ଅଣୁଗଳ୍ପ

ଟେଲିଗ୍ରାମ

Deepak Baral's odia Short Story Telegram

ରାଧାମୋହନ ବାବୁ ସେ ଖଣ୍ଡିକ ଧରି ପାଗଳଙ୍କ ପରି ଘର ଭିତରକୁ ଦୌଡ଼ି ଆସୁ ଆସୁ କହିଲେ – ଦିଶା , ଏ ଦେଖ ମା ! ଅଂଶୁମାନ ଟେଲିଗ୍ରାମ କରିଛି, ଅଂଶୁମାନ ମିଳିଗଲା ।

ଟେଲିଗ୍ରାମ

ଦୁଃଖ ଯେତେବେଳେ ଆସେ, ସେ ତାର ସାଙ୍ଗସାଥୀ ନେଇଆସେ । ମଣିଷ ଦୁଃଖ ସହିତ ଧାର୍ଯ୍ୟଧରି ମୁକ୍ତି ଲାଭ କରିବାବେଳେ ପୁଣି ଯଦି ଅନ୍ୟ ଏକ ଦୁଃଖ ଆସି ତାହାର ମତିଷ୍କକୁ ବିକୃତ କରିଦିଏ ସେ ଜ୍ଞାନ ଶୂନ୍ୟ ହୁଏ, ସେ ହୁଏ ଦୁଃଖରେ ପାଗଳ ।

ଆଜି ଦିଶା ( ରାଧାମୋହନ ଓ ପଦ୍ମିନୀ ଙ୍କ ଏକମାତ୍ର ଅଲିଅଳି କନ୍ୟା ) ର ଅବସ୍ଥା ତାହାହିଁ ହୋଇଛି । ମନ ରାଇଜରେ ଆସନ୍ତି ରାକ୍ଷସୀର ଉତ୍ପାତ ବଢି ଚାଲିଛି । ଦୁଃଖ ଦରିୟା ମଝିରେ ପଡି ହୁବୁଡୁବୁ ଖାଉଛି । ଜୀବନରେ ପୁଣି ଯେ ଶାନ୍ତିର କୁଳ କିନାରା ପାଇବ, ସେ ଆଶାର ପ୍ରଦୀପ ଲିଭିଗଲାଣି । ମିଛରେ ଛଳନା କରି ଶୋଇଲା ତା ଦେହ ଖରାପ ବୋଲି ।

ବାବା, ମା ବାଧ୍ୟ କରିବାରୁ ଏଣୁ ତେଣୁ ଦିଇଟା ଖାଇନେଲା । କଣ ଯେ ଖାଇଛି ତାହା ମଧ୍ୟ ତାକୁ ଅଗୋଚର । ସୂର୍ଯ୍ୟ ଦେବ ତାଙ୍କ କର୍ତ୍ତବ୍ୟ କରି କେଉଁ ଏକ ଅଜଣା ରାଇଜକୁ ପଳାଇଗଲେ, ଅନ୍ଧାର ମାଡି ଆସିଲା । ରାତିରେ କେବଳ ଦୁଧ ଟିକେ ପିଇ ଦିଶା ଶୋଇବାକୁ ଗଲା, କିନ୍ତୁ ନିଦ ଆସିଲା ନାହିଁ । ନିଦ ଆସିବ ବା କିପରି, ଏତେ ବଡ ଅଶାନ୍ତି ରେ କି ନିଦ ଆସେ ? ତେଣୁ ସେ ବିଛଣା ଉପରେ ଛଟପଟ ହୋଇ କେତେ କଅଣ ଭାବିବାକୁ ଲାଗିଲା । ବାବା ବି ତାର ଦୋଷ ଦେଲେ, ତାରି ଯୋଗୁଁ ଅଂଶୁମାନ ଗୃହ ତ୍ୟାଗ କରିଛି (ଅଂଶୁମାନ ଯେକି ପିଲାଟି ଦିନରୁ ଅନାଥ, ଛୋଟ ବେଳରୁ ସାଧୁ-ବାବା ଙ୍କ କୋଳରେ ବଢିଛି, ରାଧାମୋହନ ଓ ପଦ୍ମିନୀ ଅଂଶୁମାନ କୁ ନିଜ ଛୁଆ ଠାରୁ ବଳି ସ୍ନେହ, ଆଦର କରୁଥିଲେ । ସେଥିପାଇଁ ତାର ଅନକେ ସମୟ ରାଧାମୋହନ ବାବୁଙ୍କ ଘରେ କାଟୁଥିଲା ) । ଅଂଶୁମାନ ଯୋଗୁଁ ସାଧୁ-ବାବା ଗୃହତ୍ୟାଗ କରିଛନ୍ତି (ସାଧୁ-ବାବା, ରାଧାମୋହନ ବାବୁଙ୍କ ପଡୋଶୀ ) । ଏ ସବୁର ମୂଳ କାରଣ ତାର ଭରା ଯୌବନ । ବୟସର ମଳୟ ବାଆ ପବିତ୍ର ସ୍ନେହର ପାହାଡ଼ରେ ସେ ପ୍ରେମର ଦୀପାଳି ଜଳାଇଲା । ସେହି ପ୍ରେମ ଦୀପାଳିର ଆଲୋକରେ ଉଭୟେ ଝାସ ଦେଲେ । ଏହି ହେଲା ସେମାନଙ୍କ ପରିଣତି ।

ଅନେକ କ୍ଷଣ ପରେ ଟିକେ ନିଦ ଆସିଲା । ଅତୀତର ଘଟିଥିବା ଘଟଣାକୁ ସେ ସ୍ୱପ୍ନରେ ଦେଖିଲା । ଦିଶା ଠିଆ ହୋଇଛି ଅଂଶୁମାନ ଆସି ତାର ଗୋଲାପି କଅଁଳ ଗାଲରେ ଠୋ କରି ଗୋଟାଏ ଚଟକଣା ଲଗାଇଲା । ପଦ୍ମିନୀ ଆସି ଦିଶାକୁ ଟାଣି ନେଇ କୋଳାଗ୍ରତ କଲେ । ଏବଂ ଅଂଶୁମାନକୁ କଠୋର ଭାବରେ ଗାଳି କଲେ । କିନ୍ତୁ ଅଂଶୁମାନ ସେଥିପାଇଁ ଦୁଃଖିତ ନହୋଇ ସ୍ପଷ୍ଟ ଭାବରେ କହିଲା – ତାକୁ ଛାଡିଦିଅ, ବେଶି ଗେହ୍ଲା କରନା । ମୁଁ ତାକୁ ଉପଯୁକ୍ତ ଶିକ୍ଷାଦେବି । ମୋରି ସ୍ଵଭାବ ପରି ତା ସ୍ଵଭାବ ମୁ ଦେଖିବାକୁ ଚାହେଁ । ଏତେ ପାଠ ପଢି ଦିଶାର ଏହି ବୁଦ୍ଧି, ଦାଣ୍ଡ ପିଲାଙ୍କ ସାଙ୍ଗେ କଳି କରିବ, ତେବେ ପାଠ ପଢ଼ିବାର ମୂଲ୍ୟକଅଣ ?

ହଠାତ ଦିଶା ର ନିଦ ଭାଙ୍ଗିଗଲା । ନିବିଡ ଅନ୍ଧାର ମଧ୍ୟରେ ଚାରିଆଡ଼କୁ ଅନାଇଲା । କିନ୍ତୁ କାହିଁ ଅଂଶୁମାନ ଯେ ତାଠୁ ବହୁ ଦୂରରେ ।

ଦିଶା ବିଛଣା ଛାଡି ବାହାରକୁ ବାଲକୁନି ଆସିଲା, ଆଗକୁ ଦୁଇ ପାଦ ଯିବା ପରେ ଗୋଡ ଅଟକି ଗଲା, ବିବେକ ତାର ଗତି ରୋଧ କଲା । ତାକୁ ଚେତନା ଦେଇ କହିଲା “ଦିଶା ତୁ କଅଣ କରୁଛୁ ? ବାବା – ମାମା ଙ୍କ ମୁଁହରେ କଳଙ୍କର କାଳିମା ବୋଳିଦେବୁ, ଅଂଶୁମାନ ଯେଉଁ ଶିକ୍ଷା ଦେଇଥିଲା ତାହା କ’ଣ ଆଜି ଭୁଲିଗଲୁ ! ଉପଯୁକ୍ତ ଝିଅ ତୁ ବିଦ୍ୟାର ମର୍ଯ୍ୟାଦା ବୁଝୁ, ଦେଶର ନୀତି ଓ ବଂଶର ମର୍ଯ୍ୟାଦାକୁ ଦଳି ଦେ’ନା । ଫେରିଆ ! ଫେରିଆ ! – ଦିଶା ଫେରିଆସି ବିଛଣାରେ ଶୋଇ ରହିଲା ।

ସକାଳ ହେଲା, ସମସ୍ତେ ଉଠିଲେ, ଦିଶା ବି ଉଠିଲା । କିନ୍ତୁ ନୂତନ ପ୍ରଭାତ ଦିଶାର ମନ କୁ ବଦଳାଇ ପାରିଲା ନାହିଁ ।

ରାଧାମୋହନ ବାବୁ ବଗିଚାରେ ବୁଲୁଥିଲେ । ହଠାତ ଡାକ ପିଅନ ଖଣ୍ଡେ ଟେଲିଗ୍ରାମ ତାଙ୍କ ହାତକୁ ବଢ଼ାଇ ଦେଲା । ରାଧାମୋହନ ବାବୁ ସେ ଖଣ୍ଡିକ ଧରି ପାଗଳଙ୍କ ପରି ଘର ଭିତରକୁ ଦୌଡ଼ି ଆସୁ ଆସୁ କହିଲେ – ଦିଶା , ଏ ଦେଖ ମା ! ଅଂଶୁମାନ ଟେଲିଗ୍ରାମ କରିଛି, ଅଂଶୁମାନ ମିଳିଗଲା । ସୁନାପୁଅ ମୋର ମନେ ପକାଇଛି ଏତେ ଦିନେ ।

ରାଧାମୋହନ ଓ ପଦ୍ମିନୀ ଦୌଡ଼ି ଆସି ହାଜର ହେଲେ । ରାଧାମୋହନ ବାବୁ ଦିଶା ହାତକୁ ଟେଲିଗ୍ରାମ କାଗଜଟା ବଢ଼ାଇଦେଇ କହିଲେ – ଖୋଲି ପଢ ମା, ମୋର ଗୁଡ଼ାଖୁ ହାତ ।

ଦିଶାର ଆନନ୍ଦ ଦେଖିବ କଅଣ ! ଆନନ୍ଦାଶ୍ରୁ ତା ଆଖି କୁ ଭିଜାଇ ଦେଲା । ଅକ୍ଷର ଗୁଡାକ ଝାପ୍ସା ଦେଖାଗଲା । ପଦ୍ମିନୀ କହିଲେ ସେ ଯେ ଦିନେ ମୋ କୋଳକୁ ଫେରିଆସିବ,ଏହା ମୋର ଦୃଢ ବିଶ୍ୱାସ ଥିଲା । ଏତେ ସ୍ନେହରେ ତାକୁ ବଢ଼ାଇଛି, ପୁତ୍ରବତ ସେବା କରିଛି, ସେ ସବୁ କଅଣ ଅଂଶୁମାନ ପରି ପୁଅ ଭୁଲିବ, କଦାପି ନୁହେଁ ।

ଦିଶା ଆଖିଟାକୁ ଲୁଗା କାନିରେ ପୋଛିଦେଇ ଭଲକରି ଦେଖିଲା ଲେଖାଅଛି “Hari – serious please come soon”

ହରି, ଦିଶାର ମାମୁଁ ବର୍ତମାନର ଠିକଣା ସୁଦୂର ମୁମ୍ବାଇ । ଦୁଃଖ ପରେ ନୂତନ ଦୁଃଖର ଆଘାତ ପାଇ ସମସ୍ତଙ୍କର ମୁଖ ମଣ୍ଡଳ ବିଷର୍ଣ୍ଣ ହୋଇଗଲା । ରାଧାମୋହନ ବାବୁ ଶୁଣାଇଦେଲେ ମୁମ୍ବାଇ ଯିବାକୁ ହେବ । ତେଣୁ ଯଥା ସମୟରେ ବାହାରିଲେ ମୁମ୍ବାଇ ।

ବିଶାଖାପାଟନମ ଷ୍ଟେସନ । କିଛି ଜଳଖିଆ କିଣିବାପାଇଁ ରାଧାମୋହନ ବାବୁ ତଳକୁ ଆସିଲେ । reservation ଡବାରୁ ଦିଶା ମଧ୍ୟ ଓହ୍ଲାଇଲା ରାଧାମୋହନ ବାବାଙ୍କୁ ଦେଖି । ହଠାତ ଗାଡି ଛାଡିଦେଲା, ରାଧାମୋହନ ବାବୁ ଦୌଡ଼ି ଦୌଡ଼ି ଆସି ଗୋଟିଏ ଡବାକୁ ଉଠିଲେ । ଦିଶା ମଧ୍ୟ ବାବା ଙ୍କ ଆଡ଼କୁ ଦୌଡୁ ଥିଲା । ଦୁର୍ଭାଗ୍ୟ ବଶତଃ ଭିଡ ଯୋଗୁଁ ଗାଡ଼ିକୁ ଉଠି ପାରିଲା ନାହିଁ । ରାଧାମୋହନ ବାବୁ ମଧ୍ୟ ପଛକୁ ଦେଖି ନାହାନ୍ତି । ପଦ୍ମିନୀ ମନେକଲେ ଦିଶା ବାବାଙ୍କ ସଙ୍ଗେ ଡବାକୁ ଉଠିଛିବୋଲି । କିନ୍ତୁ ପରଷ୍ଟେସନ୍‌ରେ ଯେତେବେଳେ ତାକୁ ଫେରି ଆସିବାର ନ ଦେଖିଲେ, ତାଙ୍କ ପ୍ରାଣ କାନ୍ଦି ଉଠିଲା । ଅଶ୍ରୁ-ସିକ୍ତ ନୟନରେ ଦିଶାର ଅନ୍ୱେଷଣରେ ଡବାରୁ ଓହ୍ଲାଇ, ଡବା ପରେ ଡବା ସନ୍ଧାନ କଲେ । ରାଧାମୋହନ ବାବୁ ଏ ମର୍ମବୀଦାରକ ଘଟଣା ଶୁଣି ସ୍ତବ୍ଧ ଭାବରେ ଠିଆ ହୋଇ ରହିଲେ । କିଏ କେତେ ରକମର ବୁଦ୍ଧି ବତେଇଲେ କିନ୍ତୁ ସବୁ ବିଫଳ ଯେମିତି ପାଦତଳୁ ଧୀରେ ଧୀରେ ମାଟି ସବୁ ଖସି ଯାଉଛି ଆଉ ନିରୁପାୟ ଏବଂ ଜ୍ଞାନଶୂନ୍ୟ ହୋଇ ଚାହିଁ ରହିଛନ୍ତି ।

ଲୋକପ୍ରିୟ ଲେଖା

To Top