ଅଣୁଗଳ୍ପ

କଉମାଛ

Hemanta Kumar Rout's odia short story Kaumaacha

ନା, ସେ ଆଜି ଆସିବ । ମାଛ ଏତେ ଧରା ହେଲା ଖାଇଲ । ତା’ ପାଇଁ ଦି’ଟା ରଖିଛି ତା’ ଆସିବା ପରି ଲାଗୁଛି ।

କଉମାଛ

ଚାକିରି କରିଥାଏ ଗାଁଠାରୁ ଦୂରରେ । ମାସରେ ଥରେ ଅଧେ ଗାଁକୁ ଯାଏ । ମୋର ପ୍ରିୟ ଖାଦ୍ୟ ବୋଉ ସାଇତି ରଖିଥାଏ । ମୋତେ ଦିଏ । ମୁଁ ବୋଉକୁ କହେ, “ମୋ ପାଇଁ ନ ରଖି ପିଲାପିଲିଙ୍କୁ ଦିଅ, ମୁଁ କ’ଣ ଖାଉନି ?”

ବୋଉ କହେ, “ତୁ ଖାଉଛୁ କି ନ ଖାଉଛୁ ମୁଁ କେମିତି ଦେଖିବି ?” ମୋ କାମ ମୁଁ କରୁଛି । ସେମାନେ ମୋ ପାଖରେ ଅଛନ୍ତି । ଭଲ ଜିନିଷ ପାଇଲେ ଦଉଛି । ତୁ ଦୂରରେ ରହୁଥୁ ତୋ ପାଇଁ ସାଇତି ରଖିଛି । ମୁଁ ରଖିଲେ ମୋତେ ଭଲ ଲାଗିବନି ।

ଥରେ ଆମ ପୋଖରୀରୁ କଉମାଛ ଧରା ହେଲା । କୋଡ଼ିଏ ପଚିଶଟା ବଡ଼ବଡ଼ କଉ ଗୋଟେ ମାଟି ହାଣ୍ଡିରେ ସାଇତି ରଖିଥାଏ ମୋତେ ଅପେକ୍ଷା କରିଥାଏ । ସେତେବେଳେ ଆଖିକୁ ଦେଖା ଯାଉ ନଥାଏ । ମୁଁ ଯେଉଁ ବାଟ ଦେଇ ଆସିବି ଗାଁ ମୁଣ୍ଡ ଦେଇ ସେଇଠି ଅପେକ୍ଷା କରେ । କେତେ ଲୋକଙ୍କୁ ମୋ ଆସିବା କଥା ପଚାରେ ।

ମାଟି ହାଣ୍ଡିରେ ଗୋଟିଏ ଦୁଇଟା କଉ ମରିଯାଇଥାନ୍ତି । ପୁଣି ପାଣି ପୂରେଇ ସେମାନଙ୍କୁ ରଖେ । ଘରେ ଆମର ଭାଉଜ କହୁଥାନ୍ତି “କ’ଣ ଖାଲି ସାଉତୁଛ ସେ ତ ମରି ଯାଉଛନ୍ତି । ଆମେ ଖାଇ ଦେଲେ ଚଳନ୍ତାନି । ତମେ ସେଦିନ ଘି’ପିଠା ମିଠେଇ ରଖିଲ ସେଗୁଡ଼ା ନଷ୍ଟ ହେଲା । ପିଲାଙ୍କୁ ଦେଲନି ଖାଇବାକୁ ।”

ବୋଉ କହେ, “ନା, ସେ ଆଜି ଆସିବ । ମାଛ ଏତେ ଧରା ହେଲା ଖାଇଲ । ତା’ ପାଇଁ ଦି’ଟା ରଖିଛି ତା’ ଆସିବା ପରି ଲାଗୁଛି ।”

ଆସ୍ତେ ଆସ୍ତେ ଦି’ଚାରିଟିଙ୍କୁ ଛାଡ଼ି ସବୁ ମରିଗଲେ । ଖରାଦିନ ଘର ପାଣି ବି ଫୁଟୁଛି । ସହଜେ ପଙ୍କୁଆ ମାଛ ।

ଯାହା ହେଉ ମୁଁ ସେଦିନ ସଞ୍ଜବେଳେ ପହଞ୍ଚିଲି । ବୋଉ ଭାରି ଖୁସି । କଉମାଛ ରାନ୍ଧିବ ମୁଁ ଖାଇବି ।

ମୋତେ ଦେଖୁ ଦେଖୁ ସବୁ କଥା କହିଗଲା । ତୁ ଆସିଲୁନି ମାଛ ରଖିଥିଲି ସବୁ ମରିଗଲେ ।

ମାଟି ହାଣ୍ଡିରୁ ପାଣି ନିଗାଡ଼ି ବୋଉ ଖୋଜିଲା କଉମାଛମାନଙ୍କୁ ଅତି ଆଗ୍ରହରେ । ଦେଖିଲା ସବୁ ମରି ଯାଇଛନ୍ତି । ବୋଉ ପାଟିରୁ କଥା ବାହାରିଲା ନାହିଁ । କେମିତି ନିରବ ହେଇଗଲା ।

ମୁଁ ବୋଉ ହାତକୁ ଧରି କହିଲି । ସେମାନେ ମରନ୍ତୁ ତୁ ମନଦୁଃଖ କରନା । ମାଛ ସିନା ମରିଗଲେ ମୋ ଉପରେ ତୋର ଯେଉଁ ସ୍ନେହ ସେ କ’ଣ ମରିବ ?

1 Comment

1 Comment

  1. ରଞ୍ଜିତ ରାଉତ

    January 8, 2018 at 9:19 pm

    ଅତି ସୁନ୍ଦର ଭାବରେ ଲେଖିଛନ୍ତି। ଭଲଲାଗିଲା

Leave a Reply

Your email address will not be published. Required fields are marked *

ଲୋକପ୍ରିୟ ଲେଖା

To Top