ଅଣୁଗଳ୍ପ

ମୋ ମାଆର ବଗିଚା

Pallabi Das's odia short story Mo Maara Bagichaa

ବାବା ଜାଣିଥିଲେ ମାମା କେତେ ଭଲ ପାଏ ତା ଗଛ ସବୁକୁ, ସେଥିପାଇଁ ସେ ଚମ୍ପଟ ମାରିଥିଲେ ବାହାରକୁ, ଆଉ ମତେ କହି ଯାଇଥିଲେ ମାମା ତତେ କିଛି କହିଲେ କହିବୁ ମୁଁ କିଛି କରିନି ଯାହା କରିଛନ୍ତି ବାବା କରିଛନ୍ତି |

ମୋ ମାଆର ବଗିଚା

ସକାଳୁ ବାବାଙ୍କର ହ୍ୱାଟସ୍ ଆପ୍‌ରେ ଗୋଟେ ଫୋଟୋ ଆସିଛି । କୌତୁହଳରେ ଟିକେ ଫୁରସତ୍ ଦେଖି ହ୍ୱାଟସ୍‌ଆପ୍‌ଟା ଖୋଲି ଦେଲା ବେଳକୁ ମୋ ମାଆର ଫଟୋ । ମା ମୋର ବସିଛି ତା ଛୋଟ ବଗିଚା ଭିତରେ ଅଉ ତା ଆଗରେ ଝୁଲିଛି ଦିଟା ଲମ୍ବା ଲମ୍ବା ଲାଉ । କିଛି ସମୟ ପରେ ସାନ ଭାଇ ବି ସେଇ ଏକା ଫଟୋ ପଠେଇ ଫୋନ କରି କହୁଛି ଅପା ଦେଖ ମାମାର ଫଟୋ । ଖୁସି ଲାଗୁଥିଲା ଏତେ ମାସ ପରେ ଆମ ବଗିଚା ଦେଖିକି । ବର୍ଷେ ପୂର୍ବର କଥା ହାଇଦ୍ରାବାଦ ଆସିବା ପୂର୍ବରୁ ସେ ବଗିଚାରେ ସବୁ ଦିନ କିଛି କିଛି ସମୟ ବିତିଛି, କେବେ ମାମାକୁ ସାହାଯ୍ୟ କରିବା ଆଳରେ ତ କେବେ ନିଜେ କିଛି ଗଛ ଲଗେଇବା ପାଇଁ ଅଉ ପୁଣି ମାମା ନଥିଲା ବେଳେ ଗଛରେ ପାଣି ଦବାକୁ କେମିତି ସମୟ ଚାଲି ଯାଏ ଜଣା ପଡ଼େନି । କେବେ କେବେ ମନ ହେଲେ ବଗିଚାକୁ ସୁନ୍ଦର କରି ସଜେଇ ଦବାକୁ ଇଚ୍ଛାହୁଏ, ସେଇ ଚକର୍‌ରେ କେତେ କେତେ ଅନା ବନା ଗଛ ଉପାଡି ସଫା କରି ପକାଏ ଆଉ ଅଳିହା ସବୁକୁ ଏକାଠି କରି ନିଆଁ ଲଗାଏ । ଯଦି ଭୁଲ ରେ କିଛି ଦରକାରୀ ଗଛ ଉପୁଡ଼ି ଯାଇଥାଏ, କି ଗାଳି ଲୋ ମା ! ସେଥିପାଇଁ ପାଇଁ ଦେଖି ଚାହିଁ ସବୁ କରିବାକୁ ହୁଏ, ନହେଲେ ମାମାର କୋପ । ଫଳନ୍ତି ଅଫଳନ୍ତି କେତେ ଜାତି ଗଛ, ସେ ବାରିରେ ଲଗା ଯାଇଚି ସେଥିରୁ ମତେ ଫୁଲ ଗଛ ସବୁ ବହୁତ୍ ପସନ୍ଦ । ଛୁଆ ଦିନେ ମୋ ଫୁଲ ଗଛ ପାଇଁ ଜାଗା କରିବାକୁ ଯାଇ ମାମାର ସବୁ ଫଳନ୍ତି ଗଛ ଉପାଡି ପକାଏ । ବୋହୁତ୍ ଗାଳି ବି ଖାଇଛି ତା ପରଠୁ ବୁଝିଗଲି ଫୁଳ ଫଳ ଉଭୟ ଗଛ କେତେ ଜରୁରୀ । ଯଦି ସୁନ୍ଦର ଭାବରେ ଗଛ ଲଗେଇବାକୁ କହିବ ମୋ ବାବା ସେଥିରେ ବହୁତ୍ ନିପୁଣ କିନ୍ତୁ ମାମା ମୋର ଯୋଉଠି ଟିକେ ଜାଗା ପାଇବ ଚାରା ପୋତି ପକାଇବ, ସେଥିପାଇଁ ବହୁତ୍ ବିରକ୍ତ ଲାଗେ, ବେଳେ ବେଳେ ଚିଡ଼େ ବହୁତ୍ କିନ୍ତୁ ତା ଆଦତ ବଦଳେନି । ଏଇ ଆଦତର ଜିଦରେ ସେ ଗୋଟେ ସଜନା ଗଛ ଲଗେଇଥିଲା କୂଅ ପାଖରେ, ଗଛ ବଡ଼ ହେଲା, ସବୁ ସାହି ପଡ଼ିଶା ବନ୍ଧୁ ବାନ୍ଧବ ସମସ୍ତଙ୍କ ଘରକୁ ସେ ଗଛର ସଜନା ଛୁଇଁ ଆଉ ଶାଗ ଯାଏ । ମାମା ଥାଉ କି ନଥାଉ ସବୁ ସାହି ପଡ଼ିଶା ଚାଲି ଆସନ୍ତି ସଜନା ଛୁଇଁ ଆଉ ଶାଗ ପାଇଁ ଆଉ ମୋ ସାନ ଭାଇ ହନୁ ପରି ଛାତ ଉପର ଅଧା କାନ୍ଥ ଉପରେ ଚଢ଼ି ସେମାନଙ୍କ ପାଇଁ ସବୁ ତୋଳିଦିଏ । ବହୁତ୍ ଚିନ୍ତା ଲାଗେ ତା ପାଇଁ ନିଜ ଜୀବନକୁ ଟିକେ ହେଲେ ବି ଶ୍ରଦ୍ଧା ନାହିଁ ତା’ର ସେଥିପାଇଁ ସବୁବେଳେ ହାତ, ଗୋଡ଼, ମୁଣ୍ଡ ଖଣ୍ଡିଆ କରି ବୁଲୁଥାଏ । ଦିନେ ବାବାଙ୍କ ନଜର ପଡ଼ିଲା ଭାଇ ଉପରେ ଆଉ ନିଅଁରେ ଘିଅ ଢ଼ାଳିବା କାମ କରିଥିଲି ମୁଁ । କାରଣ ଗଛଟା ପୁରା ଅଖାଡୁଆ ଜାଗାରେ ଥିଲା । କୂଅ ପାଖକୁ ଲାଗିକି, ସେଇ ପାଣି ବୋହୁତ୍ ଲୋକ ବ୍ୟବହାର କରନ୍ତି, ଆଉ ସବୁ ପତ୍ର ଡାଳ କୂଅ ଭିତରେ ପଡ଼େ ଆଉ ସେଥିରେ ପୁଣି ମୋ ଭାଇର ହରକତ ସବୁ ଅସାଧାରଣ, କେତେବେଳେ କ’ଣ ହେଇଯିବ କେହି ପିଠିରେ ପଡ଼ିବାକୁ ନଥିବେ ଘରେ । ଯେହେତୁ ମାମା ବାବା ଦୁହେଁ ଚାକିରି କରନ୍ତି । ସେଇ ଦିନ ବାବା ସେ ଗଛ କାଟି ଦେଲେ, ଆଉ ସେଠି କିଛି ଗଛ ଥିଲା ବୋଲି ତା ଚିହ୍ନବର୍ଣ୍ଣ ପୋଛିକି ମୁଁ ସବୁ ସଫା କରିଦେଇଥିଲି ଆଉ ସବୁ ଶାଗ, ଛୁଇଁ ସାହି ପଡ଼ିଶା ରେ ବାଣ୍ଟି ଦେଇଥିଲି । ମାମା ଆସିଲା ସନ୍ଧ୍ୟାରେ ସ୍କୁଲରୁ; ଆସୁ ଆସୁ ସାନ ଭାଇ କହିଦେଲା “ମାମାଲୋ ଅପା ଆଉ ବାବା ମିଶି ତୋ ସଜନା ଗଛ କାଟିଦେଲେ ମୁଁ ଯେତେ ମନା କଲି ଶୁଣିଲେନି” । ବାସ୍ ସେତିକି ନିଆଁ ଲଗେଇବା ବାକି ଥିଲା । ମାମା ଚାଲିଲା ବାରିକୁ ଆସିଲା ପୁରା ରାଗ ତମ ତମ ହୋଇ ଗାଳି ସବୁ ବାବାଙ୍କ ଉପରେ ଆଉ ମୋ ଉପରେ ଗଛର ଅଭିଶାପ ଆଉ ଗାଳି ଗୁଲଜ ଚାଲିଲା । ବାବା ଜାଣିଥିଲେ ମାମା କେତେ ଭଲ ପାଏ ତା ଗଛ ସବୁକୁ, ସେଥିପାଇଁ ସେ ଚମ୍ପଟ ମାରିଥିଲେ ବାହାରକୁ, ଆଉ ମତେ କହି ଯାଇଥିଲେ ମାମା ତତେ କିଛି କହିଲେ କହିବୁ ମୁଁ କିଛି କରିନି ଯାହା କରିଛନ୍ତି ବାବା କରିଛନ୍ତି । ସେଦିନ ବାବା ଜାଣି ଶୁଣି ଡେରିରେ ଫେରିଲେ କାଳେ ଟିକେ ମାମାର ରାଗ ଶାନ୍ତ ହେଇଥିବ ଭାବି କିନ୍ତୁ ମାମା ତ ମାମା ବାବାଙ୍କୁ ଭଲକି ଗାଳି ଆରମ୍ଭ ହେଲା ଗେଟ ପାଖରୁ, ମାଙ୍କଡ଼ ଭାଇ ମୋର ନିଅଁରେ ଘିଅ ଢ଼ାଳିବା କାମ କରୁଥିଲା । ବାବା ମୋର ମଜା ନଉଥିଲେ ସେମାନଙ୍କ ରାଗର । ଆଜି ଯାଏ ଆମେ ବାପ ଝିଅ ଗାଳି ଖାଉ, ଯେବେ ମନେ ପଡେ ସେ କଥା ମାମାର । ମାମା କୁ କାନ୍ଦିବାର ବି ଦେଖିଛି ସେ ଦିନ; ସତରେ କେତେ କଷ୍ଟ ଥିଲା ତା ମନରେ ଗଛଟିଏ ପାଇଁ । ବାରିରେ ଆହୁରି ସଜନା ଗଛ ଥିଲା ତଥାବି ସେ କେତେ ମାୟା ମୋହ ଡୋରିରେ ସେ ଗଛ ସହ ବାନ୍ଧି ହୋଇଥିଲା । ଆମକୁ ତାଗିଦ୍ କରି କହିଥିଲା ତମେ ଦୁଇଜଣ ଯିବନି ମୋ ବାରିକୁ । ବାବାଙ୍କୁ ଆଉ ମତେ ବି କଷ୍ଟ ଲାଗିଥିଲା, ଆମେ ବି ଗଛକୁ ଭଲ ପାଉ କିନ୍ତୁ ଯଦି ସେ ଗଛ ଠିକ୍ ଜାଗାରେ ଲଗା ଯାଇଥାନ୍ତା ଆଉ କାହାକୁ କିଛି ହାନି ନକରନ୍ତା ତେବେ ଆମେ ଏମିତି କରି ନଥାନ୍ତୁ । ମାମା ତା ପରଠୁ ଟିକେ ସଚେତନ ହୋଇ ଗଛ ଲଗେଇବାକୁ ଚେଷ୍ଟା କରେ କିନ୍ତୁ ତା ଆଦତ କୁ କିଏ କଣ ପାରିବ କି! ଅମୃତ ଭଣ୍ଡା ଗଛ ଲଗେଇ ଦେଲା ପୁଣି ସେ ପାଖକୁ, କୂଅ ପାଣି ଏତେଟା କ୍ଷତି କରିବା ପରି ନଥିଲା ସେଥିପାଇଁ ଆମେ ଧ୍ୟାନ ଦେଲୁନି । ସବୁବେଳେ ତାକୁ କହି ଆସେ ମାମା ଠିକ୍ ଜାଗାରେ ଗଛ ଲଗେଇବୁ । ଆଉ ହଷ୍ଟେଲରୁ ଫେରି ଦେଖେ ତ ବାରି ମୋର ପୁଣି ଜଙ୍ଗଲ ପଲାଟି ଯାଇଥାଏ । ଆଉ ମାଆ ମୋର ବାରିରେ ଫଳିଥିବା ପନିପରିବା ଚାଙ୍ଗୁଡିରେ ସଜେଇ ଆଣି ଖୁସିରେ ଦେଖାଉଥିବ । କଦଳୀ କାନ୍ଦି ପୁରା କଟା ହୋଇ ଘରକୁ ଆସିବା ଆତେ ରହେନି କାନ୍ଧି ଟିକେ ପାକଳ ହବା ଆରମ୍ଭ ହେଲେ ସେଇ ଗଛରୁ ହିଁ କାଟିକି ମାମା ବାବାଙ୍କ ବାଣ୍ଟିବା ଆରମ୍ଭ ହୋଇଯାଏ । ଘରକୁ ଯିଏ ଆସିବେ ମାମା ବାରିରୁ କିଛି ତୋଳି ଧରେଇ ଦିଏ । ମାମା ସବୁ ଦିନ ସକାଳେ ସନ୍ଧ୍ୟାରେ ବାରିରେ କିଛି କିଛି ସମୟ ବିତାଏ । ସେଥିପାଇଁ ବ୍ୟସ୍ତ ଲାଗେ ବେଶି ଜଙ୍ଗଲ ହେଲେ କାଳେ ସାପ ଆଉ ଅନ୍ୟ ଜନ୍ତୁ ରହିବେ ବୋଲି, ପୁଣି ଯାଏ ମାମା ନଥିଲା ବେଳେ ବାରି ସଫା କରି ଚାଲି ଆସେ କିନ୍ତୁ ତା ଗଛ ଗୁଡ଼ାକୁ ସବୁ ସୁରକ୍ଷିତ ଛାଡିଦିଏ । ବେଳେ ବେଳେ ମତେ ସେ ବାରିରେ କାମ କରୁଥିବା ଦେଖି ବୋହୁତ୍ ଖୁସି ହୁଏ ଆଉ ବେଳେ ବେଳେ ଗାଳି ଦିଏ ଏତେ କାହିଁକି ଖରାରେ କାମ କରୁଛୁ କହି । ଛୋଟ ବାରି ସତ କିନ୍ତୁ ବହୁତ୍ ଶାନ୍ତି ଲାଗେ ସେ ବାରିରେ । ମୋ ଘରକୁ ବନ୍ଧୁବାନ୍ଧବ ଯିଏ ବି ଆସନ୍ତି ସେମାନେ ଆଗ ବାରି ବୁଲି ଦେଇ ଆସନ୍ତି । ମୋ ଅଜା ଘର ଜଙ୍ଗଲ ପାଖରେ ସେଥିପାଇଁ ମାମା ମୋର କୁନି ଜଙ୍ଗଲ ଟିଏ ବସେଇ ଦେଇଛି । ଆଉ ସେଇ ଜଙ୍ଗଲ ଭିତରେ ଥରେ ପଶିଲେ ବାହାରିଲା ବେଳକୁ ମନ ରେ ଅସୁମାରି କୌତୁହଳ ଜାତ ହୁଏ । ସୁଦୂର ଭିନ୍ନ ଏକ ପ୍ରଦେଶରୁ ବସି ଭାବୁଚି ବର୍ଷା ଦିନ ଆସୁଛି, ଏଇପାଳି କ’ଣ କ’ ଣ ଲଗା ହବ ଆମ ବଗିଚାରେ , ମାମା ମୋର କେତେ କ’ଣ ମଞ୍ଜି ସବୁ ଏକାଠି କରି ସାରିବନି । କାସ୍ ମୁଁ ଘରେ ଥାନ୍ତି କି ମାମା ସହ ମିଶି ପୁଣି ଗଛ ଲଗାନ୍ତି ।

ଲୋକପ୍ରିୟ ଲେଖା

To Top