ଅଣୁଗଳ୍ପ

ମମ୍ମି ଆଉ ଅଳସୁଆ

Suchismita Behera's odia Short Story Mummy Aau Alasuaa

ଏଥର ଘରକୁ ଗଲେ ମୁଁ ବହୁତ କାମ କରିଦେବି , ତା’କୁ ସାହାଯ୍ୟ କରିବି , ତାକୁ ବି ଭଲ ଲାଗିବ ଆଉ ମୋତେ ବି

ମମ୍ମି ଆଉ ଅଳସୁଆ

ଯେତେବେଳେ ଛୋଟ ଥିଲି, ମନେ ତ ନାହିଁ ,ହେଲେ ମମ୍ମି ଆଜି କୁହେ କି , ସେତେବେଳେ ଘରେ ଦି ଦିଟା ଲୋକ କାମ କରୁଥିଲେ । ଜଣେ ଘର କାମ କରିବାକୁ ଆସେ ତ ଆଉ ଜଣେ ସଉଦା ପତ୍ର କରେ । ଆମେସବୁ ବି ଛୋଟ ଥିଲୁ , ମମ୍ମିର ବାସ ଆରାମ ହିଁ ଆରାମ ଥିଲା । ସେ ସମୟର ଫୋଟୋ ଦେଖିଲେ ବି ଲାଗେ , ମମ୍ମି ପୁରା ଖୁସିରେ ଥିଲା, ଟିକେ ଷ୍ଟାଇଲ ବି ମାରୁଥିଲା । ଆମେ ଧୀରେ ଧୀରେ ବଡ ହେଲୁ , ବେଶୀ ନୁହଁ, ହେଲେ ଟିକେ ଟିକେ କାମରେ ସାହାଯ୍ୟ କରୁଥିଲୁ । ମୁଁ , ମୋ କଥା କହୁଛି , ମୁଁ ସାହାଯ୍ୟ କରୁଥାଏ ମମ୍ମିକୁ । ଘର ଓଳେଇ ଦିଏ , ଠାକୁର ପୂଜା କରେ , ସଞ୍ଜ ଦେଇଦିଏ ଆଉ ଯେତେବେଳେ ଛୋଟ ମୋଟ ସଉଦା କରିବାର ଥାଏ , ତା ବି କରେ । ମମ୍ମିର ପୁଅ ନ ଥିବା ଅଭାବକୁ ମେଣ୍ଟେଇ ଦଉଥିଲି ମୁଁ । ସମୟ ଗଡି ଗଡି ଚାଲିଲା , ମୁଁ ହଷ୍ଟେଲ ଗଲି , ମୋ ନାନା ହଷ୍ଟେଲ ଗଲା ….ଘର ଖାଲି ଖାଲି ହେଇଗଲା । ଆଜି ନାନା ବାହାହେଇ ତା ଶାଶୂଘରେ , ରୁନି ବନାରସରେ ଆଉ ମୁଁ ଭୁବନେଶ୍ୱରରେ ଥାଇ ବି ହଷ୍ଟେଲରେ । କେଜାଣି କେତେ ଆଉ କାମ , ଏଟା ମମ୍ମି-ବାପାଙ୍କର ପ୍ରଶ୍ନ ମୋତେ ଆଉ ମୋର ପ୍ରଶ୍ନ ମୋ ନିଜକୁ !!!!!!! ଆଗରୁ କଟକରେ ଥାଇ ବି ଶନିବାର , ରବିବାର ଯାଏ ଆଉ ଏବେ ଭୁବନେଶ୍ୱରରେ ଥାଇ ବି କେବେ କେବେ ହିଁ ଯାଉଛି । ରବିବାର ସକାଳେ ଗଲେ ସନ୍ଧ୍ୟାରେ ପଳେଇ ଆସୁଛି । ସତ କହିବି, ଜମା ବି ଭଲଲାଗେନି ଏମିତି ଆସିବାକୁ , ମମ୍ମି କେତେ ଅଟକାଏ ବି , ହେଲେ ମୁଁ କିଛିବି ବାହାନା କରି କି ପଳେଇ ଆସେ । କାରଣ ହେଲା , ଭଲ ଲାଗୁନି ଘରେ ବି ଆଉ …କାହିଁକି ଜାଣେନା !!!! ସେ ଛାଡ ବାକି କଥା , ମମ୍ମି କଥା କହୁଥିଲି …….. ମମ୍ମିକୁ ମୁଁ କାମରେ ସାହାଯ୍ୟ କରୁଥିଲି , ପରେ ତାର ବହୁତ ଦେହ ଖରାପ ହେଇଗଲା , ସେତେବେଳେ ବି ମୁଁ ବହୁତ ସାହାଯ୍ୟ କଲି , ମୁଁ ଗର୍ବ କରୁନି , ମୁଁ ନିଜକୁ ଭାଗ୍ୟବତୀ ଭାବୁଛି , ସେ ସମୟରେ ମୁଁ ମମ୍ମିର ପାଖରେ ରହି ପାରିଲି । ଆଜି ମମ୍ମି ପୁରା ସୁସ୍ଥ ଅଛି , ମନରୁ ବି ଥକିନି, ବହୁତ ଶକ୍ତି ତା’ର , ମାନିବାକୁ ପଡିବ. ବାପାଙ୍କର ଟିକିନିକି କଥା ବୁଝୁଚି , ଆମ କଥା ସବୁ ରଖୁଛି , ଯାହା କହିଲେ ଖାଇବାକୁ ବନେଇ ଦେଉଛି ,ଆଉ ଯେବେ ଟିକେ ବି ଉଣା ରହିଯାଏ ଆମର , ଆମ ଗାଳି ବି ସେ ଶୁଣି ଦେଉଛି । ଯେବେ ବି ମମ୍ମି ଠୁ ଦୁରରେ ରହେ , ଭାବେ , ଘରର ସବୁକାମ ଏବେ ବି ଫଟାଫଟ କରୁଛି , ଆମେ ତ ସମୟ ଦେଇପାରୁ ନୁ ଆଉ “ଦିନେ ବୋହୁ ଆସି କି ଯେ ସବୁ ଦାୟିତ୍ୱ ନବ” ସେ ଭାଗ୍ୟ ତାର ନାହିଁ …ତ” …. ବୋଧେ ମନକୁ ଆହୁରି ଦୃଢ କରିକି ଚାଲିଛି । ତାସହ , କୁନି ନାତୁଣୀକୁ ନିଜର ଚତୁର୍ଥ ଝିଅ ଭଳି ଆଦରି ନେଇଛି , ତା ହେଲେ ସେ ଅଳସୁଆ ହେଲା କୋଉଠୁ ?????

ଏବେ କହୁଛି , ମୁଁ ହଷ୍ଟେଲରେ ଥିଲେ ସବୁବେଳେ ଭାବେ ମମ୍ମି କେତେ କାମ କରୁଛି , ଏଥର ଘରକୁ ଗଲେ ମୁଁ ବହୁତ କାମ କରିଦେବି , ତା’କୁ ସାହାଯ୍ୟ କରିବି , ତାକୁ ବି ଭଲ ଲାଗିବ ଆଉ ମୋତେ ବି । ହେଲେ କେଜାଣି , ଘରକୁ ଗଲେ ମୋତେ କଣ ହେଇଯାଏ , ଟିଭି ଖୋଲିକି ବସି ଯାଏ , ନହେଲେ ସୋଇପଡ଼େ । ଆଉ ଟିକେ , ଆଉ ଟିକେ , ହେଇ ଗଲି , ହେଇ ଗଲି ମନେ ମନେ କହିକି….. ବସିଥାଏ । ଆଉ ମମ୍ମି ସବୁ କାମ କରୁଥାଏ । ସେତେବେଳେ ଥରେ ପାଟିରୁ କଥା ବି ବାହାରିନି କି “ମମ୍ମିଛାଡେ , ମୋତେ ଝାଡୁଟା ଦେଇଦେ , ମୁଁ କରି ଦେଉଛି ” ବୋଲି । ନା …. ବାସ ….ଭାବେ …..କିଛି କରେନା ………

ମମ୍ମି ମୋର ମଲ୍ଟିଟାଲେଣ୍ଟେଡ ଆଉ ସୁପର କୁଲ । କେତେକଥା ସେ ମନଭିତରେ ଚାପିଦିଏ ଆଉ ଭାବେ ଯେ, କେହି ଜାଣିପାରୁ ନାହାନ୍ତି ବୋଲି । ମୁଁ ସବୁ ଜାଣିପାରେ , ମନ ବି ଦୁଃଖକରେ ତା ପାଇଁ , ହେଲେ କିଛି କରି ପାରେନା …ମୁଁ ଅଳସୁଆ ଆଉ ସେଥି ପାଇଁ ମୋ ମମ୍ମିକୁ ଏତେ କାମ କରିବାକୁ ପଡୁଛି । ମୋ ପାଇଁ ମମ୍ମି ପଛରେ ଏଇଶବ୍ଦ ଯୋଡି ହେଇ ଯାଇଛି “ମମ୍ମି ଆଉ ଅଳସୁଆ ”।

ଲୋକପ୍ରିୟ ଲେଖା

To Top