ଅଣୁଗଳ୍ପ

ମାତୃଦିବସ

Aravind Das's odia short story Maatrudibasa

ମଦରସ୍ ଡେ ଉପଲକ୍ଷେ ତାଙ୍କ ପାଇଁ ଏତେ ଦାମୀ ଶାଢୀ, ଗୁଡାଏ ଫୁଲତୋଡା, ବଡ କେକ୍ ଯୋଗାଡ କରିବା କ’ଣ ନିହାତି ଜରୁରୀ ଥିଲା ?

ମାତୃଦିବସ

“ମମି, କେକ୍ ମଝିରେ କ୍ୟାଣ୍ଡେଲଟା ଲଗାଇ ଦିଅ । ଶୀଘ୍ର କେକ୍ କାଟ ।”

ବଡ ପୁଅର କଥା ଶୁଣି ଅସ୍ତବ୍ୟସ୍ତ ହୋଇ ପଡୁଥିଲେ ସୁଷମା ।

“ମମି, କେକ୍ କାଟିଲାବେଳେ କ୍ୟାମେରାକୁ ସିଧା କରି ଅନେଇବ । ନହେଲେ ପ୍ରତିବର୍ଷ ପରି ସବୁ ଫଟ ତମ ମୁଁହ ତଳକୁ ହୋଇଥିବ ।”

ସାନପୁଅ ପାଟି ଶୁଣି ମନେମନେ ହସୁଥିଲେ ସୁଷମା । ବୟସ ହୋଇଗଲା ପରେ ସବୁକଥା କଣ ମନେ ରହେ ? ପିଲା ଗୁଡାଙ୍କୁ କେମିତି ବୁଝାଇବେ ଏମିତି ବାଜେ ଖର୍ଚ୍ଚ ନ କରିବାକୁ ? ମଦରସ୍ ଡେ ଉପଲକ୍ଷେ ତାଙ୍କ ପାଇଁ ଏତେ ଦାମୀ ଶାଢୀ, ଗୁଡାଏ ଫୁଲତୋଡା, ବଡ କେକ୍ ଯୋଗାଡ କରିବା କ’ଣ ନିହାତି ଜରୁରୀ ଥିଲା ? ବଡ ନାତୁଣୀ ରିମା ଓ ନାତି ରିଙ୍କୁ କହୁଥିଲେ, “ଜେଜେ ମା’, ସ୍ମାଇଲ ପ୍ଲିଜ୍, ଏକାଥରକେ କ୍ୟାଣ୍ଡେଲ ଫୁଙ୍କି ଲିଭାଇଦେବ । ଜଲଦି କେକ୍ କାଟି ଦିଅ । ମ୍ୟାଜିକ୍ କ୍ୟାଣ୍ଡେଲ ସହଜରେ ଲିଭିବନି । ନିଜ ଶାଢୀକୁ ସଜାଡି, ହସହସ ମୁଁହରେ କେକ୍ କାଟିଲେ ସୁଷମ ।” ହାପି ମଦରସ୍ ଡେ ଟୁ ଡିଅର ମମି, ଗୀତ ଗାଉଥିଲେ ପିଲାମାନେ । କେକ୍ ପିସ୍ ଧରି ନାତି, ନାତୁଣୀଙ୍କ ଆଡକୁ ଆଗେଇଲେ ସୁଷମା ।

ହଠାତ ଲାଇନ୍ ଚାଲିଗଲା । ଚାରିଆଡେ ଅନ୍ଧାର କମ୍ପ୍ୟୁଟର ସ୍କ୍ରିନ୍‌ରୁ ଅପସରି ଯାଇଥିଲା ପୁଅ, ବୋହୁ, ନାତି, ନାତୁଣୀମାନଙ୍କ ଛବି । ଅନ୍ଧାର ଘର ଭିତରେ ଏକୁଟିଆ ଠିଆ ହୋଇଥିଲେ ସୁଷମା । ପିଲାମାନେ ସମସ୍ତେ ଆମେରିକାରେ । ଆଜି କୋରିଅର ବାଲା ଏସବୁ ଜିନିଷ ଘରେ ଆଣି ଦେଇଯାଇଥିଲା । ବର୍ଷେ, ଦୁଇବର୍ଷରେ ଥରେ ପିଲାମାନେ ବୁଲିବାକୁ ଆସନ୍ତି । ଚୁପଚାପ ସୋଫାରେ ବସି ଡିଲେ ସୁଷମା । ମ୍ୟାଜିକ କ୍ୟାଣ୍ଡେଲ୍ଟା ନଲିଭି ପୁଣି ଜଳୁଥିଲା ।

ଏକା ଲୟରେ ସୁଷମା ଅନେଇଥିଲେ କ୍ୟାଣ୍ଡେଲ୍କୁ ଏବଂ ସେଇ କେକ୍କୁ ଯାହା ଉପରେ ଲେଖାହୋଇଥିଲା “ଶୁଭ ମାତୃଦିବସ” ।

ଲୋକପ୍ରିୟ ଲେଖା

To Top