ଅଣୁଗଳ୍ପ

ଶରୀର; ନା ହେଲା ସ୍ୱାମୀର, ନା ହେଲା ପ୍ରେମିକର !

Sagaria Abhiram's odia Short Story Sharira Naa Helaa Swamira Naa Premikara

ସୁଲଗ୍ନା ନିଜ ସ୍ୱାମୀର ଫେରିବା ବାଟକୁ ଅପେକ୍ଷାକରି ଭାବୁଥିଲା, ଆଜି ଆସିଲା ବେଳେ କେଉଁଟି ମଦ ନିଶାରେ ଗାଡ଼ି ପିଟି ମରିଯାନ୍ତେ କି, ମୁଁ ମୋ ମନର ମଣିଷ ସହ ଗୋଟେ ସଂସାର ଗଢ଼ନ୍ତି ।

ଶରୀର; ନା ହେଲା ସ୍ୱାମୀର, ନା ହେଲା ପ୍ରେମିକର !

କଲେଜରେ ପଢ଼ିଲା ଦିନଠାକୁ ହିଁ ପ୍ରତ୍ୟୁଷର ପ୍ରେମରେ ପଡ଼ିଯାଇଥିଲା ସୁଲଗ୍ନା । ପଢ଼ା ସରିବା ପରେ ଦୁହେଁ ବିବାହର ପବିତ୍ର ବନ୍ଧନରେ ବାନ୍ଧି ହୋଇଯିବାର ନିଷ୍ପତ୍ତି ନେଲେ । ମାତ୍ର ଯେତେବେଳେ ସୁଲଗ୍ନା ତା’ର ପ୍ରେମ ସମ୍ପର୍କ ବିଷୟରେ ଘରେ ଜଣାଇଲା, ତା’ର ବାପା, ମା’ ଏହି ପ୍ରସ୍ତାବରେ ରାଜି ହୋଇ ନଥିଲେ । କାରଣ ସେମାନେ ଥିଲେ ବ୍ରାହ୍ମଣ ଓ ପ୍ରତ୍ୟୁଷ ଥିଲା ବାରିକ ଘରର ପୁଅ । ଅଜାତିରେ ନିଜ ଝିଅକୁ ବାହା ନ ଦେଇ ନିଜ ଜାତିର ଏକ ବରପୁତ୍ର ସହ ସୁଲଗ୍ନାକୁ ବାହା କରାଇଦେଲେ ତା’ ବାପା । ସୁଲଗ୍ନା ମଧ୍ୟ ନିଜ ବାପାଙ୍କ କଥା ବାହାରକୁ ନ ଯାଇପାରି ବାହା ହୋଇଯାଇଥିଲା ନିଜ ଜାତିର ବରପୁତ୍ର ମନୋଜକୁ । ହେଲେ ସୁଲଗ୍ନା ହୃଦୟରୁ ଭୁଲିପାରିନଥିଲା ପ୍ରତ୍ୟୁଷକୁ କି ଆପଣେଇ ପାରିନଥିଲା ମନୋଜକୁ । ବାହାଘର ପରେ ନିଜ ସ୍ୱାମୀ ମନୋଜ ସହିତ ଅନ୍ୟ ଏକ ସହରରେ ବାସ କରିବାକୁ ଚାଲିଯାଇଥିଲା ସୁଲଗ୍ନା । ହେଲେ ବାହାଘର ପରେ ମଧ୍ୟ ସେ ନିଜ ପୁରୁଣା ପ୍ରେମିକ ସହ ସୋସିଆଲ୍ ନେଟ୍ୱର୍କରେ କଥାବାର୍ତ୍ତା ଛାଡ଼ି ନଥିଲା । ତା’ ସ୍ୱାମୀ ଭିତରେ ସେମିତି କିଛି ଖରାପ ଗୁଣ ନଥିଲା କେବଳ ମଦ ପିଇବାକୁ ଛାଡ଼ିକି, ହେଲେ କାହିଁକି କେଜାଣି ଅତୀତକୁ ଭୁଲି ବର୍ତ୍ତମାନରେ ବଞ୍ଚିବାକୁ ରାଜିନଥିଲା ସୁଲଗ୍ନା । ବେଳେ ବେଳେ ମନୋଜ ନିଶାଗ୍ରସ୍ତ ହୋଇ ରାତିରେ ଘରକୁ ଫେରେ ଓ ନିଜ ସ୍ତ୍ରୀ ଉପରେ ବିରକ୍ତି ହୁଏ, ସେତେବେଳେ ପ୍ରତ୍ୟୁଷ କଥା ଭାରି ମନେପଡ଼େ ସୁଲଗ୍ନାର । ପ୍ରତ୍ୟୁଷର ସେ ପ୍ରେମ, ସେ ଆନ୍ତରିକତା, ସେ ମଧୁର ବଚନ ଯାହା ସେ ମନୋଜ ଠାରୁ ପାଏ ନାହିଁ, ବୋଧେ ସେ ପାଇବାକୁ ଚାହେଁ ନାହିଁ ।

ବାହାଘରର ତିନି ମାସ ହୋଇ ଯାଇଥିଲା । ମନୋଜ ବହୁତ ଚେଷ୍ଟା କରିଚି ସୁଲଗ୍ନାକୁ ନିଜ ସ୍ତ୍ରୀର ଦର୍ଜା ଦେବା ପାଇଁ । ତା’ ପ୍ରେମରେ ପଡ଼ି ମଦକୁ ଭୁଲିଯିବା ପାଇଁ । ହେଲେ ଶତ ଚେଷ୍ଟା ପରେ ମଧ୍ୟ ସେ ତା’ ସ୍ତ୍ରୀ ପାଖରୁ ସେ ଆପଣାପଣ ପାଇ ପାରି ନଥିଲା । ବୋଧେ ସେଥିପାଇଁ ମଦକୁ ନିଜ ସାଥି ଭାବେ ବାଛି ନେଇଥିଲା । ମଦ ନିଶାରେ ଦୁର୍ଘଟଣା କରି ପନ୍ଦର ଦିନ ହାଜତ୍‌ରେ ମଧ୍ୟ ରହିସାରିଥିଲା ମନୋଜ । ତଥାପି ସେ ପିଉଥିଲା, ବୋଧେ ନିଜ ଲୋକ ନିଜର ନହେବା ଦୁଃଖରେ । ଏଣେ ପ୍ରତ୍ୟୁଷ ଯେତେବେଳେ ମେସେଜ୍ କରି ସୁଲଗ୍ନାକୁ ଜଣାଇଲା ସେ ମଧ୍ୟ ତାଙ୍କ ସହରରେ ଚାକିରୀ ପାଇ ରହିବା ଆରମ୍ଭ କରିଚି, ସେତେବେଳେ ସୁଲଗ୍ନାର ଖୁସି ଆହୁରି ବଢ଼ି ଯାଇଥିଲା । ମନୋଜ ଅଫିସ୍ ଗଲାପରେ ସୁଲଗ୍ନା ଫୋନ୍‌ରେ ଅନେକ ଗପେ ପ୍ରତ୍ୟୁଷ ସହ । ସେମାନେ ଦୁହେଁ ପୁଣି ଏକାଠି ହେବାର ସ୍ୱପ୍ନ ଦେଖନ୍ତି ।

ବାହାଘର ପରେ ପ୍ରଥମ ସାବିତ୍ରୀ ବ୍ରତ ପଡ଼ିଥାଏ ସେଦିନ । ଲୋକ ଦେଖାଣିଆ ସୁଲଗ୍ନା ଖାଲି ବ୍ରତ ରଖିଥାଏ ମନୋଜ ପାଇଁ ହେଲେ ହୃଦୟରୁ ଠାକୁରଙ୍କୁ ଡାକୁଥାଏ ପ୍ରତ୍ୟୁଷର ଲମ୍ୱା ଜୀବନ ପାଇଁ । ରାତି ପ୍ରାୟ ଦଶଟା ପାଖାପାଖି ହୋଇଯାଇଥିଲା । ମନୋଜ ଘରକୁ ଫେରିନଥିଲା । ସୁଲଗ୍ନା ନିଜ ସ୍ୱାମୀର ଫେରିବା ବାଟକୁ ଅପେକ୍ଷାକରି ଭାବୁଥିଲା, ଆଜି ଆସିଲା ବେଳେ କେଉଁଟି ମଦ ନିଶାରେ ଗାଡ଼ି ପିଟି ମରିଯାନ୍ତେ କି, ମୁଁ ମୋ ମନର ମଣିଷ ସହ ଗୋଟେ ସଂସାର ଗଢ଼ନ୍ତି । ଏଭଳି ଭାବୁଥିବା ସମୟରେ ଫୋନ୍‌ଟି ବାଜି ଉଠିଲା ସୁଲଗ୍ନାର । ଏକ ଅଜଣା ନମ୍ୱର ଥିଲା । ସୁଲଗ୍ନା ଫୋନ୍ ଗ୍ରହଣ କରିବା ପରେ ସେପଟୁ କେହି ଜଣେ କହିଲେ, “ଆପଣଙ୍କ ସ୍ୱାମୀଙ୍କର ନେହେରୁ ଛକରେ ଦୁର୍ଘଟଣାରେ ମୃତ୍ୟୁ ଘଟିଚି ।” ନିଜ କାନ ଉପରେ ବିଶ୍ୱାସ କରିପାରିଲାନି ସୁଲଗ୍ନା । ସାବିତ୍ରୀ ବ୍ରତରେ ସ୍ୱାମୀର ମୃତ୍ୟୁ ଡାକ ଠାକୁର ଏତେ ଶୀଘ୍ର ଶୁଣିବେ ତା’ର ଆଶା ନ ଥିଲା । ସେ ପ୍ରଥମେ ଟିକେ ଡରି ଯାଇଥିଲା ହେଲେ ପରେ ପରେ ତା’ର ଖୁସିର ଠିକଣା ରହିଲା ନାହିଁ । ନିଜ ବାପାଙ୍କୁ ଏହି ଖବର ଛଳନା କାନ୍ଦି କାନ୍ଦି ଜଣାଇ ଦେଲା ଆଉ ମଧ୍ୟ କହିଲା ତା’ର ପ୍ରେମକୁ ନ ବୁଝି ଗୋଟେ ମଦୁଆ ସହ ବାହାଘର କରି ତା’ ଜୀବନ ନଷ୍ଟ କରିଦେଇଚନ୍ତି ତା’ ମା’, ବାପା ଏହାର କିଛି ସମୟ ପରେ ତାକୁ ତା’ର ଏକ ସାଙ୍ଗର ଫୋନ୍ ଆସିଲା ଓ ସେ ସୁଲଗ୍ନାକୁ ଜଣାଇଲା, “ହ୍ୟାଲୋ, ସୁଲଗ୍ନା, ଆରେ, ପ୍ରତ୍ୟୁଷ ନେହେରୁ ଛକରେ ଗୋଟେ ଦୁର୍ଘଟଣା କରିଦେଇଚି । ସେ ଲୋକଟା ସେଇଠି ମରିଗଲା । ପ୍ରତ୍ୟୁଷ ମଦ ପିଇକି ଗାଡ଼ି ଚଲାଉଥିଲା । ପୋଲିସ୍ ଧରିଚି, ଯାହା ହେଲେ ବି ୧୦/୧୫ ବର୍ଷରୁ କମ୍ ଜେଲ୍ ହବନି । ତୁ ତାକୁ ଭୁଲିଯା’ ।” ଯେଉଁ ପ୍ରେମିକ ପାଇଁ ସୁଲଗ୍ନା ତା’ ସ୍ୱାମୀକୁ ନିଜର କରିପାରିନଥିଲା, ସେ ପ୍ରେମିକ ତାକୁ ଗୋଟେ କଥା ଲୁଚେଇ ଥିଲା କି ସେ ବି ମଦ ପିଏ ।

ମଣିଷ ଯେତେବେଳେ ପର ଓ ଆପଣାର ପ୍ରଭେଦ ବୁଝେ ନାହିଁ, ସମ୍ପର୍କକୁ ସମ୍ମାନ ଦିଏ ନାହିଁ, ସେତେବେଳେ ସେ ଏମିତି କିଛି ହରାଏ ଯାହାକୁ ସେ ଯେତେ କାନ୍ଦିଲେ ମଧ୍ୟ ଆଉ ଫେରିପାଏ ନାହିଁ । କାରଣ ସମୟ ଥରେ ବିତିଗଲେ ଆଉ ଫେରେ ନାହିଁ । ଯାହା ପାଖରେ ନିଜକୁ ସମର୍ପି ଦେବା କଥା ତା’ ଠାରୁ ଦୂରେଇ ରହି ପର ପୁରୁଷର ଆଶାରେ ଥିଲା ସୁଲଗ୍ନା । ସେ ନା ହେଇପାରିଲା ତା’ ସ୍ୱାମୀର, ନା ପ୍ରେମିକର !

ଲୋକପ୍ରିୟ ଲେଖା

To Top