ଅଣୁଗଳ୍ପ

ସୁନା ମୁକୁଟ

Hemanta Kumar Rout's odia short story Sunaa Mukuta

ମୁଁ କବି ମୋର ପ୍ରାଚୁର୍ଯ୍ୟର ପ୍ରୟୋଜନ ନାହିଁ । ମୋତେ କେବଳ ଭଲ କବିତା ଲେଖିବାକୁ ପ୍ରେରଣା ଦିଅନ୍ତୁ ।

ସୁନା ମୁକୁଟ

କୁରୁପତି ଦୁର୍ଯ୍ୟୋଧନ ଅର୍ଜୁନଙ୍କୁ ସ୍ପଷ୍ଟ ଭାବରେ କହିଲେ, “ଯଦି ମୋଠାରୁ କିଛି ଭିକ୍ଷା ଚାହୁଁଛ ତାହାହେଲେ ଭାବିଚିନ୍ତି ଭିକ୍ଷାମାଗ ସବ୍ୟସାଚୀ । କାଲି ସୂର୍ଯ୍ୟୋଦୟ ପୂର୍ବରୁ ପିତାମହ ଭୀଷ୍ମ ଧରଣୀରୁ ପାଣ୍ଡବମାନଙ୍କୁ ସମୂଳେ ବିନାଶ କରିବେ । ତୁମମାନଙ୍କର ମୃତ୍ୟୁ ଅନିବାର୍ଯ୍ୟ । ଅତୀତରେ ତୁମେ ମୋତେ ଚିତ୍ରସେନ ଗନ୍ଧର୍ବଙ୍କଠାରୁ ରକ୍ଷା କରିଛ । ସେଥିପାଇଁ ମୁଁ କୃତଜ୍ଞ ! ମୁଁ ତୁମଠାରୁ ଋଣମୁକ୍ତ ହେବାକୁ ଚାହେଁ ମଧ୍ୟମ ପାଣ୍ଡବ ।”

ଅର୍ଜୁନ କହିଲେ, “କୁରୁପତିଙ୍କର ମୁକୁଟ ବ୍ୟତୀତ ମୋର କିଛି ଲୋଡ଼ାନାହିଁ । ମାତ୍ର ଆଜି ରାତିକ ପାଇଁ ।” ଦୁର୍ଯ୍ୟୋଧନ କହିଲେ, “ଦେଖ ପାର୍ଥ ତୁମ ଆଗରେ ଇନ୍ଦ୍ରପ୍ରସ୍ଥର ରତ୍ନସିଂହାସନ । ହସ୍ତିନାର ବିପୁଳ ଐଶ୍ୱର୍ଯ୍ୟ । ପାଞ୍ଚଭାଇଙ୍କର ଅମୂଲ୍ୟ ଜୀବନ ତୁମ ପାଇଁ ଗୁରୁତ୍ୱପୂର୍ଣ୍ଣ । ସାମାନ୍ୟ ମୁକୁଟରେ ବା ତୁମର କ’ଣ ଅଛି ? ଯଦି ମୃତ୍ୟୁ ଅନିବାର୍ଯ୍ୟ ଜାଣି ମଧ୍ୟ ସ୍ୱର୍ଣ୍ଣ ମୁକୁଟ ପିନ୍ଧିବାର ଲାଳସା ତମର ରାତିକ ପାଇଁ ଥାଏ, ତେବେ ମୋର କହିବା ନିଷ୍ପ୍ରୟୋଜନ !”

ହଠାତ୍ ଦୁର୍ଯ୍ୟୋଧନ ଜଣେ ଦେବୀ ଓ ଅର୍ଜୁନ ଜଣେ କବି ପାଲଟିଗଲେ ।

ଦେବୀ କହିଲେ, “କବି ମୁଁ ତୁମ ଉପରେ ସନ୍ତୁଷ୍ଟ । ମୋ ଦୟାରେ ତୁମ ଭିତରେ କବିତ୍ୱ ଫୁଟିଉଠିଛି । ଯାହା ପ୍ରୟୋଜନ ତାହା ମାଗ ମୁଁ ନିର୍ବିଚାରରେ ଦାନ କରିବି ଏଇ ମୁହୂର୍ତ୍ତରେ ।”

କବି କହିଲେ, “ପୃଥିବୀର କୌଣସି ବସ୍ତୁ ପ୍ରତି ମୋର ସାମାନ୍ୟତମ ମୋହ ନାହିଁ । ମୋତେ କେବଳ ସୁନ୍ଦର ଶବ୍ଦ ଦିଅ । ମୁଁ ତାକୁ ନେଇ ଲେଖିବି ସୁନ୍ଦର କାବ୍ୟ କବିତା ।”

ଦେବୀ କହିଲେ, “ରାଜଧାନୀରେ ବିଶାଳ ପ୍ଲଟ୍, ବିଦେଶୀ କାର, ସୁନା, ପ୍ରଚୁର ଟଙ୍କା ନ ମାଗି ତମେ ମୋତେ ସାମାନ୍ୟ ଶବ୍ଦ ମାଗୁଛ, କ’ଣ ଅଛି ସେ ଶବ୍ଦରେ ?”

କବି କହିଲେ “ମହାକାଳ ନଈର ପ୍ରବଳ ସୁଅରେ ସବୁ ଭାସିଯିବ । ତା’ର ବିଶାଳ ଢେଉରେ ସବୁ ଲୀନ ହେବ ଅତଳ ଜଳ ରାଶିରେ । କେବଳ ସୃଷ୍ଟି ସବୁ ହେବ କାଳଜୟୀ । ମୁଁ କବି ମୋର ପ୍ରାଚୁର୍ଯ୍ୟର ପ୍ରୟୋଜନ ନାହିଁ । ମୋତେ କେବଳ ଭଲ କବିତା ଲେଖିବାକୁ ପ୍ରେରଣା ଦିଅନ୍ତୁ ।”

ଦେବୀ କହିଲେ, “କବି ହିଁ ସତ୍ୟଦ୍ରଷ୍ଟା । ତା’ର ଶବ୍ଦ ହିଁ ସୁନାର ମୁକୁଟ ହୋଇ ଇତିହାସକୁ ପରିବର୍ତ୍ତନ କରିବ । ପୃଥିବୀର ଅନ୍ୟାୟ ଅତ୍ୟାଚାର, ରକ୍ତପାତ, ହିଂସା ଅପସରି ଯିବ । ତମର ସେଇ ଇଚ୍ଛାକୁ ପୂର୍ଣ୍ଣ କରିବି ।”

ଲୋକପ୍ରିୟ ଲେଖା

To Top