ଅଣୁଗଳ୍ପ

ଶାପମୁକ୍ତି

Truptimayee Chopdar's odia Short Story Shaapamukti

ମହାଭାଗ କନ୍ୟା ଆପଣଙ୍କର ବିଷ ଲଗ୍ନରେ ଜାତ ବିଷକନ୍ୟା ଅଟେ

ଶାପମୁକ୍ତି

ଅଳସ ଏକ ଅପରାହ୍ଣ । ଗୃହର ମଧ୍ୟ ଭାଗରେ ଗୋଟିଏ ଜନ୍ମ କୋଷ୍ଠୀ ଉପରେ ଦୃଷ୍ଟି ନିବଦ୍ଧ କରି ବସିଥିଲେ ଜ୍ୟୋତିଶାଚାର୍ଯ୍ୟ । ଭାବ ଗମ୍ଭୀର ତାଙ୍କର ମୁଖ ମଣ୍ଡଳ । ଅନେକ ଉତ୍କଣ୍ଠାର ପ୍ରଶ୍ନବାଚୀ ନେଇ ଚାହିଁ ରହିଥିଲେ ପ୍ରୌଢ଼ ଦମ୍ପତି । ପ୍ରୌଢ଼ାଙ୍କ କୋଳରେ ଶିଶୁ କନ୍ୟାଟିଏ । ଜଡ଼େଇ ଧରିଥାନ୍ତି ସେ ପରମ ଅପତ୍ୟରେ ।

ଜ୍ୟୋତିଶାଚାର୍ଯ୍ୟ ଭାବ ଗମ୍ଭୀର ମୁଦ୍ରା କ୍ରମଶଃ ପ୍ରୌଢ଼ ଦମ୍ପତିଙ୍କର ଅସ୍ୱସ୍ତିରେ ପରିଲକ୍ଷିତ ହେଉଥାଏ । କିଛି ସମୟ ପରେ ଜାତକ ଚକ୍ର ଉପରୁ ଦୃଷ୍ଟି ଅପସାରଣ କଲେ ସେ, ପ୍ରୌଢ଼ ଦମ୍ପତିଙ୍କର ପ୍ରଶ୍ନିଳ ଆତୁର ଦୃଷ୍ଟିରୁ ହୃଦୟଙ୍ଗମ କରି ପାରୁଥିଲେ । ଗମ୍ଭୀର କଣ୍ଠରେ କହିଲେ, “ମହାଭାଗ କନ୍ୟା ଆପଣଙ୍କର ବିଷ ଲଗ୍ନରେ ଜାତ ବିଷକନ୍ୟା ଅଟେ ।”

ଦମ୍ପତିଙ୍କର ଆଖିରେ ଭୟ ବିଷାଦର କାଳିମା । ମୁଖରୁ ବଚନ ସ୍ଫୁରନ ହେଉ ନ ଥାଏ । ପ୍ରୌଢ଼ା ଜଣକ ଶିଶୁ କନ୍ୟାର ମୁହଁକୁ ଚାହିଁ ନିରବରେ ଅଶ୍ରୁପାତ କରୁଥାନ୍ତି । ସେହି ପ୍ରଶ୍ନିଳ ଦୃଷ୍ଟିରେ ପ୍ରଚ୍ଛନ୍ନ ପରବର୍ତ୍ତୀ ପ୍ରଶ୍ନ, ତେବେ ଆମ କନ୍ୟାର କ’ଣ ହେବ ମହାଭାଗ ? କିପରି ହେବ ତା’ର ଭବିଷ୍ୟତ ?? ଜ୍ୟୋତିଶାଚାର୍ଯ୍ୟ ବିଷାଦିତ ପତି ପତ୍ନୀଙ୍କର ମୁଖ ମଣ୍ଡଳ ଦେଖି ସେମାନଙ୍କ ମନର ଉଦ୍‌ବେଳିତ ପ୍ରଶ୍ନ ପଢ଼ି ପାରୁଥିଲେ । ସେ ବୁଝି ପାରୁଥିଲେ ସେମାନଙ୍କର ଅସହାୟତା ହୃଦୟର ଯନ୍ତ୍ରଣା । ସେମାନଙ୍କର ଆର୍ତ୍ତ କାକୁସ୍ଥ ଦୃଷ୍ଟିରେ ଥିଲା ଉପଗତ ସମସ୍ୟା ପ୍ରତି ବିଧାନର ଜିଜ୍ଞାସା । ଆଚାର୍ଯ୍ୟ ମହାଶୟ ଦୀର୍ଘ ନିଶ୍ୱାସ ତ୍ୟାଗ କରି କହିଲେ, “ନା, କୌଣସି ପ୍ରତିବିଧାନ ମୁଁ ଦେଖୁ ନାହିଁ । ପିତାମାତାଙ୍କ ସଂଯୋଗ କାଳେ ବିହି ଯା’ ଲେଖିଲା କପାଳେ ।” ସେମାନଙ୍କୁ ସାନ୍ତ୍ୱନା ଦେବାକୁ ଯାଇ କହିଲେ, “ସ୍ରଷ୍ଟାଙ୍କର ପ୍ରତ୍ୟେକ ସୃଷ୍ଟିରେ ନିହିତ ଥାଏ ଏକ ନିର୍ଦ୍ଦିଷ୍ଟ କାରଣ । ଯେଉଁ କାରଣର ରହସ୍ୟ ଭେଦ କରିବା ଆମ ପକ୍ଷରେ ଅସମ୍ଭବ । ମନୁଷ୍ୟ ନିମିତ୍ତ ମାତ୍ର ।”

ସେଦିନର ସେହି ଶିଶୁ କନ୍ୟାଟି ଥିଲି ମୁଁ ପୌଲମୀ । ଶୁଣିଛି, ଦୀର୍ଘ ଦାମ୍ପତ୍ୟ ଜୀବନରେ ନିଃସନ୍ତାନ ପିତାମାତା ମୋର ଅନେକ ପୂଜା ବ୍ରତ ପରେ ମୋତେ ପାଇଥିଲେ । ମୋର ଜନ୍ମ ପରେ ସେମାନଙ୍କର ଆନନ୍ଦର ସୀମା ନଥିଲା । ସବୁ ପିତାମାତାଙ୍କ ପରି ସେମାନଙ୍କର ମଧ୍ୟ ମୋର ଭବିଷ୍ୟତକୁ ନେଇ କୌତୁହଳ ଆଶା ଆଶଙ୍କା ଥିଲା । ସେଥିପାଇଁ ସେମାନେ ଦ୍ୱାରସ୍ଥ ହୋଇଥିଲେ ଜ୍ୟୋତିଶାଚାର୍ଯ୍ୟଙ୍କ ସମ୍ମୁଖରେ । ତାଙ୍କଠାରୁ ସେଦିନ ସେମାନେ ଯାହା ଶୁଣିଲେ ଦୁଃଖରେ ଭାଙ୍ଗି ପଡ଼ିଲେ । ତା’ପରେ ମୋର ମଧ୍ୟ ଭାଗ୍ୟ ବଦଳି ଯାଇଥିଲା ।

ମୋର ଶୈଶବ ଅନ୍ୟମାନଙ୍କ ପରି ସାବଲୀଳ ନ ଥିଲା । ଶୁଣି ଥିଲି ଦିନକୁ ଦିନ ମୋର ବୟସ ବୃଦ୍ଧି ସହିତ ମୋ ପିତାମାତାଙ୍କର ହତାଶ ଓ ଅସହାୟ ଭାବ ମଧ୍ୟ ତଦ୍ରୁପ ବଢ଼ି ଚାଲିଥାଏ । ଦିନେ ମୁଁ କିଛି ବୁଝି ପାରିବା ପୂର୍ବରୁ ମୋତେ ହସ୍ତାନ୍ତରିତ କରାଗଲା । ମୋର ସମ୍ପୂର୍ଣ୍ଣ ଅଜଣା ଅଶୁଣା ଅପରିଚିତା ଏକ ମହିଳାଙ୍କ ହସ୍ତରେ । ସେହି ମହିଳା ହିଁ ଥିଲେ ମୋର ପରବର୍ତ୍ତୀ ଜୀବନର ପିତାମାତା, ଶୁଭ ଚିନ୍ତକ, ଦିକ୍‌ଦର୍ଶକ, ସବୁକିଛି । ଆଦ୍ୟ ଶୈଶବରୁ ଯୌବନବସ୍ଥା ପର୍ଯ୍ୟନ୍ତ ସେହି ମହିଳାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସଯତ୍ନେ ପ୍ରତିପାଳିତ ହୋଇ ଆସିଥିଲି । ସେ ମୋତେ ଉଭୟ ଜନକ ଜନନୀଙ୍କର ସ୍ନେହ ମମତା ଦେଇ ବଢ଼େଇ ଆସିଥିଲେ । ତାଙ୍କର ସେହି ନିର୍ମଳ ଅପତ୍ୟରେ କୌଣସି ଛଳନା କିମ୍ୱା ଆବିଳତା ନଥିଲା । ତିଳ ତିଳ କରି ସେ ମୋତେ ଗଢ଼ି ଥିଲେ ଶିଳ୍ପୀଟିଏ ମୃଣ୍ମୟୀ ପ୍ରତିମା ଗଢ଼ିଲା ପରି ।

ମୋ ପାଇଁ ନିର୍ଦ୍ଦିଷ୍ଟ ଥିଲା ଏକ ସୁଚିନ୍ତିତ ଦୃଢ଼ ଅନୁଶାସିତ ଜୀବନ ଶୈଳୀ । ମୋର ଖାଦ୍ୟପେୟ ଠାରୁ ଆରମ୍ଭ କରି ଶିକ୍ଷା ଦୀକ୍ଷା ନୃତ୍ୟ ସଂଗୀତ ପର୍ଯ୍ୟନ୍ତ ସବୁଥିଲେ ନିହିତ ଥିଲା ସ୍ୱତନ୍ତ୍ର ସୁନିୟୋଜିତ ନିୟମାବଳୀ । ସେସବୁ ମୋତେ ଅନୁସରଣ କରିବାକୁ ହେଉଥିଲା ଅତି ନିଷ୍ଠାର ସହିତ । ପ୍ରତିଦିନ ଉପଯୁକ୍ତ ଶାରୀରିକ ବ୍ୟାୟାମ ସହିତ କିଛି ନିର୍ଦ୍ଦିଷ୍ଟ ଚେର ମୂଳରୁ ପ୍ରସ୍ତୁତ ରସାୟନ ମୋର ଖାଦ୍ୟପେୟର ମୁଖ୍ୟ ଅଂଶ ଥିଲା । ସେହି ଜନନୀ ସ୍ୱରୂପା ମହିଳାଙ୍କର କେବେ ଅବାଧ୍ୟ ହୋଇନାହିଁ କି କୌଣସି ପ୍ରଶ୍ନ କେବେ କରି ନାହିଁ । ତାଙ୍କର ସ୍ନେହ ସୋହାଗରେ ଭରିଥିବା ଜୀବନ ନେଇ ମୁଁ ଥିଲି ସନ୍ତୁଷ୍ଟ, ପରିପୂର୍ଣ୍ଣ । ସେ ପର୍ଯ୍ୟନ୍ତ ମୁଁ ମୋର ଅତୀତ ସମ୍ୱନ୍ଧରେ ଥିଲି ସମ୍ପୂର୍ଣ୍ଣ ଅଜ୍ଞ ।

ସେ ଥିଲା ଆଦ୍ୟ ବସନ୍ତର ଏକ ସ୍ୱର୍ଣ୍ଣିମ ସନ୍ଧ୍ୟା । ସେଦିନ ଅବସର ସମୟରେ ମୁଁ ଉଦ୍ୟାନରେ ସନ୍ଧ୍ୟା ଭ୍ରମଣ କରୁଥାଏ । ମଳୟର ମୃଦୁ ପଦପାତ ଏଇ ମାତ୍ର ପଡ଼ିଥାଏ ଧରଣୀ ବକ୍ଷରେ । ତାକୁ ସ୍ୱାଗତ କରୁଥାନ୍ତି ପୁଷ୍ପ ବଟିକାରେ ମୁକୁଳିତ ରାଶି ରାଶି ପୁଷ୍ପ ରାଜି । ମଳୟର ସାଥେ ଭାସି ବୁଲୁଥାଏ ସେମାନଙ୍କର ମନ ମତାଣିଆ ସୌରଭ । ଭ୍ରମର ସବୁ ଆକୃଷ୍ଟ ହେଉଥାନ୍ତି ସୁଗନ୍ଧରେ । ସମୂହ ମଧୁପଙ୍କର ଗୁଞ୍ଜନରେ ଗୁଞ୍ଜରିତ ହେଉ ଥାଏ ବଟିକାର ନିର୍ଜ୍ଜନ ପରିବେଶ । ସବୁ କିଛି ଅତୀତ ମନୋମୁଗ୍ଧକର ଓ ଉପଭୋଗ୍ୟ ମନେ ହେଉଥିଲା ।

ଠିକ୍ ସେତିକି ବେଳେ ଘଟିଗଲା ଏକ ଅଘଟଣ । ଉଦ୍‌ଘାଟିତ ହେଲା ମୋ ଜୀବନର ଚରମ ରହସ୍ୟ । ଯେତେବେଳେ ଏକ ଅଳି ଦଂଶନର ତୀବ୍ର ଜ୍ୱାଳାରେ ଅତିଷ୍ଠ ମୁଁ, ଯନ୍ତ୍ରଣାରେ କାତର, ଲକ୍ଷ୍ୟ କଲି ମୋତେ ଦଂଶନ କରିଥିବା ଅଳିଟି ଅବସ ହୋଇ ମାଟିରେ ପଡ଼ିଛି । ନିରେଖି ଜାଣିଲି ସେ ମୃତ । ସେତେବେଳେ ମୋର ଆଶ୍ଚର୍ଯ୍ୟର ସୀମା ନ ଥାଏ । ମୁଁ ଭୁଲି ସାରି ଥାଏ ମୋର ଯନ୍ତ୍ରଣାର ଜ୍ୱାଳା । ତା’ହେଲେ. . . (!)

ଦୌଡ଼ିଗଲି ମୋ ଜନନୀଙ୍କ ପାଖକୁ । ଉଦ୍ୟାନରେ ଘଟି ଯାଇଥିବା ସମସ୍ତ ବୃତ୍ତାନ୍ତ ତାଙ୍କୁ ଅବଗତ କଲି । ସେ ଧୀର ସ୍ଥିର ଭାବରେ ନିରବରେ ଶୁଣି ଥିଲେ ମୋର ବକ୍ତବ୍ୟ । ତାଙ୍କର ମୁଖ ମଣ୍ଡଳରେ ଫୁଟି ଉଠୁଥିଲା କ୍ରମଶଃ ସ୍ୱସ୍ତିର ଲକ୍ଷଣ । କିଛି ସମୟ ପରେ, ଗମ୍ଭୀର ନିଶ୍ୱାସ ତ୍ୟାଗ କରି ଧୀର ଅଥଚ ସ୍ନିଗ୍ଧ ବିଷାଦିତ ଗଳାରେ କହିଲେ, “ହଁ ମା’ ! ତୋର ଆଶଙ୍କା ସତ୍ୟ ! ତୁ ବିଷ କନ୍ୟା !” ଆଶ୍ଚର୍ଯ୍ୟ ହତ୍‌ବାକ୍ ମୁଁ । ସେଦିନ ତାଙ୍କଠାରୁ ପ୍ରଥମ କରି ଜାଣିବାକୁ ପାଇଥିଲି ମୋର ପ୍ରକୃତ ପରିଚୟ ଓ ଜୀବନ ବୃତ୍ତାନ୍ତ । ପାଇଥିଲି ପରିଚୟ ମୋର ପ୍ରକୃତ ଜନ୍ମଦାତା ଓ ଜନ୍ମଦାତ୍ରୀଙ୍କର । ସେଦିନ ମୋର ଜନ୍ମ ବୃତ୍ତାନ୍ତ ଓ ପରବର୍ତ୍ତୀ ଘଟଣାବଳୀର ପ୍ରକୃତ ଚିତ୍ର କ୍ରମାନ୍ୱୟରେ ଉନ୍ମୋଚିତ ହେଲା, ଉଦ୍‌ଘାଟିତ ହେଲା ମୋ ଜୀବନର ବାସ୍ତବ ନିଷ୍ଠୁର ସତ୍ୟ ।

ଏହି ଅପ୍ରତ୍ୟାଶିତ ଘଟଣାରେ ନିର୍ବାକ୍, ନିସ୍ପନ୍ଦ ମୁଁ । ଆଖିରୁ ମୋର ଝରି ଚାଲିଥାଏ ଅଶ୍ରୁର ଧାରା । ସେହି ନିଷ୍ଠୁର ସତ୍ୟ ହରଣ କରିଥିଲା ମୋ ଜୀବନର ସମସ୍ତ ସାବଲୀଳତା । ଭାଙ୍ଗି ଯାଇଥିଲା ମୋର ସ୍ୱପ୍ନର ସୌଧ । ଯେଉଁ ସ୍ୱପ୍ନକୁ ଆଚ୍ଛାଦିତ କରିଥିଲା ମୋ କାଳ୍ପନିକ କାମ୍ୟପୁରୁଷର ସ୍ନେହ-ସୋହାଗ-ପ୍ରେମ-ପ୍ରୀତି । ଅଦିନ କୁହୁଡ଼ି ପରି କ୍ଷଣିକେ ମିଳେଇଗଲା । ସବୁ ନାରୀଙ୍କ ପରି ମୁଁ ମଧ୍ୟ ଦେଖୁଥିଲି ସ୍ୱପ୍ନ, ମୋର ଏକ କ୍ଷୁଦ୍ର ଗୃହାଙ୍ଗନ । ସ୍ୱାମୀ- ସନ୍ତାନ ଆତ୍ମୀୟ ସ୍ୱଜନଙ୍କୁ ନେଇ ଗଢ଼ିଥିଲି ମୋର ସ୍ୱପ୍ନର ସଂସାର ।

କିନ୍ତୁ ଏ କ’ଣ ? ଏ ଯେ ଏକ ନିଷ୍ଠୁର ଅବାସ୍ତବ ସତ୍ୟ ମୋ ପାଇଁ, ହଠାତ୍ ମୋ ଜୀବନ ଛନ୍ଦରେ ଯତିପାତ । ବିଷ ଲଗ୍ନ ବିଷକନ୍ୟା ମୁଁ ! ! ଏତେ ଦିନ ଯାଏଁ ତିଳ ତିଳ କରି ଗଢ଼ା ହେଉଥିଲି ବିଷକନ୍ୟା ଭାବରେ, ସମ୍ପୂର୍ଣ୍ଣ ରାଜକୀୟ ବ୍ୟୟରେ । ଶାସନତନ୍ତ୍ରର ମୁଁ ଥିଲି ଏକ ଅପରିହାର୍ଯ୍ୟ ଅଙ୍ଗ । । ମୋର ସୌନ୍ଦର୍ଯ୍ୟରେ, ହାସ୍ୟଲାସ୍ୟରେ ଭାରି ରହିଥିଲା ପ୍ରାଣଘାତି ହଳାହଳ । ଏତେ ଦିନ ପରେ ମୁଁ ଆପଣାର ଜନ୍ମଦାତ୍ରୀ ବୋଲି ଜାଣିଥିବା ମହିଳାଙ୍କର କର୍ତ୍ତବ୍ୟ ଶେଷ ହେଲା ।

ଆରମ୍ଭ ହେଲା ମୋର କର୍ମମୟ ଜୀବନ । ମଥୁରା ନଗରୀର ରାଜପ୍ରାସାଦର ଅଳିନ୍ଦରେ ଗୁଞ୍ଜାରିତ ହେଲା ମୋ ରୂପ-ରସ-ଛନ୍ଦର ନିକ୍ୱଣ । ଦୁଃଖ ଯନ୍ତ୍ରଣା ହତାଶରେ ହୃଦୟ ମୋର ବିଦୀର୍ଣ୍ଣ ହେଉଥାଏ । ଦେବାଳୟରେ ମଥା ପିଟି ଅନେକ କାନ୍ଦିଛି । ଗୁହାରି କରିଛି ମୋର ଇଷ୍ଟଙ୍କୁ । ସୃଷ୍ଟିକର୍ତ୍ତା ସର୍ବଶକ୍ତିମାନ ସେହି ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛି ମୋ ଅଭିଶପ୍ତ ଜୀବନର ମୁକ୍ତି ପାଇଁ ।

ମୋ କର୍ମମୟ ଜୀବନର ଅୟମାରମ୍ଭରେ ପ୍ରବଳ ପ୍ରତାପୀ ମଥୁରା ନରେଶ କଂସ ରାଜାଙ୍କ ଦରବାରରୁ ଆସିଲା ମୋ ପାଇଁ ଆଦେଶନାମା । ଭାଦ୍ରବର ସେହି ଉଦ୍ଭ୍ରାନ୍ତ ରଜନୀରେ ଜନ୍ମିତ ସେହି ନିର୍ଦ୍ଦିଷ୍ଟ ଶିଶୁର ଅନୁସନ୍ଧାନ କରି ସ୍ତନ୍ୟପାନ ପୂର୍ବକ ମୃତ୍ୟୁମୁଖକୁ ଠେଲି ଦେବା ପାଇଁ । ହୃଦୟ ମୋର ଉଦ୍‌ବେଳିତ, କୋହରେ ବିଦୀର୍ଣ୍ଣ ହେଉଥାଏ । ଏ କି ପ୍ରକାର ଜୀବନ ଦେଲ ପ୍ରଭୁ ! ଜନ୍ମ ଯଦି ଦେଲ ବିଷକନ୍ୟା ରୂପରେ, ସେହି ବିଷର ଜ୍ୱାଳା ଅବିପ୍ରେତ କଲ ନବଜାତକ ସକାଶେ । ଏ କି ନିଷ୍ଠୁର ଲୀଳା ତୁମର ହେ ଲୀଳାମୟ ! ! କାହିଁକି ମୋତେ ଏ ପାପରେ ଜଡ଼େଇ ଦେଲ ପ୍ରଭୋ ? ଏ ପାପର ପ୍ରାୟଶ୍ଚିତ ଅବା କ’ଣ ? ଏତେ କଳୁଷର କାଳିମା ନେଇ କେମିତି ବଞ୍ଚିବି ଦୟାମୟ ?

ପୌଲମୀରୁ ପୁତନାର ପରିଚୟ ନେଇ ରାଜାଦେଶରେ ଘୁରି ବୁଲିଲି ମୋ ଇପ୍ସିତର ସନ୍ଧାନରେ । ପୁତ ଖାଇ- ପୁତନା-ପୁତନା ଅସୁରୁଣୀ ଏମିତି ଅନେକ ପରିଚୟ ଘୁରି ବୁଲିଲା ମଥୁରା ନଗରୀରେ । ସେହି ଭାଦ୍ର ଅଷ୍ଟମୀର ଘନ ଘୋର ବର୍ଷଣ ମୁଖର ରାତ୍ରିରେ ଜନ୍ମିତ ଶିଶୁର ସନ୍ଧାନରେ ମୁଁ ଘୁରି ବୁଲିଲି । ଆକୁଳିତ ହୃଦୟ ମୋର ଏଥିରୁ ନିଃସ୍କୃତି ନିମନ୍ତେ ପ୍ରତି ମୁହୂର୍ତ୍ତରେ ପ୍ରାର୍ଥନାରତ ସର୍ବଶକ୍ତିମାନ ଈଶ୍ୱରଙ୍କ ନିକଟରେ ।

ହେଲେ ହେ ଦୟାମୟ ! ମୁଁ କି ଜାଣିଥିଲି ମୋ ପ୍ରତି ତମର ଏତେ ସଦୟା ହେବ । ମୋ ପରି ହତଭାଗିନୀ ନାରୀକୁ ଆପଣର କରୁଣାରେ ଉଦ୍‌ବେଳିତ କରି ସ୍ୱର୍ଗୀୟ ଆନନ୍ଦରେ ଭରି ଦେବା ମୋ ଜୀବନର ଶୂନ୍ୟତା ।

ଶେଷରେ ପାଇଲି ତୁମର ସନ୍ଧାନ । ତୁମର ସନ୍ଦର୍ଶନ ହେଲା ଗୋପପୁରରେ, ତୁମର ଜନ୍ମ ଉତ୍ସବରେ, ନନ୍ଦରାଜାଙ୍କର ଉଆସରେ । ସେଦିନ ଲୋକାରଣ୍ୟ ଗୋପପୁର । ଅନ୍ନଦମୁଖର ନନ୍ଦରାଜାଙ୍କର ଉଆସ । ଆନନ୍ଦ ଉଲ୍ଲାସରେ ଚତୁର୍ଦ୍ଦିଗ ଉଲ୍ଲସିତ । ତୁମକୁ ଦେଖୁ ଥାଏ ମୋ ନିର୍ଣ୍ଣିଶେଷ ନୟନରେ । ଚନ୍ଦନ ଝୁଲଣରେ ଶୋଇ ତୁମେ ମୋତେ ଦେଖୁଥିଲ । ସେଦିନ ଭାବ ବିହ୍ୱଳିତ ମୁଁ ତୁମ ଆଖିରେ ଦେଖୁଥିଲି ମୁକ୍ତିର ପ୍ରତିଶ୍ରୁତି । ହୃଦୟରେ ମୋର ଉଦ୍‌ବେଳନ, ଶରୀର ମୋର ରୋମାଞ୍ଚିତ । ତୁମ ଶରୀରର ନୀଳାଦ୍ୟୁତିରେ ମୁଁ ଦେଖୁଥିଲି ପ୍ରଶାନ୍ତିର ସୁନୀଳ ଅମ୍ୱରକୁ । ହେଉଥିଲା ଆନନ୍ଦରେ ଆଲ୍ଲାଦିତ, ପୁଲକିତ ହୃଦୟ ମୋର । ତୁମକୁ ଚିହ୍ନି ପାରିଥିଲା ମୋର ଅବଚେତନ । ତୁମେ ହିଁ ଯେ ମୋର ଇପ୍ସିତ । ମୋର ମୁକ୍ତିଦାତା ! ! କୋଳେଇ ନେଲି ମୁଁ ତୁମକୁ ପରମ ଆଲ୍ଲାଦରେ । ଜନନୀ ନ ହୋଇ ବି ସେଦିନ ମୋ ସ୍ତନରୁ ଝରି ଆସିଥିଲା ମୋ ସୌଭାଗ୍ୟର ଧାରା । ମାତୃତ୍ୱର ପରମ ଐଶ୍ୱର୍ଯ୍ୟରେ କରିଥିଲ ମୋତେ ଐଶ୍ୱର୍ଯ୍ୟମୟୀ । ମୋ ଜନ୍ମଜନ୍ମର ପାପ-ତାପ, କ୍ଳେଶ-କ୍ଳୀଷ୍ଟ, ଯାତନା-ବେଦନା, ତରଳି ଧୋଇ ଯାଇଥିଲା ମୋର ଆନନ୍ଦାଶ୍ରୁ । ତୁମେ ମୋତେ ମୁକ୍ତି ଦେଲ ମୋ ଅଭିଶପ୍ତ ଜୀବନରୁ ।

ହେ କରୁଣା ସାଗର । ମାତୃ ଋଣ ପରିଶୋଧ କରି ହୁଏନାହିଁ । କିନ୍ତୁ ତୁମେ ଯେ ମୋତେ ଚିରକାଳ ଋଣୀ କରିଦେଲ । ଋଣୀ କରିଦେଲ ମୋତେ ହେ କୃଷ୍ଣ ! ପୃଥିବୀରେ ମୁଁ ଏକମାତ୍ର ମା ଯିଏ ତୁମ ପରି ପୁତ୍ର ଋଣରେ ଋଣୀ ହେବାର ସୌଭାଗ୍ୟରେ ମହିମାନ୍ୟୁତ ! !

ଲୋକପ୍ରିୟ ଲେଖା

To Top