ଗଳ୍ପ

ବଳି

Odia Author Gourahari Das

ସେତେବେଳେ ମନ୍ଦିର ଚାରିପଟ ଲାଲ୍ ଟହଟହ ଦିଶେ । ବୀରଭଦ୍ର ମନ୍ଦିରର କବାଟ ଖୋଲି କହେ, ଦେଖ୍ଲୋ ମା’ । ତୋ ଖଳାକୁ ଦେଖ୍ । ଏଥର ଖୁସି ହେଲୁ ତ !

ବଳି

-: ପୁର୍ବରୁ :-

ପାଖ ପାଟପୁରର ଗୋଟାଏ ସ୍ୱେଚ୍ଛାସେବୀ ସଂସ୍ଥା ଦୁଇବର୍ଷ ହେଲା ପଶୁବଳି ବିରୋଧରେ ପ୍ରଚାର କରୁଥିଲା । ସେଇ ସଂସ୍ଥାର ଦରପାଠୁଆ ଲୋକଗୁଡ଼ାକ ଜାଣନ୍ତି ନାହିଁ ଯେ ମାଆଙ୍କ ପାଖେ ବଳି ଦେବାଲାଗି କୋର୍ଟରେ ଜଜ୍‌ଙ୍କଠାରୁ, ହାକିମ, ଅଫିସର୍, ଠିକାଦାର୍, ଡାକ୍ତର ଏବଂ ଇଂଜିନିଅର୍ ମାନେ ସୁଦ୍ଧା ଦୂର ଦୂରାନ୍ତରୁ ଆସନ୍ତି । ସେମାନଙ୍କ ବିଦ୍ୟାବୁଦ୍ଧି ଠାରୁ ଏଇ ଦରପାଠୁଆଙ୍କ ବିଦ୍ୟାବୁଦ୍ଧି କ’ଣ ଏତେ ସାରସା ? ମଣିଷ ଯେମିତି ତା’ ପସନ୍ଦର ଖାଦ୍ୟ ଖାଇବାକୁ ସୁଖ ପାଏ, ଦେବୀ ସେମିତି ପଶୁବଳି ଖାଇବାକୁ ଭଲପାଏ । ବଳିରକ୍ତ ମାଟିର ମିଶି ମାଟିକୁ ଉର୍ବର କରାଏ । ବଳି ପଶୁ-ପକ୍ଷୀର ମାଂସ ଖାଇ ଭକ୍ତର ଦେହହାତ ସୁସ୍ଥ ରହେ, ତା’ର ହାଡ଼ ବଜ୍ର ପରି କଠିନ ହୁଏ । ମନ୍ଦିର କମିଟି ଏହିସବୁ କଥା ବୁଝେଇଦେବା ପରଠାରୁ ଦରପାଠୁଆ ଦଳ ଚୁପ୍ । ଦେବୀ ପୂଜାରେ ଅନିଷ୍ଟ ଭିଆଇଲେ ନିଜେ ଧ୍ୱଂସ ପାଇଯିବେ, କାହାର କ’ଣ ହେଉଛି- ବୀରଭଦ୍ର କହିଲା ।

ପୂଜା କମିଟି କଥା ମନେ ପଡ଼ିବାରୁ ବୀରଭଦ୍ର ଭାବିଲା ଯେ ସିଏ କାଲି ସକାଳୁ ଯାଇ ପଟ୍ଟନାୟକ ବାବୁଙ୍କୁ ଆଉ ଥରେ କହିଦେଇ ଆସିବ । ସିଏ ମନ୍ଦିର କମିଟି ସଭାପତି । ତାଙ୍କ ପରାମର୍ଶ ଅନୁସାରେ ମନ୍ଦିର ଚାଲେ ।

ଗଲାବର୍ଷ ବଳି ପଡ଼ିଥିବା ପୋଢ଼ ମାଂସ ନେଇ ଗୋଟିଏ ବେପାରୀ କୁଆଡ଼େ ରାୟପୁର ପଠେଇଥିଲା । ସେମିତି ଛେଳି ମେଣ୍ଢା ମାଂସ ପାଇଁ ଅଧିକା ଟଙ୍କା ଦେଇଥିଲା କଟକର ରାଧାଶ୍ୟାମ । କୁକୁଡ଼ା ବତକ ମାଂସକୁ ଏଇ ପାହାଡ଼ପୁର ହୋଟେଲବାଲାଏ ବାଣ୍ଟି ନେଇଥିଲେ । ସେଥିପାଇଁ ମନ୍ଦିର କମିଟି ନିର୍ଦ୍ଦିଷ୍ଟ ଦର ଠିକ୍ କରି ନଥିଲା, ସେମାନେ ନିଜେ ତାଙ୍କ ଆଡୁ ସ୍ଥିର କରି ଏକୋଇଶ ହଜାର ଟଙ୍କା ଦେଇଥିଲେ । ଏଥର କିନ୍ତୁ ସେମାନେ କହୁଛନ୍ତି, ଛେଳି ମେଣ୍ଢା ମାଂସ ମଧ୍ୟ ସେମାନେ କିଣିବେ । କିଣନ୍ତୁ । ମନ୍ଦିର ପଇସା ପାଇଲେ ଗଲା ।

ଚଣ୍ଡୀ ମନ୍ଦିର ପଡ଼ିଆରେ ଦୁଇଟି ବଳି ଖଳା । ଗୋଟିକର ଛେଳି ମେଣ୍ଢା ବଳି ପଡ଼ନ୍ତି, ଆରଟିରେ ପୋଢ଼ । କୁକୁଡ଼ା-ବତକ ଲାଗି ସ୍ୱତନ୍ତ୍ର ଖଲା ଲୋଡ଼ାନାହିଁ । ସେଗୁଡ଼ିକୁ ପଡ଼ିଆ ସେପଟ ବରଗଛ ମୂଳେ ବଳି ଦିଆଯାଏ । ଚଢ଼େଇଗୁଡ଼ିକ ମନ୍ଦିରକୁ ଚାହିଁଦେଇ ମରନ୍ତି । ତାଙ୍କ ଆତ୍ମା ସାଙ୍ଗେ ସାଙ୍ଗେ ସ୍ୱର୍ଗକୁ ଚାଲିଯାଏ- ଘଣ୍ଟ ଢୋଲକି ଶବ୍ଦ ଭିତରେ ବୀରଭଦ୍ର ମାନସିକ କରିଥିବା ଲୋକଙ୍କୁ କହେ । ଭକ୍ତମାନେ ବୀରଭଦ୍ର ଆଗରେ ଭୂଇଁରେ ଆଣ୍ଠୁମାଡ଼ି ପ୍ରଣାମ କରନ୍ତି ଓ ଦଷିଣାତକ ଥୋଇଦେଇ ଘରକୁ ଯାଆନ୍ତି । ବୀରଭଦ୍ର ଦେଖେ, ସାନରୁ ବଡ଼ ନେଇ ସବୁ ମଣିଷଙ୍କର ଦୁଃଖ ଅଛି । ଯେତେ ବଡ଼ ମଣିଷ, ସେତେ ବିରାଟ ଦୁଃଖ ।

ବଳି ପରିଦିନ ଖଳା ଯୋଡ଼ିକରୁ ରକ୍ତ ଧୋଇବାଲାଗି ବୀରଭଦ୍ରରୁ ଢେର୍ ପରିଶ୍ରମ କରିବାକୁ ପଡ଼େ । ପନ୍ଦର ଷୋଅଳ ଜଣ ଲୋକ ଚଣ୍ଡୀ କୂଅରୁ ପାଣି କାଢ଼ି ଖଳା ଓଳାନ୍ତି । ସେତେବେଳେ ମନ୍ଦିର ଚାରିପଟ ଲାଲ୍ ଟହଟହ ଦିଶେ । ବୀରଭଦ୍ର ମନ୍ଦିରର କବାଟ ଖୋଲି କହେ, ଦେଖ୍ଲୋ ମା’ । ତୋ ଖଳାକୁ ଦେଖ୍ । ଏଥର ଖୁସି ହେଲୁ ତ !

ଲାଲ୍ ଟକଟକ ରକ୍ତର ଧାର ଖାଲୁଆ ଜାଗାକୁ ଗଡ଼ିଯାଏ । ଆଇଁଷିଣିଆ ଗନ୍ଧ ଖେଳିଯାଏ ପୌଷ ପବନରେ । ପଡ଼ିଆ ସାରା କଟାମୁଣ୍ଡ, ଛିଣ୍ଡା ପର, ପଶୁପକ୍ଷୀଙ୍କ ଗୋଡ଼ ହାଡ଼ ବିକ୍ଷିପ୍ତ ହୋଇ ପଡ଼ିଥାଏ । ବୀରଭଦ୍ର ଲୋକ ଲଗେଇ ସେଗୁଡ଼ିକୁ ଗୋଟେଇ ଆଣେ ଏବଂ ଆଗରୁ ଖୋଳା ହୋଇଥିବା ଗାତରେ ସେଗୁଡ଼ିକୁ ପୋତି ପକାଏ । ଯାହା ରହିଯାଏ ତାହା କେବଳ ମରିଯାଇଥିବା ପଶୁ ଗୁଡ଼ାଙ୍କର ଶୁଭୁନଥିବା ଚିତ୍କାର ।

ବୀରଭଦ୍ର ଆଖିରେ ଛାଇ ନିଦ ମାଡ଼ି ଆସୁଥିଲା । ତାକୁ ଶୁଭିଲା, ପୁଅ କ’ଣ ବିଳିବିଳଉଛି । ମା’-ଛେଉଣ୍ଡ ଛୁଆଟି ପାଇଁ ତା’ ଛାତି ଭିତରଟା ଦୁହିଁ ହୋଇଘଲା । ସେ ତା’ ଖଟରୁ ଉଠିଯାଇ ପଚାରିଲା, “କ’ଣ କହୁଛୁ ଧନ, କ’ଣ କହୁଛୁ ?”

ମୁଁ ମା’ ପାଖକୁ ଯିବି । ମା’ ଡାକୁଚି ମୋତେ. . .

ବୀରଭଦ୍ର ଚମକି ପଡ଼ିଲା । ଲୋକନାଥ ମା’ କହିଲେ ଚଣ୍ଡୀକୁ ବୁଝେ ନାହିଁ । ସେ କହିଲେ ତା’ ନିଜର ମା’ କଥା କହେ- ଯିଏ ସାତବର୍ଷ ତଳୁ ସେମାନଙ୍କୁ ଛାଡ଼ି ଆରପୁରକୁ ଚାଲିଯାଇଛି । ସେ ଜାଣିଲା, ଜ୍ୱର ବାଉଳାରେ ପୁଅ ତା’ର ବିଳିବିଳଉଛି । ସେ ତା’ କପାଳରେ ହାତ ଛୁଆଁଇ ଦେଖିଲା, ଦେହରୁ ତାତି ଖସିନାହିଁ । ତା’ ମୁଣ୍ଡ ଘୂରିଗଲା ।

ବୀରଭଦ୍ର କ’ଣ କରିବ ? କୁଆଡ଼େ ଯିବ ? କାହାକୁ ଡାକିବ ସେ ? ଏମିତିକା ମୁହୂର୍ତ୍ତରେ କିଏ ତାକୁ ବୁଦ୍ଧବାଟ ଦେଖାଇବ ?

ରାତି ପାହିବା ପାହିବା ହେଲାଣି । ସେ ସ୍ଥର କଲା, ପୁଅକୁ ନେଇ ଠାକୁରାଣୀଙ୍କ ମନ୍ଦିରକୁ ଯିବ । ଚଣ୍ଡୀଙ୍କ ଆଗରେ ଅଧିଆ ପଡ଼ି କହିବ- ତୁ ରକ୍ଷାକର ମା’ । ପୁଅ ଦେହରୁ ଜ୍ୱର ନ ଓହ୍ଲେଇବା ଯାଏ ସେ ସେଇଠାରୁ ଉଠିବ ନାହିଁ । ତା’ର ଦୃଢ଼ ବିଶ୍ୱାସ ହେଉଥିଲା, ଚଣ୍ଡୀ ମାଆର ଆଶୀର୍ବାଦ ମିଳିଲେ ତା’ ପୁଅ ନିଶ୍ଚୟ ଭଲ ହେଇଯିବ । କେତେ କେତେ କଠିନ ରୋଗୀ ଏଠୁ ମାଆର ଦୟା ପାଇଁ ଭଲ ହୋଇ ଫେରିଛନ୍ତି । ଲୋକନାଥ ଭଲ ହେବନାହିଁ କାହିଁକି ?

ସିଏ ଗୋଟେ ଲୋଟାରେ ପାଣି ଆଣି ପୁଅ ମୁହଁକୁ ପୋଛିଦେଲା । ପୁଅ ଦେହରୁ ମଇଳା ଜାମାପଟା ଖୋଲି ତାକୁ ସଫା ଜାମାପଟା ପିନ୍ଧେଇ ଦେଲା । ତାକୁ କାନ୍ଧରେ ଧରି ସେ ଦଉଡ଼ିଲା ଠାକୁରାଣୀ ମନ୍ଦିର ।

ସକାଳକୁ ଗାଁ ସାରା ଲୋକେ ଜାଣି ସାରିଥିଲେ, ମୁଖ୍ୟ ପୂଜକ ବୀରଭଦ୍ର କାଲି ରାତିରୁ ଅଧିଆ ପଡ଼ିଛନ୍ତି । ପ୍ରଚଣ୍ଡ ନିଷ୍ଠାବାନ୍ ପୂଜକ ସେ ।
ଅସାଧ୍ୟ ସାଧନ କରେ ତାଙ୍କର ପୂଜାପାଠ । ଚଣ୍ଡୀ ମା’ ତାଙ୍କର ଚମତ୍କାର ଦେଖେଇବେ । ପାହାଡ଼ପୁରରେ ଅଲୌକିକ ଘଟଣା ଘଟିବ । ସାରାଦିନ ପୂଜାପାଠ ଚାଲିଲା ମନ୍ଦିରରେ । ବୀରଭଦ୍ରଙ୍କ ସହଯୋଗୀମାନେ ଆସି କିଛି କିଛି ସମୟ ଚଣ୍ଡୀପାଠ କରୁଥାଆନ୍ତି । ଲୋକନାଥକୁ ଠାକୁରାଣୀଙ୍କ ମୂର୍ତ୍ତି ଆଗରେ ଶୁଆଇ ଦିଆଯାଇଥାଏ । ତା’ ପାଖରେ ଜଳୁଥାଏ ଗୋଟିଏ ଅଖଣ୍ଡ ଦ୍ୱୀପ । ପଡ଼ିଆରେ ଲୋକ ଭିଡ଼ ବଢୁଥାଏ । ରାତି ପାହୁ ପାହୁ ଦ୍ୱିତୀୟା ପୂଜାପାଠ ଆରମ୍ଭ ହେବ । ବୀରଭଦ୍ରକୁ ସ୍ନାନ ସାରି ମନ୍ତ୍ର ବୋଲିବାକୁ ହେବ । ଚଣ୍ଡୀଙ୍କ କଟାରି ପୂଜା ହେବ । ସହଯୋଗୀମାନେ ନୂଆ ସାରି ମନ୍ତ୍ର ବୋଲିବାକୁ ହେବ । ଚଣ୍ଡୀଙ୍କ କଟାରି ପୂଜା ହେବ । ସହଯୋଗୀମାନେ ନୂଆ ବସ୍ତ୍ର ପିନ୍ଧିବେ । ସମସ୍ତଙ୍କ କପାଳରେ ସେ ସିନ୍ଦୂର ପିନ୍ଧେଇ ଅନୁମତି ଦେବ । ସେମାନେ ଦେବୀଙ୍କ ଆଜ୍ଞାମାଳ ପିନ୍ଧିଲା ପରେ ବଳିଖଳାକୁ ବିଜେ କରିବେ । ପହିଲି ବଳି ପଶୁର ରକ୍ତ ଛିଟାରେ ସେମାନଙ୍କର କପାଳ ଲାଲ୍ ବର୍ଣ ହେବ । ଖଲିପତ୍ରରେ ପୁଣି ରକ୍ତ ନେଇ ମାଆକୁ ସେମାନେ ଭେଟିଦେବେ ।

ବୀରଭଦ୍ର ନିଶ୍ଚିତ ଥିଲା, ଆଜି ରାତି ଭିତରେ ଲୋକନାଥ ଭଲ ହେବ । ମାଆର ଲୀଳା ଇଏ । ଜୀବନ-ମୃତ୍ୟୁ ସବୁ ତା’ ହାତର ଖେଳ । ପୁଅ ଭଲ ନହେଲେ ସେ ମାଆକୁ ବଳି ଦେବ କେମିତି ? କେମିତି ମାଆର ତୃଷା ନିବାରଣ ହେବ ? ଏ କଥା କ’ଣ ଚଣ୍ଡୀ ମା’ ଜାଣେ ନାହିଁ ! ମାଆ ଆଜି ରାତିରେ ହିଁ ତା’ ଚମତ୍କାର ଦେଖେଇ ଦେବ ।

ସଭାପତି କହିଲେ, “ସାନ୍ଧ୍ୟପୂଜା ଆରମ୍ଭ ହେବ । ପୁଅକୁ ନେଇ ଘରକୁ ଯାଅ । କାହା ଜିମାରେ ଦେଇ ତୁମେ ଚାଲିଆସ ବୀରଭଦ୍ର । ତୁମ ମୁଣ୍ଡ ଉପରେ ଅନେକ ଜଞ୍ଜାଳ । ମୋ ମନ କହୁଛି, ଆଜି ରାତିରେ ପୁଅ ଭଲ ହେବ ଏବଂ କାଲି ସକାଳେ ତମ ପାଖରେ ଠିଆ ହୋଇ ମାଆକୁ ଦେବ ପ୍ରଥମ ବଳି ।”

ବୀରଭଦ୍ର ମଧ୍ୟ ସେଇକଥା ଭାବିଥିଲା । ସେ ପୁଅକୁ ଧରି ଘରକୁ ଗଲା । ଘରେ ପୂଜାଲାଗି ସାଜସଜ୍ଜା ହୋଇଛି । ସେ ପୁଅକୁ ନେଇ ତା’ ପଲଙ୍କରେ ଶୁଆଇ କହିଲା, ତୁ ଭଲ ହୋଇଯିବୁରେ ବାବୁ, ଭଲ ହୋଇଯିବୁ ।

ସେ ଗାଧୁଆଘରକୁ ଯାଇ ଧୁଆ ଧୋଇ ହେଲା । ଲୁଗା ବଦଳେଇ ନୂଆଲୁଗା ପିନ୍ଧେଇଲା । ପାଟ ଚଦର ପକେଇଲା କାନ୍ଧରେ । କପାଳରେ ଚନ୍ଦନ ଓ କୁଙ୍କୁମ ଟୋପା ମାଖିଲା । ଏବେ ତାକୁ ଯାଇ ସନ୍ଧିପୂଜାରେ ବସିବାକୁ ହେବ । ଯିବା ଆଗରୁ ଘର ଭିତରେ ଥିବା ଠାକୁର ଘରକୁ ଯାଇ ମୁଣ୍ଡିଆ ମାରିଲା । ଲୋକନାଥ ପାଖରେ ବସିଥିବା ମାଉସୀକୁ କହିଲା, “ଆଜି ଜ୍ୱର ଛାଡ଼ିଯିବ ।”

ସେ ଲୋକନାଥର ମୁଣ୍ଡ ଉପରେ ନୋଇଁପଡ଼ି କପାଳରେ ଗେଲ କଲା ।

ତାକୁ ଟିକିଏ ଆଉଁସି ଦେଇ କହିଲା, “ମୁଁ ପୂଜାକୁ ଯାଉଛି ।”

ସେ ଦୁଆର ଆଡ଼କୁ ମୁହଁ କରି ପାଦ ଉଠଉଥିଲା । ଦେଖିଲା, ତା’ ଡାହାଣ ହାତରେ ଆଙ୍ଗୁଳିକୁ ଭିଡ଼ି ଧରିଛି ପୁଅ ।

ସେ ବୁଲିପଡ଼ିଲା । ପଚାରିଲା, “କ’ଣ, କିଛି କହିବୁ ?”

ଲୋକନାଥର ଶ୍ୱାସପ୍ରଶ୍ୱାସ ଗତି ବଢୁଥିଲା । ତା’ ଛାତି ଉଠ୍‌ପଡ଼ ହେଉଥିଲା । ସେ ଡାକିଲା, “ବାପା” ।

କହ ଧନ, କହ ।

ଯାଅନାହିଁ ବାପା । ମୋତେ ଛାଡ଼ିକି ଯାଅ ନାହିଁ ।

ବୀରଭଦ୍ର ଡରିଗଲା । ଇଏ କି ଧର୍ମ ପରୀକ୍ଷା ! ସେପଟେ ମାଆର ପୂଜା । ଶହ ଶହ ଭକ୍ତ ଅପେକ୍ଷା କରିଛନ୍ତି । କିଏ କେତେ ଆଶା ଭରସା ନେଇ ଆସିଛନ୍ତି କେତେ ଆଡୁ । ଏପଟେ ଗୋଟିଏ ବୋଲି ପୁଅ । ବଂଶର ଶେଷ ସନ୍ତକ । ସିଏ ବଡ଼ହେଲେ ମାଆର ସେବା କରିବ ।

ଲୋକନାଥ ଥରି ଥରି କହୁଥିଲା, “ନିରୀହ ପଶୁପକ୍ଷୀଙ୍କୁ ମାର ନାହିଁ ବାପା । ଆଉ ମାର ନାହିଁ ।”

କୋଉଠି ସତେ କି ଗୋଟାଏ ଚଡ଼ଚଡ଼ି ପଡ଼ିଲା ।

ବୀରଭଦ୍ର ସ୍ତବ୍ଧ ହୋଇଗଲା । ଇଏ କ’ଣ ସବୁ ବିଳିବିଳଉଛି ତା’ ପୁଅ ?

ଲୋକନାଥ କହୁଥିଲା, “ମା’ ମରିଗଲା । ମୁଁ ବି ବଞ୍ଚିବି ନାହିଁ । ଏ ବଳି ପୂଜା ଛାଡ଼ିଦିଅ. . . । ପଥର ଠାକୁର ପାଇଁ ରକତ-ମାଉଁସର ପଶୁପକ୍ଷୀଙ୍କୁ ମାରି ପାପ କରନାହିଁ. . . ।”

ଏତିକି କହୁକହୁ ଲୋକନାଥର ହାତ ତଳକୁ ଝୁଲି ପଡ଼ିଲା । ବୀରଭଦ୍ର ଚମକି ପଡ଼ିଲା । କ’ଣ ହେଲା ? ତା’ ପୁଅର କ’ଣ ହେଲା ? ସେ ପାଟି କରି ଉଠିଲା, “ଲୋକନାଥ, ଲୋକନାଥ ଲୋକନାଥ ।”

ବୀରଭଦ୍ରର ଚିତ୍କାର ପକ୍କାଘର କାନ୍ଥରେ ବାଜି ପୁଣି ତା’ ପାଖକୁ ଫେରିଆସିଲା । କିନ୍ତୁ ଲୋକନାଥ ଜବାବ ଦେଲା ନାହିଁ ।

ବୀରଭଦ୍ରର ପୃଥିବୀ ଘିରିଘିରି ହୋଇ ଘୂରୁଥିଲା । ତା’ ଭିତରେ ପାହାଡ଼ପୁରର ଚଣ୍ଡୀ ମନ୍ଦିର, ଗଛଲଟା, ପୋଖରୀ ଓ ନଈ ସମସ୍ତେ ତା’ ଚାରିପଟେ ଘୂରୁଥିଲେ । ସେ ନିମିଷକ ଲାଗି ସୁଦ୍ଧା ଚିନ୍ତା କରିପାରୁ ନଥିଲା ଯେ ଚଣ୍ଡୀମାଆର ଆଶୀର୍ବାଦ ସତ୍ତ୍ୱେ ପୁଅ ବଞ୍ଚିଲା ନାହିଁ । ତା’ କୂଳ ବୁଡ଼ିଗଲା ।

ବୀରଭଦ୍ର ଆଖିରୁ ଲୁହ ଏବଂ ନିଆଁ ଉଭୟ ବର୍ଷୁଥିଲା । ତା ର ମୁଣ୍ଡ ଭିତରେ ଶିରାଗୁଡ଼ାକ ଟିଣିଟିଣି ହୋଇ ଉଠୁଥିଲେ । ତାକୁ ଲାଗୁଥିଲା ତା ର ଲୋକନାଥ ମରିନାହିଁ, ତାକୁ ସେ ମାରିଦେଇଛି, ତା ନିଜର ଭ୍ରମ ଏବଂ ଅନ୍ଧବିଶ୍ୱାସ ତା ପୁଅକୁ ମାରି ଦେଇଛି ।

ସେ ମନ୍ଦିର ମୁହାଁ ଦଉଡ଼ିଲା । ପଡ଼ିଆରେ ଶହ ଶହ ପଶୁ ବନ୍ଧା ହୋଇଥିଲେ । ସେ ପ୍ରଥମ ପୋଢ଼କୁ ଅନେଇଲା । ତା’ ପରେ ଚମକି ପଡ଼ିଲା । ପୋଢ଼ଟିର ମୁହଁ ଦିଶୁଥିଲା ତା’ ପୁଅ ଲୋକନାଥର ମୁହଁ ପରି । ସେ ଦଉଡ଼ିଯାଇ ପଘାରୁ ପଶୁଗୁଡ଼ାଙ୍କୁ ଖୋଲିଦେଲା । ବେକରୁ ପଘା ଖୋଲି ଅଡ଼େଇ ଦେଇ କହିଲା, “ପଳା, ପଳା, ଯୁଆଡ଼େ ପାରୁଛ ପଳାଅ । ଏଠୁ ପଳାଅ, ବଳି ମୁହଁରୁ ପଳାଅ ।”

ତା’ର ପୂଜା ଚାଦର ମାଟିରେ ଲୋଟୁଥିଲା । ଝାଳ ବୋହି ତା’ର କପାଳର ଚନ୍ଦନ କୁଙ୍କୁମ ଧୋଇ ଯାଇଥିଲା । ଦୂର ଗାଁ ଗଣ୍ଡାରୁ ଆସିଥିବା ଲୋକମାନେ ବୀରଭଦ୍ରର ଏ ବ୍ୟବହାର ଦେଖି ଆଶ୍ଚର୍ଯ୍ୟ ହେଉଥିଲେ । ମାତ୍ର କେହି କିଛି କହିବା ଲାଗି ସାହସ କରୁ ନଥିଲେ ।

ପଘାରୁ ଖୋଲି ଯାଇଥିବା ପଶୁଗୁଡ଼ିକ ଏପଟ ସେପଟ ଧାଉଁଥିଲେ । ପ୍ରସ୍ତୁତି ନ ଥାଇ ମୁକ୍ତି ପାଇଥିବା ପଶୁମାନେ ପଳାୟନର ରାସ୍ତା ଖୋଜୁଥିଲେ । ତାଙ୍କର ଭୋଁ ଭାଁ ରଡ଼ି ଓ ଖୁରା ଶବ୍ଦରେ ଭୋର୍ର ନିରବ ମୁହୂର୍ତ୍ତ ବିକଳ ମନେ ହେଉଥିଲା ।

ଗୋଟି ଗୋଟି କରି ସବୁ ପଶୁଙ୍କୁ ସେମାନଙ୍କ ପଘାରୁ ଖୋଲି ସାରିବା ପରେ ବୀରଭଦ୍ର ମନ୍ଦିର ଭିତରକୁ ଗଲା । ତା’ ସାମ୍ନାରେ ସ୍ନାନ ପାଇଁ ପ୍ରସ୍ତୁତ ହେଉଥିବା ପଥରର ଦେବୀ । ବଳି ପକେଇବା ପାଇଁ ରହିଥିବା ବଡ଼ ଖଣ୍ଡାଟି ଉଠେଇ ବୀରଭଦ୍ର ଠାକୁରାଣୀଙ୍କୁ ଗଳାରେ ଦେଲା ପାହାରଟାଏ । କୋଉଦିନ ପୁରୁଣା ପଥର ମୂର୍ତ୍ତିର ମୁଣ୍ଡଟି ସେଇ ଆଘାତରେ ତଳେ ଲୋଟି ପଡ଼ିଲା ।

ବୀରଭଦ୍ର ବୁଲିପଡ଼ିଲା ।

ପଛପଟେ କମିଟି ସଭାପତି, ଗୁହାରିଆ ଏବଂ ତା’ର ଶିଷ୍ୟମାନେ ।

ସେମାନେ ମୁହଁରେ କ୍ରୋଧ, ବିସ୍ମୟ ଏବଂ ଆକ୍ରୋଶ ।

ବୀରଭଦ୍ର କଟୁରିଟାକୁ କୋଣକୁ ପିଙ୍ଗିଦେଲା । ଚିତ୍କାର କଲା, “ସବୁ ମିଛ, ସବୁ ମିଛ । ଠାକୁରାଣୀ ମିଛ, ବଳି ମଛି, ଏ ପୂଜାପାଠ ସବୁ ମିଛ ।”

ରାତି ପାହି ଯାଇଥିଲା । ପୂର୍ବ ଆକାଶରେ ଅନ୍ଧାର ଚିରି ସୂର୍ଯ୍ୟ ଉଇଁ ଆସୁଥିଲା ।

ଲୋକପ୍ରିୟ ଲେଖା

To Top