ଅଣୁଗଳ୍ପ

ପଚାରୁଛି ପରା. . .

Madhusmita Mohanty's odia short story Pachaaruchhi Paraa

କି ରୋଗର ପୋକ ଏମାନେ ଧରି ବୁଲୁଛନ୍ତି ଯେ ୟା’କୁ କାମୁଡ଼ି ମଶା ଆମକୁ କାମୁଡୁଛି । ରୋଗ ଡିଆଁଉଛି । ଆମ ଗାଁର କେତେ ନା କେତେ ଛୁଆ ମରିସାରିଲେଣି ।

ପଚାରୁଛି ପରା. . .

କ୍ରୁଦ୍ଧ, ଭୟଙ୍କର କିନ୍ତୁ ବକଳ, ଆର୍ତ୍ତ ଜାନ୍ତବ ଚିତ୍କାରଟିଏ ଥରେଇ ଦେଲା- ମୋ ଆତ୍ମାରୁ ଅନ୍ତରାତ୍ମା ପର୍ଯ୍ୟନ୍ତ । ମାତ୍ର ଦୁଇଦିନ ରହିଥିବା ଏ ଘରେ ସେ ଶବ୍ଦର ଉତ୍ସ ଅନୁସନ୍ଧାନ ପାଇଁ କବାଟ ଖୋଲି ଦେଇ ଦୌଡ଼ି ଗଲି ବାହାରକୁ । ଉଃ ! ସତରେ ବିଭତ୍ସ ଦୃଶ୍ୟ । ଘୁଷୁରିଟେ ପ୍ରାଣ ବିକଳରେ ଦୌଡ଼ିଛି- ତା’ଦେହରେ ସେ ପର୍ଯ୍ୟନ୍ତ ପୋତି ହେଇ ରହିଛି ତିନିଟି ଶର । ପଛରେ ଦଳେ ଲୋକ- ପ୍ରାୟତଃ ଏଇ ଜଙ୍ଗଲୀ ଜାଗାର ଅଧିବାସୀ । କାହା ହାତରେ ଧନୁତୀର ତ କିଏ ଧରିଛି କଟୁରୀ କି ବର୍ଚ୍ଛା ଭଳି ଅସ୍ତ୍ର ? ଗୋଡ଼େଇ ଗୋଡ଼େଇ ସେମାନେ ଘୁଷୁରିକୁ ଆଘାତ କରୁଥିଲେ । ଆଃ ! ତା’ ଠୁ ତ ଭଲ ଖୁଣ୍ଟରେ ବାନ୍ଧି ପକେଇ ଏକା ଚୋଟରେ ଅଳଗା କରିଦେବ ମୁଣ୍ଡରୁ ଗଣ୍ଡି । ସବାପଛରେ ଦୌଡୁଥିବା ଅଳ୍ପବୟସର ପିଲାଟାକୁ ଅଟକେଇ ଦେଲି, “ଆରେ, କାହିଁକି ମାରୁଛ ଏ ନିରୀହ ଜନ୍ତୁଟାକୁ ?”

ନିରୀହ ? ତା’ ଡୋଳାର ଘୃଣା, ବିଦ୍ୱେଷ ଦେଖି ମୁଁ ଚମକିଗଲି । କି ରୋଗର ପୋକ ଏମାନେ ଧରି ବୁଲୁଛନ୍ତି ଯେ ୟା’କୁ କାମୁଡ଼ି ମଶା ଆମକୁ କାମୁଡୁଛି । ରୋଗ ଡିଆଁଉଛି । ଆମ ଗାଁର କେତେ ନା କେତେ ଛୁଆ ମରିସାରିଲେଣି । ନିରୀହ ! ହୁଁ ଦୌଡ଼ି ପଳେଇଲା ସେ ତା’ ଦଳରେ ମିଶିବା ପାଇଁ ।

ଗର୍ଜନଟା ସେମିତି ଶୁଭୁଥିଲା । ବେଳୁ ବେଳ ଆହୁରି ଆର୍ତ୍ତ ହେଉଥିଲା । ପଛପଟ ଦେଇ ବୋଧହୁଏ ବୁଲି ଆସି ମୋରି ପାଖରେ ଭୀଷଣ ଚିତ୍କାରଟେ କରି ଜନ୍ତୁଟି ପଡ଼ିଗଲା । ସେତେବେଳକୁ ଶରଶଯ୍ୟା ପ୍ରସ୍ତୁତ ସରିଥାଏ ତା’ ପାଇଁ ଦେହର ଏଣେତେଣେ କ୍ଷତ- ଏଠୁ ସେଠୁ ଲହୁ ଆଖିରୁ ଲୁହର ଧାର ସେଇଠି କହୁଥିଲା କି- ମଣିଷକୁ ମଶା କାମୁଡ଼ିଲେ କ’ଣ ରୋଗ ବ୍ୟାପୁନି । ମ୍ୟାଲେରିଆ, ଡେଙ୍ଗୁ, ଚିକନଗୁନିଆ କେମିତି ମାଡ଼ି ଯାଉଛି ଯ୍ୟାଡ଼େ ନାଇଁ ସ୍ୟାଡ଼େ । ମାରି ଦଉଚ ସେ ମଣିଷଗୁଡ଼ାକୁ ଏମିତି ଗୋଡ଼େଇ ଗୋଡ଼େଇ । ତା’ ହେଲେ ମୋର ଦୋଷ କ’ଣ ?

ଲୋକପ୍ରିୟ ଲେଖା

To Top