ଅଣୁଗଳ୍ପ

ସେଇ ଛୋଟ ଝିଅଟି

Ashis Ranjan Das's Odia Story Sei Chhota Jhiati

ମା’ଙ୍କର ସମ୍ମତି ମିଳିବାରୁ ଆହୁରି ପାଖକୁ ଲାଗି ଆସି ସିନେମା ଦେଖିବାକୁ ଲାଗିଲା । ନିତିଶ୍ ହେଡ୍ ଫୋନ୍ ବାହାର କରି ଦେଇ ଭଲ୍ୟୁମ୍ ବଢାଇ ଦେଲା ।

ସେଇ ଛୋଟ ଝିଅଟି

ବଗି ର କୋଳାହଳ ଭିତରେ ଥାଇ ବି ଆଖି ଲାଗି ଯାଇଥାଏ ନିତିଶ୍ ର । ଟ୍ରେନ୍ ପରବର୍ତ୍ତି ଷ୍ଟେସନ୍ ପାଖାପାଖି ହେବାରୁ ହର୍ନ ଶବ୍ଦ ରେ ହଠାତ୍ ଉଠିପଡିଲା । ଆଖିରେ ଆଉ ନିଦ ଥିଲେବି ଆଉ ଶୋଇବାକୁ ଚେଷ୍ଟା କଲାନାହିଁ, କାରଣ ଏକାକି ଯାତ୍ରା କରୁଛି । ପୁଣି ପାଖରେ ଲାପ୍‌ଟପ୍, ପଇସା ଇତ୍ୟାଦି ଅନେକ ଜିନିଷ ଅଛି । ଚୋର ଭୟ ବି କମ୍ ନୁହେଁ । ସେମିତି ବି ଲୋକାଲ ଟ୍ରେନ୍‌ରେ ଭୟ ଟିକେ ବେଶି ।

ନିତିଶ୍ ଲାପ୍‌ଟପ୍ ଅନ୍ କରି କିଛି ସମୟ ଗୀତ ଶୁଣିଲା ଏବଂ ସିନେମା ଦେଖିଲା । ପାଖରେ ଗୋଟିଏ ଛୋଟ ଝିଅଟିଏ ବସି ଥାଏ । ତାର ବାପା, ମା ଆଉ ଗୋଟିଏ ଛୋଟ ଭାଇ ବି ଥାନ୍ତି ତା ସହିତ । ତା ଛୋଟ ଭାଇ ଶୋଇ ପଡିଥାଏ ତା ମା କୋଳରେ । ବାପା ବି ଘୁମଉ ଥାନ୍ତି । ଝିଅଟିର ବୟସ ଖୁବ୍ ବେଶି ହେଲେ ୧୨ କି ୧୩ ବର୍ଷ ହବ । ସେ ପାଖକୁ ଲାଗି ଆସିଲା । ନିତିଶ୍ ପଚାରିଲା ସିନେମା ଦେଖିବ ? ଝିଅଟି ହଁ କହିଲା ଓ ତା ମା ଆଡକୁ ଚାହିଲା । ମା’ଙ୍କର ସମ୍ମତି ମିଳିବାରୁ ଆହୁରି ପାଖକୁ ଲାଗି ଆସି ସିନେମା ଦେଖିବାକୁ ଲାଗିଲା । ନିତିଶ୍ ହେଡ୍ ଫୋନ୍ ବାହାର କରି ଦେଇ ଭଲ୍ୟୁମ୍ ବଢାଇ ଦେଲା ।

କିଛି ସମୟ ପରେ ନିତିଶ୍ ଝିଅଟିର ନାଁ ପଚାରିଲା । ସେ କହିଲା “ପରୀ” । ସତରେ କୁନି ପରୀଟିଏ ପରି ତ ଦେଖାଯାଉଛି । ନିତିଶ୍ ପୁଣି ପଚାରିଲା “କୋଉ କ୍ଲାସ୍ ରେ ପଢୁଛ ? ପରୀ କହିଲା “ସପ୍ତମ” । ନିତିଶ୍ ମନେ ମନେ ଭାବିଲା ତା ଅନୁମାନ ପୂରା ଠିକ୍ । ସେ ତା ସାନ ଭଉଣି ରୀୟା ବୟସର ହବ । ପରୀ କିନ୍ତୁ ସିନେମା ଦେଖିବାରେ ମଗ୍ନ ଥାଏ । ନିତିଶ୍ କିଛି ପଚାରିଲେ ଉତ୍ତର ଦେଉଥାଏ ।

ପରବର୍ତ୍ତି ଷ୍ଟେସନ ରେ ଟ୍ରେନ୍ ରହିଲା । ଅନେକ ଲୋକ ଚଢିଲେ ଆଉ କିଛି ଲୋକ ଓହ୍ଲେଇଲେ । ହଠାତ୍ ଝିଅଟି ଉଠି ଯାଇ ବଗିର ଦରଜା ପାଖରେ ଠିଆ ହେଲା । ତା ମା ତାକୁ ଡାକିଲେ । ସିଏ କହିଲା, “ଆସୁଚି ମା, ଟିକେ ରୁହ ।” ନିତିଶ୍ ତା ମା ସହ କଥା ଆରମ୍ଭ କରିବାକୁ ଯାଇ କହିଲା, “ଆପଣଙ୍କ ଝିଅ ବହୁତ୍ ସୁନ୍ଦର ଆଉ ସ୍ମାର୍ଟ୍ ମଧ୍ୟ । ତା ମା କହିଲେ, “ବଡ ଦୁଃଖି ଝିଅଟି ବାବୁ । ତା ମା ବାପା ଗୋଟେ ଦୂର୍ଘଟଣା ରେ ଚାଲିଗଲେ । ଆଶ୍ଚର୍ଯ୍ୟର କଥା ୟାର କିନ୍ତୁ କିଛି ବି ହେଇ ନଥାଏ । ସବୁ ଭଗବାନ ଙ୍କ ଇଚ୍ଛା । ଆମେ ଦୁଈ ଜଣ ସେଈ ବାଟରେ ଯାଉ ଥିଲୁ । ତା ମା ତାକୁ ମୋ ହାତକୁ ଟେକି ଦେଇ କହିଲେ , “ମୋର ଗୋଟିଏ ବୋଲି ଝିଅ । ୟାକୁ ନିଜ ଝିଅ ଭଳି ପାଳିବ । ମୋ ପାଖରେ ଆଉ ବେଶି ସମୟ ନାହି।” ଏତିକି କହି ସେ ଆଖି ବୁଜିଲେ । ତା ବାପା ଆଗରୁ ଚାଲିଯାଇଥିଲେ କାରଣ ସେ କାର୍ ନିଯେ ଚଲାଉ ଥିଲେ । ସେ ଦିନ ଠାରୁ ମୁ ପରୀ କୁ ନିଜ ଝିଅ ଭଳି ପାଳିଛି । ତା ପରେ ଆମର ମଧ୍ୟ ପୁଅ ଟିଏ ହେଇଚି । ପରୀ କୁ ଜଣା ନାହିଁ ଯେ ସେ ମୋ ଝିଅ ନୁହଁ । ଏକଥା ବି ସତ, ସେ ମୋ ଝିଅ । ମୋ ପରୀ । କହୁ କହୁ ତାଙ୍କ ଆଖିରେ ଲୁହ ଜକେଇ ଆସିଲା ।

ଝିଅଟି ହଠାତ୍ ଆସି ଯିବାରୁ ତା ମା ଲୁହ ଲୁଚାଇବାକୁ ବୃଥା ଚେଷ୍ଟା କଲେ । ପରୀ ପଚାରିଲା, “ମା, ତମେ କାନ୍ଦୁଛ କଣ ପାଇଁ ?” ସେ କହିଲେ, “ନା ରେ ମା, ସେ କିଛି ନୁହଁ ।” ଟ୍ରେନ ରେ ଅନେକ ଫେରିବାଲା ଆସୁଥାନ୍ତି ଯାଉଥାନ୍ତି । ପରୀର ମା ପଚାରିଲେ, “କିଛି ଖାଇବୁକି?” ସିଏ ମନା କଲା ।

ଗୋଟିଏ ଅନ୍ଧ ଭିକାରୀଟିଏ ବଗି ଭିତରେ ଗୀତ ଗାଇ ଗାଇ ଭିକ ମାଗୁଥାଏ । କିଏ କିଏ ସଦୟ ହେଇ କିଛି ପଇସା ଦେଉଥାନ୍ତି । ଅତି ସୁନ୍ଦର ଭାବରେ ସେ ଭଜନ ଗାଉଥାଏ । ସେ ଆମଠାରୁ ପ୍ରାୟ ଦଶ ହାତ ଦୂରରେ ଥାଏ । ପରୀ ତା ମା ଙ୍କୁ କହିଲା, ” ମା, ମୋତେ ସେଇ ବଡ ବିସ୍କୁଟ୍ ପ୍ୟାକେଟ୍ ଟା ଦିଅ । ମା କହିଲେ, ତତେ ୨ ମିନିଟ୍ ଆଗରୁ ଭୋକ ନଥିଲା, ଏବେ ସାଙ୍ଗେ ସାଙ୍ଗେ ଭୋକ ଲାଗିଲାଣି ! ପରୀ ଅଳି କଲା ଭଳି କହିଲା, “ଦିଅନା ମା ।” ମା କହିଲେ, “ତୁ ଆଉ କିଛି ଖାଉନୁ ! ଏତେ ବଡ ବିସ୍କୁଟ୍ ପ୍ୟାକେଟ୍ ଟା କଣ କରିବୁ ? ଅଧା ଖାଇବୁ, ବାକି ଅଯଥା ନଷ୍ଟ କରିବୁ ।” କେକ୍ ଗୋଟିଏ ପିସ୍ ବାହାର କରି ଦେଲେ । ସିଏ କହିଲା, “ନା, ମୋର ସେଇଟା ହିଁ ଦରକାର୍ । ମା କହିଲେ, “ହଉ ନେ, ତୋର ଯାହା ଇଚ୍ଛା ତାହା କର ।”

ସେତେବେଳକୁ ଭିକାରୀଟି ଠିକ୍ ଆମ କମ୍ପାର୍ଟମେଣ୍ଟ୍‌ ଆଗରେ ଠିଆ ହେଇଥାଏ ଓ ଗୀତ ଗାଇ ଚାଲିଥାଏ । ଝିଅଟି ବିସ୍କୁଟ୍ ପ୍ୟାକେଟ୍‌ଟି ଧରି ସେ ଅନ୍ଧ ଭିକାରୀଟି ପାଖକୁ ଯାଇ ତା ହାତରେ ପ୍ୟାକେଟ୍ ଟିକୁ ଧରାଇ ଦେଲା । ଲୋକଟି ଖୁସିରେ ଆଶିର୍ବାଦ କରି କହିଲା , “ଭଗବାନ୍ ତୁମର ମଙ୍ଗଳ କରନ୍ତୁ ।”

ଲୋକପ୍ରିୟ ଲେଖା

To Top