ଅଣୁଗଳ୍ପ

କବିତ୍ୱ

Ruksar Begum's odia short story Kabitwa

ଧରମା ମୁଣ୍ଡିଟିକୁ ଆକାର ଦେବା ପଶ୍ଚାତ୍ ମୋ ଗର୍ଭେ ଲମ୍ଫ ଦେଇଥିଲା ହେଲେ ତୁ ତ କର୍ମହୀନ ଆସିଗଲୁ । ଏତିକି କହି ସାଗର କଲମଟିକୁ ପୁନଶ୍ଚ ତଟବର୍ତ୍ତୀ କବିଙ୍କ ସମୀପେ ଘେନି ଆଣିଲା ।

କବିତ୍ୱ

କବିତାଟିଏ ଲେଖିବା ପାଇଁ ଭାବ ଓ ଶବ୍ଦର ସମନ୍ୱୟ ଲୋଡ଼ା । କବି ଜଣକ ଭାବୁକ ହୋଇ ବସିଥାନ୍ତି ସମୁଦ୍ର ତଟରେ । ବିଷୟ ବସ୍ତୁ ସ୍ଥିର ହୋଇଯାଇଥାଏ । ଏକ ଆଦର୍ଶ ନାରୀ ଉପରେ ଆଧାରିତ ଆଜିର ଶୀର୍ଷ । ଅପେକ୍ଷା ଥାଏ ତ କେବଳ ଶବ୍ଦର । ପ୍ରକୃତି ମଧ୍ୟରେ ହଜି ସେ ଉଦ୍ଧାର କଲେ କେତୋଟି ଉପମାନ ନିଜ ଆଦର୍ଶ ନାରୀ ଚରିତ୍ର ଲାଗି ।

ଶେଷରେ ଅନେକ ଉପମାନ ଓ ଉପମେୟର ସମାହାର ବର୍ଷିବାକୁ ଲାଗିଲା ତାଙ୍କ କଲମ ମୁନରୁ ।

ଯେପରି-

ସୂର୍ଯ୍ୟପରି ତେଜସ୍ୱୀ ସିଏ
ମୁଖ ଯେପରି ଜହ୍ନଟିଏ
ମେଘ ପରି କେଶ ତା’ ଘନ
ନୟନ ତା’ ହ୍ରଦ ସମାନ. . .
କୋକିଳ ପରି କଣ୍ଠ ଯା’ର
ହୃଦୟ. . . !

ପରିଶେଷରେ କବି ହୃଦୟଠାରେ ଅଟକିଗଲେ । ହୃଦୟ ଲାଗି ଶ୍ରେଷ୍ଠ ଉପମାନ ଖୋଜିବାକୁ ଲାଗିଲେ । ନାରୀ ମଧ୍ୟେ ଜନନୀ ହୃଦୟ ସଂସାରରେ ଶ୍ରେଷ୍ଠ । ଜନନୀ ହୃଦୟ ସହ ତୁଳନୀୟ ପୁଣି ଭୌତିକ ଜଗତରେ କ’ଣ ବା ହୋଇପାରିବ ! ଏହି ପ୍ରଶ୍ନ କିଛି ସମୟ ଲାଗି ବିରତି ଦେଲା କବିଙ୍କ କଲମକୁ । କାଳ୍ପନିକ ସ୍ତରରେ ସେ ସାରା ସଂସାର ଭ୍ରମଣ କରି ଆସିଲେ । ହେଲେ ଶ୍ରେଷ୍ଠ ହୃଦୟ ଲାଗି ଶ୍ରେଷ୍ଠ ଉପମାନର ଠିକଣା ମିଳିଲା ନାହିଁ । କୋଣାର୍କରେ ଧରମାର ଅନ୍ତିମ ସ୍ପର୍ଶ ଯେପରି ଲୋଡ଼ା ଥାଏ । କବି ଜଣକ ଶବ୍ଦାଭାବେ କାଙ୍ଗାଳ ପରି ଅନୁଭବ କରୁଥାନ୍ତି । ନିଜ ବେଲଗାମ ମିଜାଜ୍ ସମୀପେ ଆତ୍ମସମର୍ପଣ କରି ସେ କଲମଟିକୁ ଫିଙ୍ଗିଦେଲେ ସମୁଦ୍ର ଗର୍ଭକୁ । ଦାୟରେ ବ୍ୟାକୁଳ କଲମ । ଧରମା ମୁଣ୍ଡିଟିକୁ ଆକାର ଦେବା ପଶ୍ଚାତ୍ ମୋ ଗର୍ଭେ ଲମ୍ଫ ଦେଇଥିଲା ହେଲେ ତୁ ତ କର୍ମହୀନ ଆସିଗଲୁ । ଏତିକି କହି ସାଗର କଲମଟିକୁ ପୁନଶ୍ଚ ତଟବର୍ତ୍ତୀ କବିଙ୍କ ସମୀପେ ଘେନି ଆଣିଲା ।

କବି ସାଗର ସହ କଲମଟିକୁ ଦେଖି ରହିଗଲେ । ଏବଂ କଲମଟିକୁ ଉଠେଇ ଆଣି ନିଜ ଚତୁଃପାର୍ଶ୍ୱରେ ଥିବା ଗଛଲତା ସମୁଦ୍ରକୁ ନିରେଖି ହସିବାକୁ ଲାଗିଲେ । ଏବଂ ପୁନଶ୍ଚ କର୍ମକ୍ଷେତ୍ରକୁ ଫେରି ଆସି ସମାପ୍ତ କଲେ କବିତାଟିକୁ । ସତରେ କବିତ୍ୱ କେବେ ହାର ମାନେନି । ବ୍ରହ୍ମାଣ୍ଡ ଆଜନ୍ମ ଭାବଯୋଗ୍ୟ, କେବଳ ଅପ୍ରତ୍ୟକ୍ଷ ଦୃଷ୍ଟି ପ୍ରୟୋଜନ, ଭାବୁକର ପ୍ରୟୋଜନ । ସ୍ୱୟଂ ବ୍ରହ୍ମାଣ୍ଡ ମଧ୍ୟ ଚାହେଁ ଅମର ହେବାକୁ କବି ସୃଜନ ମଧ୍ୟେ । ଏହା ସହିତ କବିଙ୍କୁ ମିଳିଗଲା ଶ୍ରେଷ୍ଠ ଉପମାନ ନାରୀ ହୃଦୟ ଲାଗି । ହଁ. . . ! ନମ୍ର, କୋମଳ, ତ୍ୟାଗୀ, ନିଃସ୍ୱାର୍ଥପର. . . ଏତେ ସାରା ଜନନୀ ହୃଦୟ ଚରିତ୍ର ସବୁ ଏକତ୍ର ପୃଥିବୀ ମଧ୍ୟେ । ନିଜ ଗର୍ଭରେ ଅଗ୍ନି ତପ୍ତ ସହି ମଧ୍ୟ ଶୀତ ପ୍ରଦାନ କରେ । ବୀଜ ଦେଲେ ବୃକ୍ଷ ପ୍ରଦାନ କରେ, କିଛି ରଖେନି ନିଜ ପାଖରେ । ଦେଖୁନ କଲମଟିକୁ ମଧ୍ୟ ଫେରାଇ ଦେଲା କିପରି ? କେତେ ସାରା ଭାବନା ଆସିଯାଇଥାଏ ଏବେ । ହେଲେ କବି ନିଜ ଶେଷ ପଦ ସହ ନିଜ ଭାବମୁଖରେ ଲଗାମ ଲଗାଇବାକୁ ଶ୍ରେୟସ୍କର ମନେକଲେ । ଓ ଶେଷ ପଦ ସହ ସମାପ୍ତ ହେଲା କବିତାଟି ।

ହୃଦୟନାମ ମହୀ ସାର. . . !

ଲୋକପ୍ରିୟ ଲେଖା

To Top