ଅଣୁଗଳ୍ପ

ତୁମ ଅପେକ୍ଷାରେ. . .

Adyasha Swain's odia short story Tuma Apekshyaare

କେବେ ଦୁଃଖରେ ଅଭିମାନର ମାଳା ଗୁନ୍ଥିଛ, ପୁଣି ସୁଖରେ ମୋ ସହ ହସ ଆସ୍ୱାଦନ କରିଛ ।

ତୁମ ଅପେକ୍ଷାରେ. . .

କେଜାଣି କାହିଁକି ଆଜି ଆଖିଟା ଅମାନିଆ ହେଇଯାଇଛି । ବାଡ଼ ଭାଙ୍ଗି ବହିଚାଲିଛି ଲୁହର ନଈ, ସତେ ଯେପରି ସାଗରରେ ମିଶିବାରେ ପ୍ରଗଳ୍ଭା । ହେଲେ ଜଣାନାହିଁ କେଜାଣି କେବେ ସେ ମିଳନର ଦିନ ଆସିବ ।

ଅମାନିଆକୁ ମନାଇବା ପାଇଁ ନା ଅଛି ସମୟ, ନା ସାମର୍ଥ୍ୟ, ନା ଇଚ୍ଛା ! ତଥାପି ମନେପଡ଼ ତୁମେ । ବହୁଚେଷ୍ଟା କଲି ନିଜକୁ ତୋଳି ଧରିବାକୁ କିନ୍ତୁ କାହିଁକି ଆଜି ମୁଁ ନିଜ ପାଖରେ ହାରୁଛି ?

ବୟସର ପ୍ରଥମ ପାହାଚରୁ ତୁମେ ଅଛ ମୋ ପାଖରେ । ମୋ ହାତଧରି ସୋପାନ ପରେ ସୋପାନ ପାଦ ସହ ପାଦ ମିଶାଇ ଚାଲିଛ । କେବେ ଦୁଃଖରେ ଅଭିମାନର ମାଳା ଗୁନ୍ଥିଛ, ପୁଣି ସୁଖରେ ମୋ ସହ ହସ ଆସ୍ୱାଦନ କରିଛ । କିଛି ନ କହି ବହୁ କଥା କହିଛ ତୁମେ, ବୋଧହୁଏ ସେତେବେଳେ ତୁମକୁ ନିଜର ବନ୍ଧୁ ହିଁ ଭାବୁଥିଲି । ହେଲେ ସତରେ କ’ଣ ତୁମର ଓ ମୋର ସମ୍ପର୍କ ବନ୍ଧୁତା ଥିଲା । ଏ ପ୍ରଶ୍ନ ଆଜି ବି ବିତାଡ଼ିତ କରେ ମୋ ଅନ୍ତରାତ୍ମାକୁ । ଉତ୍ତର ନା କେବେ ଦେଇଥିଲ ତୁମେ ନା କେବେ ମୋ ଅନ୍ତରାତ୍ମା ।

ବୟସର ସୋପାନ ଅତିକ୍ରମ କରିଛି ତୁମକୁ ସାହାରା କରି । ସମୟ ସ୍ରୋତରେ ତୁମ ସହ ସମ୍ପର୍କ ଘନିଷ୍ଠ ହେଲା । ଘନିଷ୍ଠତାରୁ ସୃଷ୍ଟି ଦୁର୍ବଳତା । ଏହି ମୁହୂର୍ତ୍ତରେ ତୁମ ସ୍ୱରୂପ ସହ ପରିଚିତ ହେଲି । କେତେ ଥର କଳି ନ କରିଛି ତୁମ ସହ, ମନେଅଛି ତୁମର । ହେଲେ କିଛି କହିନ ତୁମେ, ସବୁଦିନ ପରି । ଦେହର ବର୍ଣ୍ଣଭେଦ କରି କେତେ କ’ଣ କହିଛି ତୁମକୁ । କୃଷ୍ଣ ବର୍ଣ୍ଣକୁ କେତେ ନ ବାରିଛି । ତଥାପି ତୁମେ ନିଶ୍ଚଳ ମୁଖରେ କେବଳ ସ୍ମିତହାସ୍ୟ । ସେଥିପାଇଁ ତ ତୁମେ ଆଜି ବି ରହସ୍ୟମୟ । ସେ ରହସ୍ୟର ଚକ୍ରବ୍ୟୁହ ଭେଦ କରିବାର ଇଚ୍ଛା ଆଜି ବି ଜାଗ୍ରତ ।

ଏତେ ରହସ୍ୟମୟ କାହିଁକି ତୁମେ ? ବୋଧହୁଏ ସେଥିପାଇଁ ସହଜରେ ଠକି ଦେଇପାର । ଅନ୍ୟର ନିର୍ମଳ ନିଷ୍ପାପ ମନ ସହ ଖେଳିପାର । ଖେଳିବା ପାଇଁ କାଠ ନିର୍ମିତ କଣ୍ଢେଇଟିଏ କ’ଣ ଅଖୋଜା ପଡ଼ିଯାଏ ଯେ, ଖେଳ ତୁମେ ରକ୍ତ ମାଂସର କଣ୍ଢେଇ ସହ ?

ଏତେ ଦୁଃଖ ତୁମେ ସାଇତି ରଖିଥିଲ କେଉଁଠି ? ନିଜ ଇଚ୍ଛା ଅନୁସାରେ ଓଜାଡ଼ି ଦିଅ ଅନ୍ୟ ଉପରେ । ଦୁଃଖ ଦିଅ ତୁମେ ଜାଣି ମଧ୍ୟ ସାଉଁଟି ନିଏ ସେ ଦୁଃଖକୁ ସୁଖ ଭାବି । ସବୁ ଛୁପିଥାଏ ତୁମର ସେ ମନଲୋଭା ହସ ଭିତରେ । ହୁଏତ ମୋ ଭଳି ପାଗଳୀମାନଙ୍କୁ ନିଜ ହସରେ ଠକି ଦେବାର କଳା ତୁମକୁ ଭଲ ଜଣା ।

ଦୁର୍ବଳତା ତୁମ ପ୍ରତି ସେବେ ବି ଥିଲା, ଆଜି ବି ଅଛି । ହେଲେ ଭବିଷ୍ୟ କଥା ଅଗୋଚର । ଭାବୁଛ କି ଦୁର୍ବଳତାର ମାତ୍ରା କମିବ ତୁମ ପାଇଁ । ନା, ଭବିଷ୍ୟର ଅନ୍ତ ଆଜି ହିଁ । ଆସନ୍ତା କାଲିର ସୂର୍ଯ୍ୟ ଉଦୟ ସହ ଅନ୍ତ ଘଟିବ ମୋ ଜୀବନର, ତୁମ ପ୍ରତି ଥିବା ପ୍ରେମର । କାରଣ, ତୁମେ ଉପହାର ଦେଇଥିବା ଦୁଃଖ, କଷ୍ଟ ଓ ଯନ୍ତ୍ରଣା । ତୁମ ଉପହାରକୁ ସାଇତି ରଖି ତୁମ ପାଖକୁ ହିଁ ଯାଉଛି । ଆଶା ତୁମେ ଅପେକ୍ଷାରତ ଥିବ ନିଶ୍ଚୟ !

ତଥାପି ଆଜିର ଶେଷ ନିବେଦନ । ସ୍ୱପ୍ନରେ ଆସିବ ନିଶ୍ଚୟ । ସବୁଦିନ ପରି ହାତରେ ସେହି ବଇଁଶୀଟିକୁ ଧରି ଯାହାକୁ ଶୁଣିବା ପାଇଁ ମୁଁ ପାଗଳୀ, ଯାହା ପାଇଁ ଘୃଣା କରେ ମୁଁ ରାଧାଙ୍କୁ । ଆସିବ ସେହି ମୟୂର ପୁଚ୍ଛଟିକୁ ମୁଣ୍ଡରେ ମାରି, ଯାହା ମୁଁ ଆଜି ଉପହାରରେ ଦେଇଛି ତୁମକୁ । ପାଦର ସୁବର୍ଣ୍ଣ ନୁପୂରକୁ ଖୋଲି ଦେଇ ଆସିବ ଯେମିତିକି ରୁଣୁଝୁଣୁ ସ୍ୱର ମୋ ସ୍ୱପ୍ନରେ ବ୍ୟାଘାତ ସୃଷ୍ଟି ନ କରେ । ଉଠିବାକୁ ଚାହେଁନି ମୁଁ ସେ ସ୍ୱପ୍ନରୁ । ମୋ ପାଖରେ ବସି ମୋ ମଥାକୁ ତୁମ କୋଳରେ ରଖି ମଥା ସ୍ପର୍ଶ କରିବ “କୃଷ୍ଣ”, ତୁମକୁ ଏ ଦାସୀର ଏତିକି ନିବେଦନ ।

ରହିଲି “କୃଷ୍ଣ” ତୁମ ଅପେକ୍ଷାରେ ତୁମ ସହ ବିଲୀନ ହେବା ଆଶାରେ ।

ଲୋକପ୍ରିୟ ଲେଖା

To Top