ସତେ ଯେମିତି ସେ ଅଣନିଶ୍ୱାସି ହୋଇଯିବ ଏଇ କ୍ଷଣିକ ଭିତରେ । ଜହ୍ନ ଭାବୁଥିଲା ମନେମନେ , ନୀଳ କଇଁ କଣ ମତେ ଆଜିବି ଝୁରୁଥିବ ଠିକ୍ ସେମିତି ଯେମିତି ମୁଁ ତାକୁ ଝୁରୁଛି ? ନୀଳ କଇଁ କଣ ନିହାତି ଏକୁଟିଆ ସମୟ କାଟୁଥିବ ଖାସ୍ ମୋରି ଅପେକ୍ଷାରେ !

ଜହ୍ନ ଜମାରୁ ସମୟ ନଷ୍ଟ କଲାନି ପାଖରେ ବି ବହୁତ କମ୍ ସମୟ , ମନେମନେ ଚିନ୍ତା କଲା ନୀଳ କଇଁକୁ ଖୋଜିବ ଏଇଠି ସେଇଠି ସବୁଠି ହେଲେ ନୀଳ କଇଁ କାହିଁ ? କୋଉଠି ବି ଖୋଜି ଖୋଜି ପାଉନି ଜହ୍ନ ନୀଳ କଇଁକୁ । ଜହ୍ନର ବ୍ୟାକୁଳତା ବଢିବାକୁ ଲାଗିଲା , ଜହ୍ନ ଖୋଜୁଥିଲା ନୀଳ କଇଁକୁ ଗାଁରେ ପୁରପଲ୍ଲିରେ ସହରର କଂକ୍ରିଟ୍‌ ଘର ଆଉ ଚାରି ଛକିଆ ରାସ୍ତା ସେପାଖରେ ହେଲେ କୋଉଠିବି ନୀଳ କଇଁକୁ ନପାଇ ଜହ୍ନ ନିରାଶ ହୋଇଗଲା । ଜହ୍ନକୁ ଲାଗୁଥିଲା ସତେ ଯେମିତି ତା ଦେହରେ ଗ୍ରହଣ ଲାଗିଯାଇଛି । କିଛି ସମୟ ଆଗକୁ ଯାଇ ଥକି ପଡିଲା ଜହ୍ନ , ଥକି ପଡିଥିବା ତୃଷାର୍ତ୍ତ ଜହ୍ନଟା ଭରା ଆକାଶରେ ଭାସି ବୁଲୁଥିବା ବାଦଲରୁ ପାଣି ପିଉପିଉ ଚିହିଁକି ଉଠିଲା ସତେ ଯେମିତି ! ମନେ ପଡିଗଲା ଜହ୍ନର ପୁରୁଣା ଦିନର ଠିକଣା ଯୋଉଠି ଜହ୍ନ ମିଶିଥିଲା ନୀଳ କଇଁ ସାଥିରେ କାହିଁ କୋଉ ଦୁର୍ବଳ ମୂହୁର୍ତ୍ତରେ । ଜହ୍ନ ଜମାରୁ ସମୟ ନଷ୍ଟ ନକରି ଆଗକୁଆଗକୁ ମାଡି ଚାଲିଲା , କେତେ ଗାଁ ପୁରପଲ୍ଲି ଜଙ୍ଗଲ ପାହାଡ ପର୍ବତ ଡେଇଁ ପାହାଡ ତଳେ ତଳେ ବହି ଯାଇଥିବା ଝରଣାର ଶେଷରେ ଗଢି ଉଠିଥିବା ଛୋଟ ପୋଖରି ଭିତରେ ନୀଳ କଇଁକୁ ପାଇ ସତେ ଯେମିତି ଆତ୍ମହରା ହୋଇଗଲା ଜହ୍ନ ।

ଏତେ ଦିନ ପରେ ପାଖରେ ଜହ୍ନକୁ ଦେଖି ନୀଳ କଇଁର ଆଖି ଲୁହ ଛଳଛଳ , ହସିବା ତ ଦୂରର କଥା କାନ୍ଦି ବି ପାରୁନି ଜମାରୁ ନୀଳ କଇଁଟା । ଜହ୍ନ ଇଶାରା କଲା ନୀଳ କଇଁକୁ ଆସ ମୋ ପାଖକୁ ଜମାରୁ ସମୟ ନାହିଁ ମୋ ପାଖରେ , ଆମେ ଏକ ହୋଇଯିବା କିଛି କ୍ଷଣ ପାଇଁ । ଜହ୍ନର ଇଶାରା ଠିକ୍ ଠିକ୍ ବୁଝି ପାରିଲା ନୀଳ କଇଁ , ସମୟ ନଷ୍ଟ ନକରି ନୀଳ କଇଁ ପୋଖରୀ ତୁଠ ଉପରକୁ ଆସି ଜହ୍ନକୁ ଆଉଜି ଠିଆ ହେଲା । ଜହ୍ନ ବାହା ହବାର ମିଛ ପ୍ରତିଶୃତି ଦଉଥିଲା ନୀଳ କଇଁକୁ , ଛିଃ କେତେ ସ୍ୱାର୍ଥପର ଏ ଜହ୍ନଟା କଣ ଟିକେ ଚୋରା ପିରତି ପାଇଁ ସରଳ ନିଃଷ୍ପାପ ନୀଳ କଇଁଟାକୁ ଏତେ ବଡ ମିଛ ପ୍ରଲୋଭନ ଦେଖଉଛି । ନୀଳ କଇଁ ଜହ୍ନର ମିଛ ପ୍ରଲୋଭନରେ ରାଜି ହୋଇଗଲା ଚୋରା ପିରତି ପାଇଁ , ରାଜି ହବନି କେମିତି ଯେ ମନ ଯେତେ ବେଳେ ଜହ୍ନକୁ ଦେଇଛି ! ହେଲେ ନୀଳ କଇଁର କିନ୍ତୁ ଅନ୍ଧାରକୁ ଭାରି ଡର , ଅନ୍ଧାର କୁଆଡେ ନୀଳ କଇଁର ପଛେ ପଛେ ବୁଲୁଛି କୋଉ ଅନାଦି କାଳରୁ । ଏଇତ କିଛି ସମୟ ତଳେ ଜହ୍ନ ଆସିବା ଆଗରୁ ଏକୁଟିଆର ସୁଯୋଗ ନେଇ ‘ଅନ୍ଧାର’ ହଇରାଣ କରୁଥିଲା ନୀଳ କଇଁକୁ । ନୀଳ କଇଁକୁ ଏମିତି ଡରିଯାଉଥିବା ଦେଖି ଜହ୍ନ ସାହାସ ଦଉଥିଲା ନୀଳ କଇଁକୁ , ଜହ୍ନ ନୀଳ କଇଁକୁ ବୁଝଉଥିଲା ମୁଁ ତୋ ପାଖେପାଖେ ଥିବା ଯାଏଁ ତୋର ଅନ୍ଧାର କିଛି କରିପାରିବନି । ଆହୁରି ଜହ୍ନ ପ୍ରତିଶୃତି ଦଉଥିଲା ନୀଳ କଇଁକୁ ଏ ସ୍ୱାର୍ଥପର ଦୁନିଆଁ ତୋତେ ଅପମାନିତ କରିବା ଆଗରୁ ମୁଁ ତୋତେ ସାଥିରେ ନେଇଯିବି । ଜହ୍ନର ପ୍ରତିଶୃତି ଶୁଣି ଖୁସି ହୋଇଗଲା ନୀଳ କଇଁ । ଜହ୍ନ ପାଖରେ ସମୟ ବହୁତ କମ୍ ଥିଲା , ନୀଳ କଇଁ ସାଥେ ଚୋରାପିରତି ସାରି ଫେରିଗଲା ଜହ୍ନ ତା ନିଜ ରାଇଜକୁ । ହେଲେ ଏ ସବୁ ଅଛପା ରହିଲାନି ‘ଅନ୍ଧାର’ ପାଖରେ । ଅନ୍ଧାର ଅପେକ୍ଷା କରିଥିଲା ସକାଳକୁ । ସକାଳ ହଉହଉ ଅନ୍ଧାର ବଖାଣି ଦେଲା ନୀଳକଇଁ ଆଉ ଜହ୍ନର ଚୋରା ପିରତି କାହାଣି ଏଇ ସ୍ୱାର୍ଥପର ସମାଜ ଆଗରେ ।

ସ୍ୱାର୍ଥପର ସମାଜଟା ଛିଃ ଛିଃ କରୁଥିଲା ନୀଳକଇଁକୁ। ସକାଳୁ ସକାଳୁ ଲଜ୍ଜା ଅପବାଦ ନିନ୍ଦା ଶୁଣୁଶୁଣୁ ଝାଉଁଳି ପଡିଲା ନୀଳକଇଁ । ନୀଳକଇଁ ଆଖିରେ ଆଖିଏ ଲୁହ, ଲୁହ ଛଳଛଳ ଆଖିରେ ମନେ ପକଉଥିଲା ଜହ୍ନର ପ୍ରତିଶୃତିକୁ ଆଉ ମନେମନେ ଗୁଣୁଗୁଣୁ ହୋଇ କହୁଥିଲା ଆସ ଜହ୍ନ ଏ ସ୍ୱାର୍ଥପର ଦୁନିଆକୁ ସାକ୍ଷୀ ରଖି ମୋ ମଥାରେ ସିନ୍ଦୁର ପିନ୍ଧେଇ ଦିଅ, ମୋତେ ଏ ଲଜ୍ଜା ଅପବାଦରୁ ମୁକ୍ତ କରିଦିଅ । ଏ ଭିତରେ ନୀଳକଇଁ ପୋଖରୀ ଭିତରେ ଥାଇ ପାଣିକୁ ଚାହୁଁଥିଲା, ପାଣି ଭିତରେ ଦେଖା ଯାଉଥିଲା ସକାଳ ଆକାଶର ପ୍ରତିବିମ୍ବ । ସେହି ସକାଳ ଆକାଶର ପ୍ରତିବିମ୍ବକୁ ଚାହିଁ ନୀଳକଇଁ ଖୋଜୁଥିଲା ବିତି ଯାଇଥିବା ରାତିର ଜହ୍ନକୁ । ହେଲେ ଜହ୍ନ କାହିଁ ! ଜହ୍ନ ତ ଚାଲିଯାଇଛି ନୀଳକଇଁ ଠାରୁ ବହୁତ ଦୂରକୁ ମାନେ ପାଖାପାଖି ହଜାରେ ଆଲୋକ ବର୍ଷ ହଁ ହଁ ହଜାରେ ଆଲୋକ ବର୍ଷ ……………….

ଲୋକପ୍ରିୟ ଲେଖା

To Top