ଅଣୁଗଳ୍ପ

ନିଃସ୍ୱ ଅନୁରାଧା

Prafulla Kumar Tripathy's odia short story Nihswa Anuraadhaa

ଦେଖ ମନ ଦୁଃଖ କରନା । ସେମାନେ ଆଜି ଆସିବେନି । ହଠାତ୍ କ’ଣ କାମ ପଡ଼ିଗଲା ବୋହୂର । ଏଇନେ ମୁଁ ଫୋନ୍ କରି ବୁଝିଲି ।

ନିଃସ୍ୱ ଅନୁରାଧା

ଅନୁରାଧାର ପାଦ ତଳେ ଲାଗୁନି । ସ୍ୱପ୍ନରେ ଉଡୁଛି ମନ । ଆକାଶ ସତେକି ଖସି ପଡ଼ିଛି ହାତ ପାହାନ୍ତାରେ । ଖୁସିର ନଈରେ ପହଁରି ଯାଉଛି ପ୍ରତିଟି ମୁହୂର୍ତ୍ତ । ଆଜି ଦଶହରା । ସବୁଆଡ଼େ ଆନନ୍ଦର କୋଳାହଳ, ହେଲେ ଅନୁରାଧାର ଆନନ୍ଦକୁ କେବଳ ସେ ହିଁ ଉପଭୋଗ କରି ଚାଲିଛି । ପିଠାପଣାର ମହ ମହ ବାସ୍ନାରେ ଫାଟି ପଡୁଛି ଘର । ଠାକୁର ଘରକୁ ମଝିରେ ମଝିରେ ଅନୁରାଧା ଯାଇ ପୁଣି ଫେରି ଆସୁଛି ଘର ଭିତରକୁ । ମନକୁ ମନ କ’ଣ ଗପି ଯାଉଛି । ନିଶିକାନ୍ତକୁ ବି ଆକଟ କଲା ଭଙ୍ଗୀରେ କ’ଣ ଆଡୁ ସାଡୁ କହି ଦଉଛି । “ତୁମେ ଏମିତିଆ ଲୋକ ଯେ କୋଉ କଥାରେ ଦାୟିତ୍ୱ ନାହିଁ । ପିଲାଗୁଡ଼ା କହିଥିଲେ ଆସିବେ ବୋଲି । ଏତେବେଳ ହେଲାଣି କାହାରି ଦେଖା ନାହିଁ । ପଚାରିବନି ପଦେ । କେତେବେଳେ ପହଞ୍ଚିବେ କି କ’ଣ ଅସୁବିଧା ସୁବିଧା ହେଲା । ସକାଳ ପହରୁ ଏତେ ଖଟି ଖଟି ସବୁ କରିଛି ତାଙ୍କରି ପାଇଁ । ସବୁ ତ ଖରାପ ହେଇଯିବ । ଛୋଟ ପିଲାଟା ତାଙ୍କ ସାଙ୍ଗରେ ଅଛି । ତା’ ଖବର ବି ବୁଝିବାକୁ ପଡ଼ିବ । କେତେ ବର୍ଷ ପରେ ଘରକୁ ଫେରୁଛନ୍ତି । ତୁମେ ଆଗରୁ ଯେମିତି ଏବେ ବି ସେମିତି । ନାତି ନାତୁଣୀ କମେଇଲ । ଟିକେ ବି ବଦଳିବନି । ମତେ ତ ଯାହା ହୀନସ୍ତା କଲ କଲ । କୋଉ କଥାରେ ମୁଣ୍ଡ ପୁରେଇଲନି । ନିଦା ବିଷ୍ଣୁ । ହେ ଭଗବାନ୍ !”ମନକୁ ମନ ଗପି ଚାଲିଛି ଅନୁରାଧା । ନିଶିକାନ୍ତ କିନ୍ତୁ ନିରବ । ସେ ବୁଝିପାରୁ ନାହାନ୍ତି, କେମିତି ବୁଝେଇବେ ଏ ସରଳ ନିଷ୍କପଟ ମଣିଷଟାକୁ । ସାରା ଜୀବନ ଲୁହ ପିଇ ପିଇ ବଞ୍ଚିଛି ତଥାପି ଯାଉନି ତା’ ହୃଦୟରୁ ଏ ସ୍ନେହ ପ୍ରେମର ଅଜବ ନିଶା । ଜୀବନ ସାରା ସମସ୍ତଙ୍କ ପାଇଁ ସବୁ କରି କରି ଶେଷକୁ ତ ନିନ୍ଦା ଅପବାଦର ପସରା ମୁଣ୍ଡେଇ ଚାଲିଛି । ଆଉ କ’ଣ ଅଛି ଯେ ଜୀବନରେ ପୁଣି ସମ୍ପର୍କକୁ ଜାବୁଡ଼ି ଧରିଛି । ସୁଖ କ’ଣ ବୋଲି ନିଜେ ତ ଜାଣିଲାନି । ମୋର ମୋର କହି ଯାହାଙ୍କୁ ନିଜ କୋଳ ଭିତରେ ଜାବୁଡ଼ି ଧରିଲା, ସେଇମାନେ ସେ କୋଳରେ ନିଆଁ ଲଗେଇ ତାକୁ ଜାଳିଦେଲେ ତଥାପି ଏତେ ଉଦାରତା, ଏତେ ଆତ୍ମୀୟତା, ଏତେ ସ୍ନେହ, ଏତେ ପ୍ରେମ । କେମିତି ବୁଝେଇବ ନିଶିକାନ୍ତ ଏ ଅବୁଝା ମଣିଷଟାକୁ । ସକାଳ ପହରୁ ଖଟୁଛି ଯେ ଖଟୁଛି । ବିରାମ ନାହିଁ । ଲୁହ ଛଳ ଛଳ ହେଇଗଲା ନିଶିକାନ୍ତର ଆଖି । ଯେଉଁ ପୁଅ ବୋହୂକୁ, ନାତି ନାତୁଣୀକୁ ଅପେକ୍ଷା କରି କରି, ଖଟି ଖଟି ଅଣନିଶ୍ୱାସୀ ହେଇଯାଉଛି ସେମାନଙ୍କର ଯେ ଆସିବାର ନାହିଁ, କେମିତି ବୁଝେଇବ ସେ । ସମ୍ଭାଳି ପାରିବନି ତା’ର ଲୁହର ସମୁଦ୍ରକୁ ଅଟକାଇ ।

ପାଖକୁ ଡାକିଲା ନିଶିକାନ୍ତ “ଏ, ଶୁଣୁଛ !”

“କାହିଁକି ଡାକୁଛ କହିଲ'”, ଉତ୍ତର ଦେଲା ଅନୁରାଧା । ପାଖକୁ ଆସିଲା ।

“ବସ”, କହିଲା ନିଶିକାନ୍ତ ।

“କ’ଣ କହୁନ ?”

“ଆରେ ବସୁନା ।”

“ମଲା, ଏ ବୟସରେ ଶରଧା ଖାଲି ମାଡ଼ି ପଡୁଛି । ମୁଁ ମରିଯାଏ ଲୋ ମାଆ । ତୁମେ ଫୋନ୍ କରୁନା କାହିଁ ।”

ଟିକେ ଚୁପ୍ ରହି ନିଶିକାନ୍ତ କହିଲା, “ଦେଖ ମନ ଦୁଃଖ କରନା । ସେମାନେ ଆଜି ଆସିବେନି । ହଠାତ୍ କ’ଣ କାମ ପଡ଼ିଗଲା ବୋହୂର । ଏଇନେ ମୁଁ ଫୋନ୍ କରି ବୁଝିଲି ।”

ଅନୁରାଧାର ଛାତି ଭିତରେ ଗୋଟାଏ ବୋମା ଯେମିତି ଫୁଟିଗଲା । କୋହ ଆଉ ଲୁହରେ ଫାଟିଗଲା ତା’ ଛାତି । କହିଲା “ମୁଁ ତ ତାଙ୍କୁ କିଛି ମାଗି ନଥିଲି । କିଛି ଆଶା କରି ନ ଥିଲି ତାଙ୍କଠାରୁ । ତେବେ କ’ଣ ପାଇଁ ସେମାନେ ଆସିଲେନି, କ’ଣ ପାଇଁ ?”ଏକ ପ୍ରଶ୍ନବାଚୀ ଭିତରେ ଅନୁରାଧାର ଅନ୍ତର କୋରି ହେଇ ଯାଉଥିଲା ମନେ ମନେ ଭାବୁଥିଲା ସତରେ ସାରା ଜୀବନ ସେ ଖାଲି ଠକିଗଲା । ଠକିଗଲା । ଏକପ୍ରତିଧ୍ୱନିରେ ସମଗ୍ର ଶରୀର କମ୍ପି ଯାଉଥିଲା ଅନୁରାଧାର ।

ଲୋକପ୍ରିୟ ଲେଖା

To Top