ଅଣୁଗଳ୍ପ

ସରୁଚାଉଳ

Hemanta Kumar Rout's odia short story Saruchaula

ତମେ ଜାଣିଛ ମା’ ବଇଶାଖୀର ପଥର ପରି ଫଟାମାଟି କାଟି ଚଷାପୁଅ କେମିତି ହଳକରି ବିହନ ବୁଣେ । ବର୍ଷାର ମେଘ ଘଡ଼ଘଡ଼ି ଅନ୍ଧାରରେ କେମିତି ରୁଆ ବେଉଷଣ କରେ ।

ସରୁଚାଉଳ

ରାତି ନ ପାହୁଣୁ ଝଜାମଣି ବାବୁଙ୍କ ଘରେ ପହଞ୍ଚିଲା । ବାବୁଙ୍କର ସହରରେ ଚାକିରୀ । ପର୍ବପର୍ବାଣି ପାଇଁ ଗାଁକୁ ଆସିଥିଲେ ବାବୁଆଣୀଙ୍କୁ ଧରି । ସବୁ କାମ ସାରି ସକାଳୁ ଗାଡ଼ି ଧରିବେ । ଭାଗଧାନର ପଇସା ଗଣ୍ଡାକ ଧରେଇ ଦେଲେ ଭଲ । ନ ହେଲେ ପଇସା ଖର୍ଚ୍ଚ କରି ତାଙ୍କ ପାଖକୁ ଯିବା ଭାରି ତକ୍ଲିପ୍ ।

ଅଣ୍ଟାରୁ ଟଙ୍କା ଗଣ୍ଡାକ କାଢ଼ି ସେ ବାବୁଙ୍କୁ କହିଲେ, “ଏ ବର୍ଷ ମରୁଡ଼ି ପାଇଁ ଫସଲ କମିଗଲା ତଥାପି ଆପଣଙ୍କୁ ଯେତିକି ଦେବା କଥା ସେଥିରୁ ଊଣା କରିନି ।”

ବାବୁ କହିଲେ, “ଦେଖ ଝଜି ବାବାଙ୍କ ଅମଳରୁ ତମେ ଆମ ଜମି ଚଷୁଛ । ତମ ଦବା ନବାକୁ ଆମେ ହିସାବ ରଖିନୁ । କେତେ ଜମିରୁ ଅମଳ କଲ ସେକଥା ଆମେ ବୁଝିନୁ । ତମେ ଆମକୁ ଆଉ ଟଙ୍କା ଦବନି । ଚାଉଳ ଗଣ୍ଡା ଦେଇଦବ । ସବୁବେଳେ ଭଲ ଚାଉଳ ମିଳୁନି । ବେଳେବେଳେ ଆମେ ଠକି ଯାଉଛୁ । କେବେ ପଚା ତ କେବେ ଗୋଡ଼ି । ଭଲ ଚାଉଳ ଗଣ୍ଡା ଦେଲେ ଆମେ ଖୁସି ହେବୁ ।”

କିଛିଦିନ ପରେ ସେ ଚାଉଳ ଧରି ଗାଡ଼ିରୁ ଓହ୍ଲାଇ ରିକ୍ସାକୁ ନେଇଗଲା । ବାବୁ ନଥିଲେ ବାବୁଆଣୀ ଥିଲେ । ଚାଉଳକୁ ରିକ୍ସାରୁ ଟେକି ନିଜେ ସବୁ ଉଠାଇଲା ଗୋଟିଗୋଟି ।

ଚାଉଳ ଦେଖି ସାରିବା ପରେ ବାବୁଆଣୀ କହିଲେ ତମକୁ ଆଉ ଭଲ ଚାଉଳ ମିଳିଲାନି । ଆମ ବସା ପାଖ ବାବୁଙ୍କ ଗାଁରୁ କେତେ ସୁନ୍ଦର ସରୁ ଚାଉଳ ଆସୁଛି । ଦେଖିଲେ ଲୋଭେଇ ଯିବ । ଭାତ ବାଢ଼ି ଦେଲେ ମହକି ଉଠିବ । ଏଗୁଡ଼ାକ ତଣ୍ଟିରେ ଲାଗିବ । ଗିଳି ହବନି ।

ଝଜାମଣି କହିଲା, “ଆପଣ ଜାଣି ନାହାନ୍ତି ମା’, ଏ ଚାଉଳ ଭାରି ଭଲ । ଆପଣଙ୍କ ଜମିରୁ ଫଳିଥିବା ଧାନରୁ ମୁଁ ନିଜେ ତିଆରି କରିଛି । ଅବଶ୍ୟ ଚାରି ପ୍ରକାର ଧାନ କରେ ହେଲେ ଏଇ ଚାଉଳକୁ ଆମର ପସନ୍ଦ ”

“ଏତେ ମୋଟା ଚାଉଳ ଆମର କେହି ଖାଇବେନି । ମୋ ଭାଇ ଆଣି ଯେଉଁ ଚାଉଳ ଦେଉଛି ସୋରିଷ ଦାନା ପରି ଟିକେ ଟିକେ । ପାଟିରେ ପଇଲେ ମିଳେଇ ଯିବ । ଏ ଗୁଡ଼ାକ ଆମ ପିଲା ଦେଖିଲେ ନାକ ଟେକିବେ । ତମେ ନେଇଯାଅ, ଆମେ କ’ଣ ଏଇ ଶସ୍ତା ଚାଉଳ ଖାଇବୁ ? ଏଗୁଡ଼ାକ ତଣ୍ଟିରେ ଗଳିବନି ।”

ଝଜାମଣି ଗାଁକୁ ଚାଉଳ ବହି ଆଣିବ କ’ଣ କଷ୍ଟେ ମଷ୍ଟେ ବିକି ଦେଇ ଆସିଲା ।

ସରୁ ବାସନା ଧାନ କିଣି ପୁଣି ଚାଉଳ ତିଆରି କରି ବାବୁଙ୍କ ବସାରେ ପହଞ୍ଚିଲା । ସେ ଭାବିଲା ଚାଉଳକୁ ଦେଖି ଏଇଥର ବାବୁଆଣୀ ଚୁପ୍ ।

ଝଜାମଣି ଚାଉଳ ସବୁ ରିକ୍ସାରୁ ବୋହି ନେଇ ଯାଉଛି । ଗମ୍‌ଗମ୍ ଝାଳ । ସଅଁସଅଁ ନିଃଶ୍ୱାସ । ଘରଧରୁନି । ପିଠିରେ ନଦି ସେ ଚାଉଳ ସବୁ ବାବୁଙ୍କ ବସା ଘରେ ରଖୁଛି ।

ବାବୁଆଣୀ ପଶିଆସି ସେ ଚାଉଳ ସବୁ ରାଗରେ ବାହାରକୁ ଫିଙ୍କିଦେଲେ । ଯୋଗକୁ ବାବୁ ସେଦିନ ବସାରେ ଥିଲେ ।

ବାବୁଙ୍କୁ ଲକ୍ଷ୍ୟ କରି ବାବୁଆଣୀ କହିଲେ, “ଗାଁରୁ ଚାଉଳ ଆଣିବାକୁ ତମକୁ କହିଲା କିଏ ? ତା’ ଭିତରେ ଖାଲି ଧାନ ସରସର । ମୋତେ ସମୟ କାହିଁ ବାଛି ସଫା କରିବାକୁ ।”

ଝଜାମଣି ଗାମୁଛା କାଢ଼ି ମୁହଁର ଝାଳ ପୋଛି ଭଲ ଭାବରେ ଛିଡ଼ା ହୋଇ କହିଲା ।

“ମା’ କଳରେ ଧାନକୁଟିଲା ବେଳେ ଗୋଟିଏ ଗୋଟିଏ ଧାନ ରହିଯାଏ । ରୋଷେଇ କରିବା ଆଗରୁ ବାଛି ପକେଇଥିଲେ ହୋଇନଥାନ୍ତା । ମୋତେ ଦି’ଚାପୁଡ଼ା ମାରି ଥିଲେ ସହିଥାନ୍ତି । କ’ଣ କଲ, ମୋରି ଆଖି ଆଗରେ ଚାଉଳକୁ ବିଞ୍ଚିଦେଲ । ସେ ପରା ମା’ ଲକ୍ଷ୍ମୀ । ଆମ ଜୀବନକୁ ରଖିଛି ।”

“ତମେ ଜାଣିଛ ମା’ ବଇଶାଖୀର ପଥର ପରି ଫଟାମାଟି କାଟି ଚଷାପୁଅ କେମିତି ହଳକରି ବିହନ ବୁଣେ । ବର୍ଷାର ମେଘ ଘଡ଼ଘଡ଼ି ଅନ୍ଧାରରେ କେମିତି ରୁଆ ବେଉଷଣ କରେ ।

ମରୁଡ଼ି ମଡ଼କ କେମିତି ପାଣି ବୋହି ତା’ ଜମିକୁ ରଖେ ।

ଶୀତର କୁହୁଡ଼ି କାକରରେ ବେଙ୍ଗଳା ପକାଏ । ଚଷାର ସ୍ତ୍ରୀ କେମିତି ନିଜେ ସିଝିସିଝି ଧାନ ସିଝାଏ ।

ନିଜେ ଖରାରେ ଶୁଖି ତାକୁ ଶୁଖାଏ, ଘାଣ୍ଟେ । ତା’ପରେ ଆସେ ତମ ପାଖକୁ । ତମେ କେମିତି ବୁଝିବ ସେ ଦୁଃଖ ଯନ୍ତ୍ରଣା । ମୁଠିଏ ଚାଉଳ ପାଇବାକୁ ତା’ ଜୀବନକୁ ବାଜି ଲଗାଏ । ତମର ପଇସା ଅଛି ତମେ କିଣି ଖାଇବ । ତମେ ସେ ଚାଉଳର ମୂଲ ଦେଇ ପାରିବନି । ପଇସା ପାଇଁ ଏ ଚାଉଳକୁ କେତେ ତା’ ପିଲାଙ୍କ ମୁହଁରେ ଦେଇ ପାରେନା । ତମେ ସେ ଚାଉଳ ବିଞ୍ଚି ଦେଲନି ଯେ ଏ ଛାତି ଉପରେ ନିଆଁଗୁଡ଼ା ଛିଞ୍ଚି ଦେଲ ।”

ବାବୁଆଣୀ ବାବୁ ଦୁଇଜଣ ନିର୍ବାକ୍ ହୋଇଗଲେ କିଛି କ୍ଷଣ ପାଇଁ ।

ଲୋକପ୍ରିୟ ଲେଖା

To Top