ଅଣୁଗଳ୍ପ

ସେ ଜଣେ ଶହୀଦ୍‌ଙ୍କ ସ୍ତ୍ରୀ

Sagaria Abhiram's odia Short Story Se Jane Shahidnka Stree

ଭାବନ୍ତି ଯେଉଁ ମଣିଷ ଦେଶ ପାଇଁ ନିସ୍ୱାର୍ଥପର ସେବା କରୁ କରୁ ଜୀବନ ଦେଇ ଦେଲା ତା’ ପାଇଁ କ’ଣ ତା’ ନିଜ ସ୍ତ୍ରୀ ଏତେ ସ୍ୱାର୍ଥପରତା କରିପାରିବ ।

ସେ ଜଣେ ଶହୀଦ୍‌ଙ୍କ ସ୍ତ୍ରୀ

ତାଙ୍କୁ ସେତେବେଳେ ୨୩ ବର୍ଷ ବୟସ ହୋଇଥିଲା ଯେତେବେଳେ ତାଙ୍କ ବାହାଘର ଜଣେ ୨୫ ବର୍ଷୀୟ ଭାରତୀୟ ସୈନିକଙ୍କ ସହ ହୋଇଥିଲା । ବାହାଘର ପରେ ବେଶି ସମୟ ବିତେଇ ପାରିନଥିଲେ ଦୁହେଁ ପରସ୍ପର ସହିତ ହେଲେ ସେହି ଅଳ୍ପ ସମୟରେ ମଧ୍ୟ ଦୁହେଁ ପରସ୍ପରକୁ ଆପଣାର କରିପାରିଥିଲେ । ଏମିତି କୌଣସି ସକାଳ ନଥିଲା ଯେବେ ସେ ଠାକୁରଙ୍କ ପାଖରେ ତାଙ୍କ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରିନଥିବେ, ଏମିତି କୌଣସି ସଞ୍ଜ ଆଳତି ନଥିବ ଯେବେ ସେ ତାଙ୍କ ସ୍ୱାମୀଙ୍କ ପାଇଁ ଦୀପ ଜାଳି ନଥିବେ । ହେଲେ ସତପ୍ରେମକୁ ଭଗବାନ ଏତେ ସହଜରେ ଜିତିବାକୁ ଦିଅନ୍ତି ନାହିଁ । ବାହାଘରର ଠିକ୍ ବର୍ଷେ ନଅ ଦିନ ପରେ ଆତଙ୍କବାଦୀଙ୍କ ସହ ସଂଘର୍ଷରେ ସୈନିକ ଜଣକ ଶହୀଦ୍ ହୋଇଗଲେ । ପୁଅକୁ ହରେଇ ବୁଢ଼ା ମା’ ବାପା ଯେମିତି ଦୁଃଖିତ ଥିଲେ ସ୍ୱାମୀକୁ ହରେଇ ମଧ୍ୟ ସ୍ତ୍ରୀ ସେମିତି ଦୁଃଖରେ ଭାଙ୍ଗି ପଡ଼ିଥିଲେ । ସ୍ୱାମୀଙ୍କ ମୃତ୍ୟୁର ଛଅ ମାସ ପରେ ସ୍ତ୍ରୀଙ୍କର ବାପା ଓ ଭାଇ ଆସି ତାଙ୍କୁ ନେଇଗଲେ । ସେମାନେ ତାଙ୍କର ଏକ ଅନ୍ୟ ବରପାତ୍ର ସହ ବିବାହ ମଧ୍ୟ ଠିକ୍ କରାଇ ଦେଇ ଥିଲେ । ବାହାଘରର ତାରିଖ ମଧ୍ୟ ନିର୍ଦ୍ଧାରିତ ହୋଇଯାଇଥିଲା । ହେଲେ ସେ ଆଜି ବି ମଧ୍ୟ ତାଙ୍କ ଶହୀଦ୍ ସ୍ୱାମୀଙ୍କ ଫଟୋକୁ ଦେଖି କାନ୍ଦି ପକାନ୍ତି । ମନେପଡ଼ିଯାଏ ତାଙ୍କର ସେହି ଶେଷ କଥା ପଦେ, ଆସୁଛି, ନିଜ ଧ୍ୟାନ ରଖିବ, ଆଉ ତମ ବୁଢ଼ା ଶାଶୁ ଶଶୁରଙ୍କର ବି ! ଆଉ ଭାବନ୍ତି ଯେଉଁ ମଣିଷ ଦେଶ ପାଇଁ ନିସ୍ୱାର୍ଥପର ସେବା କରୁ କରୁ ଜୀବନ ଦେଇ ଦେଲା ତା’ ପାଇଁ କ’ଣ ତା’ ନିଜ ସ୍ତ୍ରୀ ଏତେ ସ୍ୱାର୍ଥପରତା କରିପାରିବ । ଯଦି ସ୍ତ୍ରୀ ହିସାବରେ ସେ ତାଙ୍କ ସ୍ୱାମୀଙ୍କ ଶେଷ କଥାଟି ମଧ୍ୟ ରଖି ନ ପାରିବେ ତେବେ ସେ ପ୍ରେମ କି ପ୍ରେମ ! ତା’ହେଲେ କ’ଣ ସେ ତାଙ୍କ ସ୍ୱାମୀଙ୍କ ସହ ସ୍ୱାର୍ଥପରତା କରୁ ନାହାନ୍ତି କି !

ଶହୀଦ୍‌ଙ୍କ ସ୍ତ୍ରୀ ଯେଉଁ ଫଟୋ ସହ ଶାଶୁଘର ଛାଡ଼ିଥିଲେ । ସେହି ଫଟୋଟିକୁ ଧରି ଫେରି ଆସିଲେ ପୁଣି ନିଜ ଶାଶୁ ଶଶୁରଙ୍କ ପାଖକୁ, ଶେଷ ଜୀବନରେ ତାଙ୍କ ସାହା ହେବା ପାଇଁ । ସେ ଦ୍ୱିତୀୟ ବିବାହ କଲେ ନାହିଁ । ପାଖ ବିଦ୍ୟାଳୟରେ ଶିକ୍ଷୟିତ୍ରୀ କାମ କରି ବୋହୂ ହୋଇ ରହିଗଲେ ତାଙ୍କ ଶାଶୁଘରେ । ଅନାଥ ଆଶ୍ରମରୁ ଏକ ପୁତ୍ର ସନ୍ତାନକୁ ମଧ୍ୟ କୋଳେଇ ନେଇଥିଲେ । ଯେତେବେଳେ ପୁଅଟି ପଚାରେ ତା’ ବାପା କାହାନ୍ତି, ମା’ ଉତ୍ତର ଦିଅନ୍ତି, ତା’ ବୀର ବାପା ଦେଶ ପାଇଁ ଶହୀଦ୍ ହୋଇଯାଇଚନ୍ତି । ସେ ତାଙ୍କ ପୁଅକୁ ପ୍ରୋତ୍ସାହିତ କରନ୍ତି ଭାରତୀୟ ସୈନ୍ୟ ବାହିନୀରେ ଯୋଗ ଦେଇ ତାଙ୍କ ବାପାଙ୍କ ମୃତ୍ୟୁର ବଦଲା ନେବା ପାଇଁ ସେହି ଆତଙ୍କବାଦୀଙ୍କ ଛାତିରେ ଗୁଳି ମାରି, ଆତଙ୍କବାଦକୁ ଶେଷ କରି, ଆତଙ୍କିସ୍ତାନ୍‌କୁ ଧ୍ୱଂସ କରି ।

(କାଳ୍ପନିକ ଗଳ୍ପ)

ଲୋକପ୍ରିୟ ଲେଖା

To Top