ଅଣୁଗଳ୍ପ

ମାଗଣା ପରିବା

Bijay Kumar Senapati's odia short story Maaganaa Paribaa

ଘରେ ପରିବା ଝୁଲା ଢାଳିବା ପରେ, ଶ୍ରୀମତୀ ବକି ଚାଲିଲେ । ଏ କ’ଣ ? ମୁଁ କ’ଣ ଲେଖିଥିଲି ୟା’କୁ ଆଣିବା ପାଇଁ ? ଆଲତୁ ଫାଲତୁ ଜିନିଷ ଗୁଡେ଼ ନ କିଣିଲେ କ’ଣ ତମର ହାତ ଖୁଜ୍ ବୁଜ୍ ହୁଏ ।

ମାଗଣା ପରିବା

ରବିବାର, ସପ୍ତାହକରେ ଥରେ ଆସେ । ସେଦିନ ଘରର ଯାବତୀୟ କାମ ସାରିଲା ପରେ ଶ୍ରୀମତୀଙ୍କର ତାଗିଦ୍ ଆସେ ପରିବା କିଣା ପାଇଁ । ମୋତେ ବଡ଼ ବିରକ୍ତ ଲାଗେ, ସବୁ ଆଣି ଘରେ ପହଞ୍ଚିବା ପରେ, ଅଭିଯୋଗ ମାନ ଶୁଣିବାକୁ ମିଳେ । ଯେମିତିକି ଅମୁକଟା ଭୁଲିଗଲ, ସମୁକଟା ଥିଲା ତ କାହିଁକି ଆଣିଲ ? ଯଦି ଆଣିଲ କମ୍ ଆଣିଥାନ୍ତ, ଇତ୍ୟାଦି । ସେଥିପାଇଁ ଏବେ ତାଙ୍କ ଲେଖା ଚିଠା ଧରିଲା ପରେ, ମୁଁ ବଜାରକୁ ଯାଏ ।

ଆଜି ବି ଚିଠା ଧରି ପରିବା କିଣୁ କିଣୁ ନଜର ପଡ଼ିଲା ଜଣେ ମଧ୍ୟବୟସ୍କା ପରିବାବାଲି ଉପରେ । ତିନି ଚାରି ଗଡ଼ ଖମ୍ୱ ଆଳୁ ଧରି ଚୁପ୍ ଚାପ୍ ବସିଛି ।

କିଛି ତ ଆଣିନୁ ଆସିଛୁ କାହିଁକି ?

କ’ଣ କରିବି ବାବୁ ! ଘରେ ତ କେହି ନାହିଁ, ଚାଷ କରିବାକୁ । ମୁଁ ଛୋଟିଟା । ଛୋଟା ଗୋଡ଼ରେ ଘୁଷୁରି ବାଡ଼ିରୁ ଖମ୍ୱଆଳୁଟିଏ ଖୋଳିଲି ଯେ ପାରିଲିନି । ଭାଙ୍ଗି ତିନି ଚାରି ଗଡ଼ ହୋଇଗଲା । କିନ୍ତୁ ବାବୁ ଆଳୁଟା ଭଲ ଜାତିର । ଖାଇଲେ ଜାଣିବେ ।

ଚିଠାଟିକୁ କାଢ଼ି ନଜର ପକାଇଲା ପରେ ଦି’ପାହୁଲ ଆଗକୁ ବଢ଼ାଇବାରୁ ସେ ପୁଣି କହିଲା, “ବାବୁ ! ସବୁ ପରିବା କ’ଣ ଚିଠାରେ ଥାଏ । ନେଇଯାଆନ୍ତୁ । ୩୦ ଟଙ୍କା କିଲୋ ବଦଳରେ ୧୦ ଟଙ୍କା ଦେଲେ ବି ମୁଁ ଦେଇ ଦେବି । ୟା’କୁ ବିକି ମୁଁ କୋଠା ପିଟିବିନି ବାବୁ । ଦି’ବକ୍ତ ଆହାର କେନ୍ଦ୍ରରୁ ମିଲ୍ କିଣି ପେଟପୁରା ଖାଇବି । ମୋର ବି ଘର ଥିଲା, ଗେରସ୍ତ ଥିଲା, ଭେଣ୍ଡା ପୁଅଟେ ଥିଲା । ସବୁ ଥିଲା ବାବୁ । ଦି’ବର୍ଷ ତଳର କରାଳ ବନ୍ୟା ଧୋଇ ନେଲା ମୋର ସବୁକିଛି । ଝାଟିମାଟି ଘରର କଚ୍ଚାକାନ୍ଥର ତଳେ ଚାପି ହୋଇ ମୋର ସଂସାର ଉଜୁଡ଼ିଗଲା । ତଥାପି ମୁଁ ଭିକ ମାଗୁନି ବାବୁ । ଥରେ ନେଇ କରି ତ ଦେଖ ।”

କିଛି ଚିନ୍ତା କରିବା ଆଗରୁ ମୋ ପରିବା ଝୁଲାଟି ତା’ ଆଡେ଼ ମୁହାଁଇ ଗଲା ।

ଘରେ ପରିବା ଝୁଲା ଢାଳିବା ପରେ, ଶ୍ରୀମତୀ ବକି ଚାଲିଲେ । ଏ କ’ଣ ? ମୁଁ କ’ଣ ଲେଖିଥିଲି ୟା’କୁ ଆଣିବା ପାଇଁ ? ଆଲତୁ ଫାଲତୁ ଜିନିଷ ଗୁଡେ଼ ନ କିଣିଲେ କ’ଣ ତମର ହାତ ଖୁଜ୍ ବୁଜ୍ ହୁଏ ।

ନା ମ ! ସେ ପରିବାବାଲି ପରା ବାଇଗଣ ସାଥିରେ ସେଗୁଡ଼ା ସେମିତି ମାଗଣାରେ ଝୁଲାରେ ପୁରାଇ ଦେଲା । କହିଲା, “ମୋର ତ ବିକାବିକି ସରିଲା, ଏତକ ଧରି କାହିଁକି ବସିବି । ତମ ଛୁଆପିଲା ଖାଇଲେ ବରଂ ମୋର ମଙ୍ଗଳ ହେବ ।”

ଦି’ପ୍ରହରେ ସେ ଖମ୍ୱଆଳୁ ଭଜା ଖାଉ ଖାଉ, ଶ୍ରୀମତୀ କଟାକ୍ଷ କରି କହୁଥିଲେ, “ତୁମ ମାଗଣା ପରିବା ତ ଭାରୀ ସୁଆଦ ।”

ମୋ ଆଖିରେ କିନ୍ତୁ ନାଚିଯାଉଥିଲା, ସେ ଛୋଟି ପରିବାବାଲି ଆହାର କେନ୍ଦ୍ରର ଧାଡ଼ିରେ ଠିଆ ହୋଇ ଖାଇବା ପାଇଁ ଜଗି ରହିଥିବା ବେଳର ଭୋକାତୁର ମୁହଁ ଓ ପେଜୁଆ ପେଜୁଆ ନେଞ୍ଜରା ଲଗା ଆଖି ଦିଓଟି ।

ମୋ ହାତ ପାଟିକୁ ଯାଉ ଯାଉ ଅଧାବାଟରେ ଛାଏଁକୁ ଛାଏଁ ଅଟକିଗଲା ।

ଲୋକପ୍ରିୟ ଲେଖା

To Top