ଅଣୁଗଳ୍ପ

ସରି ! ଚିହ୍ନିପାରିଲିନି…

Ritika Pattanaik's odia short story Sorry Chihnipaarilini

ମୋ ନଂ ମଧ୍ୟ ବଦଳିଗଲା । ତେଣୁ ତୁମ ସହ ଯୋଗାଯୋଗ ହେଇପାରିଲାନି । ତୁମେ ବୋଧେ ମତେ ଭୁଲ ବୁଝିଥିବ ।

ସରି ! ଚିହ୍ନିପାରିଲିନି...

“ମତେ ଚିହ୍ନି ପାରୁଛ ?”….. କହି ଏକ ଯୁବକ ପାଖରେ ବସିପଡ଼ିଲା ଝିଅଟିଏ । ଟ୍ରେନର ଛୁକ୍‌ଛୁକ୍ ଶବ୍ଦକୁ ପ୍ରତିହତ କରିବାକୁ ଯାଇ ସେ ଟିକେ ଜୋର୍‌ରେ କହିଲା । ତା’ ଆଖିରେ ଖୁସିର ଲହର ଓ କଥାରେ ଏକ ଅହେତୁକ ଉଦ୍ଧୀପନା ବର୍ଣ୍ଣନା କରୁଥିଲା ଯେମିତି ସେ କିଛି ହଜିଲା ଜିନିଷ ଖୋଜି ପାଇଛି । ଆଖପାଖରେ ବସିଥିବା କିଛି ଯାତ୍ରୀଙ୍କ ନଜର ତା’ ଉପରେ ଲାଖିଗଲା । ନିଜ ସ୍ମାର୍ଟ ଫୋନରେ ଗେମ୍ ଖେଳିବାରେ ବ୍ୟସ୍ତ ଯୁବକଟି ହଠାତ୍ ଏଭଳି ସମ୍ବୋଦନରେ ଆଶ୍ଚର୍ଯ୍ୟ ହେଇ ତା’ ଆଡ଼େ ଚାହିଁ ଟିକେ ଘୁଞ୍ଚିଗଲା । ଝିଅଟିର ମୁହଁ ସାରା ଓ ବେକରେ ଧଳା ଛଉ ଭଳି ଦାଗ ସତ୍ୱେ ତା ଧାରୁଆ ନାକ ଓ ସୁନ୍ଦର ବାଦାମୀ ଉଦାସୀ ବଡ଼ ବଡ଼ ଆଖି ଦୁଇଟି ବର୍ଣ୍ଣନା କରୁଥିଲା ତା ବିଗତ ସୁନ୍ଦରତା ।

“ମନେ ଅଛି ନା ଦୁଇ ବର୍ଷ ତଳେ ଏମିତି ଟ୍ରେନରେ ଦେଖାହେଇଥିଲା ଯେବେ ମୁଁ କମ୍ପିଟେଟିଭ୍ ପରୀକ୍ଷା କୋଚିଂ ପାଇଁ ଭୁବେନେଶ୍ୱର ଯିବା ଆସିବା କରୁଥିଲି । ବାସ୍ ହାତ ଗଣତି କେତେଥର ମାତ୍ର ଦେଖା ଭିତରେ ହିଁ ଆମେ ବନ୍ଧୁ ହେଇଯାଇଥିଲୁ! ଏହି ତ ! ମୋ ଫଟୋ …ତୁମ ଫୋନର ୱାଲପେପରରେ ଯେ ! ମୋ ମୋବାଇଲ ହଜିଗଲା ଆଉ ତୁମ ନମ୍ବର ବି । ମୋ ନଂ ମଧ୍ୟ ବଦଳିଗଲା । ତେଣୁ ତୁମ ସହ ଯୋଗାଯୋଗ ହେଇପାରିଲାନି । ତୁମେ ବୋଧେ ମତେ ଭୁଲ ବୁଝିଥିବ ।” ଯୁବକଟି ଚମକିପଡ଼ି ଫୋନଟି ଦୃଷ୍ଟି ଆଢୁଆଳକୁ ନେଇ ୱାଲପେପର ବଦଳାଇ ଦେଲା । ଏହା ଜାଣି ପାରିି ଆଗ୍ରହ ଓ ଖୁସିରେ ଅନର୍ଗଳ ଗପି ଚାଲିଥିବା ଝିଅଟିର ସେହି ସତେଜ ବାଦାମୀ ଆଖିରେ ପୁଣି କଳାମେଘ ଛାଇଗଲା ।

“ସରି ଚିହ୍ନିପାରିଲିନି” କହି….ଦୃଷ୍ଟି ଫେରେଇ ନେବା ଅବସରରେ ଯୁବକଟି ଲକ୍ଷ୍ୟ କଲା ପବନରେ ଉଡ଼ୁଥିବା ସେ ଝିଅଟିର କେରା କେରା କେଶ ବି କିଛିଟା ଧଳା ପଡ଼ି ଆସୁଛି । “ଏହି ରୋଗ ଯୋଗୁଁ ବୋଧହୁଏ!” ଦୀର୍ଘନିଶ୍ୱାସଟିଏ ପକାଇ ସେ ଏକ ନମ୍ବର ଡାଏଲ କଲା, “ବୋଉ, ମାଉସୀ ଯେଉଁ ବାହାଘର ପ୍ରସ୍ତାବ ପଠାଇଥିଲେ, ମୋ ମୋବାଇଲକୁ ସେ ଝିଅର ଫଟୋଟି ପଠାଅ ତ !” ସେଇ ସମୟରେ ଟ୍ରେନଟି ଏକ ଛୋଟ ଷ୍ଟେସନରେ ଅଟକିଲା ଓ ସେ ଯୁବକଟି ତରବର ହେଇ ନିଜ ବ୍ୟାକ୍‌ପ୍ୟାକ୍‌ଟି କାନ୍ଧରେ ଓହଲାଇ ଉଠିପଡ଼ିଲା । ଅନେକ କିଛି କହିବାକୁ ଚାହୁଁଥିବା ସେ ଝିଅଟିର ଅଧିର ଓଠ ସ୍ଥିର ହେଇଗଲା ଓ ସେ ଯୁବକଟିର ଯିବା ବାଟକୁ ଅନାଇ ରହିଲା । ଦି’ମିିନିଟ ପରେ ଟ୍ରେନଟି ପୁଣି ଚାଲିବା ଆରମ୍ଭ କରିଥିଲା । ସେ ଝିଅଟି ଝରକା ବାହାରକୁ ଅନାଇ ଜାଣିବାକୁ ଚେଷ୍ଟା କଲା ଷ୍ଟେସନଟିର ନାମ । କିନ୍ତୁ ସେତେବେଳକୁ ଟ୍ରେନଟି ନାମଫଳକ ପାର ହେଇ ସାରିଥିଲା ।

ଲୋକପ୍ରିୟ ଲେଖା

To Top