ଅଣୁଗଳ୍ପ

ଖବରକାଗଜ

Khabarakagaj an odia short story by Hemanta Kumar Rout

ଆମେ ଅପରାଧୀ ଭଳି କହିଲୁ, “ଭୁଲ୍ ହୋଇଛି ସାର୍, ଆମେ କ୍ଷମା ମାଗୁଛୁ ଆପଣଙ୍କ ପାଖରେ ।”

ଖବରକାଗଜ

ଦୁଇଘଣ୍ଟା ଧରି ଟ୍ରେନ୍‌ରେ ବସିଥାଉ । ସଙ୍ଗରେ ଜଣେ ଅନ୍ତରଙ୍ଗ ବନ୍ଧୁ । ମୁଁ ଚା’ ପିଏ ସେ ପାନ ସିଗାରେଟ୍ ପିଅନ୍ତି । ମଝିରେ ମଝିରେ ବାଦାମ ମଞ୍ଜି ପକାଉଥାଉ ପାଟିରେ । ହଠାତ୍ କାଗଜ ବିକାଳି ଆସିଗଲା । କେହି ଆମେ କାଗଜ କିଣିଲୁନି । ଆମ ପାଖରେ ବସିଥିବା ସେଇ ମୋଟାଲୋକ କିନ୍ତୁ କିଣିଲେ । ସେ ପଢ଼ିବା ପରେ ଆମେ ତାଙ୍କ କାଗଜ ଆଣି ଆଖି ପକେଇଲୁ ।

ହଠାତ୍ ସେ ନିଦରୁ ଉଠି କାଗଜ ଖୋଜିଲେ । ଆମ ହାତରେ ଦେଖି ଆମକୁ କିଛି ସମୟ ନିରୀକ୍ଷଣ କରି ତା’ପରେ କହିଲେ ।

“ମୋତେ ନ ପଚାରି ମୋ କାଗଜ ଉଠେଇଲ କାହିଁକି ?” ଆମେ କହିଲୁ, “ଟିକେ ଦେଖିବା ପାଇଁ ଆଣିଲୁ ସାର୍ ।”

ତେବେ ବି ମୋ ଅନୁମତି ଦରକାର । ମୋତେ ନ ଜଣାଇ ମୋ କାଗଜ ଉଠେଇବା ଅନ୍ୟାୟ ।

କାଗଜ ମାଗି ଆଣି ପଢ଼ିବା, କାହାକୁ ନ କହି ଉଠେଇବା ଏସବୁ ଅଭ୍ୟାସ ଆମର ଆଗରୁ । ଆମେ ଅପରାଧୀ ଭଳି କହିଲୁ, “ଭୁଲ୍ ହୋଇଛି ସାର୍, ଆମେ କ୍ଷମା ମାଗୁଛୁ ଆପଣଙ୍କ ପାଖରେ ।”

ସେତିକିରେ କ’ଣ ସରିଗଲା ? ମୋ ପିଲା ହୋଇଥିଲେ ଉଚିତ୍ ଦଣ୍ଡ ପାଇଥାନ୍ତେ । ମୋତେ ନ ଜଣେଇ ମୋ ଜିନିଷ କେହି ଉଠାନ୍ତି ନାହିଁ । କ୍ଷମା ମାଗିବା ସବୁ ସମସ୍ୟାର ସମାଧାନ ନୁହେଁ ।

ପାଖାପାଖି ଯାତ୍ରୀମାନେ ବସିଥାନ୍ତି । ଆମକୁ ଭାରି ଅଡୁଆ ଲାଗୁଥାଏ । ହେଲେ ତାଙ୍କର କ୍ରୋଧ ଶାନ୍ତ ହେଉ ନ ଥାଏ ।

ଆମେ କହିଲୁ, “ସାର୍ ଆମେ ତ ଭୁଲ୍ କରିଛୁ, ମାନୁଛୁ ଆମେ ଆଉ କ’ଣ କରିବୁ ?”

ଏଥର ମହାଶୟ ଚୁପ୍ ! କିଛି ସମୟ ରହି ପୁଣି କହିଲେ । “ଦୁଇ ଘଣ୍ଟା ଧର ମୁଁ ଲକ୍ଷ୍ୟ କରୁଛି । ପାନ ସିଗାରେଟ୍ ଚା’ ଖାଉଛ । ବାଜେ ଖର୍ଚ୍ଚ ଏଗୁଡ଼ା, ଅଥଚ ଖଣ୍ଡେ କାଗଜ କିଣୁନ । ଏତେ ଶୀତ ରାତିରେ ସେ କାଗଜ ଆଣି ବିକୁଛି । ଆମ ପାଇଁ ନା କାହା ପାଇଁ ? ଆମ ଭାଷାର ପତ୍ର ପତ୍ରିକାର ଅବସ୍ଥା କ’ଣ ? ଆମେ କିଣିବାକୁ ପସନ୍ଦ କରୁନା ।” ମୁଁ କହିଲି, “ସାର୍, ଗୋଟେ ଶିକ୍ଷା ପାଇଲୁ, ଆଜିଠୁ କାଗଜ କିଣି ପଢ଼ିବୁ ।” ତା’ପରେ ସେ ତାଙ୍କ ଆଟାଚ୍‌ରୁ ଦୁଇଖଣ୍ଡ ବହି ବାହାର କରି ଆମ ଦି’ଜଣଙ୍କୁ ଧରାଇଲେ । ତାଙ୍କ ନିଜ ଲେଖା । ଆମେ ବ୍ୟସ୍ତ ହୋଇ ପଡ଼ିଲୁ, ଆମ ପାଖରେ ବହି କିଣିବାକୁ ପଇସା ନାହିଁ ।

ଆମକୁ ଲକ୍ଷ୍ୟ କରି କହିଲେ, “ତମେ ପଇସା ଦବନି । ତମେ ଦୋଷ ସ୍ୱୀକାର କଲ । ତେଣୁ ତମ ପ୍ରତି ଶ୍ରଦ୍ଧା କରି ଦୁଇଖଣ୍ଡ ବହି ଦେଲି । ଆଜିକାଲି ପିଲେ ଦୋଷ ସ୍ୱୀକାର କରନ୍ତି ନାହିଁ । ମୁଁ ଜାଣେ ଶହେ ଟଙ୍କା ତମେ ଦେଇପାରିବନି, କିନ୍ତୁ ତମର ସାମର୍ଥ୍ୟ ଅନୁସାରେ କିଣିବାକୁ ଯେପରି ନ ଭୁଲ, ଏତିକି କଥା ମନେରଖିବ ।”

ଆମେ ନିର୍ବାକ ହୋଇ କେବଳ ଚାହିଁ ରହିଛୁ ।

ଲୋକପ୍ରିୟ ଲେଖା

To Top