ଅଣୁଗଳ୍ପ

ତୁମର ଆୟୁଷ କହୁଛି

Falguni Dash's odia Short Story Tumara Aayush Kahuchhi

ଆୟୁଷର ନୀରବତା ଓ ପ୍ରତ୍ୟୁଷର ଦୁର୍ବଳତା ଉଭୟଙ୍କୁ ଆହୁରି ଦୁର୍ବଳ କରିଦେଇଛି ।

ତୁମର ଆୟୁଷ କହୁଛି

ଧପ୍‌ କରି ଜିପ୍‌ଟି ଅଟକିଗଲା । ଏକ ଦୁର୍ଘଟଣା ନା ସମୟର ବିଡମ୍ବନା । କିଛି ମୁହୂର୍ତ୍ତରେ ସବୁକିଛି ବଦଳିଗଲା ଏକ ପରିବାରର ଜୀବନ । ଏହି ଦୁର୍ଘଟଣା ଦୁଇଟି ପରିବାର ଜୀବନରେ ଆଣିଲା ଏକ ବିରାଟ ପରିବର୍ତ୍ତନ ।

ରାମବାବୁ, ତାଙ୍କ ପତ୍ନୀ ସୁଲୋଚନା ଏବଂ ସାଙ୍ଗରେ ତାଙ୍କ ଝିଅ ପ୍ରତ୍ୟୁଷାକୁ ନେଇ ବାହାରିଥିଲେ କଟକର ସୁପ୍ରସିଦ୍ଧ ବାଲିଯାତ୍ରା ଦେଖିବା ପାଇଁ । ଝିଅଟିର ବୟଷ ୨୦ ବର୍ଷ । ସେଠାରେ ପହଂଚିବା ପାଇଁ ସେମାନଙ୍କ ମନରେ ଥିବା ଉତ୍ସାହ କାରଣରୁ ଯାତ୍ରାର ଥକାପଣ ସେମାନଙ୍କୁ ଅନୁଭୂତ ହେଉ ନ ଥିଲା ।

ହଠାତ ଏକ ଅସ୍ୱଭାବିକ ଶବ୍ଦଧ୍ୱନି ଯାହାକି ସେମାନଙ୍କ ଜୀବନକୁ ଅଚିହ୍ନା ପଥରେ ଗତି କରିବାକୁ ବାଧ୍ୟ କରିଥିଲା ।

କେବଳ ଶୁଭୁଥିଲା ୩ଟି ଆର୍ତ୍ତଚିତ୍କାର ।

ବଞ୍ଚାଅ !

ଆମକୁ ବଞ୍ଚାଅ !

କେହି ତ ସାହାଯ୍ୟ କର !

ଜିପ୍‌ ଟି ପଡିଯାଇଥିଲା କାଠଯୋଡ଼ି ନଦୀରେ । ଭାଗ୍ୟବଶତଃ ତିନିଜଣଯାକ ଜିପ୍‌ଟି ନଦୀରେ ପଡ଼ିବା ଆଗରୁ ଡେଇଁ ପଡ଼ିଥିଲେ ରାସ୍ତା ଉପରକୁ । କିନ୍ତୁ ସେହି ଡେଇଁବା ସେମାନଙ୍କ ପାଇଁ କୌଣସି ଦୁର୍ବିସହ ଯନ୍ତ୍ରଣାରୁ କମ ନ ଥିଲା । ମା’ଙ୍କ ମୁଣ୍ଡ କାଠଯୋଡ଼ି ପୋଲରେ ବାଜି ଫାଟିଯାଇଥିବାରୁ ସେ ଚେତାଶୂନ୍ୟ ହୋଇ ତଳେ ପଡ଼ିଗଲେ । ପୋଲରେ ଲାଗିଥିବା ରକ୍ତ ତାଙ୍କର କ୍ଷତ ଯେ କେତେ ଗଭୀର ତାହା ସୂଚିତ କରୁଥିଲା । ଝିଅଟିର ବସ୍ତ୍ରର କିଛି ଅଂଶ ଚିରି ଯାଇଥିଲା । ହାତଟି ଅଟକି ଯାଇଥିଲା ଗୋଟିଏ ପଥର ସନ୍ଧିରେ । ବାମଗୋଡ଼ର ହାଡ଼ ଭାଙ୍ଗି ଯାଇଥିଲା । ଯନ୍ତ୍ରଣାରେ ତାର ଚିତ୍କାର କାଠଯୋଡ଼ି ନଦୀର ପାଣିରେ ମଧ୍ୟ ପ୍ରତିଧ୍ଵନିତ ହେଉଥିଲା । ରାମବାବୁଙ୍କ ଅବସ୍ଥା ତ ସବୁଠାରୁ ଅଧିକ ଶୋଚନୀୟ ଥିଲା । ଜିପ୍‌ରୁ ସବା ଶେଷରେ ଡେଇଁ ଥିବାରୁ ଗାଡିର ବାମପଟ କବାଟ ସହ ଅଟକି ପଡି ରହିଥିଲେ ପୋଲର ଏକ ସନ୍ଧିରେ । ତାଙ୍କର ଦୁଇଟିଯାକ ହାତ ସମ୍ପୂର୍ଣ୍ଣ କ୍ଷତ ବିକ୍ଷତ ହୋଇଯାଇଥିଲା । ଲାଗୁଥିଲା ପୋଲରୁ ନଦୀ ଗର୍ଭକୁ ଯିବାପାଇଁ ତାଙ୍କ ଜୀବନ ଯେମିତି ଟିକଟିକ କରି ସମୟ ଗଣୁଥିଲା । ତାଙ୍କ ହୃଦୟର ସ୍ପନ୍ଦନ ଓ ଅଶ୍ରୁର କ୍ରନ୍ଦନ ବ୍ୟକ୍ତ କରୁଥିଲା ତାଙ୍କର ଗଭୀର ଯନ୍ତ୍ରଣାକୁ ।

ଯନ୍ତ୍ରଣାର ଘଡ଼ି ଆଗକୁ ବଢ଼ି ଚାଲିଛି । ସେମାନଙ୍କର ଚିତ୍କାର ଓ ଯନ୍ତ୍ରଣା ଦେଖି ନିର୍ଜୀବ ସଡକ ଥରି ଉଠୁଥିବାବେଳେ ସଭ୍ୟ ମାନବ ସମାଜର କର୍ଣ୍ଣକୁ ଯେମିତି ଏହା ସ୍ପର୍ଶ କରିପାରି ନାହିଁ ।

ସମୟ ଠିକ ରାତ୍ର ୧ ଘଣ୍ଟା ବାଜି ୨୦ ମିନିଟ । ଅଟୋଟିଏ ସେହି ଘଟଣାସ୍ଥଳୀରେ ଅଟକି ଯାଇଛି । ଅଟୋରେ ବସିଛି ଆୟୁଷ ବୋଲି ୨୧ ବର୍ଷର ପିଲାଟିଏ । କଟକ ସହର ତା’ ପାଇଁ ନୂଆଁ । ରେଭେନ୍ସା କଲେଜରେ ଭୌତିକ ବିଜ୍ଞାନରେ ସ୍ନାତକ କରିବା ପାଇଁ ଛଅମାସ ହେଲା ଆସି କଟକରେ ଅଛି ।

ସେତେବେଳେ ଭଡା ଅଟୋଟିଏ କରି ଫେରୁଥିଲା ଗାଁ’ରୁ ହଷ୍ଟେଲ କୁ । ତା’ ନଜର ଏହି ଦୁର୍ଘଟଣା ଉପରେ ପଡ଼ିଲା । ଅଟୋ ଡ୍ରାଇଭର ସାହାଯ୍ୟରେ ସେ ୩ ଜଣଙ୍କୁ ପାଖ ଘରୋଇ ଡାକ୍ତରଖାନାକୁ ନେଇଗଲା କାରଣ ସେମାନଙ୍କୁ ଶୀଘ୍ର ଚିକିତ୍ସା କରିବାର ଆବଶ୍ୟକ ଥିଲା ।

ସେଠି ପ୍ରାୟ ୨୧ଦିନ ପର୍ଯ୍ୟନ୍ତ ସେମାନଙ୍କର ଚିକିତ୍ସା ଚାଲିଛି । ଏହି ଦିନଗୁଡ଼ିକ ମଧ୍ୟରେ ଆୟୁଷ ସେମାନଙ୍କର ବହୁତ ଯତ୍ନ ନେଇଛି, ଠିକ ଏକ ପରିବାରର ସଦସ୍ୟ ପରି । ଏହି ଦିନଗୁଡ଼ିକ ମଧ୍ୟରେ ପପ୍ରତ୍ୟୁଷା ଓ ଆୟୁଷ ମଧ୍ୟରେ ଦୂରତା କମିବାରେ ଲାଗିଛି । କିନ୍ତୁ ଆୟୁଷ ସେମାନଙ୍କର ସମ୍ପର୍କକୁ ବାରମ୍ବାର ଅସ୍ୱୀକାର କରିଛି ।

ଶନିବାର ରାତି । ସମସ୍ତେ ସୁସ୍ଥ ହୋଇ ଯାଇଥିବାରୁ ଆୟୁଷ ସେମାନଙ୍କର ଯିବାର ସବୁ ବ୍ୟବସ୍ଥା କରି ଦେଇଛି । ରାବିବାର ସକାଳେ ସମସ୍ତେ ଫେରିଯିବେ । ରାତିଟା ଉଭୟ ଆୟୁଷ ଓ ପ୍ରତ୍ୟୁଷା ପାଇଁ କଷ୍ଟଦାୟୀ ହୋଇଛି । ଆୟୁଷର ନୀରବତା ଓ ପ୍ରତ୍ୟୁଷର ଦୁର୍ବଳତା ଉଭୟଙ୍କୁ ଆହୁରି ଦୁର୍ବଳ କରିଦେଇଛି ।

ରବିବାର ସକାଳ ୯ଟା । ସମସ୍ତେ ବାହାରିଛନ୍ତି ଯିବାପାଇଁ । କିନ୍ତୁ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଆୟୁଷ କୁଆଡେ ଗଲା ? ସମସ୍ତେ ବହୁତ ଖୋଜିଛନ୍ତି ପ୍ରତ୍ୟୁଷା ଦୌଡ଼ିଯାଇଁ ଡ଼ଃ ଦେବଦତ୍ତଙ୍କୁ ଆୟୁଷ କଥା ପଚାରିଛି । ଡ଼ଃ ଦେବଦତ୍ତ ଯିଏ ପ୍ରତ୍ୟୁଷାର ଚିକିତ୍ସା କରୁଥିଲେ ତା’ ହାତକୁ ବଢ଼ାଇଦେଲେ ଲଫାଫାଟିଏ ।
କିଛି ନ ବୁଝିପାରି ଆଶଙ୍କା ଓ ଉତ୍କଣ୍ଠାର ଆବେଗରେ, ପ୍ରତ୍ୟୁଷା ଲଫାଫାଟିକୁ ଖୋଲିଦେଇଛି । ପାଇଛି ଗୋଟିଏ ଚିଠି ।

ପ୍ରତ୍ୟୁଷା,

ଜାଣିଛି ତୁମେ ଏ ଚିଠି ପଢିବା ବେଳକୁ ମୁଁ ତୁମ ପାଖରେ ଆଉ ନ ଥିବି । ସେ ଦିନ ଯେବେ ତୁମମାନଙ୍କୁ ସଡ଼କରୁ ଡାକ୍ତରଖାନା ନେଇ ଆସିଲି ସେତେବେଳେ ଡ଼ଃ ଦେବଦତ୍ତ କହିଲେ ଯେ ତୁମ ମାନଙ୍କ ଚିକିତ୍ସା ଯଥାଶୀଘ୍ର ଆରମ୍ଭ ହେବା ଦରକାର । କିନ୍ତୁ ଚିକିତ୍ସା ପାଇଁ ଖର୍ଚ୍ଚ ହେବ ୨ ଲକ୍ଷ ଟଙ୍କା । ଗରୀବ ପିଲାଟିଏ ମୁଁ । ଛୋଟ ବେଳଠାରୁ ଭଲ ପାଠ ପଢ଼ୁଥିଲି । ତେଣୁ ବାପା ଜମି ବିକ୍ରି କରି ମତେ ଏଠାକୁ ପାଠ ପଢିବାକୁ ପଠାଇଥିଲେ । ତେଣୁ ତାଙ୍କ ଉପରେ ମୁଁ କେମିତି ମୋ ଦାୟିତ୍ୱର ଭାରା ପକାଇଥାନ୍ତି । ଡାକ୍ତରଙ୍କୁ କିଛି ଦିନ ସମୟ ମାଗିଲି । ମୋ ପ୍ରତିଶ୍ରୁତି ରକ୍ଷା କରି ଡ଼ଃ ଦେବଦତ୍ତ ତୁମମାନଙ୍କ ଚିକିତ୍ସା ଆରମ୍ଭ କଲେ । ମୋମନରେ କିନ୍ତୁ ଗୋଟିଏ ପ୍ରଶ ଟଙ୍କା ପାଇବି କେଉଁଠୁ ?

ଦେ ଦିନ ବୁଧବାର ମୋର ଆଖି ପଡିଲା ଜଣେ ଭଦ୍ରଲୋକଙ୍କ ଉପରେ । ପାଖକୁ ଯାଇ ଜାଣିଲି ଭଦ୍ର ଲୋକ ଜଣଙ୍କ ହେଲେ ଶ୍ରୀଯୁକ୍ତ ଧନଞ୍ଜୟ ମହାପାତ୍ର । ବୃତ୍ତୀରେ ଜଣେ ଧନୀ ବ୍ୟବସାୟୀ । ସେ ଡାକ୍ତରଙ୍କୁ ନେହୁରା ହୋଇ କହୁଥିଲେ, ତାଙ୍କ ପୁଅ କୁନାଲ ପାଇଁ ବି ନେଗେଟିଭ୍ ବ୍ଲଡ଼ ଗ୍ରୁପ ର ହାର୍ଟଟିଏ ଯୋଗାଡ଼ କରିବା ପାଇଁ ।

ସେମିତିରେ ବି ନେଗେଟିଭ୍ ବ୍ଲଡ଼ ବିଳିବା ଯେବେ କଷ୍ଟକର ହାର୍ଟ ମିଳିବା ଅସମ୍ଭବ ସଦୃଶ୍ୟ ।

କିନ୍ତୁ ଯୋଗ ଦେଖ ମୋର ରକ୍ତ କୁନାଲ ରକ୍ତ ସହ ମିଶି ଯାଉଥିଲା । ମୁଁ ରାଜି ହୋଇଗଲି । ଡ଼ଃ ଦେବଦତ୍ତ ମୋତେ ବାରମ୍ବାର ତାଗିଦ କରି କହିଲେ “ଦେଖ ଆୟୁଷ ଜଣେ ବ୍ୟକ୍ତି ହାର୍ଟଟିଏ ଦାନ କରିବାର ଅର୍ଥ ଅପମୃତ୍ୟୁକୁ ବରଣ କରିବା । ଅଳ୍ପ ବୟସର ପିଲାଟିଏ ତମେ । ଲମ୍ବା ଜୀବନ ପଡିଛି । ତେଣୁ ଏପରି କରିବା ତୁମର ମୁର୍ଖତା ହେବ ।

ମତେ କିନ୍ତୁ ଯେମିତି କିଛି ଶୁଭୁନଥିଲା । ଦିଶୁଥିଲା ତୁମର ସେହି ଦୁଇଟି ଆଖି ଯାହା ମୁଁ ତୁମକୁ ଦୁର୍ଘଟଣାରୁ ରକ୍ଷା କରିବା ସମୟରେ ଅଟୁ ପାଖରୁ ଦେଖିଥିଲି । ଯାହା ମୋ ମନକୁ ଦୁର୍ବଳ ନୁହେଁ ଏହିପରି ଶକ୍ତ ନିଷ୍ପତି ନେବାକୁ ଦୃଢ କରିଥିଲା । ଦେଖାଯାଉଥିଲା ଦାୟିତ୍ୱର ଭାର ଯାହା ବହନ କରିବା ମୋର କର୍ତ୍ତବ୍ୟ ଥିଲା । ଦେଖାଯାଉଥିଲା ଡାକ୍ତରଖାନାର ମୃତ୍ୟୁଶଯ୍ୟାରେ ପଡିଥିବା ତିନିବର୍ଷର ଅଜ୍ଞାନ ଶିଶୁ କୁନାଲର କରୁଣା ଆଖି, ଯେ ଜୀବନ ପାଇବା ପାଇଁ ପ୍ରତିକ୍ଷଣ ଆଶା ସଞ୍ଚୟ କରୁଥିଲା । ଭାସଇଉଠୁଥିଲା ମୋ ବାପାଙ୍କର ଋଣର ବ୍ୟଥା ଯାହା ମତେ ପ୍ରତିକ୍ଷଣ ଦୋଷୀ ସାବ୍ୟସ୍ତ କରୁଥିଲା ।

ଜାଣିଛ ପ୍ରତ୍ୟୁଷା ଯେତେବେଳେ ତୁମେ ଓ ତୁମ ପରିବାର ଶଯ୍ୟାରେ ପଡି କଷ୍ଟ ପାଉଥିଲ । ଲାଗୁଥିଲା ସବୁ ଯନ୍ତ୍ରଣା ମତେ ହେଉଛି । ଯେତେବେଳେ ତମେ ଡାକ୍ତର ହେବାର ସ୍ୱପ୍ନ କଥା କହିଥିଲ ମତେ ଲାଗିଲା ଯେମିତି ତାହା ମୋ ସ୍ୱପ୍ନ । ପ୍ରେମରେ ହୃଦୟ ଦେବା କଥା ତ ସମସ୍ତେ କହନ୍ତି । ଆଜି କିନ୍ତୁ ମୁଁ ତାହା ପ୍ରମାଣ କରିଛି । କେବଳ ଆମର ପ୍ରେମ ପାଇଁ ନୁହଁ । କୁନାଲର ଜୀବନ ପାଇଁ । ମୋ ବାପାଙ୍କ କଷ୍ଟ ପାଇଁ । ତୁମ ପରିବାରରେ ଯନ୍ତ୍ରଣା ଦୂର ପାଇଁ ।
ଜାଣିଛି । ବାପା ଯେବେ ଜାଣିବେ ଯେ ତାଙ୍କ ପୁଅ ଆଉ ଦୁନିଆରେ ନାହିଁ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିବେ । ସାହାସ ଯୋଗାଇଦେବ । ସେ ତାଙ୍କ ପୁଅ ପାଇଁ ଗର୍ବ କରିବେ ।

ତୁମକୁ ପ୍ରେମ କରେ ବୋଲି କେବେ କହି ପାରି ନାହିଁ, ବୋଧେ କହିବାର ସୁଯୋଗ ଶୃଷ୍ଟି କରିନି । କାରଣ ମୁଁ ଜାଣିଥିଲି ଆମ ସମ୍ପର୍କର ନିବିଡ଼ତା । ତୁମକୁ ମୁଁ ଯିବା ପରେ ଆହୁରି ଦୁର୍ବଳ କରି ଦେଇଥାନ୍ତା । କିନ୍ତୁ ତୁମକୁ ଦୃଢ଼ ହେବାକୁ ହେବ । ତୁମ ସ୍ବପ୍ନ ମାଧ୍ୟମରେ ମୋ ସ୍ୱପ୍ନକୁ ସାକାର କରିବାକୁ ପଡିବ । ମୋ ବଳିଦାନର ମୂଲ୍ୟ କେବଳ ତୁମେ ହିଁ ରଖିପାରିବ ।

ତୁମେ ଡାକ୍ତର ହେବାକୁ ଇଚ୍ଛା କରିଥିଲ ଆଜି ତୁମ ସ୍ବପ୍ନ ପୂରା କରିବା ପାଇଁ ମଧ୍ୟ ମୁଁ ଅର୍ଥ ଯୋଗାଡ଼ କରି ଦେଇଛି । ତୁମେ କଥା ଦିଅ ତୁମେ ଡାକ୍ତର ହେବା ପରେ ଏକ “ଅଙ୍ଗ ଦାନ ” ସଂସ୍ଥା ଗଠନ କରିବ । ଯେଉଁଠି ମାଗଣାରେ କୁନାଲ ପରି ଶହ ଶହ ଆଶାୟୀ ଜୀବନକୁ ଜୀବନଦାନ ଦେଇ ହେବ ।
କାରଣ ମୁଁ ଚାହେଁନାହିଁ ଯେଉଁ କଷ୍ଟ କୁନାଲ ଭୋଗୁଥିଲା ଯେଉଁ ଯନ୍ତ୍ରଣା ମୁଁ ପାଇଲି ତାହା ଅନ୍ୟମାନଙ୍କୁ ପ୍ରାପ୍ତ ହେଉ । ତୁମେ ଦୃଢ଼ ହେଲେ କେବଳ ଆମ ଦୁଇ ପରିବାର ନୁହେଁ ଅନେକ ପରିବାର ସୁଖୀ ହୋଇ ପାରିବେ । ଜେଏବେଳେ କେହି ରୋଗୀ ତୁମ କାରଣରୁ ଜୀବନ ପାଇ ଖୁସି ହେବ ଜାଣିବ ମୁଁ ହିଁ ହସୁଛି । ମୋର ଦାନ ସଫଳ ହୋଇଛି । ଆମର ପ୍ରେମ ଆମର ହୋଇଛି ।

ଇତି
ତୁମର ଆୟୁଷ

ଲୋକପ୍ରିୟ ଲେଖା

To Top