ଅଣୁଗଳ୍ପ

ସ୍ୱାମୀ ମତେ ବାହା ହବ କି ?

Sagaria Abhiram's odia Short Story Swami Mate Bahaa Haba Ki ?

ବହୁତ ହସୁଥିଲେ ଦୁଇ ଜଣ , କାରଣ ଏମିତି ବାହାଘର ବୋଧେ ଆଉ କାହାର ହୋଇ ନ ଥିବ ।

ସ୍ୱାମୀ ମତେ ବାହା ହବ କି ?

ବାହାଘରକୁ ଦୁଇ ବର୍ଷ ହୋଇଯାଇଥିଲା ତାଙ୍କର । ହେଲେ ଠିକ୍‌ରେ ପଟୁ ନ ଥିଲା ସ୍ୱାମୀ ସ୍ତ୍ରୀଙ୍କର । ସ୍ତ୍ରୀଙ୍କୁ ଅଫିସ୍‌ ପ୍ରୋଜେକ୍ଟ ଆଣି ଘରେ କାମ କରିବା ଓ ଓଭର ଟାଇମ୍‌ କହି ଛ’ଟା ଯାଗାରେ ନ’ଟାରେ ଘରକୁ ଫେରିବା କିଛି ଠିକ୍‌ ଠିକ୍‌ ଲାଗୁନଥିଲା ସ୍ୱାମୀଙ୍କୁ । ସେହିଭଳି ସ୍ୱାମୀଙ୍କ କ୍ଳାଇଣ୍ଟ୍‌ଙ୍କୁ ମନେଇବା ପାଇଁ ଲେଟ ନାଇଟ୍‌ ପାର୍ଟି, ମହିଳା ପି.ଏ. ସହ ବିଜନେସ୍‌ ଟୁର ମଧ୍ୟ କିଛି ଠିକ୍‌ ଲାଗୁନଥିଲା ସ୍ତ୍ରୀଙ୍କୁ । ସ୍ତ୍ରୀ ଯେତିକି ସମୟ ଘରେ ରୁହନ୍ତି ସେତିକି ସମୟ ସେ ତାଙ୍କ ସ୍ୱାମୀଙ୍କ ସହ ବିତେଇବାକୁ ଚାହାନ୍ତି । ହେଲେ ସ୍ୱାମୀ କେବେ କେବେ ଅଫିସ୍‌ର ଚିନ୍ତା ବା ଥକାବଟ୍‌ ପାଇଁ ସମୟ ଦେଇ ପାରୁ ନ ଥିଲେ ସ୍ତ୍ରୀଙ୍କୁ, ଝଗଡା ମଧ୍ୟ ହୋଇଯାଏ । ଆରୋପ ପ୍ରତ୍ୟାରୋପର ଶେଷ ହୁଏ ଅଲଗା ଅଲଗା ରୁମରେ ବସି ମଦ ପିଇବାରେ । ବାହାଘରର ଦୁଇ-ଅଢ଼େଇ ବର୍ଷରେ ଏ ସମ୍ପର୍କ ତୁଲାଇବାରେ ନିଜକୁ ଅସମର୍ଥ ଭାବି ସ୍ତ୍ରୀ ଡିଭୋର୍ସ ପେପର୍‌ ଆଣି ରଖିଦେଲେ ସ୍ୱାମୀଙ୍କ ଆଗରେ ।

ଅଫିସ୍‌ର ଜଣେ ସୁନ୍ଦରୀ କର୍ମଚାରୀ ଡିଭୋର୍ସ ପରେ ସିଙ୍ଗଲ୍‌ ଅଛନ୍ତି ଜାଣିଲା ପରେ ଅନେକ ପୁରୁଷ କର୍ମଚାରୀ ଡେଟ୍‌, ମୁଭି ଆଦିର ଅଫର କରନ୍ତି । ହେଲେ ନା ସେ ତାଙ୍କ ସ୍ୱାମୀଙ୍କୁ ତାଙ୍କ ହୃଦୟରୁ ବାହାର କରି ପାରନ୍ତି ଓ ନା ସେ ଅନ୍ୟ କାହାକୁ ଆପଣେଇ ପାରନ୍ତି । ଆଜିବି ତାଙ୍କୁ ତାଙ୍କ ସ୍ୱାମୀଙ୍କ କଥା ମନେ ପଡିଯାଏ । ଆଇନାରେ ନିଜ ଚେହେରା ଦେଖିଲେ , ଆଜିବି ସ୍ୱାମୀ ଦେଇଥିବା ସେ ଦିନର ଚୁମ୍ମା ମନେ ପଡିଯାଏ, ଆଉ ଆଖି ଯେତେବେଳେ ଓଠରେ ମିଶି ଯାଏ ମନେ ପଡିଯାଏ ସେ ରାତିର ଲଭ୍‌ ବାଇଟ୍‌ । ତେଣେ ଯେତେ ମଦ ପିଇଲେ ମଧ୍ୟ ସ୍ୱାମୀଙ୍କ ହୃଦୟରୁ ସ୍ତ୍ରୀର ନିଶା ଓହରୁ ନ ଥିଲା ।

ବାହାଘରର ତୃତୀୟ ଏନିଭର୍ସରି ହୋଇଥାଏ ସେ ଦିନ । ସ୍ୱାମୀଙ୍କ କଥା ଅନେକ ମନେ ପଡୁଥାଏ ସ୍ତ୍ରୀଙ୍କର । ମନେପଡି ଯାଉଥାଏ ପାର୍କର ଗଛ ମୂଳର ସେ ଛାଇ ଯେଉଁଠି ତାଙ୍କୁ ତାଙ୍କ ପ୍ରେମିକ ବିବାହ ପାଇଁ ପ୍ରପୋଜ୍‌ କରିଥିଲେ । ପୁରୁଣା ସ୍ମୃତି ଓ ସ୍ୱାମୀଙ୍କ କୋଳକୁ ଫେରି ଯିବାକୁ ଇଚ୍ଛା ହେଉଥିଲା ସ୍ତ୍ରୀଙ୍କର । ହୃଦୟ ଉପରେ କାବୁ ନ ପାଇ ପାରି ଚାଲି ଯାଇଥିଲେ ପୁଣିଥରେ ସେହି ଗଛ ମୂଳକୁ । ପାର୍କର ସେହି ଗଛ ମୂଳରେ ଠିଆ ହୋଇ ପୁରୁଣା କଥା ଭାବୁ ଭାବୁ ଦି ଠୋପା ଲୁହ ଗାଡି ଆସିଲା ସ୍ତ୍ରୀଙ୍କ ଆଖିରୁ । ଆଉ ଅଭିମାନୀ ହୃଦୟ ଭାବୁଥିଲା “ଯଦି ସେ ଆଜି ଏଠି ଥାନ୍ତେ …(ଆଖିରୁ ଲୁହ ପୋଛି ଫେରିଯିବାକୁ ବାହାରନ୍ତେ ତାଙ୍କ ନଜର ପଡିଲା ଗଛର ସେପଟ ପାର୍ଶ୍ୱରେ । ସେପଟ ପାର୍ଶ୍ୱରେ ଥିଲେ ତାଙ୍କ ସ୍ୱାମୀ । ସ୍ୱାମୀଙ୍କ ଅବସ୍ଥା ମଧ୍ୟ ସ୍ତ୍ରୀଙ୍କ ପରି ଥିଲା; ଆଖିରେ ଲୁହ, ହୃଦୟରେ ପ୍ରେମ ) ସ୍ୱାମୀ ଜଣକ ମଧ୍ୟ ପୁରୁଣା ସ୍ମୃତି କୁ ମାନେ ପକାଇବାକୁ ଆସିଥିଲେ ତାଙ୍କ ପ୍ରେମର ସାକ୍ଷୀ ଥିବା ପାର୍କର ଗଛ ମୂଳର ଛାଇକୁ । ସ୍ୱାମୀଙ୍କ ମନରେ ମଧ୍ୟ ଥାଏ ଆଶା ଫେରି ଆସନ୍ତା କି ସେ , ଆଖିରେ ଥାଏ ଲୁହ ଫେରିବନି ସେ ତଥାପି ଆଖିରେ ଥାଏ ସ୍ୱପ୍ନ – ଯଦି ଫେରି ଆସେ ସେ ” । ସ୍ୱାମୀଙ୍କ ଅବସ୍ଥାରୁ ସ୍ତ୍ରୀ ସ୍ପଷ୍ଟ ଜାଣି ପାରିଥିଲେ ଏ ଲୁହ ମିଛ ନୁହେଁ ଏ ପ୍ରେମ ଛଳନା ନୁହେଁ ” । ସ୍ୱାମୀଙ୍କ ଆଖିରୁ ଝରି ପଡୁଥିବା ଲୁହ ଟୋପା ତାଙ୍କୁ ଚିତ୍କାର କରି କହୁଥିଲା “ମହିଳା ପି.ଏ.ଙ୍କ ସହ ବିଜନେସ୍‌ ଟୁର୍‌ କେବଳ ମଜବୁରି ଇଚ୍ଛା ନୁହେଁ । ଆଉ ନିଜକୁ ସମ୍ଭାଳି ପାରିନଥିଲେ ସ୍ତ୍ରୀ । ସ୍ୱାମୀଙ୍କ ନିକଟକୁ ଯାଇ ପଚାରିଲେ “କେମିତି ଅଛ ?” ସ୍ୱାମୀ କିଛି କହି ପାରି ନ ଥିଲେ । ସିଧା କୁଣ୍ଢେଇ ପକାଇଥିଲେ ନିଜ ସ୍ତ୍ରୀକୁ । ଆଲିଙ୍ଗନ କିଛି ସେକେଣ୍ଡ୍‌ରୁ କେତେ ମିନିଟ ହୋଇଗଲା ଜଣା ପଡିଲା ନାହିଁ । ସ୍ତ୍ରୀଙ୍କୁ ସେଠାରେ ଦେଖି । ସ୍ତ୍ରୀ ନିମନ୍ତେ ଥିବା ଧାରଣା ଭୁଲ ବୋଲି ହୃଦୟଙ୍ଗମ କରି ନେଇଥିଲେ ସ୍ୱାମୀ । “ଅର୍ଥ ଉପାର୍ଜନ ପାଇଁ କିଛି ଟା ଭୁଲ ବୁଝାମଣା ହୋଇଗଲା ଓ କଣ ଏତିକିରେ ହୃଦୟର ଡୋର ଛିଡ଼ିଯିବ । ନିଜକୁ ନିଜେ ପ୍ରଶ୍ନ କରୁଥିଲେ ସ୍ତ୍ରୀ ନିଜ ହାତରେ ସ୍ୱାମୀଙ୍କ ଆଖିରୁ ଲୁହ ପୋଛି ଦେଇ ପଚାରିଲେ “ସ୍ୱାମୀ ମତେ ବାହା ହବ କି ?” ସ୍ତ୍ରୀଙ୍କ ଓଠରୁ ଲିପିଷ୍ଟିକ ପୋଛି ମଥାରେ ଲଗାଇଦେଲେ ସ୍ୱାମୀ । ବହୁତ ହସୁଥିଲେ ଦୁଇ ଜଣ , କାରଣ ଏମିତି ବାହାଘର ବୋଧେ ଆଉ କାହାର ହୋଇ ନ ଥିବ ।

ଏହିପରି ଭାବେ ସ୍ୱାମୀ ପୁନଃ ବିବାହ କରିନେଲେ ନିଜ ସ୍ତ୍ରୀ ସହିତ । ଦୁଇଟି ହୃଦୟ ପୁଣି ଏକା ହୋଇଗଲା ; ବାସ୍‌ ବାକି ଥିଲା ଦୁଇଟି ଶରୀର ଏକ ହେବା , ବାକିଥିଲା ପୁଣି କୋର୍ଟ ମ୍ୟାରେଜ କରିବା ।

ଲୋକପ୍ରିୟ ଲେଖା

To Top