ଅଣୁଗଳ୍ପ

ସଂଚୟ

Sanchaya an odia short story by Dilip Kumar Tripathy

ମୁଁ କେବେ ଦେଖିନି ସେ ଜିଲାପି ଖାଇବାର , କିନ୍ତୁ ମୁଁ ଜାଣେ, ମୋ ମା’ କୁ ବି ଜିଲାପି ନିଶ୍ଚୟ ଭଲ ଲାଗୁଥିବ । କ’ଣ ଭଲ ଲାଗିବନି ତାକୁ? ମୁଁ ତ ପଇସା ରଖି ରଖି ଆଜି ତା ପାଇଁହିଁ ନେଇକି ଯାଉଛି ।

ସଂଚୟ

ମକୁ ସାହୁର ଜଳଖିଆ ଦୋକାନଟା ବିରଞ୍ଚି ବାବୁଙ୍କର ଭାରି ପସନ୍ଦର ଜାଗା । ପ୍ରତିଦିନସକାଳର ସ୍ଲୋ ରନିଂଗ୍ ରେସ୍ ଜିତି ସାରିବା ପରେ, ସେ ଏଇଠିକି ଚାଲି ଆସନ୍ତି । ଜିଲାପି ସିଙ୍ଗଡ଼ାର ବିରାଟ ବଡ ଭକ୍ତ ଭାବେ ତାଙ୍କର ଭାରି ଖ୍ୟାତି ସେ ଅଞ୍ଚଳରେ । ସ୍ତ୍ରୀଙ୍କର ହାତ ତିଆରି ସୁଜି କି ଚୁଡା ଉପମା ଅବା ଚକୁଳି ପିଠା ପସନ୍ଦ ନାହିଁ ତାଙ୍କର । ତେବେ ଏଇ ଅପସନ୍ଦ କଥାଟାଏ ବେକାର, ମାନେ ଅବସର ନେବା ପରେ ; ନଚେତ୍ ସ୍ତ୍ରୀଙ୍କ ପ୍ରତି ବିରଞ୍ଚି ବାବୁଙ୍କର ଭାରି ଶ୍ରଦ୍ଧା । ସେଇଥିପାଇଁ ତ’ ସ୍ତ୍ରୀଙ୍କର ଭାରତ ଦର୍ଶନ ଅଭିଳାଷକଥାଟା କହି ପକାନ୍ତି; କଥା ଛଳରେ, ନିଜ ଘନିଷ୍ଠ ବନ୍ଧୁ ମକୁ ସାହୁ ଆଗେ । ଆଜି ବି ସେଇ କଥା କହୁ କହୁ ରହିଗଲେ, କିଛି ସମୟଅନୁତପ୍ତ ଭଙ୍ଗୀ ରେ। ହଠାତ୍ ମକୁ ସାହୁ ପଚାରିଦେଲା ,

“କ’ଣ ଭାବୁଛନ୍ତି ବିରଞ୍ଚିବାବୁ?”

“ନାଇଁ କିଛି ନାହିଁ” କହି କଥା ବୁଲେଇଲେ ବିରଞ୍ଚି ବାବୁ ।

ବିରଞ୍ଚି ବାବୁଙ୍କ ପରି ନିଜ କାର୍ଯ୍ୟସୁଚୀ ରେ କୌଣସି ତୃଟି ନକରି,ପାଞ୍ଚ କି ସାତ ବର୍ଷର ପିଲାଟିଏ ଆଜି ବି ଚାଲି ଆସିଲା; ମକୁ ସାହୁ ଦୋକାନ ଆଗକୁ । ଆଜି କିନ୍ତୁ ସେ ସବୁଥର ପରି ବଲବଲ ବଲବଲ କରି ଚାହିଁ ରହିଲାନି; ଜିଲାପି , ସିଙ୍ଗଡ଼ାର ସୌନ୍ଦର୍ଯ୍ୟ କି ତା’ ବାସ୍ନା କୁ ଉପଭୋଗ କରିବାକୁ । ପିଲାଟି ହାତ ବଢ଼େଇ କିଛି ଟଙ୍କା ରଖିଦେଲା, ମକୁ ସାହୁ ହାତରେ ; ପ୍ରତିବଦଳରେ ଦୁଇ ହାତରେ ଜାବୁଡି ଧରିଲା ଧୈର୍ଯ୍ୟ ଆଉ ବିଶ୍ୱାସର ସଂଚୟରେ ଅର୍ଜିଥିବା କିଛି ମିଠା ସିଠା ସୁଖର ପୁଡିଆ: ଜିଲାପି ଆଉ ସିଙ୍ଗଡ଼ା ।

ଏବେ ତା ଆଖିରେ ତେଜ ଥିଲା । ବୀର ଦର୍ପରେ ପାହୁଣ୍ଡ ପକେଇ ଚାଲି ଯାଉଥିଲା ; ସତେକି ଗଡ ଜିତି କି ଫେରିଛି !

ବିରଞ୍ଚିବାବୁ ଆଉ ରହି ପାରିଲେନି । କୌତୁହଳର ସୀମା ଟପି ପଚାରିଦେଲେ, “ବାବା, ଟିକେ ଶୁଣିବ?”

ପିଲାଟି ରହିଲା ।

“ତମକୁ ଘରେ ପ୍ରତିଦିନର ହାତ ଖର୍ଚ୍ଚ ଦିଅନ୍ତି?”

ପିଲାଟି କହିଲା “ହଁ ଦିଅନ୍ତି।“

“ତେବେ ତମେ ଏଇ ଜିଲାପି, ସିଙ୍ଗଡ଼ାପାଇଁଏତେଦିନଅପେକ୍ଷା କାହିଁକି କରୁଥିଲ ? ନିଜ ହାତ ଖର୍ଚ୍ଚରେ ତ’ ତମେ କେବେଠାରୁ କିଣି ପାରିଥା’ନ୍ତ ।”

ପିଲାଟି ଟିକେ ରହି ଯେଉଁ ଉତ୍ତର ଦେଲା , ସେଥିରେ ବିରଞ୍ଚି ବାବୁ ଅନୁତପ୍ତ ବାହାନାରେ ନିଜକୁ ପଚାରିଥିବା ସମସ୍ତ ପ୍ରଶ୍ନର ଉତ୍ତର ପାଇଗଲେ।

ପିଲାଟି କହିଲା, “ମା’ ଆମଭାଇ ଭଉଣୀ ଦୁହିଙ୍କୁ ଦୁଇ କି ତିନି ଦିନରେ ଥରେ ପଇସା ଦିଏ; ତା ପାଖରେ ସବୁବେଳେ ପଇସା ନଥାଏ। ମୁଁ କେବେ ଦେଖିନି ସେ ଜିଲାପି ଖାଇବାର , କିନ୍ତୁ ମୁଁ ଜାଣେ, ମୋ ମା’ କୁ ବି ଜିଲାପି ନିଶ୍ଚୟ ଭଲ ଲାଗୁଥିବ । କ’ଣ ଭଲ ଲାଗିବନି ତାକୁ? ମୁଁ ତ ପଇସା ରଖି ରଖି ଆଜି ତା ପାଇଁହିଁ ନେଇକି ଯାଉଛି ।”

ଗୋଟିଏ ନିଶ୍ୱାସରେ କହିଦେଇ ପିଲାଟି ଦୌଡି ଚାଲିଗଲା, ବିରଞ୍ଚି ବାବୁ ଚାହିଁ ରହିଥିଲେ ତା’ ପାଦର ଗତିକୁ। ଭାବୁଥିଲେ,କେଡେ ଛୋଟ ପିଲାଟିଏ, କିନ୍ତୁ ମା’ର ଖୁସିକୁ କେତେ ସୁନ୍ଦର ବୁଝି ପାରିଛି ; ଖାଲି ବୁଝିନିତ ତ୍ୟାଗ କରିଛି ତା’ ବାଲ୍ୟ ସ୍ୱଭାବ, ବୁଝିଛି ସଂଚୟର ମୂଲ୍ୟ, ଜିଇଁଛି ପରିବାରର ସୁଖ ପାଇଁ; ହଉପଛେ ଗୋଟିଏ ଦିନ ।

ଅଥଚ ସେ, ଯୌବନର ଡହ ଡହ ନିଆଁରେ କେତେ ଯେ ଅର୍ଥକୁ ଅନାୟାସରେ ସ୍ୱାହା କରିଦେଇଛନ୍ତି; ପତ୍ନୀଙ୍କରମନ କଥା ଜାଣି ବି ସେ କେମିତି ଏତେ ସ୍ୱାର୍ଥୀ ହେଇପାରିଲେ । ବିକଳରେ ଦୋଷ ଲଦିବାକୁ ଚେଷ୍ଟା କଲେ ଭଗବାନଙ୍କ ଉପରେ।

କହି ପକେଇଲେ , “ହେ ପ୍ରଭୁ, ଏଇ ସଂଚୟର ଶିକ୍ଷା ଟି ମୋତେ ମୋ ଯୌବନରେ କାହିଁକି ଦେଲେନି ?”

କିଛି ସମୟ ପଶ୍ଚାତାପ ନିଆଁରେ ଜଳିଲା ପରେ, ଧିରେ ଧିରେ ଘର ଆଡକୁ ପାଦ ବଢେଇଲେ; ଆଜି କିନ୍ତୁ ସେ ସବୁଦିନ ପରି ଆଉ ଗୋଟିଏ ଜିଲାପି କି ସିଙ୍ଗଡ଼ାର ଆବଶ୍ୟକତା କୁ ଅନୁଭବ କରିନଥିଲେ ।

ଲୋକପ୍ରିୟ ଲେଖା

To Top