ଅଣୁଗଳ୍ପ

ସୁନାହରିଣୀ

Hemanta Kumar Rout's odia short story sunahareeni

ସେ ଗୋଟିଏ ମାୟାବୀ ରାକ୍ଷସ । ଏମିତି ରାଜପୁତ୍ରମାନଙ୍କୁ ଗଭୀର ଅରଣ୍ୟକୁ ନେଇ ସେ ହତ୍ୟା କରେ ।

ସୁନାହରିଣୀ

ସୁନା ରଙ୍ଗର ମୃଗୁଣୀଟିଏ । ତା’ ଦେହରେ ଚିକ୍‌ମିକ୍ ରୂପା ଜହ୍ନ ସବୁ ଚହଟୁଛି । ମୋତିର ଖୁରା ସେଇ ଅପୂର୍ବ ହରିଣୀକୁ ଦେଖି ସୀତାଙ୍କର ଲୋଭ । ହରିଣୀକୁ ସେ ପାଇବେ, ମଲା ହେଉ କି ଜୀବନ୍ତ ହେଉ ।

ରାମଚନ୍ଦ୍ର ସୀତାଙ୍କ ପାଇଁ ମୃଗପଛରେ ଗୋଡ଼େଇଲେ । ବହୁ ପର୍ବତ ଘଞ୍ଚଜଙ୍ଗଲ କୁଳୁକୁଳୁ ଝରଣାକୁ ଅତିକ୍ରମ କରି ସେ ଛୁଟିଥିଲେ ସେ ମାୟାମୃଗ ପଛରେ । ହେମକୁରଙ୍ଗୀର ଜନ୍ମ କୌଣସି ପୁରାଣ ଶାସ୍ତ୍ରରେ ନାହିଁ । ଦେଖିବାକଥା ଦୂରେ ଥାଉ କେହି ବି ଥରେ ଶୁଣି ନାହାନ୍ତି । ସେ ଭୁଲିଗଲେ ଆପଣାର ସ୍ୱରୂପ । ଲକ୍ଷ୍ମଣ ତାଙ୍କୁ କହିଥିଲେ “ସେ ଗୋଟିଏ ମାୟାବୀ ରାକ୍ଷସ । ଏମିତି ରାଜପୁତ୍ରମାନଙ୍କୁ ଗଭୀର ଅରଣ୍ୟକୁ ନେଇ ସେ ହତ୍ୟା କରେ ।” ରାମ ସେ କଥାକୁ କର୍ଣ୍ଣପାତ କଲେ ନାହିଁ । ସେ ମୃଗ ହେଉ ବା ରାକ୍ଷସ ହେଉ ସେ ତାକୁ ହତ୍ୟା କରିବେ । ରାମଚନ୍ଦ୍ର ଯେ ଚତୁର୍ଦ୍ଦଶ ବ୍ରହ୍ମାଣ୍ଡର ଶ୍ରେଷ୍ଠ ବୀର ।

ମୃଗଟି କେତେ ବେଳେ ଦୃଶ୍ୟତ କେତେବେଳେ ଅଦୃଶ୍ୟ । ତଥାପି ସେ ତାକୁ ଗୋଡ଼େଇଲେ ପ୍ରାଣପ୍ରିୟା ସୀତାଙ୍କ ପ୍ରୀତି ଲାଗି । ସୁନା ଏକ ବସ୍ତୁ ତାହା ପୁଣି ଏକ ଜୀବନ୍ତ ପ୍ରାଣୀକୁ ଆଚ୍ଛାଦନ କରିବ କିପରି ? ରାମଚନ୍ଦ୍ର ମାୟାମୁଗ୍ଧ, ତେଣୁ ସେ ନିଜର ସ୍ୱରୂପ ଭୁଲିଗଲେ । ବିପଦ ସମୟ ଆସିଗଲେ ସର୍ବଜ୍ଞାନ ବି ଅଜ୍ଞାନ ! ହଠାତ୍ ତାଙ୍କର ଲକ୍ଷ୍ୟଭେଦୀ ବାଣ ନିବଦ୍ଧ ହେଲା ମାୟାବୀ ଦୈତ୍ୟର ସୁନାଦେହରେ । ସୁନାହରିଣ ରୂପାନ୍ତରିତ ହେଲା ଶବ୍ଦରେ ଶବ୍ଦରେ । ରାମଚନ୍ଦ୍ର ନିଜେ କବିଟିଏ ପାଲଟିଗଲେ । କବିମାନେ ଏମିତି ସବୁଦିନ ଶବ୍ଦଙ୍କ ମାୟାରେ ବିମୁଗ୍ଧ । ହରିଣୀ ପରି ଚଳଚଞ୍ଚଳ କେବେ ଦୃଶ୍ୟତ କେବେ ଅଦୃଶ୍ୟ । ଯେମିତି ବହୁପଥ ଧରି ସେ ତାଙ୍କୁ ଗୋଡ଼େଇଛନ୍ତି ଖୋଜିଛନ୍ତି ନିଜ ଭିତରେ । ଯେତେବେଳେ ଗୋଡ଼େଇ ଗୋଡ଼େଇ ଧରି ପକେଇଲେ, ସେମାନେ ନିଜର ସ୍ୱରୂପରେ ବିଞ୍ଚି ହୋଇଗଲେ ସଫେଦ ଘାସର ନୀଳ ଆସ୍ତରଣରେ ।

ତା’ପରେ କବି ଫେରିଲେ ମୃତ ଶବ୍ଦର ଶବଭାରକୁ କାନ୍ଧରେ ବହି ତାଙ୍କ ପ୍ରିୟତମାର ପ୍ରୀତି ଉତ୍ପାଦନାର୍ଥେ ।

ଲୋକପ୍ରିୟ ଲେଖା

To Top