ଅଣୁଗଳ୍ପ

ଝାଡୁ ପର୍ବ

Pradipta Sundar Moharana's odia story Jhadu Parba

ନାଇଁ ଆଜ୍ଞା, ଅକ୍ଟୋବର୍ ୨, ଗାନ୍ଧୀ ଜୟନ୍ତୀ ? କାଲି ପରା । ଆମ ପ୍ରଧାନ ମନ୍ତ୍ରୀ କାଲି ସ୍ୱଚ୍ଛ ଭାରତ କରିବେ ।

ଝାଡୁ ପର୍ବ

“ମୋତେ ସେଗୁଡା କରିବାକୁ କହନି ମାମା ! ଆଉ କିଛି କହ କରିଦେବି । ” – ରୋଷେଇ ଘରୁ ଏପରି କିଛି କହି କହି ଅନିକେତ୍ , ନିଜ ପାଦକୁ ବିରକ୍ତି ରେ ଦୁମ୍ ଦୁମ୍ କରି କଚି ଡ୍ରଇଂ ରୁମ୍ କୁ ଚାଲି ଆସିଲା ଓ ଯେପରି ବିଲେଇ ମାଛ ଝାମ୍ପିନିଏ, ସେପରି ଟିପୟ୍ ଉପରୁ ଟି ଭି ରିମୋଟ୍ ଟି ଝାମ୍ପିନେଇ, ଲଥ୍ କରି ଟି ଭି ସାମନାରେ, ସୋଫା ଉପରେ ବସିଗଲା । ସେଇଟା ବସିବା ନଥିଲା, ବରଂ ଥିଲା ଉଲ୍‌କା ପଡିବା ପରର , ସୋଫା ଉପରେ ହେଇଥିବା ଭୂମିକମ୍ପ । ଭୂମିକମ୍ପରେ ଟିକେ ଚହଲିଯାଇ, ପିତା ଅଂଶୁମାନ ଯିଏ କି ଏ ପର୍ଯ୍ୟନ୍ତ ଖବର କାଗଜ ପଡିବାରେ ବ୍ୟସ୍ତଥିଲେ , ଖବର କାଗଜ କୁ ଚଉତି ,ପୁଅ କୁ ଓ ଟିଭି କୁ କିଛି ସମୟ ପାଇଁ ଦେଖିଲେ । ଅନିକେତ୍ ହାତରେ ରିମୋଟ୍ ରହିଲେ, ପ୍ରତ୍ୟେକ ଚ୍ୟାନେଲ୍ ଙ୍କ ଭାଗରେ ୩ ରୁ ପାଞ୍ଚ ସେକଣ୍ଡ୍ ପଡେ । କିଛି “ଦେଖିବା ଲାୟକ୍” (ଅନିକେତ୍ ଭାଷାରେ) ନଥିବାରୁ , ଅନିକେତ୍ ଟିଭି ବନ୍ଦ କରି ହାତ ଛନ୍ଦି ବସିଗଲା । ଅଂଶୁମାନ୍ ବୁଝିଲେ , କିଛି ଅସୁବିଧା ହୋଇଛି ନିଶ୍ଚୟ, ସେପଟେ ଘରଣୀଙ୍କର ରୋଷେଇ ଘର ଭିତରୁ , କ୍ରୋଧ ଓ ଅଭିମାନ ଭରା କଣ୍ଠ ଟିକେ ଟିକେ ଅଂଶୁମାନଙ୍କ କାନରେ ପଡୁଥାଏ ।

ଅଂଶୁମାନ ପଚାରିଲେ, “କିରେ, କ’ଣ ହେଲା ?” । “ଦେଖୁନ ମାମା ମୋତେ କେମିତି କୋକୋନଟ୍ ଷ୍ଟିକ୍ ବ୍ରୁମ୍ ଆଣିବାକୁ କହୁଛି!” – ଅଭିଯୋଗ ଭରା କଣ୍ଠରେ ଉତ୍ତର ଦେଲା ୧୫ ବର୍ଷର ଅନିକେତ୍ । ଅଂଶୁମାନ ବୁଝିବାକୁ ଚେଷ୍ଟା କରୁଥାଆନ୍ତି ଇଂଲିଶ ମିଡିଅମ୍ ସ୍କୁଲ୍ ରେ ପଡୁଥିବା ପୁଅ ପ୍ରକୃତରେ କ’ଣ କହିଲା ।

ପଚାରିଲେ, “ମା କ’ଣ ଆନିବାକୁ କହିଲେ ?” – “କୋକୋନଟ୍ ଷ୍ଟିକ୍ ବ୍ରୁମ୍ ପାପା ! ମାମା କହୁଛି ମୁଁ ସାଇକେଲ୍‌ରେ ଯାଇକି ନେଇକି ଆସିବି । ” ଏତେ ବେଳକୁ କିଛି କିଛି ବୁଝିସାରି ସେ କହିଲେ, “ଓଃ ! ଡୁ ୟୁ ମୀନ୍ ବ୍ରୁମ୍ ମେଡ୍ ଅଫ୍ ଷ୍ଟକ୍ସ୍ ଅଫ୍ କୋକୋନଟ୍ ଫ୍ରଣ୍ଡ୍ସ୍ ? କ’ଣ ମାଁ ଖଡିକା ଝାଡୁ ଆଣିବାକୁ କହିଲେ?” ଅନିକେତ୍ ପାପାଙ୍କୁ ବୁଝାଇ ପାରିଥିବା ଆନନ୍ଦରେ କହିଲା, “ଏକ୍ଜାକ୍ଟଲି ପାପା !” ଅଂଶୁମାନ ଆଉ ଟିକେ ଉତ୍ସୁକ ହୋଇ ପଚାରିଲେ,”ଅନିକେତ୍ ମୋ’ର ଦୁଇଟା ପ୍ରଶ୍ନ ଅଛି । ଏକ, ଆଚ୍ଛା, ତୁ “ଖଡିକା ଝାଡୁ” ନକହି କୋକୋନଟ୍ ଷ୍ଟିକ୍ ବ୍ରୁମ୍ କାହିଁକି କହିଲୁ ?” – “ମାମା କହିଛି ସବୁବେଳେ ସବୁ କଥା ଇଂଗ୍ଲିଶ୍ ରେ କହିବାକୁ, ଟିଚର୍ ବି ସ୍କୁଲ୍‌ରେ କହୁଛନ୍ତି , ଇଂଗ୍ଲିଶ୍ ନକହିଲେ ଆମେ ବ୍ୟାକ୍ୱାର୍ଡ୍ ହୋଇକି ରହିଯିବା, ଜବ୍ ମିଳିବନି । ” – ଓଡ଼ିଆ ମାଧ୍ୟମ ବିଦ୍ୟାଳୟରେ ପଢି ବଢିଥିବା ଅଂଶୁମାନ, ସେପର୍ଯ୍ୟନ୍ତ ବୁଝିବାକୁ ଚେଷ୍ଟା କରୁଥାଆନ୍ତି କି ଅନିକେତ୍ କେଉଁ ଭାଷା କହୁଛି – ଓହିନ୍ଦୀ(ଓଡିଆ ମିଶା ହିନ୍ଦୀ) , ନା ହିଂଗ୍ଲିଶ୍ ( ହିନ୍ଦୀ ମିଶା ଇଂଲିଶ୍) ନା ଆଉ କିଛି । ନବମ ଶ୍ରେଣୀରେ ପଢୁଥିବା ତା’ଙ୍କ ପୁଅ, ଏହି କିଛି ସମୟ ଆଗରୁ କହିଥିବା ସ୍ୱରଚିତ ଶବ୍ଦ “କୋକୋନଟ୍ ଷ୍ଟିକ୍ ବ୍ରୁମ୍”, ତା’ଙ୍କୁ ଆଲୋଡିତ କରୁଥିଲା , ଭାବିବାକୁ ବାଧ୍ୟ କରୁଥିଲା ଇଂରାଜୀ ମାଧ୍ୟମ ଶିକ୍ଷା ବିଷୟରେ ।

ମନ ଭିତରର ଆନ୍ଦୋଳନ କୁ ଟିକିଏ ବିରାମ ଦେଇ ପଚାରିଲେ,” ଆଚ୍ଛା ! ଦ୍ୱିତୀୟ ପ୍ରଶ୍ନ , ବଜାର୍‌ରୁ ଖଡିକା ଝାଡୁ ସାଇକେଲ୍‌ରେ ଆଣିଲେ କ’ଣ ଅସୁବିଧା?” – “ନୋ ୱେ ! ସେଗୁଡା ମୁଁ ଆଣିବିନି । ମୋତେ ଆମ ସୋସାଇଟି ସାଙ୍ଗ ମାନେ ଚିଡାଇବେ । ସିକ୍ୟୁରିଟି ଗାର୍ଡ୍‌ କୁ ତୁମେ କହିଦେଉନ ସେ ଆଣିଦେବ । ନହେଲେ ସ୍ୱୀପର୍ କାଲି ଆସିବ , ତାକୁ ମନୀ ଦେଲେ ସେ ଆଣିଦେବ । ” – “ମା’ ଙ୍କର କିଛି ନିହାତି ଦରକାର୍ ଥିବ ବୋଲି କହିଥିବେ ନା?” – ଅଂଶୁମାନ ବୁଝାଇବା ପାଇଁ ପଚାରିଲେ , ଓ ପୁଣି କହିଲେ, “ତୁ କେବେ ଆଗରୁ ଝାଡୁ ଆଣିଛୁ? କେହି କ’ଣ କେବେ ହସିଛନ୍ତି ତୋ ଉପରେ?” ଅନିକେତ୍ ଉତ୍ତର ଦେଲା, “ନା ! ସେମିତି କେବେ ହସି ନାହାନ୍ତି । କିନ୍ତୁ ଲାଷ୍ଟ୍ ଟାଇମ୍, ମାମା ଆଉ ମୁଁ ସ୍କୁଟି ରେ ଯାଇଥିଲୁ ମାର୍କେଟ୍‌କୁ , ମାମା କହିଲା ନାଇଟ୍‌ରେ କୋକୋନଟ୍ ଷ୍ଟିକ୍ ବ୍ରୁମ୍ କିଣିକି ନବା । କେହି ଦେଖିବେନି । ହସିବେନି । ଆଉ ମା ବି ସବୁବେଳେ ନାଇଟ୍‌ରେ ବ୍ରୁମ୍ ଷ୍ଟିକ୍ ଆଣେ ଡାର୍କ୍ ରେ !” – “ ଓଃ ଆଇ ସୀ !” ଅଂଶୁମାନ କିଛି ଭାବି କହିଲେ, “ଯଦି କେହି କେବେ ହସି ନାହାନ୍ତି ତେବେ ଥରେ ଯାଇକି ଦେଖ୍ । ” ଅନିକେତ୍ ମୁଣ୍ଡ ଜୋର୍‌ରେ ହଲାଇ କହିଲା, “ନେଭର୍ ! ବଟ୍ ୟେସ୍ ! ପାପା, ଆକ୍ଟିଭା କି ଦେଲେ ନେଇ ଆସିବି, କେହି ଦେଖିବେନି, ଗୋଡ ମଝିରେ ରଖିଦେଇକି ଆଣିବି । ”

ଅଂଶୁମାନ୍ ଟିକେ ବ୍ୟସ୍ତ ହୋଇ ଚିନ୍ତା କରୁଥାଆନ୍ତି ଅନିକେତ୍ ବିଷୟରେ । ଟିକିଏ ଅଟକି କହିଲେ, “ଅନିକେତ୍ ! ଚାଲ୍ ! ଆଜି ରବିବାର୍ , ବଜାର୍ ଯାଇ ବୁଲି ଆସିବା, ଗାଙ୍ଗୁରାମ୍‌ରେ ସିଙ୍ଗଡା ଖାଇବା । ଆଉ ସାଙ୍ଗରେ ଝାଡୁ ନେଇ ଆସିବା, ଦିନରେ । ଦେଖିବା, କିଏ ହସୁଛି କି ନାହିଁ । ” – “ ସମୋସା ? ୱାଓ ! ବଟ୍ କୋଉଥିରେ ଯିବା କାର୍‌ରେ ନା ମାମା ସ୍କୁଟର୍‌ରେ?” ଅନିକେତ୍ ପଚାରିଲା । “ନାଇଁ ! ମୋ ବାଇକ୍‌ରେ ଯିବା । ଲୋକ ଦେଖିଲେ ସିନା ହସୁଛନ୍ତି କି ନାହିଁ ଜାଣିବା ?” – “ଓକେ! ବଟ୍ କଣ୍ଡିସନ୍ କି ମୁଁ ଧରିକି ବସିବିନି” – ଅଂଶୁମାନ କହିଲେ ,”କିଛି ଅସୁବିଧା ନାହିଁ , ମୁଁ ବାନ୍ଧି କି ରଖିଦେବି ବାଇକ୍‌ରେ, ତୁ ଖାଲି ଦେଖିବୁ ଆଉ କାଉଣ୍ଟ୍ କରିବୁ କେତେଜଣ ହସୁଛନ୍ତି । ଓକେ ?” ଅନିକେତ୍ , ସାଙ୍ଗେ ସାଙ୍ଗେ ରେଡି ହେଇଗଲା ।

ଗାଙ୍ଗୁରାମ୍ ସିଙ୍ଗଡା ବଢିଆ ଥିଲା । ଫେରିଲା ବେଳେ ,ବାଇକ୍‌ରେ ଆଗରେ ଅଂଶୁମାନ ଓ ପଛରେ ଅନିକେତ୍ । କିନ୍ତୁ , ଏ କ’ଣ ! ଏକ , ଦୁଇ, ତିନି, , ଚାରି , ପାଞ୍ଚ ଟା ଦୋକାନ୍‌ରେ ପଚାରି ସାରିଲେଣି, କେଉଁଠି ମଧ୍ୟ ଖଡିକା ଝାଡୁ ନାହିଁ । ଦୋକାନୀସବୁ କହୁଛନ୍ତି, “ ଆଜ୍ଞା, ଫୁଲ ଝାଡୁ ନେବେ?” – କ୍ରସ୍ ସେଲିଂ – ଅଂଶୁମାନ୍ ବୁଝୁଥିଲେ, କିନ୍ତୁ ଜାଣି ପାରୁନଥିଲେ, ସବୁ ଝାଡୁ ବଜାରରୁ ଗଲା କୁଆଡେ ? ଅନିକେତ୍ କହୁଥାଏ ,”ପାପା ! ସେଗୁଡା ଆଉଟ୍ ଡେଟେଡ୍ ହେଇଗଲାଣି ସେଥିପାଇଁ ମିଳୁନି, ପ୍ଲାଷ୍ଟିକ୍ ଷ୍ଟିକ୍ ବ୍ରୁମ୍ ଆସୁଛି । ଦେଖୁନ ସେ ଦୋକାନ୍ ରେ ଟଙ୍ଗା ହୋଇଛି । ” – ମସିନ୍ କିକ୍ସ୍ ଅନ୍ ଦ ବେଲି ଅଫ୍ ଏ ମ୍ୟାନ୍ – ଅଂଶୁମାନ ଗାଡି ଚଲାଇ ଚଲାଇ ଭାବୁଥାଆନ୍ତି । ନିଶ୍ଚିତ ଥିଲେ କି ହାଟ ପାଖରେ ଖଡିକା ଝାଡୁ ମିଳିଯିବ । ସବୁଠୁ ବଡ ଦୋକାନରେ ପହଞ୍ଚି କହିଲେ, “ଭାଇ ଦି’ଟା ଖଡିକା ଝାଡୁ ଦେବ” – ଅଭାବ ବୋଧ ହେଲେ ମଣିଷ ଦିଗୁଣା କିଣେ – ଦୋକାନୀ କହିଲେ,”ନାହିଁ ଆଜ୍ଞା ! ଫୁଲଝାଡୁ ନେବେ?” – ସକାଳୁ ଗୋଟିଏ ପ୍ରଶ୍ନ ଛଅଥର ଶୁଣି ବିରକ୍ତ ହୋଇ କହିଲେ, “କୁଆଡେ ଗଲା କି ସବୁ ଝାଡୁ?” – “ରୁହନ୍ତୁ ବାବୁ, ଆଣୁଛି” କହି ଦୋକାନ ଭିତରକୁ ଯାଇ ଗୋଟିଏ ଖଡିକା ଝାଡୁ ନେଇ ଆସିଲା ସେ ଦୋକାନୀ , ସୁକୁଟା କାଠି ସବୁ , ଅଧା ଭାଙ୍ଗି ଯାଇଛି । ” ନାପସନ୍ଦ କରି ଅଂଶୁମାନ ପ୍ରଶ୍ନ କଲେ “ଆଉ ନାହିଁ?” – “ନାଇଁ ଆଜ୍ଞା ! ୩୦୦ ଝାଡୁ ଥିଲା ,ସବୁ ବିକ୍ରି ହେଇଗଲା ଏଇ ଗୋଟିଏ ପଡିଛି, ଏଇଟା ୭୦ଟଙ୍କା” ଆଶ୍ଚର୍ଯ୍ୟାନ୍ୱୀତ ହୋଇ ଅଂଶୁମାନ ପ୍ରଶ୍ନ କଲେ – “କ’ଣ ହେଲା ? ସତୁରୀ ଟଙ୍କା ?? ୧୯୮୪ ରେ ମୋର ଜନ୍ମ ଆଜି ୨୦୧୪ ହେଇଗଲା, କାଇଁ କାନ ଉଠିବା ଦିନରୁ , ଆଜି ପର୍ଯ୍ୟନ୍ତ ସତୁରି ଟଙ୍କା ଶୁଣିନି ଏ ଖଡିକା ଝାଡୁ ପାଇଁ । ତିରିଶ୍ ଟଙ୍କା କାହିଁରେ କେତେ । “ – ଦୋକାନୀଟି ନିର୍ଦ୍ୱନ୍ଦରେ କହିଲା , “ବାବୁ ସେଇଥି ପାଇଁ ତ ଆପଣଙ୍କୁ ଏଇଟା ଦେଖଉନଥିଲି । ସେପ୍ଟେମ୍ବର୍ ୨୬ ରୁ , ବିଗତ ପାଞ୍ଚଦିନ ହେଲାଣି ସମସ୍ତେ “ଝାଡୁପର୍ବ” ପାଇଁ , ଖାଲି ଖଡିକା ଝାଡୁ ମାଗୁଛନ୍ତି । ବୁଝିଲେ ଆଜ୍ଞା ପୁରା ମାର୍କେଟ୍ ରେ କେଉଁଠି ନାହିଁ । ଏଇତ କାଲି ସନ୍ଧ୍ୟା ରେ ,ଘଡି ଚିହ୍ନ ବାଲା , ପାର୍ଟିର ଟୋକା ଆସି ୬୦ ପିସ୍ ନେଇଗଲେ । ଗୋଟା ୬୦ଟଙ୍କା ରେ ବିକିଛି ଆଜ୍ଞା । ଟଙ୍କେ ବି କମ୍ ନାହିଁ । କାଲି ଝାଡୁ ପର୍ବ ସରିଗଲେ, ପୁଣି ଶସ୍ତା ହେଇଯିବ । ଆପଣ ପଅରଦିନ ଆସନ୍ତୁ ୩୦ଟଙ୍କାରେ ଦେବି, ପକ୍କା । ”

ଦୋକାନୀ ଅବିରାମ କହିଚାଲିଥିଲା । ଏସବୁ ଭିତରେ , ଖାଲି ବୁଝିପାରୁନାହାନ୍ତି କି ଏ “ଝାଡୁ ପର୍ବ” କଅଣ ? କୌତୁହଳ କୁ ଶାନ୍ତ କରିବା ପାଇଁ ପଚାରିବସିଲେ, “ଆଚ୍ଛା ଏ ପର୍ବ କ’ଣ ତେଲୁଗୁ ଲୋକମାନଙ୍କର?” – “ନାଇଁ ଆଜ୍ଞା, ଅକ୍ଟୋବର୍ ୨, ଗାନ୍ଧୀ ଜୟନ୍ତୀ ? କାଲି ପରା । ଆମ ପ୍ରଧାନ ମନ୍ତ୍ରୀ କାଲି ସ୍ୱଚ୍ଛ ଭାରତ କରିବେ । ସେଥିପାଇଁ ପାର୍ଟି ସବୁ ଖଡିକା ଝାଡୂ ନେଉଛନ୍ତି ରାସ୍ତା ଓଳେଇବା ପାଇଁ । “ – “ଓଃ ! ସେଇଥିପାଇଁ କେଉଁ ଦୋକାନରେ ନାହିଁ । ଏବେ ବୁଝିଲି । “ ଆଚ୍ଛା ପଅରଦିନ , ୩୦ଟଙ୍କାରେ କିପରି ଦେବ ? ସେତେବେଳକୁ କ’ଣ ନୂଆ ଷ୍ଟକ୍ ଆସି ଯାଇଥିବ??” ଅଂଶୁମାନ ବାବୁ ପ୍ରଶ୍ନ କଲେ । ଦୋକାନୀ ଟି ହସି କହିଲା, “ନା ଆଜ୍ଞା ସେପରି ନୁହେଁ । ଆଜ୍ଞା , ଏସବୁ ଯୋଉଁ ଝାଡୁ ନେଉଛନ୍ତି, ଏମାନେ ଓଳେଇବା ପାଇଁ ନୁହେଁ, ଏମାନେ କେବଳ ଫଟୋ ଉଠେଇବେ । ଜମା ଅଳିଆ ପଡିନଥିବା ରାସ୍ତାରେ ଝାଡୁ ବୁଲାଇ ଏମାନେ ସେଲ୍ଫି ନେବେ , ଆଉ ଯେଉଁଠି ଅଳିଆ ପ୍ରକୃତରେ ପଡିଥିବେ ସେଠିକି କେହି ଯିବେନି । ଆମ ଟୁକୁନା ଭାଇ ତ ଠିକାରେ ଅଳିଆ ସପ୍ଲାଏ କରୁଛି, ଯୋଉଠି ସକାଳୁ ଓଳା ହେବ , ସେଠି କାଲି ସେ ନେଇ ଶୁଖିଲା ଅଳିଆ ପକାଇଦେବ ଭୋର୍‌ରୁ । ପାଞ୍ଚ ମିନିଟ୍ ର ଓଳା , ୫୦ଟା ସେଲ୍ଫି, ଆଉ କାମ ସରିଲା । ସେ ଝାଡୁ ପୁରା ନୂଆ ଥିବ ନା ? ସେ ଟଗର ଫୁଲ ପାର୍ଟି ବାଲା , ଝାଡୁ ରେଟ୍‌ରେ ବେଶି ବାର୍ଗେନ୍ କରୁଥିଲେ । ମୁଁ ତାଙ୍କଠୁ ସିକୁରିଟି ପଇସା ରଖି ୪୦ଟା ଝାଡୁ ଭଡାରେ ଦେଇଛି, ସାରିଲେ ଝାଡୁ ଗଣିକି ରଖିବି, ଓ ପଇସା ଫେରାଇଦେବି । ସେଥିପାଇଁ ଆପଣଙ୍କୁ କହିଲି, ପଅରଦିନ ଆସନ୍ତୁ । ସେ ଝାଡୁ ସବୁ ଫେରି ଆସିଥିବ, ଚାଳିଶ ଟଙ୍କା କମ୍‌ରେ ଦେଇଦେବି । ସାର୍ ଆପଣ ଭାବନ୍ତୁ ନି କି ପୁରୁଣା ଥିବେ, ଦେଖିବେନି କି ଝାଡୁ ପର୍ବଟା ସରିଲା ପରେ ବି ପୂରା ନୂଆ ଥିବ । ଖଡିକାଟିଏ ବି ଭାଙ୍ଗି ନଥିବ”

– “ଏବେ ଏଇଟା ନେଉଛି, ପରେ ଆଉଥରେ ଆସି ନେବି, କିଛି ଦିନ ପରେ । ଏଇଟା ପାଇଁ ପଚାଶ ଟଙ୍କା ରଖ । ” – ଥମ୍‌ ଥମ୍‌ ହୋଇ ସେ ପଇସା ରହିଲା । ଅନିକେତ୍ ସବୁ ଶୁଣୁଥିଲା ଓ ଝାଡୁ କୁ ନେଇ ସେଲ୍ଫି କୁ ନେଇ ଏକ୍ସାଇଟେଡ୍ ଥିଲା , କହିଲା “ପାପା, ସେମାନ୍ ପ୍ଲାଷ୍ଟିକ୍ ଝାଡୁ ନେଉଁନାହାନ୍ତି, ୱାଟର୍ ପ୍ରୁଫ୍” – ଦୋକାନୀ କହିଲା, “ବାବୁ ଆମେ କ’ଣ ବିକିପାରନ୍ତୁ ନି ସେଇ ଝାଡୁ । ସେମାନ୍ କହୁଛନ୍ତି, ଦେଶୀ ଲୁକ୍ ଆସିବନି, ଆଉ, ସେ ଛୋଟ ଝାଡୁ ରେ ଅଣ୍ଟା ଭାଙ୍ଗିବାକୁ ପଡିବ । ସେମାନଙ୍କୁ ଲମ୍ବା କାଠି ବାଲା ଝାଡୁ ଦରକାର୍ । ଲମ୍ବା ବେଣ୍ଟ ଲଗାଇଲେ ଆଉ ୨୦୦ଟଙ୍କା ଅଧିକା । ”

ଅଂଶୁମାନ କିଣିସାରି ଫେରିଲା ବେଳକୁ , ଦେଖିଲେ ଛକ ଉପରେ ଗୋଟିଏ ବଡ ଫ୍ଲେକ୍ସ୍ ବ୍ୟାନର୍ ଲଗା ହୋଇଛି , ଯେଉଁ ଥିରେ ଲେଖା ଅଛି, “ସେଲ୍ଫି ପଏଣ୍ଟ୍ ଫର୍ ସ୍ୱଚ୍ଛ ଭାରତ” । ସୋସାଇଟି ଗେଟ୍ ପାଖରେ ପହଞ୍ଚିଲା ବେଳକୁ , ସିକ୍ୟୋରିଟି ଗାର୍ଡ୍ ଗେଟ୍ ଖୋଲି ପଚାରିଲା,”ସାର୍ ! କ’ଣ କାଲି ପାଇଁ ଝାଡୁ ଆଣିଲେ? ସବୁ ମ୍ୟାଡମ୍ ମାନେ ମଗେଇସାରିଛନ୍ତି । ଆମ ସୋସାଇଟି ରୁ , ମ୍ୟାଡମ୍ ମାନଙ୍କ କ୍ଲବ୍ ତରଫରୁ, ସ୍ୱଚ୍ଛ ଭାରତ ର ରାଲି ବାହାରିବ । ୩୦ଟା ୨ଲିଟର୍ କୋଲ୍ଡ୍ ଡ୍ରିଙ୍କ୍ସ୍ ବଟଲ୍, ୧୦୦୦ଟା ପାଣି ବଟଲ୍ ଆସି ସାରିଛି । ମିତ୍ରା ମ୍ୟାଡମ୍ ସମସ୍ତଙ୍କ ପାଇଁ ଟି-ସାର୍ଟ୍ ଓ କ୍ୟାପ୍ କରିଛନ୍ତି । ମ୍ୟାଡମ୍ ମତେ ଝାଡୁ ଆଣିବାକୁ କହିଥିଲେ, ମୋତେ ହାଟ ବାଲା ଦୋକାନୀ ୧୦୦ଟଙ୍କା କହିଲା , ଏଇ ଝାଡୁଟା ତ , ଗୋଟାଏ ବଳିଥିଲା ତା ପାଖରେ । ମାଁ ଙ୍କୁ କହିଲି, ମା ଅଧିକ ଦାମ୍ ବୋଲି କହି ଆଣିବାକୁ ମନା କଲେ । ”

ଅଂଶୁମାନ , ସିଡି ଚଢୁ ଚଢୁ ଭାବୁଥିଲେ ମହାତ୍ମା ଗାନ୍ଧୀଙ୍କ କଥା , ଯେ କି ପ୍ରତିଦିନ ବ୍ରାହ୍ମ ମୂହୁର୍ତ୍ତ ରୁ ସାବରମତୀ ଆଶ୍ରମ ନିଜେ ଝାଡୁ କରୁଥିଲେ, ଏବଂ ଆଜିର ନେତାଙ୍କ କଥା, ଯେକି ଗୋଟିଏ ଦିନ ପାଇଁ ଝାଡୁ ଭଡା ରେ ନେଉଛନ୍ତି । ପୁଣି ଭାବୁଥିଲେ, ପୁରା ଝାଡୁ ପର୍ବ ର ବ୍ୟାପାର, ଆଉ ପ୍ରଶ୍ନ କରୁଥିଲେ –

“ହୃଦୟ କୁ ସ୍ୱଚ୍ଛ ନକରି କ’ଣ ସ୍ୱଚ୍ଛ ଭାରତ ସମ୍ଭବ?”

ଲୋକପ୍ରିୟ ଲେଖା

To Top