ଅଣୁଗଳ୍ପ

ସୈତାନ୍

Odia Writer Anupam Behera

ସୈନିକ ମହୁମାଛିମାନେ ଆକ୍ରମଣ କରନ୍ତି ସୈତାନକୁ । ତା’ କବଚକୁ ଦଂଶି ଦଂଶି ନିଜ ପ୍ରାଣନାଶ କରନ୍ତି ସତ କିନ୍ତୁ ତା’ର କୌଣସି କ୍ଷତି କରିପାରନ୍ତି ନାହିଁ ।

ସୈତାନ୍

ମହାରାଣୀଙ୍କ ନିର୍ଦ୍ଦେଶରେ ଆରମ୍ଭ ହୁଏ ରାଜପ୍ରାସାଦର କାର୍ଯ୍ୟ । ଏକ ବିଶାଳ ପର୍ବତର ଅପହଞ୍ଚ ଶିଖରରେ ହଜାର ହଜାର ଶ୍ରମିକ ଦିନରାତି ଏକ କରି ଲାଗିପଡ଼ନ୍ତି ପ୍ରାସାଦ ନିର୍ମାଣରେ । ସୈନିକମାନେ ଦିବାନିଶି ପହରା ଦେଉଥାନ୍ତି ନିର୍ମାଣାଧୀନ ରାଜମହଲର ଚତୁର୍ପାଶ୍ୱରେ । ଶେଷରେ ଅନେକଦିନର ଅକ୍ଳାନ୍ତ ପରିଶ୍ରମ ପରେ ଶେଷ ହୁଏ ରାଜପ୍ରାସାଦର ନିର୍ମାଣ କାର୍ଯ୍ୟ । ରାଜମହଲରେ ମହାରାଣୀଙ୍କ ପ୍ରବେଶ ଉତ୍ତାରୁ ଅନ୍ୟ ସମସ୍ତେ ବି ନିଜ ନିଜ ରହିବା ପାଇଁ ଗୋଟିଏ ଗୋଟିଏ କୋଠରୀ ବାଛି ନିଅନ୍ତି ।

ତେବେ ଏତିକିରେ କାମ ସରିଯାଏନା । ବର୍ଷାଋତୁ ପାଖେଇ ଆସୁଥାଏ । ତା’ ଆଗରୁ ଯେମିତି ହେଲେ ଯଥେଷ୍ଟ ପରିମାଣର ଖାଦ୍ୟ ମହଜୁଦ୍ ରଖିବାକୁ ପଡ଼ିବ । ତେଣୁ ମହାରାଣୀଙ୍କ ନିର୍ଦ୍ଦେଶରେ ଦଳେ ଉଡ଼ିଯାଆନ୍ତି ଖାଦ୍ୟ ଅନ୍ୱେଷଣରେ । ସୈନିକମାନେ ମହଲ ବାହାରେ ରହି ସୁରକ୍ଷାର ଦାୟିତ୍ୱ ନିଅନ୍ତି । ଶ୍ରମିକମାନେ ଲାଗିପଡ଼ନ୍ତି ଆହୁରି ଅଧିକରୁ ଅଧିକ କୋଠରୀ ନିର୍ମାଣରେ ।

ସନ୍ଧ୍ୟାବେଳକୁ ଫେରନ୍ତି ଖାଦ୍ୟ ସଂଗ୍ରହକାରୀ ଦଳ । ସମସ୍ତେ ନିଜ ସଂଗୃହୀତ ଖାଦ୍ୟକୁ ସାଇତି ରଖନ୍ତି ନବ ନିର୍ମିତ କୋଠରୀ ମଧ୍ୟରେ । ଖାଦ୍ୟ ଭର୍ତ୍ତି ହେଲା ପରେ କୋଠରୀକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦିଆଯାଏ । ଏମିତି ଦିନ ପରେ ଦିନ ବିତିଯାଏ । ଧିରେ ଧିରେ ବଢ଼ି ଚାଲୁଥାଏ ସଂଗୃହୀତ ଖାଦ୍ୟର ପରିମାଣ ଓ ତା’ ସାଥିରେ ତାଳ ଦେଇ ରାଜପ୍ରାସାଦର କଳେବର ।

ତେବେ. . . ସବୁଥର ପରି ଏଥର ବି ସୈତାନ୍ର ଲୋଲୁପ ଦୃଷ୍ଟି ପଡ଼େ ପର୍ବତ ଶିଖରରୁ ଝୁଲୁଥିବା ମହୁଫେଣା ଉପରେ । ସେ ହାତରେ ନିଆଁ ହୁଳା ଧରି ପହଞ୍ଚିଯାଏ ପର୍ବତର ପାଦଦେଶରେ । ଠିକ୍ ମହୁଫେଣାର ତଳେ କାଠିକୁଟା ଡାଳପତ୍ର ଜଳେଇ ଆରମ୍ଭ କରେ ସେ ତା’ର ଅଭିଯାନ । ସେଇ ଧୂଆଁରେ ଅଣନିଶ୍ୱାସୀ ହୋଇ ଟଳିପଡ଼ନ୍ତି ଅନେକ ମହୁମାଛି । ସୈନିକ ମହୁମାଛିମାନେ ଆକ୍ରମଣ କରନ୍ତି ସୈତାନକୁ । ତା’ କବଚକୁ ଦଂଶି ଦଂଶି ନିଜ ପ୍ରାଣନାଶ କରନ୍ତି ସତ କିନ୍ତୁ ତା’ର କୌଣସି କ୍ଷତି କରିପାରନ୍ତି ନାହିଁ । ରାଣୀ ମହୁମାଛି ଉଡ଼ିଯାଆନ୍ତି ରାଜମହଲ ଛାଡ଼ି ନିଜର ଅଳ୍ପ କିଛି ସହଚରଙ୍କୁ ନେଇ । ତାଙ୍କ ଆଖି ସାମ୍ନାରେ ସୈତାନ ଭାଙ୍ଗିଦିଏ ଏତେ ଯତ୍ନରେ ଗଢ଼ିଥିବା ରାଜମହଲକୁ । ଲୁଟିନିଏ ସେମାନଙ୍କର ସଂଗୃହୀତ ଖାଦ୍ୟ । ଶ୍ରମିକ ତଥା ସୈନିକ ମହୁମାଛି ମାନଙ୍କର ମୃତ ଶରୀର ଚାରିଆଡ଼େ ପଡ଼ିଥାଏ ଇତଃସ୍ତତଃ ଭାବେ ।

ଏମାନଙ୍କର ଏତାଦୃଶ ଅବସ୍ଥା ଦେଖି ରାଣୀ ମହୁମାଛି କହନ୍ତି, “ରେ ସୈତାନ. . . ତୁ ଆମଠୁ ମହୁ ଚୋରେଇପାରିବୁ ସତ. . . ହେଲେ ମହୁ ଚୋରେଇବାର କଳା କଦାପି ଚୋରେଇପାରିବୁ ନାହିଁ ।”

ତେବେ ସୈତାନ୍ କିନ୍ତୁ ବୁଝିପାରେନା ରାଣୀ ମହୁମାଛିଙ୍କର ଏ ପ୍ରକାର କଥାର ମର୍ମ । ସେ ମହୁଫେଣାକୁ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ନେଇ ଚାଲିଯାଏ । ରାଣୀ ମହୁମାଛି ଉଡ଼ିଯାଆନ୍ତି ପୁଣି ଏକ ସୁରକ୍ଷିତ ବାସସ୍ଥାନର ସନ୍ଧାନରେ ।

ଲୋକପ୍ରିୟ ଲେଖା

To Top