ଅଣୁଗଳ୍ପ

ମଇଁଷିଆଳ

Hemanta Kumar Rout's odia short story Mainshiaala

ମଣିଷ ଯଦି ମଇଁଷିଙ୍କ ପରି କଷ୍ଟ ନ କରେ ସେ ଠିକ୍ ମଣିଷ ହେଇ ପାରିବ ନାହିଁ ।

ମଇଁଷିଆଳ

ସେଦିନ ମଇଁଷି ଗୋଠରୁ ଫେରି ଆସିବା ପରେ ତା’ ପୁଅ ଦିଗା କହିଲା, “ବାପା ତମେ ସେ ମଇଁଷିଗୁଡ଼ା ବିକିଦିଅ । ଏ ବର୍ଷା ଘଡ଼ଘଡ଼ି ଅନ୍ଧାର ରାତିରେ ଗୋଠରେ ଅଖିଆ ଅପିଆ ପଡ଼ି ରହିବ ମଶା ଡାଆଁଶରେ । ପଙ୍କ କାଦୁଅରେ ନଟର ପଟର ହୋଇ ସବୁଦିନ ଘାସ କାଟିବ । ଦଣ୍ଡାନାଳରେ ସବୁଦିନ ଗାଧୋଇ ହବ । କାହାର ଫସଲ ଖାଇଗଲେ ଗାଳି ଶୁଣିବ । ଏ ମଇଁଷି ବିକି ଗୋଟେ ଜର୍ସି ଗାଈ ଆଣିବା । ଯେମିତି କ୍ଷୀର ଦୁହୁଁଛୁ ବାଲ୍ଟିରେ କ୍ଷୀର ଦୁହିଁବା । ତମେ ବି ଆରାମ କରିବ । ଦି’ ପଇସା ବି ହାତକୁ ଚଢ଼ିବ ।”

ରଘୁଦାସ କହିଲା, “ଚଉଦ ପୁରୁଷ ଧରି ଆମେ ମଇଁଷି ରଖିଲୁ ମଇଁଷି ସଙ୍ଗରେ ମଇଁଷି ହୋଇଗଲୁ । ମୁଁ ଜାଣେ ତମେମାନେ ଆଜିକାଲିକା ପିଲା । ଏତେ କଷ୍ଟ କରି ପାରିବନି । ଜର୍ସି ଗାଈ ପାଇଁ ପକ୍କାଘର ଦରକାର । ଫ୍ୟାନ୍ ଦରକାର । ଇେଞ୍ଜକସନ୍ ଔଷଧ ଦରକାର । ପ୍ରଚୁର କ୍ଷୀର ପାଇବ । ହେଲେ ସେ କ୍ଷୀର ମଇଁଷି କ୍ଷୀର ଭଳି ଏତେ ଗାଢ଼ ନୁହେଁ । ମଇଁଷି କ୍ଷୀରରୁ ମୁନ୍ଦେ ପିଇଦେଲେ ସବୁ କଷ୍ଟ ଦୂରେଇଯିବ ।”

ପାଦ ପାଣି ଖାଇଖାଇ ଚମଡ଼ା ଉତୁରି ଯାଇଛି । ମଶା ଖାଇ ଦେହ ହାତ ନହୁନୁହାଣ । ଠିକ୍ ସମୟରେ ଖାଇ ହୁଏନି । ତଥାପି ଏ ଲୁହା ପରି ଦେହ ପଥର ପରି ଆହୁରି ନିଦା । ଜୀବନ ଘଣ୍ଟି ଆଗୁଡ଼ି ଛତା ବାଡ଼ିରେ ଗଢ଼ା । ଦୋଳ ପର୍ବରେ ଶିଙ୍ଗା ବଜେଇ, ଓଗାଳ ଗାଇ, ବାଗୁଡ଼ି ଖେଳି, ରାତି ସବୁ ପାହି ଯାଇଛି । ବଅସ ବେଳେ ବଇଁଶି ବଜେଇ ନିରୋଳା ରାତି ଭାଙ୍ଗି ଦେଇଛି । ମଇଁଷି ଘଣ୍ଟିର ସ୍ୱରରେ ନିଛାଟିଆ ନଈପଠା । ମଇଁଷିକୁ ଭଲ ପାଇଛି ମୋ ପରିବାର ଭଳି । ମଇଁଷି ମଣିଷ ସବୁ ଏକାକାର ।

କଷ୍ଟ ସହିଛି ଏ ମଇଁଷିଙ୍କ ପାଇଁ । ମଣିଷ ଯଦି ମଇଁଷିଙ୍କ ପରି କଷ୍ଟ ନ କରେ ସେ ଠିକ୍ ମଣିଷ ହେଇ ପାରିବ ନାହିଁ । ଜର୍ସିର ପାଣିଚିଆ କ୍ଷୀର ମଇଁଷି କ୍ଷୀର ପରି ବହଳିଆ ହୋଇ ପାରିବନି । ଜର୍ସିର ନାଞ୍ଜ ଧରି ଝଡ଼ ତୋଫାନ ଭରା ରାତିରେ ବଢୁଥିବା ବିପଦସଙ୍କୁଳ ଭୟଙ୍କର ନଈକୁ କେହି ପାର ହୋଇ ପାରିବେନି ।

ଲୋକପ୍ରିୟ ଲେଖା

To Top