ଅଣୁଗଳ୍ପ

ନିଚ୍ଛକ ସ୍ୱାର୍ଥ

Asish Ranjan Dash's odia Short Story Nichhak Swaartha

ଆଗ ଛକ ପାଖରେ ଯୋଉ ବ୍ୟାଙ୍କ ଅଛି, ସେଠାକୁ ଯିବାର ଅଛି । ବ୍ୟାଙ୍କ ବାଲା ଆଧାର କାର୍ଡ ଲିଙ୍କ ପାଇଁ ଗୋଟିଏ ନୋଟିସ ପଠାଇଛନ୍ତି ।

ନିଚ୍ଛକ ସ୍ୱାର୍ଥ

ବୁଢ଼ା ଲୋକଟି କେତେ ବେଳୁ ହାତ ଠାରି ଅଟୋ ଗୁଡିକୁ ଡାକୁ ଥାଏ । କୌଣସି ଅଟୋ ବାଲା ଅଟୋ ରଖିବାକୁ ନାରାଜ । କାରଣ, ଲୋକଟିର ଅବସ୍ଥା ଦେଖି ଲାଗୁଥିଲା, ସେ ଅଟୋ ଭଡା ଦେଇ ପାରିବନି । ତାର ଅତି ସାଧାରଣ ପରିଧାନ ଆଉ ହାତରେ ଆଶା ବାଡ଼ି ଏକଥା ବର୍ଣ୍ଣନା କରୁ ଥିଲା । ପାଖା ପାଖି ଅଧ ଘଣ୍ଟା ପରେ ଗୋଟିଏ ଅଟୋ ଆସି ଅଟକିଲା । ଅଟୋ ବାଲା ପଚାରିଲା ମଉସା, କୁଆଡେ ଯିବେ ? ବୃଦ୍ଧ ବ୍ୟକ୍ତି କହିଲେ, “ଆଗ ଛକ ପାଖରେ ଯୋଉ ବ୍ୟାଙ୍କ ଅଛି, ସେଠାକୁ ଯିବାର ଅଛି । ବ୍ୟାଙ୍କ ବାଲା ଆଧାର କାର୍ଡ ଲିଙ୍କ ପାଇଁ ଗୋଟିଏ ନୋଟିସ ପଠାଇଛନ୍ତି ।

ଅଟୋ ବାଲା କହିଲା ବ୍ୟାଙ୍କ ପାଖରେ ଛାଡି ଦେବାକୁ ୧୦୦ ଟଙ୍କା ନେବି । ଲୋକଟି ଉତ୍ତର ଦେଲେ, “ବ୍ୟାଙ୍କ ତ ଏଇ ଆଗ ଛକରେ । ତମେ ଆଉ ଯାତ୍ରୀ ବି ଉଠାଇ ପାରିବ । ଏତେ ଟଙ୍କା କଣ ପାଇଁ?”

ଅଟୋ ବାଲା କହିଲା, “୧୦୦ରୁ କମ୍ ହବ ନାହିଁ । ” ତା ପରେ ଅଟୋ ଷ୍ଟାର୍ଟ କରି ପଳେଇ ଗଲା ।

ଆକାଶ ନିଜର ମାର୍କଟିଂ କାମ ସାରି ଘରକୁ ଫେରି ଆସୁଥାଏ ସେଇ ବାଟରେ । ହଠାତ୍ ବୁଢ଼ା ଲୋକଟିକୁ ଦେଖି ରହିଗଲା । ପାଖରେ ଗାଡି ରଖି ପଚାରିଲା, “ମଉସା, କୁଆଡେ ଯିବେ?” ସେ ସବୁ କଥା କହିଲେ । ଆକାଶ କହିଲା ବସନ୍ତୁ ମଉସା, ମୁଁ ସେଇ ବାଟରେ ଯିବି । ଆପଣଙ୍କୁ ଛାଡି ଦେବି । ବୃଦ୍ଧ ଜଣକ କହିଲେ, “ମତେ ଆଗ ଛକରେ ଛାଡି ଦବ ବାବୁ, ମୁଁ ସେଠୁ ଚାଲି ଚାଲି ପଳେଇବି । ” ଆକାଶ କହିଲା, “ମଉସା, ଛକରୁ ବ୍ୟାଙ୍କ ଅନେକ ବାଟ । ଆପଣ ବାଡ଼ି ଧରି ଚାଲି ଚାଲି କେମିତି ଯିବେ !!!! ! ମୁଁ ଆପଣଙ୍କୁ ବ୍ୟାଙ୍କ ପାଖରେ ଛାଡି ଦେବି । ”

ଲୋକ ଜଣକ ଆକାଶର ବାଇକର ପଛ ସିଟରେ ବସିଲେ । ଆକାଶ ଗାଡି ଷ୍ଟାର୍ଟ କଲା ଓ ବ୍ୟାଙ୍କ ପାଖରେ ନେଇ ଗାଡି ରଖିଲା । ବୁଢ଼ା ଲୋକଟି ଅତି ଧୀର ସ୍ଥିର ଭାବରେ ଗାଡିରୁ ଓହ୍ଲାଇ ପଡିଲେ । ଆକାଶ କୁ ଚାହିଁ କହିଲେ, “ବାବୁରେ, ଆଜି ତମେ ମୋତେ ବହୁତ ସାହାଯ୍ୟ କଲ । ଆଜି ବ୍ୟାଙ୍କ ନ ଆସି ଥିଲେ ମୋର ଆକାଉଣ୍ଟ୍ ବନ୍ଦ ହେଇ ଯାଇ ଥାନ୍ତା । ମୋର ପେନସନ ପଇସା ମିଳିପାରି ନଥାନ୍ତା । ମୁଁ ତମକୁ ଆଶୀର୍ବାଦ କରୁଛି, ତମେ ଜୀବନରେ ବହୁତ୍ ଉନ୍ନତି କରିବ । ”

ଆକାଶ କହିଲା, “ମଉସା, ମୁଁ ଆପଣଙ୍କୁ ସାହାଯ୍ୟ କରିବା ପଛରେ ମୋର ହିଁ ସ୍ୱାର୍ଥ ରହିଚି । ମୁଁ ତ ଏଇ ବାଟରେ ହିଁ ଯିବାର ଥିଲା । ଆପଣଙ୍କୁ ସାଙ୍ଗରେ ଆଣିଲି ବୋଲି ମୋର ଏକୁଟିଆ ପଣ ଦୂର ହେଲା । ମୋତେ ସାଥୀ ଜଣେ ବି ମିଳିଗଲା । ତା ଛଡା ଆପଣଙ୍କ ଆଶିର୍ବାଦ ବି ମିଳିଲା, ଯାହାର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା ଠାରୁ ବି ଅଧିକ । ଏବେ ଆପଣ କୁହନ୍ତୁ, ମୁଁ କଣ ବା ଅଧିକା କଲି ଅପଣଙ୍କ ପାଇଁ? ”

ବୃଦ୍ଧ ଜଣଙ୍କ କହିଲେ,”ଯେଉଁ ଦିନ ସବୁ ଲୋକଙ୍କ ଚିନ୍ତାଧାରା ତୁମ ପରି ହେଇ ଯିବ, ସେଦିନ ଆମ ଦେଶ ରାମ ରାଜ୍ୟ ରେ ପରିଣତ ହେଇ ଯିବ । ସେଦିନ ଦେଖିବାକୁ ହୁଏ ତ ମୁଁ ନ ଥିବି, କିନ୍ତୁ ତୁମେ ଲାଗି ରୁହ । ସେଦିନ ଜଲଦି ଆସୁ, ଏହାହିଁ ମୋର, ଆମ ସମସ୍ତଙ୍କର ଏକାନ୍ତ କାମ୍ୟ । “

ଲୋକପ୍ରିୟ ଲେଖା

To Top