ଅଣୁଗଳ୍ପ

ଟଗର ଗଛ

Anusuya Jena's odia short story Tagara Gacha

ଉଠ, ଦି’ଟା ଫୁଲ ତୋଳି ଆଣ । ଆଉ ଟିକିଏ ଡେରି ହେଲେ ଗଛ ସବୁ ଲଣ୍ଡା ହେଇଯାଇଥିବେ । କଢ଼ିଟିଏ ବି ମିଳିବନି ।

ଟଗର ଗଛ

ସବୁଦିନ ଭଳି ଆଜି ସକାଳୁ ବି ସୀମା ସମରଙ୍କୁ ଡାକିଲା- “ଉଠ, ଦି’ଟା ଫୁଲ ତୋଳି ଆଣ । ଆଉ ଟିକିଏ ଡେରି ହେଲେ ଗଛ ସବୁ ଲଣ୍ଡା ହେଇଯାଇଥିବେ । କଢ଼ିଟିଏ ବି ମିଳିବନି ।” ନିଦ ମଳମଳ ଆଖିରେ ଗେଟ୍ ଫିଟାଇ ବାହାରେ ଥିବା ତିନୋଟି ଯାକ ଟଗରଗଛକୁ ଅନାଇଲା ସମର । ଦୁଇଟି ଗଛକୁ ଦୁର୍ବୃତ୍ତମାନେ ପୁରା ଲଣ୍ଡା କରି ଦେଇଛନ୍ତି, ଗୋଟିଏ ହେଲେ ଆଉ ଫୁଲ ନାହିଁ । ଠିକ୍ ଘର ସାମ୍ନାରେ ଥିବା ଗଛ ଉପରେ ଏଥର ନଜର ପଡ଼ିଲା ତା’ର । କାଲି ରାତିରେ ଦେଖିଥିଲା । ଫୁଲ କଢ଼ିରେ ଲଦି ହୋଇ ଗଛଟା ବହୁତ ସୁନ୍ଦର ଦେଖା ଯାଉଥିଲା । ସବୁଜ ପତ୍ର ଭିତରେ ଧଳା ଧଳା ଫୁଲ କଢ଼ି ଉପରେ ପୂର୍ଣ୍ଣମୀ ଜହ୍ନର ଆଲୁଅ । ଭାରି ସୁନ୍ଦର ଲାଗିଥିଲା । ତାକୁ ଗେଟ୍ ପାଖରେ ଠିଆ ହୋଇ କିଛି ମୁହୂର୍ତ୍ତ ଏକା ଏକା ସେଇ ଦୃଶ୍ୟକୁ ମନଭରି ଦେଖିବା ପାଇଁ । କିନ୍ତୁ ଆଜି ସକାଳୁ କିଏ ସବୁ ସେ ସୌନ୍ଦର୍ଯ୍ୟକୁ ଖିନ୍‌ଭିନ୍ କରି ସାରିଲେଣି । ଏତିକି ଭିତରେ ସମର ଦେଖିଲା ୬୦-୭୦ ବର୍ଷ ବୟସର ଜଣେ ଭଦ୍ରବ୍ୟକ୍ତି ଟଗର ଗଛ ପାଖରେ ନିଜର ସ୍କୁଟି ଅଟକାଇଲେ ଆଉ ନିର୍ଦ୍ଦୟ ଭଳି ଛିଡ଼ାଇ ଚାଲିଲେ ବାକି ରହିଯାଇଥିବା ଦୁଇ ତିନି ପେନ୍ଥା ଫୁଲକୁ । ଆରେ. . . ଆରେ. . . ଏ କ’ଣ ?? ସେ ଦି’ଟା ଫୁଲ ତୋଳିବେ ବୋଲି ଡାଳ ଖଣ୍ଡକୁ ଭାଙ୍ଗି ଦେଲେ ?? କେତେ ଦିନ ଲାଗିବ ସେଠି ନୂଆ ଡାଳଟେ କଅଁଳିବା ପାଇଁ ?? ନିରସ୍ତ୍ର ସୈନିକ ଭଳି ସେ ଭଦ୍ରବ୍ୟକ୍ତିଙ୍କ କାର୍ଯ୍ୟକଳାପ ଦେଖିବା ଛଡ଼ା ତା’ର ଆଉ ଉପାୟ କ’ଣ ? ଅଚିହ୍ନା ପୁଣି ଆଜିକାଲିର ଧୋବ ଧଉଳିଆ ଭଦ୍ରଲୋକଙ୍କୁ ସେ କ’ଣ ପଚାରି ପାରିବ କାଇଁକି ଡାଳ ଖଣ୍ଡକ ଭାଙ୍ଗିଲେ ବୋଲି ? ସମର ଦେଖିଲା ତଥାପି ସବା ଉପର ଡାଳରେ ଫୁଲ ଚାରୋଟି ହସୁଥିଲେ । ସେମାନଙ୍କୁ ତୋଳିବା ପାଇଁ ଭଦ୍ରଲୋକ ବହୁତ ଚେଷ୍ଟା, କୁସ୍ତି କରସର କଲେ, ଡିଆଁ ଡେଇଁ ବି କଲେ ନିଜର ବୟସକୁ ଭୁଲି ଯାଇ । ହେଲେ ତାଙ୍କୁ ସ୍ଥଗିତ ରଖିବାକୁ ହେଲା ତାଙ୍କ ଅପଚେଷ୍ଟା । ବିଚାରା ଗ୍ଳାନିରେ ସ୍କୁଟିଟି ଷ୍ଟାର୍ଟ କରି ଚାଲିଗଲେ । ଏଥର ସମର ସେ ଗଛ ପାଖକୁ ଗଲା । ଭାବିଲା, ସତରେ ଲୋକମାନେ କାହିଁକି ଏମିତି କରନ୍ତି ? ଠାକୁର କ’ଣ କହିଛନ୍ତି ମତେ ଫୁଲରେ ପୋତି ପକାଅ ? ନ ହେଲେ ମୁଁ ତୁମ ଅଭୀଷ୍ଟ ସିଦ୍ଧି କରିବିନି । ସେଥିପାଇଁ ଭୋର୍‌ରୁ ଉଠି ଫୁଲ ଛିଣ୍ଡାଇବା ପ୍ରତିଯୋଗୀତା । ମନ ଇଚ୍ଛା ପଲିଥିନ୍ ଭର୍ତ୍ତି କରି ଫୁଲ ତୋଳି ନେଇ ଯିବେ ଜଣେ ଜଣେ । ତାଙ୍କ ମନକୁ କ’ଣ କେବେ ବି ଏଇକଥା ଆସେନି ଯେ ଯଦି ସେମାନେ ଆଞ୍ଜୁଳାଏ ଫୁଲରେ ସନ୍ତୁଷ୍ଟ ହେଇ ଆଉ ଛାଡ଼ି ଯାଆନ୍ତେ, ଅନ୍ତତଃ ଅନେକ ଲୋକ କିଛି କିଛି ଫୁଲ ବାଣ୍ଟି ନେଇ ପାରନ୍ତେ । ଆହୁରି କିଛି ମଧ୍ୟ ଛାଡ଼ି ଯାଆନ୍ତେ ଗଛରେ ସୁନ୍ଦର ଦେଖାଯିବା ପାଇଁ । ଭାବନାରେ ବୁଡ଼ି ଯାଇ ସେଇ ଶେଷ ଚାରୋଟି ଫୁଲକୁ ତୋଳିବାକୁ ବଢ଼ିଯାଉଥିବା ହାତକୁ ରୋକି ଆଣିଲା ସମର । ନା. . . ସବୁଦିନ ଭଳି ଆଜି ବି ପଛେ ତାକୁ ଶୁଣିବାକୁ ପଡୁ ସୀମାଠୁ ଯେ ଡେରିରେ ଉଠୁଥିବାରୁ ଫୁଲଟିଏ ପୂଜା ଲାଗି ମିଳୁନି ବୋଲି. . . କିନ୍ତୁ ସେ ଚାରୋଟି ଫୁଲ ସେମିତି ଉପର ଡାଳରେ ହସୁଥାନ୍ତୁ. . . ପ୍ରକୃତି ତାଙ୍କୁ ବୃନ୍ତଖୁତ କରିବା ଯାଏ. . . ।

ଲୋକପ୍ରିୟ ଲେଖା

To Top