ଅଣୁଗଳ୍ପ

ତିରସ୍କାର ନା ମଜବୁରି..

Debendra Bhue's odia story Tiraskaar Naa Majburi

ଦୁଇ ଜଣ ପରସ୍ପରକୁ ଜାବୁଡ଼ି ଧରିଲେ, ଜଣଙ୍କ ଆଖିରେ ଗଙ୍ଗା ତ ଅନ୍ୟ ଜଣଙ୍କ ଆଖିରେ ଯମୁନା ବୋହି ଚାଲିଥିଲା ।

ଗୋପାଳ ବାବୁ ଜଣେ ସେବା ନିବୃତ ଅଧ୍ୟାପକ । ସକାଳ ୧୦ଟା ରେ ସମ୍ପୂର୍ଣ ସୁସ୍ଥ ଜଣା ପଡୁଥିଲେ, ସନ୍ଧ୍ୟା ୭ଟା ବେଳକୁ ଜ୍ୱର ସହିତ ସବୁ ଲକ୍ଷଣ ତାଙ୍କ ଠାରେ ଦେଖାଗଲା ଯାହାକି ଜଣେ କୋରୋନା ପଜେଟିବ ରୋଗୀଠାରେ ସାଧାରଣତଃ ଦେଖାଯାଇଥାଏ ।

ପରିବାରର ଅନ୍ୟ ସଦସ୍ୟ ମାନଙ୍କ ମୁହଁରେ ଏକ ଅଜଣା ଭୟର ଚି଼ହ୍ନ ସ୍ପଷ୍ଠ ଜଣାପଡୁଥାଏ । ତାଙ୍କ ଖଟିଆ ଘରର ଗୋଟେ ପୁରୁଣା, ପ୍ରାୟ ଅବ୍ୟବହୃତ ବଖରାରେ ତାଙ୍କୁ ରଖି ଦିଆଗଲା ଯୋଉଠି ତାଙ୍କର ପୋଷା କୁକୁର ‘ମାର୍ଶଲ’ ର ବସା ଉଠା ହୁଏ ।

ଗୋପାଳ ବାବୁ କିଛି ବର୍ଷ ତଳେ ଗୋଟେ କୁକୁର ଛୁଆକୁ ରାସ୍ତା କଡ଼ରୁ ଉଠେଇ ଆଣି ଅତି ଯତ୍ନର ସହିତ ପାଳିଥିଲେ, ନାମ ଦେଇଥିଲେ ‘ମାର୍ଶଲ’ । ଏହି ବଖରାରେ ଏବେ ଗୋପାଳ ବାବୁ, ତାଙ୍କ ଖଟିଆ, ଓ ତାଙ୍କର ପ୍ରିୟ ‘ମାର୍ଶଲ’ ।

ନିଜର ଦୁଇ ପୁଅ ଓ ବୋହୁ ତାଙ୍କ ଠାରୁ ଦୂରତା ବଜାୟ ରଖିବା ସହିତ ପିଲା ମାନଙ୍କୁ ବି ନିଜ ଜେଜେଙ୍କ ପାଖକୁ ନ ଯିବା ପାଇଁ କଡ଼ା ନିର୍ଦ୍ଦେଶ ଦେଲେ । ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନମ୍ବରରେ ସୂଚନା ଦେଇ ଦିଆଗଲା ।

ଏଇ ଖବର ସାହି ପଡ଼ିଶା ଚାରିଆଡ଼େ ଖେଳିଗଲା । କିନ୍ତୁ ଗୋପାଳ ବାବୁଙ୍କୁ ଦେଖା କରିବାକୁ କେହି ଆସିଲେ ନାହିଁ । ଶାଢ଼ୀ ପଣତରେ ମୁହଁକୁ ବାନ୍ଧି ହାତରେ ବାଡି଼ଟିଏ ଧରି କେହି ଜଣେ ପଡ଼ିଶା ବୁଢ଼ୀ ଆସି, ଗୋପାଳ ବାବୁଙ୍କ ସ୍ତ୍ରୀଙ୍କୁ କହିଲା, ଆରେ କିଏ ଜଣେ ଟିକେ ଦୂରରେ ରହି ଖାଇବା ଖାଦ୍ୟଟା ବଢ଼େଇ ଦିଅ, ନଚେତ୍ ହସ୍ପିଟାଲ ବାଲା ତାଙ୍କୁ ଭୋକିଲା ହିଁ ଉଠେଇ ନେବେ ।

ଏବେ ପ୍ରଶ୍ନ ଉଠିଲା ତାଙ୍କ ପାଇଁ ଖାଇବା କିଏ ନେଇକି ଯିବ ! ଦୁଇ ବୋହୁ ନିଜ ଶାଶୁ ହାତରେ ଖାଦ୍ୟ ଥାଳି ଧରେଇ ଦେଲେ । ଥାଳି ଧରିବା କ୍ଷଣି ଗୋପାଳ ବାବୁଙ୍କ ସ୍ତ୍ରୀଙ୍କ ହାତ ଥରିବାକୁ ଲାଗିଲା ତାଙ୍କୁ ଲାଗିଲା ଗୋଡ଼ ଦୁଇଟା ସତେ ଯେମିତି କୌଣସି ଖୁଣ୍ଟରେ ବାନ୍ଧି ଦିଆ ଯାଇଛି । ଏ ସବୁ ଦେଖିକି ପଡ଼ୋଶୀ ବୁଢ଼ୀ କହିଲା, ଆରେ ତୋ ସ୍ୱାମୀ ସିଏ, ତୁ ବି ! ମୁହଁ ବାନ୍ଧିକି ଚାଲିଯା ଆଉ ଦୂରରୁ ଥାଳି ବଢ଼େଇ ଦେ, ସେ ନିଜେ ଖାଇନବ ।

ସବୁ ବାର୍ତାଳାପ ଗୋପାଳ ବାବୁ ଚୁପଚାପ ଶୁଣୁଥିଲେ, ତାଙ୍କର ଥର ଥର ଓଠରେ କହିଲେ ଯେ, ତାଙ୍କ ପାଖକୁ କେହି ନ ଆସିବାଟା ହିଁ ଭଲ । ତାଙ୍କୁ ଭୋକ ନାହଁ ।

ଏହି ସମୟରେ ଆମ୍ବୁଲାନ୍ସ ଆସିଯାଏ, ଗୋପାଳ ବାବୁ ଆମ୍ବୁଲାନ୍ସରେ ଉଠିବା ପୂର୍ବରୁ ଥରେ ପଛକୁ ଚାହିଁ ନିଜ ଘରକୁ ଭଲକରି ଟିକେ ଦେଖିନେଲେ, ପ୍ରଥମ ମହଲାର ଝରକାରୁ ମାସ୍କ ପିନ୍ଧିଥିବା ନାତି ନାତୁଣୀ ଓ ତାଙ୍କର ପଛପଟେ ଓଢ଼ଣା ଦେଇ ଠିଆ ହୋଇଥିବା ଦୁଇ ବୋହୁଙ୍କୁ ଦେଖି ପାରିଲେ । ନାତୁଣୀ ହାତ ହଲେଇ ବାଏ କହିଲା । ତଳ ମହଲରେ ଦୁଇ ପୁଅ ନିଜ ମାଆଙ୍କ ସହିତ ଛିଡା ହୋଇଥିଲେ ।

ଅନେକ ଭାବନା ତାଙ୍କ ଭିତରେ ଝଡ଼ ସୃଷ୍ଟି କରୁଥିଲେ । କ୍ଷଣକ ପାଇଁ ତାଙ୍କୁ ଲାଗିଲା ଯେମିତି ଜୀବନଟା ‘ବିଦାୟ,’ ବୋଲି କହିଦେଲା ।

ଗୋପାଳ ବାବୁ ଛଳ ଛଳ ଆଖିରେ ନିଜ ଘରର ଦୁଆର ମୁହଁରେ ବସି ପଡି, ଚୁମ୍ବନ ଟିଏ ଦେଇ ଆମ୍ବୁଲାନ୍ସରେ ବସି ପଡିଲେ । ତାଙ୍କ ସ୍ତ୍ରୀ ସାଙ୍ଗେ ସାଙ୍ଗେ ବାଲଟିଏ ପାଣି ଆଣି ଦୁଆର ମୁହଁରେ ସେ ବସିଥିବା ଜାଗାରେ ଢାଳି ଦେଲେ ।

ଏହାକୁ ତିରସ୍କାର କୁହାଯିବ ନା ମଜବୁରି ! କିନ୍ତୁ ଏ ଦୃଶ୍ୟ ଦେଖି କୁକୁର ବି କାନ୍ଦି ପକେଇଲା । ଗୋପାଳ ବାବୁଙ୍କୁ ହସ୍ପିଟାଲ ନେଇକି ଯାଉଥିବା ଆମ୍ବୁଲାନ୍ସ ପଛେ ପଛେ ଲାଙ୍ଗୁଡ଼କୁ ହଲାଇ ହଲେଇ ଚାଲିଲା ।

ଗୋପାଳ ବାବୁ ହସ୍ପିଟାଲରେ ୧୪ ଦିନ ରୁହନ୍ତି, ତାଙ୍କର ସବୁ ପରୀକ୍ଷା ସାମାନ୍ୟ ଥିଲା । ତାଙ୍କୁ ପୁରାପୁରି ସୁସ୍ଥ ଘୋଷଣା କରି ଡିସ୍‌ଚାର୍ଜ କରି ଦିଆ ଗଲା । ସେ ହସ୍ପିଟାଲରୁ ବାହାରକୁ ଆସି ଦେଖନ୍ତି ତ, ତାଙ୍କ କୁକୁର ମାର୍ଶଲ ବସିଛି । ଦୁଇ ଜଣ ପରସ୍ପରକୁ ଜାବୁଡ଼ି ଧରିଲେ, ଜଣଙ୍କ ଆଖିରେ ଗଙ୍ଗା ତ ଅନ୍ୟ ଜଣଙ୍କ ଆଖିରେ ଯମୁନା ବୋହି ଚାଲିଥିଲା ।

ତାଙ୍କ ପିଲାମାନଙ୍କ ଗାଡ଼ି ତାଙ୍କୁ ନବାକୁ ପହଞ୍ଚିବା ପୂର୍ବରୁ ନିଜ କୁକୁରକୁ ନେଇ ଅନ୍ୟ ଦିଗରେ ସେ ବାହାରି ପଡ଼ିଲେ । ସେ ଦିନଠୁଁ ତାଙ୍କୁ କେହି ଆଉ ଦେଖି ନାହାନ୍ତି । ତାଙ୍କ ନିଖୋଜ ହବା ଖବର, ଖବର କାଗଜରେ ପ୍ରକାଶ ପାଇଛି । ସୂଚନା ଦେବା ବ୍ୟକ୍ତିଙ୍କୁ ୪୦୦୦୦/- ପୁରସ୍କାର ଦିଆଯିବ ।

ହଁ ୪୦୦୦୦/- ପଢ଼ିକି ମନେ ପଡିଲା, ତାଙ୍କର ପେନସନ ଏତିକି ଆସୁଥିଲା ଓ ନିଜର ପରିବାରର ହସ ଖୁସି ପାଇଁ ସେ ଉଡ଼େଇ ଦେଉଥିଲେ…………

ଲୋକପ୍ରିୟ ଲେଖା

To Top