ଅଣୁଗଳ୍ପ

ମାଳିକାମ ଏବଂ ଗଣିତ

Pradipta Sundar Moharana's odia short story Maalikaama Ebn Ganita

“ସତେ ନା କ’ଣ ଅଜା ? ଆଚ୍ଛା, ଗଣିତ ଆଉ ମାଳିକାମ ଭିତରେ ସମ୍ପର୍କ କ’ଣ ? ତୁମେ ମାଳି ନା ବୈଜ୍ଞାନିକ ?”

ମାଳିକାମ ଏବଂ ଗଣିତ

ସେଦିନ ବିଦ୍ୟାଳୟର ଖେଳ ଅବକାଶ ସମୟରେ ଖେଳିବାକୁ ମନ ହେଲାନାହିଁ । ଭାବିଲି , ଶ୍ରେଣୀ ଗୃହକୁ ଫେରି କଅଣ ଟିକେ ପଢ଼ିଲେ ଭଲ ହୁଅନ୍ତା । ସେକଣ୍ଡାରୀ ବୋର୍ଡ୍ ଉଚ୍ଚ ବିଦ୍ୟାଳୟର ଲମ୍ବା ବାରଣ୍ଡା, ଆଉ ତା’ କଡରେ ଧାଡି ଧାଡି ସୁନ୍ଦର ଫୁଲଗଛ, ସବୁକିଛି ବେଶ୍ ସୁନ୍ଦର ଦିଶୁଥାଏ । ମୁଁ ଏବେ ବୁଝିପାରୁଥିଲି, ଶ୍ରେଣୀରେ ପାଠ ପଢା ଭଲ ଲାଗୁନଥିବାବେଳେ, ମୋ ସାଙ୍ଗମାନେ, ଝରକା ବାଟ ଦେଇ କାହାକୁ ଦେଖୁଥାନ୍ତି । ନିଶ୍ଚିତଭାବେ ଏହି ବଗିଚାକୁ ହିଁ ଦେଖୁଥିବେ। ବଗିଚାର ସେହି ଅନୂପମ , ସୌନ୍ଦର୍ଯ୍ୟ ମଧ୍ୟରେ ଆମ ବିଦ୍ୟାଳୟର ରଘୁ ଅଜା, ଝାଳ ନାଳ ହୋଇ କାମ କରୁଥିଲେ ।

ପାଖକୁ ଯାଇ ପଚାରିଲି, “ଅଜା, ମୁଁ ମଧ୍ୟ ତୁମ ଭଳି ଧାଡ଼ି ଧାଡ଼ି ଫୁଟୁଥିବା ଫୁଲଗଛ ଓ ମାଁ ଙ୍କ କୋଳ ପରି କୋମଳ ଘାସଗାଲିଚା, ତିଆରି କରିବାକୁ ଚାହେଁ । ମୁଁ ମାଳି କାମ କରିବାକୁ ଚାହେଁ, ମୋତେ ବଗିଚା କାମ କରିବା ଶିଖାଇବ ?”

କିଛି ସମୟର ନୀରବତାର ପରେ ଅଜା ଉତ୍ତର ଦେଲେ, “ ହୁଁ, ମାଳି କାମ କରିବ ? ନବମ ଶ୍ରେଣୀରେ ପଢୁଛ ବୋଧହୁଏ ! ଗଣିତ ଭଲ ହୁଏ ?” ଟିକିଏ ଥମଥମ ହୋଇ ମୁଁ ଉତ୍ତର ଦେଲି, “ହୁଏ ଯେ, ହେଲେ, ଏ ପ୍ରଶ୍ନ କାହିଁକି ଅଜା ?” ଅଜା କହିଲେ, ’’ କାହିଁକି ନା, ଗଣିତ ଭଲ ନହେଲେ ତୁମେ ମାଳିକାମ କରିପାରିବ ନାହିଁ ।”

ମୋ ଭିତରେ ଉଙ୍କି ମାରୁଥିଲା ଅଜସ୍ର ପ୍ରଶ୍ନ, ଏବଂ ତା’ ସହିତ, ସାମାଜିକ ଦୃଷ୍ଟିକୋଣରୁ ଏକ ସାମାନ୍ୟ ନିମ୍ନବର୍ଗର ଶ୍ରମିକ ଭାବରେ ବିବେଚିତ, ଆମ ରଘୁଅଜାକୁ ଭୁଲ୍ ବୋଲି ପ୍ରମାଣିତ କରିବାର ଏକ ଚାପା ଚାପା ଉନ୍ମାଦନା ।

ନଅଟି ବର୍ଷର ଶିକ୍ଷା, ଆଉ ସେଥି ସହିତ ଜଡି ହୋଇରହିଥିବା ଗର୍ବକୁ ସାଉଁଟି, ଗୋଟେ ଫାଜିଲ୍ ପିଲା ପରି ପ୍ରଶ୍ନ କଲି, “ସତେ ନା କ’ଣ ଅଜା ? ଆଚ୍ଛା, ଗଣିତ ଆଉ ମାଳିକାମ ଭିତରେ ସମ୍ପର୍କ କ’ଣ ? ତୁମେ ମାଳି ନା ବୈଜ୍ଞାନିକ ?”

ଅଜା ବୁଲିପଡିଲେ, ସିଧା ଠିଆ ହୋଇ ଦମ୍ଭର ସହ କହିଲେ, “ଦେଖ୍, ଗୋଟିଏ ଗଛରେ କେତେ ମାଟି ଅବା ପାଣି ଲାଗିବ, ଗୋଟିଏ ଗଛରୁ ଆଉ ଗୋଟିଏ ଗଛ ଭିତରେ ଦୂରତା କେତେ ରହିବ, କେଉଁ ଗଛକୁ କେଉଁ ଭଳି ଭାବରେ ସଜାଇ ରଖିଲେ ସମସ୍ତେ ସୂର୍ଯ୍ୟାଲୋକ ସମାନ ଭାବରେ ପାଇବେ, ତୁ କ’ଣ ଭାବୁଛୁ, ଗଣିତ ଓ ଜ୍ୟାମିତି ଜ୍ଞାନ ବିନା ଏସବୁ ସମ୍ଭବ ?” କ୍ଷଣିକ ପ୍ରଶ୍ୱାସରେ ଛାତି ଭରି ପୁଣି କହିଲେ, “ଜଣେ ମାଳି ଗଛକୁ ଚିହ୍ନେ, ଏବଂ ପ୍ରତ୍ୟେକ ଗଛର ଅସଂଖ୍ୟ ଗୁଣାବଳୀକୁ ମଧ୍ୟ ଚିହ୍ନେ, ଆଉ ଗଛର ଅନେକ ଗୁଣଗୁଡ଼ିକ ମଧ୍ୟରୁ ସେହି ଗୁଣଟିକୁ ପରିପୁଷ୍ଟ କରିବାକୁ ଚେଷ୍ଟା କରେ, ଯାହାକି ସେହି ଗଛଟିକୁ, ସେହି ପ୍ରଜାତିର ଗଛଟିକୁ ସୁନ୍ଦର, ଆକର୍ଷଣୀୟ ଓ ଉପଯୋଗୀ କରି ତୋଳିବ । କେଉଁ ଗଛ ଝଙ୍କା ହେଲେ ଭଲ ଦିଶେ ତ , ଆଉ କିଛି ଗଛ ଫୁଲ ଧରିଲେ ଭଲ ଦିଶେ । ମୁଁ ଗୋଲାପର ଡାଳ କାଟେ, ଗେଣ୍ଡୁ ଗଛର ଅଗ ଛିଣ୍ଡାଏ , ମଲ୍ଲୀକୁ ଠିକ୍ ସମୟରେ ପାଣି ଦିଏ । ମୁଁ ଏକପ୍ରକାରର ବୈଜ୍ଞାନିକ । ଆଉ ତୁ ଯଦି ଗୋଟେ ଫୁଲଗଛ ସଦୃଶ ଜୀବଟିଏ ହେଇଥାଉ, ତା’ହେଲେ, ତୋ’ର ସୌନ୍ଦର୍ଯ୍ୟ ବଢାଉଥିବା ମାଳିମାନେ ବର୍ତ୍ତମାନ ବିଭିନ୍ନ ଶ୍ରେଣୀଗୃହରେ ପାଠ ପଢାଉଛନ୍ତି, ଯେଉଁମାନଙ୍କର ଅନ୍ୟନାମ ଶିକ୍ଷକ । ଏବେ ଯା, ଶ୍ରେଣୀଗୃହରେ ବସ, ଆଉ ସେମାନଙ୍କୁ ତତେ ପରିପୂର୍ଣ୍ଣ କରି ଗଢ଼ିତୋଳିବାର ସୁଯୋଗ ଦେ । ପାଠ ସାରିଲେ, ବଗିଚା ଭିତରେ ହେଉ ଅବା ବଗିଚା ବାହାରେ ହେଉ ମାଳିକାମ କରିବୁ ।”

ରଘୁ ଅଜା ବୁଲିପଡ଼ି , ତାଙ୍କ କାମ କରିବାକୁ ଲାଗିଲେ, ଆଉ ମୁଁ “ମାଳିକାମ” ଶବ୍ଦଟି ବିଷୟରେ ଭାବୁଥିଲି । ବଗିଚା ବାହାରର ମାଳିକାମ :

ଯାହା , ଚାଣକ୍ୟ କରିଥିଲେ, ଦାଦାଜୀ କୋଣ୍ଡଦେବ କରିଥିଲେ – “ଶିକ୍ଷା ସାହାଯ୍ୟରେ ରାଷ୍ଟ୍ର ନିର୍ମାଣ!”

ଲୋକପ୍ରିୟ ଲେଖା

To Top