ଗଳ୍ପ

ପରିଚୟ

Odia Author Dr. Ajit Kumar Tripathy

ଏଥିରେ ସ୍ୱରୂପ ଚୈତନ୍ୟଙ୍କର କିଛି ଦୋଷ ନ ଥିଲା କାରଣ ତିରିଶି ବର୍ଷ ବୟସର ଅବିବାହିତ ବ୍ରହ୍ମଚାରୀଙ୍କ ନିକଟରେ ନିର୍ଜନ ରାତିରେ ଜମେ ମୋ ବୟସର ପୂର୍ଣ୍ଣ ଯୌବନା ଯୁବତୀ ନିରୋଳାରେ ଯଦି ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରେ ତେବେ ତାଙ୍କର ନିଜ ଉପରୁ ନିୟନ୍ତ୍ରଣ ହରାଇବା ସ୍ୱାଭାବିକ ।

ପରିଚୟ

-: ପୁର୍ବରୁ :-

“ନମସ୍କାର, ଆପଣଙ୍କ ବିନା ଅନୁମତିରେ ଓ ଅସମୟରେ ଖବର ନ ଦେଇ ଆସିଥିବାରୁ ପ୍ରଥମେ କ୍ଷମା ଚାହୁଁଛି । ମୁଁ ରାଜ୍ୟ ଜଳସେଚନ ବିଭାଗର ଚିଫ୍ ଇଞ୍ଜିନିୟର୍ ମନୋଜ ପଟ୍ଟନାୟକ । ଆପଣ ବୋଧହୁଏ ଏଇ ଆଶ୍ରମରେ କିଛିବର୍ଷ ହେଲା ରହିଲେଣି । ଯଦି କିଛି ମନେକରିବେ ନାହିଁ ମୁଁ ଆପଣଙ୍କୁ ଗୋଟିଏ ଦୁଇଟି ପ୍ରଶ୍ନ ପଚାରିବି । ଆସିଛି, କିଛି ଖବର ସଂଗ୍ରହ କରିବାକୁ ।”

ଆପାତତଃ ଟିକିଏ ଅପ୍ରସ୍ତୁତ ମନେହେଲେ ସନ୍ନ୍ୟାସିନୀ । ତା’ପରେ ରହିଯାଇ କହିଲେ, “ବୁଝିପାରୁନି ଜଣେ ବରିଷ୍ଠ ସରକାରୀ ଇଞ୍ଜିନିୟର୍‌ଙ୍କର ଏ ସନ୍ନ୍ୟାସିନୀ ପାଖରେ କାମ କ’ଣ ? ମୋ ପାଖରେ ପୁଣି ଖବର କ’ଣ ? ତଥାପି ପଚାରନ୍ତୁ. . . ।”

ଟିକିଏ ରହିଯାଇ ମନୋଜବାବୁ କହିଲେ । “ମୁଁ ରାମପୁର ଅନାଥାଶ୍ରମରୁ ଖବର ନେଇଛି ଯେ ଚବିଶି ବର୍ଷ ତଳେ ଏଇ ଗାଁରୁ ଜଣେ କିଏ ମହିଳା ମଝିରେ ମଝିରେ ସେଇ ଅନାଥାଶ୍ରମକୁ ବୁଲିବାକୁ ଯାଇ ଅନେକ ଜିନିଷପତ୍ର ଅନାଥାଶ୍ରମକୁ ଦେଉଥିଲେ । କିନ୍ତୁ ଡେନମାର୍କରୁ ଗୋଟିଏ ଦମ୍ପତି ଜଣେ ଅନାଥ ଝିଅକୁ ପୋଷ୍ୟା କନ୍ୟାରୂପେ ନେଇଯିବା ପରେ ସେ ଆଉ ଅନାଥାଶ୍ରମକୁ ଯାଇନାହାନ୍ତି । କାଳେ ଏଭଳି କୌଣସି ଭଦ୍ରମହିଳାଙ୍କୁ ଆପଣ ଚିହ୍ନିଥିବେ ବୋଲି ପଚାରିବାକୁ ଏଠିକି ଚାଲିଆସିଲି ।”

କିଛି ନ କହି ଆଶ୍ଚର୍ଯ୍ୟ ହୋଇ ମନୋଜବାବୁଙ୍କୁ ତଳୁ ଉପର ଯାଏଁ ଚାହିଁଲେ ସନ୍ନ୍ୟାସିନୀ ବିସ୍ଫାରିତ ନୟନରେ ।

“ଆପଣ ଏଇ ଗାଁର ଏଭଳି କାହାକୁ ଜାଣିଥିଲେ କି ଯିଏ ଏ ଗାଁରୁ ସେବେ ରାମପୁର ଅନାଥାଶ୍ରମକୁ ଯାଉଥିଲେ ?” ସ୍ପଷ୍ଟ ପ୍ରଶ୍ନ ଥିଲା ମନୋଜବାବୁଙ୍କର ।

ସନ୍ନ୍ୟାସିନୀ ମୁହଁରେ କୌଣସି ପରିବର୍ତ୍ତନ ନ ଆଣି କହିଲେ, ଗମ୍ଭୀର ହୋଇ, ହଁ ଜାଣେ । ହେଲେ ଆପଣ କାହିଁକି ଜାଣିବାକୁ ଚାହୁଁଛନ୍ତି- କ’ଣ ମିଳିବ ଆପଣଙ୍କୁ ସେ ମହିଳାଙ୍କୁ ଜାଣି ? “ଆପଣଙ୍କର ତାଙ୍କ ସାଙ୍ଗେ କାମ କ’ଣ ଜାଣିପାରେ କି ?”

ମନୋଜବାବୁ ଧୀରଗଳାରେ ଅନୁନୟ ହୋଇ ତାଙ୍କ ପୁଅ ସୁସ୍ମିତ୍‌ର ପସନ୍ଦ କରିଥିବା ଝିଅଟି କଥା କହିଲେ ଏବଂ ଜଣାଇଲେ ଯେ ସେ ଯାହାକୁ ବୋହୂ କରିବାକୁ ଭାବୁଛନ୍ତି ତା’ର ପ୍ରକୃତ ପିତାମାତାଙ୍କ ବିଷୟରେ କିଛି ଖବର ସଂଗ୍ରହ କରିବାକୁ ସେ ଅନେକ ଅନାଥାଶ୍ରମ ଏ ଭିତରେ ବୁଲିଲେଣି । ତାଙ୍କର ବର୍ଷେ ତଳେ ପତ୍ନୀ ବିୟୋଗ ଘଟିଥିବାରୁ ପୁଅର ବାପା, ମା’ ଉଭୟ ଦାୟିତ୍ୱ ତାଙ୍କୁ ତୁଲାଇବାକୁ ହିଁ ପଡୁଛି ।

ସନ୍ନ୍ୟାସିନୀ ଏଥର ନିଜକୁ ଅନେକଟା ସହଜ କରିଦେଲେ । ନରମ ଗଳାରେ କହିଲେ- “ଆପଣ ଯଦି ଗୋପନୀୟତାର ଶପଥ ନେବେ ଭଗବାନ ମହାଦେବଙ୍କ ରାଣ ନେଇ ଏବଂ ଏ କଥା କେବେ ହେଲେ କାହାକୁ ଏପରିକି ନିଜ ପୁଅବୋହୂଙ୍କୁ ମଧ୍ୟ ଜଣାଇବେ ନାହିଁ ତେବେ ଆପଣଙ୍କୁ ସେ ମହିଳା ଓ ସେ ଝିଅର ପରିଚୟ ଦେବାରେ ମୋର ଆପତ୍ତି ନାହିଁ ।”

ସର୍ତ୍ତରେ ରାଜି ହେଲେ ମନୋଜବାବୁ- ସନ୍ନ୍ୟାସିନୀ ସଙ୍ଗେ ଧୀରେ ଧୀରେ ଆଗକୁ ପାଦ ପକେଇ ପ୍ରକୋଷ୍ଠ ଭିତରକୁ ଗଲେ ସେ ।

ହଁ, ଶୁଣନ୍ତୁ, ଅନେକଦିନ ତଳର ସେ ଅକୁହା ଇତିହାସ ।

ସେ ଚାଲିଯାଇଛି ଡେନମାର୍କ । ମୁଁ ଶୁଣିଛି ଷ୍ଟେଫାନ୍ ଦମ୍ପତିଙ୍କୁ ସେ ନିଜର ମା’ ବାପା ଭାବରେ ମାନିଛି । ତା’ର ଆଉ କୌଣସି ସମ୍ପର୍କୀୟ ତା’ ସମ୍ୱନ୍ଧରେ କୌଣସି ଖବର ଏଇ ପଚିଶି ବର୍ଷ ହେଲା ନେଇ ନାହାନ୍ତି । ତା’ ଜୀବନରେ ଆଉ କୌଣସି ଝଡ଼ ଆସୁ ଏ କଥା ମୁଁ ଚାହେଁ ନାହିଁ । ଆଉ ଅଳ୍ପ ସମୟ ଭିତରେ ଅଜଣା ରହସ୍ୟ ଉନ୍ମୋଚିତ ହେଇଯିବ ଭାବି ମନୋଜବାବୁ ନିଜ ଭିତରେ ହେଉଥିଲେ ଆହ୍ଲାଦିତ ।

ମୋ ବାପା ଥିଲେ ସି.ଆଇ. ଅଫ୍ ସ୍କୁଲ୍ସ । ମୋତେ ପାଞ୍ଚ ବର୍ଷ ବେଳୁ ହରାଇଥିଲି ମୁଁ ମୋ ମାଆଙ୍କୁ । ବାପା ମୋର ଥିଲେ ସବୁକିଛି । ମୁଁ ଥିଲି ତାଙ୍କର ଗୋଟିଏ ବୋଲି ଝିଅ । ବାପା ଥିଲେ ନିତାନ୍ତ ନ୍ୟାୟପରାୟଣ ଓ ଧର୍ମପରାୟଣ । ସେ ଆଉ ଦ୍ୱିତୀୟ ବିବାହ କରି ନ ଥିଲେ । ମାଆଙ୍କୁ ଓ ମୋତେ ସେ ଏତେ ଭଲ ପାଉଥିଲେ ଯେ ସେ ଦ୍ୱିତୀୟବାର ଗ୍ରହଣ କଥା ଭାବି ମଧ୍ୟ ପାରି ନ ଥିଲେ । ସତ୍ସଙ୍ଗରେ ଥିଲା ତାଙ୍କର ଅଗାଧ ବିଶ୍ୱାସ । ସାଧୁସନ୍ଥ ସନ୍ୟାସୀମାନଙ୍କର ବହୁତ ଆଦର କରୁଥିଲେ । ଅନେକ ସମୟରେ ସେମାନେ ଥିଲେ ଆମ ଘରେ ଅତିଥି । ବାପା ସନ୍ନ୍ୟାସ ଦୀକ୍ଷା ନେଇଥିଲେ ସ୍ୱାମୀ ସୌରଭାନନ୍ଦଙ୍କଠାରୁ । ମାଆ ଚାଲିଗଲା ପରେ ବାପା ଏକ ଆଧ୍ୟାତ୍ମିକ ପରିବେଶକୁ ଆଦରି ନେଇ ସେଥିରେ ଅଧିକାଂଶ ସମୟ ବିତାଉଥିଲେ । ହେଲେ ଚାକିରୀରେ କେବେ ଅବହେଳା କରିନାହାନ୍ତି ।

ମୁଁ ଦର୍ଶନ ଶାସ୍ତ୍ରରେ ଓ ପରେ ସଂସ୍କୃତରେ ଏମ୍.ଏ. ପାଠ ସାରି ଏମ୍.ଫିଲ୍ କରିବା ପାଇଁ ଅପେକ୍ଷା କରିବାବେଳେ ଗ୍ରୀଷ୍ମ ଛୁଟିରେ ଘରେ ଥାଏ । ମୁଁ ମଧ୍ୟ ଖୁବ୍ ଭଲ ପାଉଥିଲି ସାତ୍ତ୍ୱିକ ଜୀବନଯାପନ କରିବା ପାଇଁ । ମୁଁ ଥିଲି ଶୁଦ୍ଧ ଶାକାହାରୀ । ଗୀତା, ଉପନିଷଦ, ପୁରାଣ, ବେଦ ଆଦି ଅନେକ ପଢୁଥିଲି । ପ୍ରାଚ୍ୟ ଓ ପାଶ୍ଚାତ୍ୟ ସବୁ ଦର୍ଶନ ଓ ବ୍ରହ୍ମବିଦ୍ୟାରେ ହାସଲ କରୁଥିଲି ପ୍ରବେଶ । ଧ୍ୟାନ ଓ ପୂଜା ଅର୍ଚ୍ଚନାରେ ଯାଉଥିଲା ମୋର ଅନେକ ସମୟ । ନିଷ୍ପତ୍ତି ନେଇଥିଲି ବିବାହ ନ କରି ସନ୍ନ୍ୟାସିନୀର ଜୀବନଯାପନ କରିବି ଓ ବାପାଙ୍କୁ ବୁଢ଼ା ଦିନେ ପାଖରେ ରଖିବି । ଯଦିବା ବାପାଙ୍କୁ କହି ନଥିଲି ମୋ ନିଷ୍ପତ୍ତି ।

ବାପା ଟୁର୍‌ରେ ଥିଲେ । ଦିନେ ହଠାତ୍ ପହଞ୍ଚିଲେ ସ୍ୱାମୀ ସୌରଭାନନ୍ଦଙ୍କ ପରମ ଶିଷ୍ୟ ବ୍ରହ୍ମଚାରୀ ସ୍ୱରୂପ ଚୈତନ୍ୟ । ଆଗରୁ କୁଆଡ଼େ ମୁଁ ହଷ୍ଟେଲ୍‌ରେ ଥିବାବେଳେ ଆମ ଘରକୁ ସେ ଆସିଥିଲେ କେଇଥର । ମୁଁ ଟାଉନ ହଲ୍‌ରେ ପୂର୍ବରୁ ତାଙ୍କ ପ୍ରବଚନ ଦୁଇଥର ଶୁଣିଥିଲି । ସନ୍ଧ୍ୟା ଭୋଜନ ପରେ ବ୍ରହ୍ମଚାରୀ ଓ ମୁଁ ବସିଲୁ କିଛି ଶାସ୍ତ୍ର ଆଲୋଚନା କରିବା ପାଇଁ । ମୋର ବେଦ, ଉପନିଷଦ ଓ ପୁରାଣ ବିଷୟରେ ସେତେବେଳେ ପର୍ଯ୍ୟନ୍ତ ଯାହା ପ୍ରବେଶ ହୋଇଥିଲା ସେ ବିଷୟରେ ଅନେକ ପ୍ରଶ୍ନ ପଚାରିଲେ ସେ । ମୁଁ ଯେତିକି ଭଲ ଭାବେ ବୁଝିଥିଲି ତା’ର ଉତ୍ତର ଦେଉଥାଏ । ଯେଉଁଠାରେ ଭୁଲ୍ କହୁଥାଏ ତାକୁ ସେ ସଂଶୋଧନ କରିଦେଉଥାନ୍ତି । ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ଅଦ୍ୱୌତ ବେଦାନ୍ତରେ ଓ ସାଂଖ୍ୟଦର୍ଶନରେ ଥିଲା ତାଙ୍କର ଅପୂର୍ବ ଦଖଲ । ତା’ପରେ ମୋର ଯେଉଁ ଯେଉଁ ବିଷୟରେ ସନ୍ଦେହ ଥିଲା ବା ପ୍ରଶ୍ନ ଥିଲା ମୁଁ ତାଙ୍କୁ ପଚାରିଲି । ଅନାୟାସରେ ସେ ଉତ୍ତର ଦେଇ ଚାଲିଲେ ।

ଏଭଳି ଜ୍ଞାନୀ ବ୍ରହ୍ମଚାରୀଙ୍କୁ ମୁଁ ଜୀବନରେ ଆଗରୁ ଦେଖି ନ ଥିଲି ବା କଥା ହୋଇ ନ ଥିଲି । ସତରେ ଏମାନଙ୍କର ଗଭୀର ଜ୍ଞାନ ଆଗରେ ଆମ ଦର୍ଶନ ଶାସ୍ତ୍ରରେ ଏମ୍.ଏ. କେତେ ତୁଚ୍ଛ ମୋର ଏହି ଧାରଣା ହୋଇଗଲା । ରାତ୍ରି ଯେତିକି ବଢୁଥାଏ ମୋର ତାଙ୍କ ପ୍ରତି ଆକର୍ଷଣ ସେତିକି ବଢୁଥାଏ ।

ମୋ ଆଖିକୁ ସିଧା ଚାହିଁ ସେ ଉତ୍ତର ଦେଉଥାନ୍ତି କିନ୍ତୁ କିଛି ସମୟ ପରେ ମୁଁ ଆଉ ତାଙ୍କ ଆଖିରେ ଆଖି ମିଳାଇ କଥାବାର୍ତ୍ତା କରିପାରିଲି ନାହିଁ । ମତେ ଜଣା ପଡ଼ିଲା ଯେ ମୁଁ ଯେପରି ନିଜ ଉପରୁ ହରାଉଛି ସମସ୍ତ ନିୟନ୍ତ୍ରଣ । ପିଅନ୍ ଚାଲିଯାଇଥିଲେ ତା’ ଘରକୁ । ଆମ ଘରେ ଆଉ କେହି ନ ଥିଲେ । ଦର୍ଶନତତ୍ତ୍ୱ ଆଲୋଚନା ସରିଲା ବେଳକୁ ଢେର ହୋଇଯାଇଥାଏ ରାତି ! ! ସ୍ୱରୂପ ଚୈତନ୍ୟଜୀ ଶୋଇବାକୁ ନିଜ ପ୍ରକୋଷ୍ଠକୁ ଚାଲିଗଲେ ।

ଦାଣ୍ଡ କବାଟ ଭିତରୁ ବନ୍ଦ କଲାପରେ ମୁଁ କେଜାଣି କାହିଁକି ତାଙ୍କ ପ୍ରକୋଷ୍ଠ ଆଡ଼େ ଯନ୍ତ୍ରବତ୍ ଟାଣିହୋଇଗଲି । ନିଜ ବେଡରୁମ୍‌କୁ ନ ଯାଇ ମୁଁ ତାଙ୍କ କୋଠରୀରେ ପ୍ରବେଶ କଲି । ମୋର ବୁଦ୍ଧି ବିବେକ ସବୁ କୁଆଡ଼େ ଉଭେଇଗଲା ମୁଁ ଜାଣିପାରିଲି ନାହିଁ । ମୋର ହୃଦୟ ଓ ମନ ମୋର ଶରୀରକୁ ସମ୍ପୂର୍ଣ୍ଣ ବଶୀକରଣ କରିଦେଲା । କିଏ ଯେମିତି ଭିତରୁ କହିଲା ଏଇ ତୋର ମନର ରାଜକୁମାର । ୟା’କୁ ସର୍ବସ୍ୱ ଦେଇଦେ’, ଏ ତୋର ଭଗବାନ୍, ସଙ୍କୋଚ ରଖନାହିଁ ।

ସ୍ୱରୂପଜୀ ମୋ ବିଷୟରେ କ’ଣ ଭାବିବେ, ମୋତେ ପ୍ରତ୍ୟାଖ୍ୟାନ କରିବେ ନା ଗ୍ରହଣ କରିବେ ଏ ବିଷୟ ଭାବିବାକୁ ମୋର ଆଉ କ୍ଷମତା ନଥିଲା । ଘନଘନ ପ୍ରଖର ନିଶ୍ୱାସ ପ୍ରଶ୍ୱାସରେ ମୁଁ ଅଣାୟତ୍ତ ହୋଇଗଲି । ତା’ ପରେ କ’ଣ ହେଲା ଆପଣଙ୍କୁ କହିବା ନିଷ୍ପ୍ରୟୋଜନ ।

କିଛି ସମୟର ନୀରବତା ପରେ ମାତାଜୀ କହିଲେ, “ଏଥିରେ ସ୍ୱରୂପ ଚୈତନ୍ୟଙ୍କର କିଛି ଦୋଷ ନ ଥିଲା କାରଣ ତିରିଶି ବର୍ଷ ବୟସର ଅବିବାହିତ ବ୍ରହ୍ମଚାରୀଙ୍କ ନିକଟରେ ନିର୍ଜନ ରାତିରେ ଜମେ ମୋ ବୟସର ପୂର୍ଣ୍ଣ ଯୌବନା ଯୁବତୀ ନିରୋଳାରେ ଯଦି ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରେ ତେବେ ତାଙ୍କର ନିଜ ଉପରୁ ନିୟନ୍ତ୍ରଣ ହରାଇବା ସ୍ୱାଭାବିକ ।” ଏ କଥା ଭାବିବେ ନାହିଁ ଯେ ମୋର ପ୍ରକୃତି ମୂଳରୁ ଏପରି ଥିଲା । ମୁଁ ନିଶ୍ଚୟ ଭାବେ ଥିଲି ସାଧାସିଧା ସରଳା ଝିଅଟିଏ ଏବଂ କାହାକୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ କେବେହେଲେ କରି ନ ଥିଲି କୌଣସି ଉଦ୍ୟମ ବା ଶୃଙ୍ଗାର । କିନ୍ତୁ ସେ ରାତିଟିରେ ମୋ ଜୀବନର ଗତିଧାରା ଓଲଟପାଲଟ ହୋଇଗଲା ।

ପରଦିନ ସକାଳୁ ଦେଖେ ଓ ସ୍ୱରୁପଜୀ ଚାଲିଯାଇଛନ୍ତି ଘରଛାଡ଼ି । ମୁଁ ମୋ କୃତକର୍ମ ପାଇଁ ଅନୁତାପର ଅଗ୍ନିରେ ଦଗ୍ଧ ହୋଇ ଚାଲି ଆସିଲି ସେଇ ସକାଳରେ ନିଜ ଘର ଛାଡ଼ି । ବାପାଙ୍କୁ ଚିଠି ଲେଖି ଦେଇ ଆସିଲି । “ମୁଁ ସନ୍ନ୍ୟାସିନୀ ହୋଇ ଯାଉଛି କିନ୍ତୁ ବ୍ରହ୍ମଚାରୀ ସ୍ୱରୂପ ଚୈତନ୍ୟଙ୍କୁ ସଙ୍ଗରେ ପଳାଇଯାଇ ନୁହେଁ । ତେଣୁ ବାପା ! କୌଣସି ଏଫ୍. ଆଇ.ଆର୍. ଦେବେ ନାହିଁ, କାହା ନାଁରେ ଅଭିଯୋଗ କରିବେ ନାହିଁ । ମୁଁ ଆଉ ଫେରିବି ନାହିଁ ଘରକୁ । ମୁଁ ନିଜେ ନିଜର ଦାୟିତ୍ୱ ନେବା ପାଇଁ ଯଥେଷ୍ଟ ବଡ଼ ହୋଇଯାଇଛି । ତେଣୁ ମୋତେ ଆପଣ ଖୋଜିବେ ନାହିଁ । ବାପା, ଏତିକି ନିଶ୍ଚିନ୍ତ ରହନ୍ତୁ ଯେ ମୁଁ ଆତ୍ମହତ୍ୟା କରିବି ନାହିଁ ।” ମୁଁ ବାପାଙ୍କ ପାଖରେ କୃତଜ୍ଞ ଯେ ସେ ମୋ କଥାମାନି ମୋତେ ଆଦୌ ଖୋଜିନାହାନ୍ତି । ବୈରାଗ୍ୟ ଏହାଠାରୁ ଭଳି ଭଲ ନିଦର୍ଶନ ଆପଣ ହୁଏତ କୋଉଠି ପାଇବେ ନାହିଁ । ଜାଣେ ନାହିଁ ସେ ଏବେ ଜୀବିତ ଅଛନ୍ତି କି ନାହିଁ ।

ଏଇ ଜଙ୍ଗଲ ଘେରା ଅଞ୍ଚଳକୁ ତା’ପରେ ଚାଲିଆସି ମୁଁ ସେଇଦିନୁ ଏହି ଆଶ୍ରମରେ ଅଛି । ସେତେବେଳେ ଏଠାରେ ଥିଲେ ଜଣେ ମହାଯୋଗୀ ଓ ଆଉ ଜଣେ ବୃଦ୍ଧା ସନ୍ନ୍ୟାସିନୀ । ମୋର ପରିଚୟ ନ ମାଗି ମଧ୍ୟ ସେମାନେ ମୋତେ ଆଶ୍ରୟ ଦେଇଥିଲେ । ସେହି ବୃଦ୍ଧା ମୋ ନିଜ ମାଆ ଭଳି ସନ୍ତାନ ପ୍ରସବରେ ମୋତେ ସାହାଯ୍ୟ କରିଥିଲେ । ସେ ପାଞ୍ଚ ବର୍ଷ ତଳେ ଆରପାରିକୁ ଚାଲିଯାଇଛନ୍ତି । ଯୋଗୀ ମହାଶୟ ପ୍ରାୟ ଦଶ ବର୍ଷ ତଳେ ଇହଲୀଳା ସାଙ୍ଗ ସାରିଥିଲେ ।

ବାପା ଏ ଯାଏଁ ମୋ ବିଷୟରେ ଜାଣିନାହାନ୍ତି, ସେ ଜାଣିବାକୁ ଚେଷ୍ଟା ବି କରିନାହାନ୍ତି ମୁଁ କୋଉଠି ଅଛି । ମୁଁ ଯେ ସଫା ଚିଠିଟିରେ ମନା କରି ଆସିଥିଲି । ଆଜିକାଲି ଆତଯାତ ମଣିଷଙ୍କଠାରୁ ସେ ନିଆରା ମଣିଷ । ଝିଅଟିଏ ଜନ୍ମ ହେବାର ଦୁଇମାସ ପରେ ମୁଁ ନିଜେ ରାତିରେ ଯାଇ ତାକୁ ସେଇ ଅନାଥାଶ୍ରମରେ ଛାଡ଼ିଦେଇଥିଲି । ଏଠି କେହି ହେଲେ ମୁଁ ତା ର ମାଆ ବୋଲି ଜାଣିନାହାନ୍ତି । ତା’ର ଦୂର ସମ୍ପର୍କୀୟ ମାଉସୀ ବୋଲି କହି ମୁଁ ଦି’ଥର ଅନାଥାଶ୍ରମ ଯାଇ ତାକୁ ଦେଖି ଗେଲ କରି ଆସିଥିଲି । ପରେ ଜାଣିଲି ସେ କୁଆଡ଼େ ପୋଷ୍ୟାକନ୍ୟା ହୋଇ ବିଦେଶକୁ ଚାଲିଯାଇଛି ।

ତା’ର ପିତା ସେତେବେଳର ବ୍ରହ୍ମଚାରୀ ସ୍ୱରୂପ ଚୈତନ୍ୟ ଆଜିର ବିଖ୍ୟାତ ସ୍ୱାମୀ ଭାବାନନ୍ଦ ସରସ୍ୱତୀ । ସେ ଆମେରିକାରେ ଗଲା କୋଡ଼ିଏ ବର୍ଷ ହେଲା ଅଛନ୍ତି । ପଚିଶିରୁ ଉପରେ ବହି ଲେଖିଛନ୍ତି ଦର୍ଶନ, ବ୍ରହ୍ମବିଦ୍ୟା, ଯୋଗ, ବେଦ ଓ ଉପନିଷଦ ଉପରେ । ସ୍ୱାମୀ ଭାବାନନ୍ଦ ବ୍ରହ୍ମ ବିଦ୍ୟା ଓ ଆଧ୍ୟତ୍ମିକ ଚେତନା କ୍ଷେତ୍ରରେ ଆଜି ଖୁବ୍ ଉପର ସ୍ତରରେ ପହଞ୍ଚିଯାଇଛନ୍ତି ଏବଂ ଦେଶବିଦେଶରେ ସୁନାମ କରିଛନ୍ତି । କୋଡ଼ିଏଟା ଦେଶରେ ମିଶନ୍‌ର ଶାଖା ଅଛି । ସେ ବିଶ୍ୱସାରା ବୁଲି ଭାରତୀୟ ଧର୍ମ ଓ ସଂସ୍କୃତିର ପ୍ରଚାର ଓ ପ୍ରସାର କରୁଛନ୍ତି । ସେ ମଧ୍ୟ ପଛକୁ ଫେରି ଚାହିଁନାହାନ୍ତି ।

ସେ ରାତି ପରଠାରୁ ଆମର ଆଉ ଦେଖା ହୋଇନାହିଁ କିମ୍ୱା ଏ ଜୀବନରେ କେବେହେଲେ ହେବନାହିଁ ମଧ୍ୟ । କାରଣ ଆମ ଭିତରେ କେବେ କିଛି ପ୍ରେମ ନ ଥିଲା । ଦୁହେଁ ଦୁହିଁଙ୍କ ନିୟମ ବହିର୍ଭୂତ କାର୍ଯ୍ୟରେ ଘୋର ଅନୁତପ୍ତ ଏବଂ ସେଇଟା ଭଭୟଙ୍କ ଜୀବନରେ ଶେଷ ଭୁଲ୍ ବୋଲି ଅନ୍ତତଃ ମୁଁ ଭାବୁଛି । ଅତୀତକୁ ଜାବୁଡ଼ି ଧରି ବା ସଂସାରକୁ କୁଣ୍ଢାଇଧରି ଝୁରିବା ଝିଅ ମୁଁ କେବେ ନ ଥିଲି । ସେଥିପାଇଁ ମୋ ଝିଅକୁ କେଉଁ ପରିବାର, କେଉଁ ଦେଶରୁ, କିଏ ପୋଷ୍ୟ କଲେ ମୁଁ ତାହା ଆଜି ମାତ୍ର ଆପଣଙ୍କଠାରୁ ଜାଣିଲି ।

ଆପଣ କ୍ୟାଥେରାଇନ୍‌କୁ ଆପଣଙ୍କର ବୋହୂ କରିପାରନ୍ତି । ଏ କଥା ସ୍ୱାମୀଜୀ ଭାବାନନ୍ଦଙ୍କୁ ବା ଆଉ କାହାକୁ ଜଣାଇବାର କୌଣସି ଉଦ୍ୟମ କରିବେ ନାହିଁ । ମୁଁ କିମ୍ୱା ସ୍ୱାମୀ ଭାବାନନ୍ଦ କ୍ୟାଥେରାଇନ୍‌ର ପରିଚୟ ନୁହେଁ, କେବେ ନଥିଲୁ ମଧ୍ୟ । ଜନ୍ମର ପ୍ରଥମ ଏକବର୍ଷ ଅନାଥାଶ୍ରମ ଥିଲା ତା’ର ପରିଚୟ । ତା’ ପରଠାରୁ ଷ୍ଠେଫାନ୍ ସ୍ମିଥ୍ ଓ ମିସେସ୍ ସ୍ମିଥ୍ ହେଲେ ତା’ର ପରିଚୟ । ବିଭାଘର ପରେ ସୁସ୍ମିତ୍ ଆଉ ଆପଣ ହେବେ ତା’ର ପରିଚୟ । କାହାକୁ କହିଲେ ଦେବ ଅଭିଶାପ ଆପଣଙ୍କ ଉପରେ ପଡ଼ିବ । ଏଠାକୁ ଆସିଥିଲେ ବୋଲି ଫେରିଗଲାବେଳେ ଅନାଥଶ୍ରମରେ କହିବାର କୌଣସି ଆବଶ୍ୟକତା ନାହିଁ । ତରବର ହୋଇ ବୋହୂର ହିନ୍ଦୁ ଧର୍ମାନ୍ତରୀକରଣ କଥା ଭାବିବେ ନାହିଁ । ସେ ଈଶ୍ୱରଙ୍କର ସନ୍ତାନ । ତାକୁ ଝଟ୍କା ଲାଗିବା ମୁଁ ଚାହେଁ ନାହିଁ ।

ଗଲା ପଚିଶି ବର୍ଷର ଏକାନ୍ତ ସାଧନାରେ ମୁଁ ମଧ୍ୟ ଅଳ୍ପ କିଛି ଈଶ୍ୱରଙ୍କ କୃପା ଲାଭକରିଛି । ଆପଣ ଗୋପନୀୟତାର ପ୍ରତିଜ୍ଞା ଭଙ୍ଗ କଲେ ମୁଁ ଜାଣିପାରିବି । ଏଥିରେ ଆପଣଙ୍କ କ୍ଷତି ଛଡ଼ା ଲାଭ ହେବନାହିଁ । ଏ କଥା ପ୍ରଘଟ ହେଲେ ମୋର କିମ୍ୱା ଭାବାନନ୍ଦ ସରସ୍ୱତୀଙ୍କର ଯେ କୌଣସି କ୍ଷତି ହେବ ତା’ ନୁହେଁ, କ୍ୟାଥେରାଇନ୍‌ର ଜୀବନରେ ହୁଏତ ଝଡ଼ ସୃଷ୍ଟି ହୋଇପାରେ । ଆପଣ କିମ୍ୱା ମୁଁ ସେ କଥା ନିଶ୍ଚୟ ଚାହିଁବା ନାହିଁ ।”

“ମନୋଜବାବୁ ପଚାରିଲେ ସନ୍ନ୍ୟାସିନୀଙ୍କୁ, କ୍ୟାଥେରାଇନ୍‌ର ଫଟୋ ଦେଖିବେ କି ?”

ସନ୍ନ୍ୟାସିନୀ ରୋକ୍‌ଠୋକ୍ ଭାବେ ମନାକଲେ । ମୋହାବିଷ୍ଟ ଦୁନିଆଁର ଆଜି ବହୁ ଊର୍ଦ୍ଧ୍ଵରେ ମୁଁ । ମୁଁ ମୋ ଝିଅ, ବାପପୁଅର ସଂସାର ଛାଡ଼ି ଚାଲିଆସିଛି ଅନେକ ଦୂରକୁ । ସେ ମୋର ଆଉ ଝିଅ ନୁହେଁ । ତେଣୁ ତା’ର କୌଣସି ଫଟେ ଦେଖିବା ପାଇଁ ମୋର କୌଣସି ଲାଳସା ନାହିଁ । ଆପଣ ଏଥର ଯାଇପାରନ୍ତି । ଭୁଲି ଯାଆନ୍ତୁ ଆପଣଙ୍କର ମୋ ସାଙ୍ଗେ କୌଣସି ଦେଖା ହୋଇଥିଲା ବୋଲି । ଅତୀତ ସଦାବେଳେ ଅତୀତ ହୋଇ ରହୁ । ଭବିଷ୍ୟତକୁ ସ୍ୱାଗତ କରନ୍ତୁ ଖୋଲା ହୃଦୟରେ । ଖୁବ୍ ଦ୍ର୍ରତ ପଦକ୍ଷେପରେ ସେ ଆଶ୍ରମ ଭିତରକୁ ପାଦ ବଢେ଼ଇଲେ ।

ଆଶ୍ରମର ମହାଦେବ ମନ୍ଦିରରେ ଆଉ ଥରେ ସାଷ୍ଟାଙ୍ଗ ପ୍ରଣିପାତ କରି ମନୋଜ ଆଶ୍ରମ ବାହାରକୁ ଚାଲିଆସିଲେ । ନୁଆଁଣିଆ ଅନ୍ଧାରୁଆ ଆକାଶରେ ସେତେବେଳେ ଅନେକ ତାରା ବିଛେଇ ହୋଇଯାଇଥିଲା । ପିତୃଲୋକରେ ରହି ଅରୁନ୍ଧତୀ ତାରକାମାନଙ୍କ ଗହଣରୁ ମୁରୁକି ମୁରୁକି ହସ ହସି ଯେପରି ନବବଧୂ କ୍ୟାଥେରାଇନ୍ ଓ ସୁମୁର ବରବେଶକୁ କଲ୍ୟାଣ ଢାଳିଦେଉଛନ୍ତି ତାଙ୍କ ଅଦେଖା ହାତରେ । ଠିକ୍ ଏହିପରି ଏକ ଦୃଶ୍ୟ ମନୋଜଙ୍କ ଆଖି ଆଗରେ ଭାସି ଉଠିଲା । ତାଙ୍କ ମୁଣ୍ଡରୁ ଗୋଟେ ବଡ଼ ବୋଝ ଓହ୍ଲାଇ ଯାଉଥିଲା ।

ଲୋକପ୍ରିୟ ଲେଖା

To Top