ଅଣୁଗଳ୍ପ

ପୁନରାବୃତ୍ତି

Paramita Mishra's odia short story Punaraabrutti

ହାରେ କିଛି ନକହିଲେ ତ ଏ ବେଶି ହେଉଛନ୍ତି, ମୁଁ ଠିକ୍ ଚାରିଟା ରେ ଘର କୁ ଆସିବି ସେତେ ପର୍ଯ୍ୟନ୍ତ ମୁଁ ଜାହା ଜାହା କାମ ଦେଇଛି ସେସବୁ ହେଇ ଯାଇଥିବା ଦରକାର । ବୁଝିଲ ।

ପୁନରାବୃତ୍ତି

“ଖବରଦାର୍‌ ଯଦି ବାହାରକୁ ଗୋଡ କାଢିଚ ତ, ଚିହ୍ନିବ ମତେ । ହାରେ କିଛି ନକହିଲେ ତ ଏ ବେଶି ହେଉଛନ୍ତି, ମୁଁ ଠିକ୍ ଚାରିଟା ରେ ଘର କୁ ଆସିବି ସେତେ ପର୍ଯ୍ୟନ୍ତ ମୁଁ ଜାହା ଜାହା କାମ ଦେଇଛି ସେସବୁ ହେଇ ଯାଇଥିବା ଦରକାର । ବୁଝିଲ । ”

କୁନାଲ ନିଜ କଥା ଶୁଣେଇ ଦେଇ ଗଲା, ବାପା ନିରଞ୍ଜନ ମୁଣ୍ଡ ତଳକୁ ପୋତି ପୁଅର ପ୍ରତେକଟି କଥା ଶୁଣି ଚାଲିଥିଲେ, ବିନା ପ୍ରତିବାଦରେ । କବାଟର ଢପ କରି ଆବାଜରୁ କୁନାଲର ଅଫିସ୍‌ ଚାଲିଯିବା ସୁନିଶ୍ଚିତ ହେଲା । ହାତରେ ଧରିଥିବା ମେଡିସିନ୍‌ଟିକୁ ପାଟିରେ ପକେଇ ପାଣି ଢୋକେ ପିଇ ପକେଇଲେ ନିରଞ୍ଜନ । ଆଖିରେ କେମିତି ଏକ ମଇଳା ପଡିଯାଇଥିବ ନିଶ୍ଚୟ, ଅଶ୍ରୁ ସହ ଖସି ଆସିଲା କେତେ ସେହି ପୁରୁଣା ଦିନ……

ଦିନ ସାରା ଖଟି କେତେ ବି ହାଲିଆ ଲାଗୁ ବା କେତେ ବିଳମ୍ବ ହେଉ କିନ୍ତୁ ଅଫିସରୁ ଫେରୁ ଫେରୁ କୁନା ସହ ଘଣ୍ଟାଏ ଖେଳେ ନିଶ୍ଚୟ କୁନାକୁ ବ୍ୟାଟିଙ୍ଗ କରିବାକୁ ଭାରି ପସନ୍ଦ । ସାହିରେ କ୍ରିକେଟ୍‌ ଖେଳରେ ତାକୁ ସବୁବେଳେ ବ୍ୟାଟିଙ୍ଗ୍‌ ଦିଅନ୍ତିନି । ବଡ ଭୋଳା ପୁଅଟା, ପିଲା ଦିନେ ଆଖିକୁ ଟିକେ କମ୍ ଦିଶେ ବୋଲି ଗୋଲଗୋଲ କାଚର ଚଷମା ଖଣ୍ଡେ ପିନ୍ଧେ । ସାମ୍ନାରେ ଆସୁଥିବା ବଲ୍‌ଟିକୁ ଠିକ୍‌ରେ ଦେଖିପାରେନି ପୁଣି ସାହି ପିଲାମାନେ ତାର ଚଷମା ନେଇ ବହୁତ ହଇରାଣ କରନ୍ତି । କାନ୍ଦି କାନ୍ଦି ପୁଅ ମୋର ମୋରି ଆସିବା ବାଟକୁ ଅନେଇ ବସିଥାଏ । ମୁଁ ଅଫିସ୍‌ ପରେ ଅଫିସ୍‌ର ଅନ୍ୟ ବାବୁ ମାନଙ୍କ ସହ ଖଟି ନକରି ସ୍କୁଟର ପେଲି ସିଧା ଘରେ ହାଜର ସେଥିପାଇଁ ଅଫିସ୍‌ର ସାଥି ମାନେ ବହୁ ଅସନ୍ତୁଷ୍ଟ ଥିଲେ କିନ୍ତୁ ମୁଁ ବା କଣ କରନ୍ତି ଅଫିସ୍‌ ନସରୁଣୁ ମୋ ପୁଅର ମୁହଁ ମୋ ଆଗରେ ନାଚି ଉଠୁଥିଲା । ମା ଛେଉଣ୍ଡ ଛୁଆ ଟା ନା ତେଣୁ ମନ ଖାଲି ଗୋଳେଇ ଘାଣ୍ଟି ହୁଏ । କୁନାକୁ ବ୍ୟାଟିଂ ରେ ବଡ ସଉକ କହେ ବାପା ଦେଖିବ ମୁ କେମିତି ଛକା ମାରିବି । ତେଣିକି ବଲ୍‌ରେ ହିଟ ହେଉ କି ନହେଉ, ସନ୍ଧ୍ୟା ଯାଏଁ ବାପା ପୁଅ ଖୁବ୍ ଖେଳୁ ତାପରେ ସେଠୁ ଫେରି ଢାବା ରୁ ପୁଅ ପସନ୍ଦର ପନିର ଆଉ ରୁଟି ଧରି ଘରକୁ ଫେରୁ । ହଁ କୁନା ମାଆ ମାନେ ମୋ ସ୍ତ୍ରୀ ବହୁତ ଭଲ ପନିର ବନାଉଥିଲା ମତେ ତ ଚୁଲି ବି ଜାଳିବା ଆସୁ ନଥିଲା । ସେ ଗଲା ପରେ ଧୀରେ ଧୀରେ କିଛି ରନ୍ଧା ଶିଖିଲି କେତେ ସବୁବେଳେ ବାହାରୁ ଆଣିବୁ । ଘରକୁ ଆସି ପଢ଼ା ସାରି ଖଟ ଉପରେ ପଡିଯାଉ ହଁ ଆଉ ତାପରେ ଆରମ୍ଭ ହୁଏ କୁନାର ଦିନ ଯାକର ରାମାୟଣ, ମୁଁ ହୁଁ ମାରୁମାରୁ କେତେବେଳେ ଆମ ଆଖି ଲାଗିଯାଏ ଆଉ ପୁଣି ଆରମ୍ଭ ହୋଇଯାଏ ନୁଆଁ ଦିନ । ମୋର ମନେ ଅଛି ସେଦିନ ମୋ ଅଫିସ୍‌ ଫୋନ୍‌କୁ ଫୋନ୍‌ ଆସିଲା ମୋ କୁନା ର କିଛି ହୋଇ ଯାଇଛି । ହାତ ଗୋଡ ମୋର ଗୋଟାପଣେ ଥରି ଉଠିଲା ମୁଁ ଜାଣିନି ମୁଁ କେମିତି ସେଦିନ ଆଖି ପିଛୁଳାକେ ଘରେ ପହଞ୍ଚିଛି । ସାହିର ପିଲାମାନେ କୁନା ଦେହରେ ବିଛୁଆତି ପତ୍ର ଲଗାଇ ଦେଇଥିଲେ । ମୋ ପୁଅର ଅବସ୍ଥା ଦେଖି ସେଦିନ ମତେ ଏତେ ଅସହାୟ ଲାଗିଥିଲା ଯେ ମୁଁ ସେଦିନ ଆଜିଯାକେ ଭୁଲି ପାରୁନି । ରାଗିକି ତାକୁ କହିଥିଲି

“ଖବରଦାର ଯଦି ବାହାରକୁ ଗୋଡ କାଢିଚୁ ତ, ଚିହ୍ନିବୁ ମତେ । ହାରେ କିଛି ନକହିଲେ ଇଏ ବେଶି ହେଉଛି, ମୁଁ ଠିକ୍ ଚାରିଟା ରେ ଘରକୁ ଆସିବି ସେତେ ପର୍ଯ୍ୟନ୍ତ ସ୍କୁଲ୍‌ର ସବୁ କାମ ସାରି ଖାଇ ଘରେ ଧିରେ ବସିଥିବୁ । ”

ମୁଣ୍ଡ ପୋତି ସେମତି ମୋର ସବୁ କଥା ଶୁଣେ ସେ ବିନା ପ୍ରତିବାଦରେ । ଅଫିସ୍ ଅଧାରୁ ଚାଲିଆସିଥିଲି ତେଣୁ ପୁଣି ଦୌଡିଗଲି ଫେରି । ଚାରିଟା ପରେ ହୋଇଯାଇଥିଲା । ଘରକୁ ଫେରିଲା ବେଳକୁ ସେମତି ସେହି ଚେୟାର ଉପରେ ଅପେକ୍ଷା କରିକରି ଶୋଇଯାଇଥିଲା ମୋ ପୁଅ । ସେଦିନ ମୁଁ ବୁଝିଯାଇଥିଲି କୁନାକୁ ଏମିତି ଘରେ ବାନ୍ଧି ରଖିବା ଦ୍ଵାରା ସେ ଆଗକୁ ବଢି ପାରିବନି । କିଛି ସମୟ ମୋ ସହ ରାଗିକି କଥା ହେଲାନି । ତାପରେ ଯେତେବେଳେ ମୁଁ ତାକୁ ତା ସାଙ୍ଗ ମାନଙ୍କ ସହ ଖେଳିବାକୁ ହଁ କରିଦେଲି ତା ଖୁସି କହିଲେ ନସରେ ।

ଏତେ ଭାବନାରେ କେତେ ସମୟ ଚାଲିଗଲାଣି । କୁନାଲ ଘରକୁ ଫେରିଆସିଲା । ଚାରିଟା ବାଜି କିଛି ଅଧିକା ସମୟ ହୋଇଗଲାଣି । କୁନାଲ ଦୁଆର ମୁହଁରୁ ଡାକ ଛାଡିଲା ବାପା ବାପା । ଯାହା ଯାହା କହିଥିଲି ସବୁ କରିଛ ତ । ନିରଞ୍ଜନ ରାଗିବା ଅଭିନୟ କରୁଥିଲେ । ଖାଇବା ଥାଳି, ଔଷଧ ବାକ୍ସ ସବୁ ଦେଖି ସାରିଲା ପରେ କୁନାଲ କହିଲା ଗୁଡ୍ ସବୁ ଖାଇଛ ଆଉ ବ୍ୟାୟାମ ଦଶ ଥର ସେଇଟା କରିଛ ତ ? ନିରଞ୍ଜନ ସବୁ ଶୁଣି ନିଶୁଣିଲା ପରି ରହିଥିଲେ । କୁନାଲ କହିଲି ଆଚ୍ଛା ରାଗିଛ ତାହାଲେ ଠିକ୍ ଅଛି ବାବା ଚାଲ ଏବେ ଯିବା ଖେଳିବାକୁ । ହାତରେ ବଲ୍ ବ୍ୟାଟ୍‌ ଧରି ବାପା ପୁଅ ପାର୍କ ରେ ଖେଳିବାକୁ ଗଲେ । ନିରଞ୍ଜନ ଅଭିମାନ କରି କହିଲେ ମୁଁ ଖେଳିବିନି । କୁନାଲ ବାବା କୁ ବୁଝାଇ କହିଲା ବାବା ତୁମେ ସିଢିରୁ ପଡି ଯାଇଥିଲେ କଣ ହେଇଥାନ୍ତା । ବିଲ୍ଡିଂ ର ପିଲାମାନେ ତୁମ ସହ କିଛି କରିଥିଲେ । ମୁଁ ତ କହିଲି ନା ମୁଁ ତୁମ ସହ ସବୁଦିନ ଖେଳିବି । ନିରଞ୍ଜନ କହିଲେ ସେ କଥା ନୁହେଁ । ଆଉ ତାହାଲେ କୁନାଲ ପ୍ରଶ୍ନିଲ ଆଖିରେ ପଚାରିଲା । ନିରଞ୍ଜନ ଅନ୍ୟ ଆଡେ ମୁହଁ ବୁଲାଇ କହିଲେ ସେ ଝିଅ ତତେ ବାହା ହେବାକୁ ଏତେ ଥର କହିଲାଣି ତୁ ତାକୁ ହଁ କଲେ ଯାଇ ମୁଁ ଖେଳିବି । କୁନାଲ ପିଲାଳିଆମୀ କରି କହିଲା ବାବା ତମେ ମୋ ଲାପଟପରୁ ମୋ ମେସେଜ ପଢୁଚ ! କେତେ ଖରାପ କଥା କହିଲ ! ହଁ ତ ? ବାପା ମୁଁ, ଚାଲ ଚାଲ ବଲ୍ ମାର୍ ତୁ , ଦେଖ ମୁଁ କେମିତି ଛକା ମାରିବି, କୁହନ୍ତି ନିରଞ୍ଜନ । ବାପାଙ୍କ ଆନନ୍ଦ ଅଶ୍ରୁ ପୋଛି ପକେଇଲା କୁନାଲ ।

କୁହନ୍ତି ଇତିହାସର ସବୁବେଳେ ପୁନରାବୃତ୍ତି ହୁଏ । ଏବେ ନିରଞ୍ଜନ ବାବୁଙ୍କ ଆଖି କୁ ଆଉ ଠିକ୍‌ରେ ଆସୁଥିବା ବଲ୍‌ଟି ଦିଶେନି କିନ୍ତୁ କ୍ରିକେ୍‌ର ଭାରି ସଉକ । କୁନାଲ ବଲିଂ କରେ । ହୁଇଲ ଚେୟାର ଉପରେ ବସି ନିରଞ୍ଜନ ଖାଲି ବ୍ଯାଟିଂ କରନ୍ତି । ବଲ୍‌କୁ ହିଟ୍‌ ହେଉ କି ନହେଉ……..

ଲୋକପ୍ରିୟ ଲେଖା

To Top