ଅଣୁଗଳ୍ପ

ଲାଶ୍ ବେପାର

Aravind Das's odia short story Laash Bepaara

ଆଜି ଘର ସାମ୍ନାରେ ସାମାନ୍ୟ କିଛି ଟଙ୍କା ଲୋଭରେ ନିଜ ବୃଦ୍ଧ ସ୍ୱାମୀଙ୍କ ଦାହ ସଂସ୍କାର ନକରି, ସାମ୍ନାରେ ଅଣ୍ଟା ନଇଁଯାଇଥିବା ବୁଢୀକୁ ଦେଖି ଘୃଣାରେ ଭରି ଉଠୁଥିଲା ଡକ୍ଟର ମିଶ୍ରଙ୍କ ମନ ।

ଲାଶ୍ ବେପାର

ଜଣେ ବୁଢୀ ନିଜର ବୃଦ୍ଧସ୍ୱାମୀଙ୍କ ମୃତ ଶରୀରକୁ ବିକିବାକୁ ଆସିଛି ବୋଲି ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ଡକ୍ଟର ମିଶ୍ର । ଏକ ବେସରକାରୀ ମେଡିକାଲ୍ କଲେଜରେ ଆଡମିନିଷ୍ଟ୍ରେଟିଭ୍ ଅଫିସର ଭାବେ କାମ କରନ୍ତି ଡକ୍ଟର ମିଶ୍ର ।

କିଛିଦିନ ତଳେ ଏକ ଘରୋଇ ଟିଭି ଚ୍ୟାନେଲରେ ଏକ ଚର୍ଚ୍ଚାରେ ଭାଗ ନେଇ ମେଡିକାଲ ପିଲାଙ୍କର ପାଠପଢା ପାଇଁ ଆବଶ୍ୟକ ପଡୁଥିବା ଲାଶ୍‌ର ଘୋର ଅଭାବ ବୋଲି କହିଥିଲେ ଡକ୍ଟର ମିଶ୍ର । କାରଣ ଲାୱାରିସ୍ ଲାଶ୍ ପାଇଁ ସରକାରୀ ହସ୍ପିଟାଲକୁ ପନ୍ଦର ହଜାର ଟଙ୍କା ଦବାକୁ ପଡେ, ତଥାପି ଆଜିକାଲି ଲାଶ୍ ପାଇବା ଭାରି କଷ୍ଟ । ତେଣୁ ମିଶ୍ରବାବୁ ସେତିକିବେଳେ ଘୋଷଣା କଲାପରି କହିଥିଲେ, “ଆମ କଲେଜ ଗୋଟେ ଲାଶ୍ ପାଇଁ ଲକ୍ଷେ ଟଙ୍କା ଦେବାକୁ ପ୍ରସ୍ତୁତ ।”

ଆଜି ଘର ସାମ୍ନାରେ ସାମାନ୍ୟ କିଛି ଟଙ୍କା ଲୋଭରେ ନିଜ ବୃଦ୍ଧ ସ୍ୱାମୀଙ୍କ ଦାହ ସଂସ୍କାର ନକରି, ସାମ୍ନାରେ ଅଣ୍ଟା ନଇଁଯାଇଥିବା ବୁଢୀକୁ ଦେଖି ଘୃଣାରେ ଭରି ଉଠୁଥିଲା ଡକ୍ଟର ମିଶ୍ରଙ୍କ ମନ । ଇସ୍, କେତେ ଲୋଭୀ ବୁଢୀ ! ଛିଃ, ଦୁନିଆରେ ମାନବିକତା ବୋଲି ଜିନିଷ ସଂପୂର୍ଣ୍ଣ ଭାବେ ଲୋପ ପାଇବାକୁ ବସିଲାଣି ।

“ମାଉସୀ, ଆପଣଙ୍କ ପିଲାମାନେ କାହାନ୍ତି ? ଥରେ ଆମ କଲେଜକୁ ଲାଶ୍ ଦେଇଦେଲେ, ଦାହକ୍ରିୟା ପାଇଁ ଆଉ ନେଇପାରିବେ ନାହିଁ ।”

ଶାଢୀ କାନିରେ ନିଜ ମୁଁହ ଓ ଆଖିକୁ ପୋଛି ପକାଇ ବୁଢୀ କହିଲା, “ବୁଢାଙ୍କ ସ୍ତ୍ରୀ ମରିଗଲା ପରେ ତାଙ୍କ ପିଲାମାନେ ସମ୍ପତ୍ତି ମାଡି ଭାଗବାଣ୍ଟ କରି ନେଇଗଲେ ଆଉ ବାପାକୁ କେହି ପଚାରୁନଥିଲେ । ମୋର ବି ସଂସାରରେ କେହି ନାହାନ୍ତି ବୋଲି ଏ ବୁଢାବୁଢୀ ବୟସରେ ଉଭୟେ ଉଭୟଙ୍କୁ ସାହାରା ହେବୁ ବୋଲି ବାହା ହୋଇପଡିଲୁ । ଆମ ଦୁହିଁଙ୍କ ଜାତି ଅଲଗା ବୋଲି ଗାଁ ଲୋକେ ଆମକୁ ଏକଘରିକିଆ କରି ବାସନ୍ଦ କରିଥିଲେ । ବୁଢା ମରିଗଲା ପରେ ଲାଶ୍‌କୁ କାନ୍ଧ ଦେବା ପାଇଁ କେହି ଗାଁବାଲା ଆସିଲେ ନାହିଁ । ଅଟୋବାଲାକୁ ଅଧିକ ପଇସା ଲୋଭ ଦେଖାଇ ଲାଶ୍‌କୁ ତମ ପାଖକୁ ବଡ ଆଶାରେ ନେଇ ଆସିଛି ପୁଅ ।”

“ମଉସାଙ୍କ ଦାହ ସଂସ୍କାର କରିବ ନାହିଁ ?”

କାନ୍ଦକାନ୍ଦ ସ୍ୱରରେ ବୁଢୀ କହିଲା, “ସେଇଥି ପାଇଁ ତ ଆସିଛି । ବୁଢାର ଦାହକର୍ମ ପାଇଁ ମୋ ପାଖରେ ପଇସା ନାହିଁ । ସ୍ୱର୍ଗଦ୍ୱାର ଯିବାକୁ ତାଙ୍କର ଶେଷଇଚ୍ଛା ଥିଲା । ଲକ୍ଷେ ଟଙ୍କା ମୋର ଦରକାର ନାହିଁ ବାପା । ଅଟୋଭଡା ଓ କ୍ରିୟାକର୍ମ ପାଇଁ ଯେତିକି ଦରକାର ସେତିକି ଦିଅ । ବୁଢାରାଣ ଖାଇ କହୁଛି, କ୍ରିୟାକର୍ମ ସାରି ସିଧା ଏଇଠିକୁ ଆସିବି । ମୋ ଦେହଟା ତମ କଲେଜ ପିଲାମାନେ କଟାକଟି କରି ପରୀକ୍ଷା କରି ପାରନ୍ତି ।”

ଚମକି ପଡିଲେ ଡକ୍ଟର ମିଶ୍ର, ବୁଢୀ କଥା ଶୁଣି । ବୁଢୀଟା ବୋଧେ ପାଗିଳୀ । “ଜୀଅନ୍ତା ମଣିଷଙ୍କ ଶରୀର ଆମ କଲେଜ କିଣେ ନାହିଁ । ନିଜ ଦେହ’ର ବେପାର କରିବାକୁ
ଖରାପ ଲାଗୁନି ?”

ଏକ ଶୁଖିଲା ହସ ନିଜ ମୁହଁରେ ଖେଳାଇ ବୁଢୀ କହିଲା, “ମୋତେ ଭଲ କରି ପରୀକ୍ଷା କର ଡାକ୍ତର ବାବୁ । ମୁଁ କଣ ଆଉ ବଞ୍ଚିଛି ? ମୁଁ ପରା ଗୋଟେ ଜୀଅନ୍ତା ଲାଶ୍ । ନିଜ ଦେହ’ର ବେପାର କରିବାର ଅଧିକାର କଣ ମୋର ନାହିଁ ? ”

ଏମିତି ଏକ ଅଳ୍ପ ଶିକ୍ଷିତ ବୁଢୀଠାରୁ ଏଭଳି ଉତ୍ତର ଶୁଣି ସ୍ତବ୍ଧ ହୋଇ ଠିଆ ହୋଇଥିଲେ ଡକ୍ଟର ମିଶ୍ର ।

—————x————-

Samir Mishra
ଉଦ୍‌ଘୋଷକ – ସମୀର ମିଶ୍ର , ଘର – ଜଦୁଚନ୍ଦ୍ରପୁର, ଭିତରଗଡ଼, କେନ୍ଦ୍ରାପଡ଼ା -୭୫୪୨୨୫ । ବୃତ୍ତି କାର୍ଯ୍ୟକ୍ରମ ଉଦ୍‌ଘୋଷକ, ଅଲ୍‌ ଇଣ୍ଡିଆ ରେଡିଓ, କଟକ । ଠିକଣା – C/O-Gadadhar Barik, Plot No 2294/2497, Gandarpur New Colony, P.P. College Square, Cuttack – 753003, Odisha ।

ଲୋକପ୍ରିୟ ଲେଖା

To Top