ଅଣୁଗଳ୍ପ

ଝିଅଟିଏ

Hemanta Kumar Rout's odia short story Jhiatie

କେମିତି ପାଠ ପଢ଼ିବି ? ବାପାଙ୍କ ପାଇଁ ରୋଷେଇ କରିବ କିଏ ? ବିଲକୁ ଭାତ ନେବ କିଏ ? ବଳଦକୁ ତୋରାଣି ନଡ଼ା ଦେବ କିଏ ? ବାପା ଖଟି ଖଟି ଆସିଲେ ଖାଇବେ କ’ଣ ?

ଝିଅଟିଏ

ଦଶବାର ବର୍ଷର ଝିଅଟା । ଏଇବାଟେ ଘାସକାଟି ଯାଏ ଗୋଟେ ଚିରା ଫ୍ରକ୍ ପିନ୍ଧି । ଅଣ୍ଟାରେ ଗାମୁଛାଟି ଭିଡ଼ି ଦେଇଥାଏ । ମୁଣ୍ଡ ଫୁରୁଫୁରୁ । ତା’ ଭିତରେ ଉଜ୍ଜ୍ୱଳ ତାରା ପରି ଜଳୁଥାଏ ଟିକିଟିକି ଦୁଇଟି ଆଖି । ବର୍ଷା ବିନ୍ଦୁ ପରି ସେ ଆଖି ଦୁଇଟି ଛଳଛଳ ।

କେବେ ମାଛଧରାଳିଙ୍କ ସାଙ୍ଗରେ ପାଛିଆରେ କୁଦିକୁଦି ଛୋଟ ଛୋଟ ମାଛ କଙ୍କଡ଼ା ଧରେ । କେବେ ଘସି ଗୋବର ଗୋଟାଏ । ପୁଣି ଗଛତଳୁ ପାଚିଲାପତ୍ର, ଡାଙ୍ଗଡୁଙ୍ଗା ସାଉଁଟେ । ତା’ ବାପା ହଳ କଲାବେଳେ ପାଣି ନେଇଯାଏ ।

ସେଦିନ ଆସିଥିଲା ଘାସକାଟି । ସମସ୍ତେ କାଟୁଥିଲା ବେଳେ ସେ ବସିଥିଲା ନିରବରେ । ଆଗଦିନ କାଟୁ କାଟୁ ଆଙ୍ଗୁଳି କଟି ଯାଇଥିଲା ।

ମୁଁ ତାକୁ ପଚାରିଲି, “ତୁ ପାଠ ପଢ଼ିଲୁନି ?” ସେ ମୋତେ କହିଲା, “କେମିତି ପାଠ ପଢ଼ିବି ? ବାପାଙ୍କ ପାଇଁ ରୋଷେଇ କରିବ କିଏ ? ବିଲକୁ ଭାତ ନେବ କିଏ ? ବଳଦକୁ ତୋରାଣି ନଡ଼ା ଦେବ କିଏ ? ବାପା ଖଟି ଖଟି ଆସିଲେ ଖାଇବେ କ’ଣ ?”

ମୁଁ ତାକୁ କହିଲି, “ପାଠ ପଢ଼ିଲୁନି ? ସ୍କୁଲ୍‌ରେ ମାଗଣାରେ ଖାଇବାକୁ ଦଉଛନ୍ତି । ବହିପତ୍ର ଡ୍ରେସ୍ ପାଇଥାନ୍ତୁ ।”

ତା’ପରେ ସେ କାନ୍ଦି ପକେଇଲା । ତା’ ଆଖିରୁ କେରାକେରା ଲୁହ ଥପ୍ଥପ୍ ଝରି ପଡ଼ିଲା । ମୁଁ ତାକୁ କହିଲି, “କାନ୍ଦିଲୁ କାହିଁକି ?” ଲୁହ ପୋଛୁ ପୋଛୁ କହିଲା, “ସାଙ୍ଗମାନେ ଭଲ ଭଲ ଡ୍ରେସ୍ ପିନ୍ଧି ଯିବାର ଦେଖିଲେ ଭାରି କାନ୍ଦମାଡ଼େ । ମୋ ବୋଉ ଯଦି ଥାନ୍ତା ମୁଁ ନିଶ୍ଚୟ ପାଠ ପଢ଼ିଥାନ୍ତି. . . !”

ଲୋକପ୍ରିୟ ଲେଖା

To Top