ଅଣୁଗଳ୍ପ

ନିରବ ଦ୍ରଷ୍ଟା !

Bishwajeeban Mishra's odia short story niraba drashtaa

ଏମିତିଆ ଦି’ ଚାରିଟା ମଣିଷ ଯଦି ମିଳନ୍ତେ ନା ପୃଥିବୀଟା ତ ପୁରା ସ୍ୱର୍ଗ ପାଲଟି ଯାଆନ୍ତା ! ଏଭଳି ଧର୍ମ ଧୂରନ୍ଧର ମାନେ ଆଉ କିଛି ସମୟ ରହନ୍ତେ କି ! ଏମାନଙ୍କ ଦେହର ପବନ ବାଜି ମୁଁ ବି ଆଉ ଟିକେ ଅଧିକ ଧନ୍ୟ ହେଇଯାନ୍ତି !

ନିରବ ଦ୍ରଷ୍ଟା !

ଦିନ ଦି’ ପହର ! ବୁଦ୍ଧିଆ ନନା ଗାଁ ମୁଣ୍ଡ ବରଗଛ ତଳେ ଗାମୁଛା ପାରି ଛାଇ ନିଦରେ ଗଡ଼ପଡ଼ ହଉଛି । ଟିକେ ଥକା ମେଣ୍ଟିଗଲା ପରେ ପୁଣି ବିଲକୁ ଯିବ ମାଟିରେ ମାଟି ହବ ଦି ଓଳିର ଦାନା ପାଇଁ । ଏପଟୁ ଶୂନଗାଡି ଚଢି ଦଳ ଦଳ ହୋଇ ପଶି ଆସୁଛନ୍ତି ପଲେ ଲୋକ । ମୁଁ ଏ ଚେହେରାଗୁଡାକୁ ତ ଆଗରୁ କେବେ ଦେଖିନି ! କିଏ ଏ ମାନେ ! କାହିଁକି ଆସିଛନ୍ତି ? ଆରେ ଏ କଣ ! ଦଳର ମୁଖିଆ ନନାଙ୍କ ପାଖରେ ହିଁ ନିଜ ବାହନରୁ ଓଲ୍ହେଇପଡ଼ିଲେ । ଓହୋଃ ଦେଖ ଦେଖ ! ମୁଖିଆଙ୍କୁ ଦେଖାଦେଖି ଅନୁଗତମାନେ ବି ଝୀଂଟିକା ଭଳି ଖପ ଖାପ ନିଜ ନିଜର ଯାନରୁ ଡେଇଁ ପଡୁଛନ୍ତି । । ଆହା ହା ! କି ଅପୂର୍ବ ଦୃଶ୍ୟ ! କି ଅଭୂତପୂର୍ବ ଭକ୍ତି ! ମୁଖିଆ ତ ସିଧା ସଳଖ ଯାଇ ବୁଦ୍ଧିଆ ନନାର ଗୋଡ ଥାପିବା ଆରମ୍ଭ କଲେଣି । ମୁଁ ଖୁସି, ଯାହା ହେଉ ନନାର ହାଲିଆ ଗୋଡ ଦିଟାକୁ ଆରାମ ଟିକେ ମିଳିବ । ହେଇ, ନନାଙ୍କ ନିଦ ଭାଙ୍ଗି ଗଲା । ଉଠିକି ବସିଲେ । ଶୂନ-ଗାଡି ଦଳର ମୁଖିଆ ଯୋଡ ହସ୍ତରେ ନମସ୍କାର କରୁଛନ୍ତି । ନନାଙ୍କୁ କ’ଣ କ’ଣ ବଖାଣି ଯାଇ ବାରମ୍ବାର ନମସ୍କାର କରି ପକଉଛନ୍ତି । ବୋଧ ହୁଏ ଭାରି ଦରଦୀ ମଣିଷଟିଏ ! ସତେ ଯେପରି ନନାର ବର୍ଷ ବର୍ଷର ଯନ୍ତ୍ରଣା ଆଜି ଗୋଟିଏ ଦିନରେ ହିଁ ହରି ନେଇଯିବେ ! ଏମିତିଆ ଦି’ ଚାରିଟା ମଣିଷ ଯଦି ମିଳନ୍ତେ ନା ପୃଥିବୀଟା ତ ପୁରା ସ୍ୱର୍ଗ ପାଲଟି ଯାଆନ୍ତା ! ଏଭଳି ଧର୍ମ ଧୂରନ୍ଧର ମାନେ ଆଉ କିଛି ସମୟ ରହନ୍ତେ କି ! ଏମାନଙ୍କ ଦେହର ପବନ ବାଜି ମୁଁ ବି ଆଉ ଟିକେ ଅଧିକ ଧନ୍ୟ ହେଇଯାନ୍ତି ! ହା-ତ-ତେରିକା ଚାଲିଗଲେ ସବୁ… ଆଉ ଟିକେ ମନ ଭରି ଦେଖିଥାନ୍ତି ମ ସମସ୍ତଙ୍କୁ.. ମନୁଆଟା ମୁଁ । ନିଶ୍ୱାସ ନ ନେଇ କ’ଣ ଏକାଥରେ ଏତେ କଥା ଭାବନ୍ତି ? ଏତେ ଧାଡି ଭାବିବା ଭିତରେ ସେମାନେ କ’ଣ ଆଉ ଥା’ନ୍ତେ ? ହଉ ଛାଡ! କୁଆଡେ ଗଲେ ମୋ’ ନନା । ହଁ ହଁ ସେଇଠି ! ଦେଖା ଗଲେ । ଧଡପଡ ହୋଇ ବିଲ ଆଡେ ମୁହାଁଇଛନ୍ତି । ଆଉ ସେପଟୁ ଏମାନେ ପୁଣି କିଏ ? ଗାନ୍ଧୀଜୀଙ୍କ ଦାଣ୍ଡୀ ଯାତ୍ରା ଭଳି ପଦ ଯାତ୍ରାରେ ଆଉ ଏକ ଦଳ !!! ହେଲେ ଏମାନେ ଲୁଣ-ସତ୍ୟାଗ୍ରହର ନକଲ କଣ ପାଇଁ କରୁଛନ୍ତି ? ଗାଁ ଭିତରକୁ ପଶିଗଲେ । ହଉ ଯାଆନ୍ତୁ ।

……

ସୂର୍ଯ୍ୟ ପଶ୍ଚିମ ଆକାଶରେ ବୁଡ଼ିଗଲେ । ସନ୍ଧ୍ୟା ହେଲା । ବୁଦ୍ଧିଆ ନନା, ମଣି ଭାଇନା ସହ ଫେରିଲେ। ମୋ ପାଖେ ବସି, କିଛି ସମୟ ଦୁଃଖ -ସୁଖ ହୋଇ ଘରକୁ ଚାଲିଗଲେ । ମନ ଦେଇ ସବୁ କଥା ଶୁଣିଲି । ତାଙ୍କ ଯିବା ପରେ ମୁଁ ଏବେ ଜାଣି ପାରୁନି କାନ୍ଦିବି କି ହସିବି ?

“ସବୁ ମିଛ ! ସବୁ ନାଟକ ! ‘ସତ’ର ସତ୍ତା କାଇଁ ? ସ୍ୱାର୍ଥର ମରୁଭୂମିରେ ‘ସତ’ ଏକ ‘ମରୀଚିକା’ ! ମୁଁ ଯାହା ଆଖିରେ ଦେଖୁଛି, କାନରେ ଶୁଣୁଛି, ସେଥିରେ ବି ମୋ’ ‘ସତ’ ଆଉ ନାହିଁ । ‘ବିଶ୍ୱାସ’ ବଡ ‘ମହଙ୍ଗା’ ଏଠି ‘ଛଳନା’ ଭାରି ‘ଶସ୍ତା’ ! ଜାତି, ଧର୍ମ, କର୍ମ ନାଆଁ ରେ ଜନତାର ମେରୁଦଣ୍ଡକୁ ଭାଗ ଭାଗ କରିବା ପାଇଁ ଭୋଟ-ଭିକ୍ଷୁମାନେ ଆଜି ବହୁବେଶରେ ବେସ ତତ୍ପର ! ସାବଧାନ! ନିର୍ବାଚନ ଅତି ନିକଟ !”

ହଉ ଚାଲ, ରାତି ବହୁତ ହେଲାଣି ! ଶୋଇ ପଡିବା । କାଲି ସକାଳେ ପୁଣି ଦେଖା ହେବା ।

ମୋର ପରିଚୟ ପଚାରୁଛ କି ?

ମୁଁ ଗାଁ ମୁଣ୍ଡର ସେଇ ବୁଢା ବରଗଛ । ସବୁ କିଛିର ନିରବ ଦ୍ରଷ୍ଟା ।

ଲୋକପ୍ରିୟ ଲେଖା

To Top