ଅଣୁଗଳ୍ପ

ରାଜାର ରାଣୀ

Binay Mohapatra's odia short story Raajaara Raani

ମୋର ଖୁସିର ସାମ୍ରାଜ୍ୟ, ତୁମ ଠାରୁ ଆରମ୍ଭ ଆଉ ତୁମ ଠାରେ ହିଁ ଶେଷ ।

ରାଜାର ରାଣୀ

ସୂର୍ଯ୍ୟ ବୁଡି ସାରିଲାଣି, କିନ୍ତୁ ଏବେବି ଆକାଶ ବୁଡିଯାଉଥିବା ସୂର୍ଯ୍ୟର ଲୋହିତ ଆଭାର ନାଲିମାରେ ଲାଲ ଦେଖାଯାଉଛି । ଦିନର ଆଲୁଅ ଯଦିଓ ଫିକା ପଡି ଆସିଲାଣି, ତଥାପି, ଅନ୍ଧାରକୁ ଅଟକେଇ ରଖିଛି । ଚା’କପ୍ ହାତରେ ନେଇ ଘରଣି ଆସୁ ଆସୁ, କହିଲେ ସଂଜବତୀ ପାଇଁ ଟିକିଏ ଡେରି ହୋଇଗଲା, ରାଗିନ ତ ? ମୁଁ ବହିରୁ ମୁହଁ ଉଠେଇ ଚଷମା ଫାଙ୍କରୁ ଥରେ ଚା’କପ୍‌କୁ, ପୁଣି ଥରେ ତାଙ୍କ ମୁହଁକୁ ଚାହିଁଲି । ଜୀବନର ଏଇ ଶେଷ ପହରରେ ଏବେ ବି ତାଙ୍କର ସେଇ ସୁନ୍ଦରତା, ସେଇ ଲାବଣ୍ୟ ଦୀପ୍ତିମୟୀ ଦେବୀର କାନ୍ତି । ଡୁବିଯାଉଥିବା ସୂର୍ଯ୍ୟରେ ସେଇ ନାଲିମା ସେଇ ଚମକ ଏବେବି ଝଟକୁଛି । କେତେ ସୁନ୍ଦର ସତେ ଏଇ କରୁଣାମୟୀ ଦେବୀ । ମୋ ଘରର ଲକ୍ଷ୍ମୀ, ଅଳ୍ପକେ ସନ୍ତୁଷ୍ଟ, ନା କେବେ କିଛି ଅଭିଯୋଗ ନା କିଛି ମାଗୁଣୀ । ମୋ ଦୁଇ ସନ୍ତାନର ମମତାମୟୀ ମାଆଟିଏ ସିଏ । କେତେ ଯତ୍ନରେ, ମମତାର ପଣତ ତଳେ ବଢେଇ ପୁଣି ଉଡେଇ ଦେଲା ବିସ୍ତାରୀତ ଅନନ୍ତ ଗଗନରେ । କହିଲା ଯାଅ, ସଂସାରକୁ ଜିତି ଯାଅ, ଯେଉଁଠି ବି ରୁହ ଖୁସିରେ ଥାଅ । ସଂଜ ସକାଳରେ ମନ୍ଦିରରେ ଦୀପ ଜାଳେ, କେବଳ ଏତିକି ମାଗେ, ହେ ପ୍ରଭୂ ! ମୋ ପିଲାଙ୍କୁ ଖୁସିରେ ରଖ ।

କହିଲି, ମୋ ପାଖରେ ଟିକିଏ ବସ, ତାଙ୍କ ହାତକୁ ମୋ ହାତରେ ନେଇ ଜାବୁଡି ଧରିଲି କହିଲି, ଆରେ ରାଗିବି କାହିକି ? ଏ ବୟସରେ ତୁମର ଏତେ ଖଟଣି, ତୁମେ ଥକି ଯାଉନ ? ଟିକେ ସାହାଯ୍ୟ କରିବାକୁ କେହି ନାହିଁ । କେତେ ସେବା କରୁଛ ମୋର, କଥା ଦେଇଥିଲି ତୁମକୁ ରାଣୀ କରି ରଖିବି, ହେଲେ ସାରା ଜୀବନ ତ ସେବିକାଟିଏ ହୋଇ ରହିଗଲ । ପିଲାଙ୍କ ପାଇଁ ଏତେ କଲ, ହେଲେ ଆଜି କେହିବି ପାଖରେ ନାହିଁ, ପାଣି ଟୋପେ ଦେବାପାଇଁ । ଆମ ଚାରି ଆଖି ଏକ ହୋଇଗଲେ, ଛଳ ଛଳ ଚାରିଆଖି, ସେ ଲୁହ ଦୁଃଖର କି ଖୁସିର ଜାଣେନା । ତଥାପି ସେ ସ୍ମିତ ହାସିନୀ ସବୁ ବେଳେ ସେମିତି । ଟିକେ ହସି କହିଲେ, ଆଜି ବି ତ ମୁଁ ମୋ ରାଜାର ରାଣୀ ହୋଇ ରହିଛି । ତୁମେ ମୋ ପାଖରେ ଅଛ, ମୋ ସାଥିରେ ଅଛ, ଜୀବନଟା ବହୁତ ସହଜ ଲାଗୁଛି, ତୁମଛଡା ମୋର ଆଉ ଅଧିକ ବା କଣ ଲୋଡାଥିଲା ଏ ଜୀବନରେ ! ମୋର ଖୁସିର ସାମ୍ରାଜ୍ୟ, ତୁମ ଠାରୁ ଆରମ୍ଭ ଆଉ ତୁମ ଠାରେ ହିଁ ଶେଷ । ଜୀବନରେ ଆଉ ଅଧିକ କିଛି ଲୋଡେନା, ପାଇବାକୁ କଣ ବାକି ରହିଲା ଯେ, ଜୀବନରେ ଆଉ କିଛି ବି ଶେଷ ଅବଶୋଷ ନାହିଁ ।

*(କବିତା ‘ଶୁଆ ଶାରୀ’ର ଗଳ୍ପରୂପ)

ଲୋକପ୍ରିୟ ଲେଖା

To Top