ଅଣୁଗଳ୍ପ

ସ୍ୱାମୀଙ୍କ ଫେସ୍‌ବୁକ୍ ପ୍ରେମିକା

Sagaria Abhiram's odia Short Story Swaminka Facebook Premikaa

ଜୀବନରେ କାହାର ବିଶ୍ୱାସ ଜିତିବାକୁ ହେଲେ ଶହେଟା ସତ କହିବାକୁ ପଡ଼େ, ହେଲେ ଗୋଟେ ମିଛ ସେ ଶହେ ସତ ଉପରେ ଭାରି ପଡ଼େ

ସ୍ୱାମୀଙ୍କ ଫେସ୍‌ବୁକ୍ ପ୍ରେମିକା

ଆରତୀର ବାହାଘରକୁ ଚାରି ବର୍ଷ ପୁରି ସରିଥିଲା । ଆରତୀ ଓ ପ୍ରତ୍ୟୁଷ୍, ଦୁହେଁ ଗର୍ନ୍ଧବ ମତରେ ବିବାହ କରିଥିଲେ । ପରିବାର କହିଲେ ସ୍ୱାମୀ, ସ୍ତ୍ରୀ ଓ ତିନି ବର୍ଷର ଝିଅଟି । ବାହାଘରର ଚାରି-ପାଞ୍ଚ ବର୍ଷ ପୂର୍ବେ କଲେଜ୍‌ରେ ପଡୁଥିଲା ବେଳେ ଗଢିଉଠିଥିଲା ଏ ସମ୍ପର୍କ । ପ୍ରଥମେ ପ୍ରଥମେ ଆରତୀ ହିଁ ପ୍ରତ୍ୟୁଷ୍‌ର ଥିଲା ସବୁକିଛି । ପ୍ରତ୍ୟୁଷ୍ ଜୀବ ହେଲେ ଆରତୀ ତା ଆତ୍ମା, ପ୍ରତ୍ୟୁଷ୍‌ ଶରୀର ହେଲେ ଆରତୀ ତା ଛାଇ । ହେଲେ ପ୍ରତ୍ୟୁଷ୍‌ର ପ୍ରେମ କିଛି ଫିକା ପଡ଼ିଗଲା ଭଳି ଆରତୀକୁ ଲାଗେ । ହଁ, ପ୍ରତ୍ୟୁଷ୍‌ର ପ୍ରେମ ଫିକା ପଡ଼ିଯାଇଥିଲା କାରଣ ସେ କଲେଜ୍‌ର ଆରତୀ ଓ ତିନି ବର୍ଷ ଝିଅଟିର ମା ଆରତୀ ଭିତରେ ପୂର୍ଣ୍ଣିମା ଓ ଅମାବାସ୍ୟାର ଫରକ ଥିଲା । ଦେହର ରଙ୍ଗ ପୂର୍ବ ଅପେକ୍ଷା ଟିକେ ସାବେନା ପଡ଼ିଯାଇଥିଲା, ଅଣ୍ଟାରେ ଚର୍ବି ଲାଗିଯାଇଥିଲା । ସେ ପ୍ରତ୍ୟୁଷ୍‌କୁ ଦେଖି ଆଉ ପୂର୍ବ ପରି କୁହେନି, “ଚନ୍ଦ୍ରାଲୋକରେ ପଦ୍ମ ଫୁଟିଲା ପରି ତୁମକୁ ଦେଖି ମୋ ମନରେ ପ୍ରେମର କମଳ ଖେଳିଉଠୁଛି”, କୁହେ କେତେ ଟଙ୍କା ଏଲ୍.ଆଇ.ସି ରେ ରଖାହେବ, କେତେ ଟଙ୍କା ଇ.ଏମ୍.ଆଇ. ରେ ରହିବ । ଘରର ବଜେଟ୍ କ’ଣ ହେବ, ଏମିତି, ଏମିତି…। ଆରତୀ ବୁଝିପାରେ, ପୁରୁଣା ପ୍ରେମକୁ ଫେରେଇ ଆଣିବାକୁ ଚେଷ୍ଟା ମଧ୍ୟକରେ, ହେଲେ ଆଉ ସଫଳ ହୁଏନି । ବର୍ତ୍ତମାନ ପ୍ରତ୍ୟୁଷ୍‌ ଅଫିସ୍‌ରୁ ଫେରି ଅଧିକା ସମୟ ଫେସ୍‌ବୁକ୍ ଚାଟିଙ୍ଗ୍ ଇତ୍ୟାଦିରେ ବିତାଉଛନ୍ତି । ସ୍ତ୍ରୀ ପାଇଁ ସମୟର ଅଭାବ । ବେଳେବେଳେ ଆରତୀ କୁ ଦୁଃଖ ଲାଗେ । ଆଶଙ୍କା ମଧ୍ୟ ହୁଏ, ପରା ନାରୀ ପାଖରେ ସ୍ୱାମୀକୁ ହରାଇ ଦେବାର । ପ୍ରତ୍ୟୁଷ୍‌ର ଫିଙ୍ଗର ପ୍ରିଣ୍ଟ ସେନ୍ସର ଲକ ଥିବା ଫୋନ ହେଲେ ମଧ୍ୟ ରାତିରେ ଶୟନାବସ୍ଥାରେ ଆରତୀ ତାଙ୍କ ଫିଙ୍ଗର ପ୍ରିଣ୍ଟ ନେଇ ନିଜ ସ୍ୱାମୀର ଫେସବୁକ ଚେକ କରେ । ଯାହା କିଛି ଦେଖେ ସେଥିରେ ତା ମନ ଭାଙ୍ଗି ଯାଏ । ପ୍ରତ୍ୟୁଷ୍‌ର ଫ୍ରେଣ୍ଡ୍‌ସ ଲିଷ୍ଟ୍‌ରେ ଚିହ୍ନା ଲୋକ ଯେତିକି ଅଚିହ୍ନା ଲୋକ ଓ ନାରୀ ମଧ୍ୟ ସେତିକି । ଆରତୀ ଭାଙ୍ଗି ପଡେ । ଦିନେ ସେ ନିଜ ସ୍ୱାମୀଙ୍କ ହୃଦୟରେ ନିଜ ପ୍ରତି ଲୁଚି ରହିଥିବା ପ୍ରେମକୁ ମାପିବାକୁ ସ୍ଥିର କଲା ।

ଏଣେ ପ୍ରତ୍ୟୁଷ୍‌ ଅନଲାଇନ ମସ୍ତିରେ ମଗ୍ନ ଥାଆନ୍ତି । ଧିରେ ଧିରେ ତାଙ୍କ ଚାଟିଙ୍ଗ୍‌ ବଢିଚାଲିଲା ଜଣେ “ଆଞ୍ଜେଲ ପ୍ରିୟା” ନାମକ ମହିଳାଙ୍କ ସହିତ । କଥାରେ କଥାରେ ପ୍ରତ୍ୟୁଷ୍‌ ଜାଣିବାକୁ ପାଇଲେ ସେହି ନାରୀ ଜଣକ ସ୍ଥାନୀୟ ନିବାସୀ, ହେଲେ ତାଙ୍କ ପରି ବିବାହିତା । ତଥାପି ପ୍ରତ୍ୟୁଷ୍‌ ଦିନେ ନିରୋଳାରେ ଦେଖା କରିବାର ପ୍ରସ୍ତାବ ଦିଅନ୍ତେ ସେ ମହିଳା ଜଣକ ରାଜି ହୋଇ ଗଲେ । ଦିନ ଓ ସମୟ ଧାର୍ଯ୍ୟ ହୋଇ ଗଲା । ଆସନ୍ତା ଶୁକ୍ରବାର ଆଞ୍ଜେଲ ପ୍ରିୟାଙ୍କ ସ୍ୱାମୀଙ୍କ ଅନୁପସ୍ଥିତିରେ , ସ୍ଥାନୀୟ ଲକ୍ଷ୍ମୀ ନାରାୟଣ ମନ୍ଦିର ସାମ୍ନାରେ ରାତ୍ରି ୯ ଘଟିକା ସମୟରେ । ଆଞ୍ଜେଲ ପ୍ରିୟାଙ୍କ କିଛି ଫଟୋକୁ ମନେପକାଇ, ରାତି ୯ଟାରେ ଅନ୍ଧାରରେ, ସ୍ୱାମୀର ଅନୁପସ୍ଥିତିରେ, ଜଣେ ରମଣିଙ୍କ ସହ ସେ କ’ଣ କରିପାରେ ଭାବି ଉତ୍ସାହିତ ହୋଇ ଉଠିଲା ।

ଦେଖୁ ଦେଖୁ ଦିନ କଟିଗଲା ଓ ଶୁକ୍ରବାର ରାତି ନଅଟା ପହଞ୍ଚିଗଲା । ଅଫିସରୁ ପ୍ରତ୍ୟୁଷ୍‌ ସିଧା ସେହି ଲକ୍ଷ୍ମୀ ନାରାୟଣ ମନ୍ଦିରକୁ ଆସିଗଲା । ଦୂରରୁ ଦେଖିଲା ମନ୍ଦିର ବାମ ପାର୍ଶ୍ୱ ଅନ୍ଧାରରେ ଜଣେ କେହି ଠିଆ ହୋଇଛନ୍ତି । ମୁକୁଳା କେଶ ଓ ଶାଢ଼ୀର କାନି ପବନରେ ଉଡ଼ି ଉଡ଼ି ଦର୍ଶାଇଦେଲା ସେ ନାରୀ ଜଣକ ପ୍ରତ୍ୟୁଷ୍‌ଙ୍କ ଆଞ୍ଜେଲ ପ୍ରିୟା । ଅତ୍ୟନ୍ତ ଉତ୍ସାହିତ ମନରେ ଗାଡ଼ିରୁ ଓହ୍ଲାଇ ପ୍ରତ୍ୟୁଷ୍‌ ଧାଇଁଗଲେ ସେହି ମହିଳାଙ୍କ ପାଖକୁ, ନିଜ ଆଞ୍ଜେଲ ପ୍ରିୟାକୁ ଦେଖିବାକୁ । ହେଲେ ସେ ଯେତେବେଳେ ତାଙ୍କ ଆଞ୍ଜେଲ ପ୍ରିୟାଙ୍କ ପ୍ରକୃତ ଚେହେରା ଦେଖିଲେ, ତାଙ୍କ ହୋସ ଉଡ଼ିଗଲା । ଝାଳ ବୋହି ଆସିଲା ତାଙ୍କ ମଠାରୁ, ପାଟି ଖନି ମାରିଗଲା ଓ ଗୋଟେ ଶବ୍ଦ ବାହାରିଲା “ତମେ ?” “ହଁ. ମୁଁ ତମ ଆଞ୍ଜେଲ ପ୍ରିୟା । କଣ ସୁନ୍ଦର ନୁହେଁ ? ମୋଟୀ ଦିଶୁଛି ? ତମ ଘରବାଲୀ ଥାଉ ଥାଉ ମୁଁ କଣ ତମ ବାହାରବାଲୀ ହେବାର ଯୋଗ୍ୟ ନୁହେଁ ? ଆରେ ବ୍ୟସ୍ତ ହୁଅନି , ତମ ସ୍ତ୍ରୀ ସିନା ଅସୁନ୍ଦର ଦେଖାଗଲେ ବି ତା ସହ ପ୍ରେମର ନାଟକ କରିବାକୁ ପଡ଼େ , ହେଲେ ମୋ ସହିତ ନାଟକ କରିବାକୁ ପଡ଼ିବନି । ଚାରି ପାଞ୍ଚ ଥର ମଜା ଲୁଟାଇଲା ପରେ ଛାଡ଼ି ଦେଇ ପାର । ପୁଣି ଆଉ କାହାକୁ ଖୋଜିବ, ସ୍ତ୍ରୀ କଣ ଯାଣୁଚି ?”

ପ୍ରତ୍ୟୁଷ୍‌ଙ୍କ ମୁଣ୍ଡ କାମ କରିବା ବନ୍ଦ କରିଦେଇଥିଲା । କାରଣ ସେ ଯାହାକୁ “ଆଞ୍ଜେଲ ପ୍ରିୟା ” ନିଜ ସ୍ତ୍ରୀ ଅନୁପସ୍ଥିତିରେ ପ୍ରେମ କରିବାକୁ ଭାବୁଥିଲେ ସେ ଆଉ କେହି ନୁହନ୍ତି ବରଂ ତାଙ୍କ ନିଜ ସ୍ତ୍ରୀ ଆରତୀ । ସ୍ୱାମୀ ମନରେ ପ୍ରକୃତରେ ତା ପାଇଁ କେତେ ପ୍ରେମ ଅଛି, ତାର ପରୀକ୍ଷା ନେଉଥିଲା ଆରତୀ ଫେକ ଆକାଉଣ୍ଟ ଜରିଆରେ । ହେଲେ ପ୍ରତ୍ୟୁଷ୍‌ ଫେଲ ହୋଇଗଲେ । କ୍ଷମା ମାଗିଲେ ପ୍ରତ୍ୟୁଷ୍‌ ହେଲେ ଏଭଳି ଧୋକା ପାଇଁ କଣ କ୍ଷମା ମିଳିପାରେ ? କାହାକୁ “ଆଇ ଲଭ ୟୁ ” କହିବା ସହଜ ହେଲେ ପ୍ରେମ କରିବା ଅତ୍ୟନ୍ତ କଷ୍ଟ । ପ୍ରେମର ଗଭୀରତା ଓ ପ୍ରେମିକାର ମହତ୍ତ୍ୱ ବୁଝିବା ଅତ୍ୟନ୍ତ ବାଞ୍ଛନୀୟ ।

ଆଉ ଏପରି ଭୁଲ କରିବେ ନାହିଁ ବୋଲି ପ୍ରତ୍ୟୁଷ୍‌ କହୁଥିଲେ । ହେଲେ ଆରତୀ ରୋକ୍ ଠୋକ୍ ଶୁଣାଇଦେଲା, “ଜୀବନରେ କାହାର ବିଶ୍ୱାସ ଜିତିବାକୁ ହେଲେ ଶହେଟା ସତ କହିବାକୁ ପଡ଼େ, ହେଲେ ଗୋଟେ ମିଛ ସେ ଶହେ ସତ ଉପରେ ଭାରି ପଡ଼େ” । ନିଜ ଝିଅର ଭବିଷ୍ୟତକୁ ଆଖି ଆଗରେ ରଖି କ୍ଷମା କରି ଦେଇଥିଲା ଆରତୀ । ହେଲେ ଯେଉଁ ସମ୍ପର୍କ ହୃଦୟରୁ ଭାଙ୍ଗି ସାରିଛି ସେ କେବଳ ଉପରଦେଖାଣିଆ ଛଡା ଆଉ କିଛି ନୁହେଁ । ଆଉ ସେ ପୁରୁଣା ଭଲ ପାଇବା, ଆନ୍ତରିକତା ପ୍ରତ୍ୟୁଷ୍‌ ପାଇଲେ ନାହିଁ ଆରତୀ ଠାରୁ । ମନେ ମନେ ବହୁତ ସନ୍ତାପ କରନ୍ତି । ହୃଦୟ ଭାଙ୍ଗିଲା ପରେ ଭାଙ୍ଗିଥିବା ହୃଦୟ ପିଡ଼ା ବୁଝିପାରିଲେ । ଫେସ୍‌ବୁକ୍‌ରେ ପ୍ରେମିକା ଖୋଜିବା ବନ୍ଦ ହୋଇ ଯାଇଥିଲା ପ୍ରତ୍ୟୁଷ୍‌ଙ୍କର । ବର୍ତ୍ତମାନ ସେ ନିଜ ସ୍ତ୍ରୀ ଭିତରେ ନିଜ ପୁରୁଣା ସ୍ତ୍ରୀ କୁ ଖୋଜୁଥିଲେ । ବାସ୍, ନିଜ ସ୍ତ୍ରୀର ହେଇ ରହିଯିବାକୁ ଚାହୁଁଥିଲେ ।

ଲୋକପ୍ରିୟ ଲେଖା

To Top