ଗଳ୍ପ

ଅଭୁଲା ଅତୀତ… ଭବ୍ୟ ବର୍ତ୍ତମାନ…

Munna Mohapatra's odia poem abhulaa ateeta bhabtya barttamaana

ମୋର ପାଠପଢ଼ା ସରିଛି, ବାପା ଚାଲିଗଲେ କିଛି ଦିନରେ । ଘରେ ଆଉ ବଡ଼ କିଏ ? ମୋତେ ହିଁ ଚାକିରି କରି ମା ଆଉ ଦୁଇ ଭଉଣୀଙ୍କୁ ସମ୍ଭାଳିବାକୁ ପଡ଼ିଥିଲା ।

ଅଭୁଲା ଅତୀତ... ଭବ୍ୟ ବର୍ତ୍ତମାନ...

– ନମସ୍କାର, ଆରେ ତମେ, ଆପଣ ! ଓଃ, କ୍ଷମା କରିବେ ।

– ବସନ୍ତୁ । ଏକା ଆସିଛନ୍ତି ନା ଆଉ କେହି ..

– ନା, ଏକା ଆସିଛି, ଆଉ କେହି ନୁହଁ ସାଥିରେ ।

—-x—-x—-x—-

– ଆଚ୍ଛା ଖାଲି ଆମ ଅଫିସ୍ କାମରେ ଆସିଥିଲ ?

– ହଁ । ମୋତେ ପରା ଆସିବାକୁ ହୋଇଛି ପୂରା ୮/୧୦ ଦିନ ଲାଗି । ତମେ ତ ପୂରା ବଦଳି ଯାଇଛ । ଟିକିଏ ମୋଟା, ଚୁଟି ପାଚିଗଲାଣି, ପାୱାର ଚଷମା । ହଁ ସମୟ ବି ବହୁତ ଚାଲି ଯାଇଛି । ଗୋଟିଏ ଦୁଇଟି ନୁହଁ ; ଛବିଶଟି ବରଷ ।

– କିନ୍ତୁ ତୁମେ ଜମାରୁ ବଦଳି ନାହଁ । ସେଇ ପତଳା ଚେହେରା, ସାଉଁଳା ଦେହ, ସେଇ ପୁରୁଣା କେଶ ସଜ୍ଜା..

– ଥାଉ.. , ଆଚ୍ଛା ପିଲା ମାନେ କ’ଣ କରନ୍ତି ଆଉ ଭାଉଜ ?

– ପିଲା ମାନେ କଲେଜ ଗଲେଣି । ଭାଉଜ .. ମାନେ ମୋ ସ୍ତ୍ରୀ .. ସେ ଆଉ ନାହିଁ, ଚାଲିଯାଇଛି ଆରପାରି ।

– ଓଃ, କ୍ଷମା କରିବ, ମୁଁ ଜାଣିନଥିଲି ..

– ଠିକ୍ ଅଛି, ଆଚ୍ଛା ତୁମ ପିଲା ମାନେ ?

– ମୋ’ ପିଲା ମାନେ ! ତମେ ତ କଲେଜ୍ ସାରିବା ପରେ ଫେରିଗଲ ନିଜ ସହରକୁ । ଏତେ କଥା ଆଉ ଜାଣିବ କୁଆଡୁ ?

ମୋର ପାଠପଢ଼ା ସରିଛି, ବାପା ଚାଲିଗଲେ କିଛି ଦିନରେ । ଘରେ ଆଉ ବଡ଼ କିଏ ? ମୋତେ ହିଁ ଚାକିରି କରି ମା ଆଉ ଦୁଇ ଭଉଣୀଙ୍କୁ ସମ୍ଭାଳିବାକୁ ପଡ଼ିଥିଲା । ମା’ର ଔଷଧ, ଭଉଣୀ ମାନଙ୍କ ପାଠପଢ଼ା, ବାହାଘର, ଏସବୁ ଦାୟିତ୍ୱ ତୁଲାଇ ଦେଖେ ତ ମୋ ବୟସ ଚାଲିଯାଇଛି ।

ବାହାଘର, ପିଲାଛୁଆ ଆଉ କ’ଣ ?

—-x—-x—-x—-

କଲେଜ ସମୟ, ସେ ଓ ମୁଁ ଗୋଟିଏ ଶ୍ରେଣୀରେ ଥିଲୁ । ପାଠପଢ଼ା ଚାଲିଥାଏ ଦୁହିଁଙ୍କ । ସମୟ ବି ଆଜିକାଲିର ନଥିଲା । ଝିଅଟେ ସହ ମେନ୍ ରୋଡ୍ କଥା ଦୂରରେ ଥାଉ, କଲେଜ ହତାରେ, ଶ୍ରେଣୀଗୃହରେ କଥା ପଦିଏ ହେବା ଏତେ ସହଜ ନଥିଲା । ଲୋକ ନିନ୍ଦା ଭୟ, ଶିକ୍ଷକ, ସମ୍ମାନକୁ ଭାରି ଡର ।

କିଛି ଦିନରେ କେଜାଣି କାହିଁକି ମନେ ମନେ ଭଲ ପାଇଥିଲି ତା’କୁ ମୁଁ । ଚାହାଣି, ହାବଭାବରୁ ଲକ୍ଷ କଲି ସେ ମଧ୍ୟ ମୋତେ ଭଲପାଏ । କିନ୍ତୁ ଦିହେଁ ପରସ୍ପର ସହ ସାଧାରଣ ଭାବେ କଥାବାର୍ତ୍ତା । ଅନ୍ତରର ଭାବ ଅନ୍ତରରେ ହିଁ କୁହୁଳୁଥିଲା ।

କଲେଜ ସରିବା ପରେ ଯାଏ ତା ପଛରେ କିଛି ବାଟ । ମନ ମାନେନି । କିନ୍ତୁ କିଛି କହିବାର ସାହସ ବି ନାହିଁ । ସନ୍ଧ୍ୟାରେ ଯାଏ ତାଙ୍କ ଘର ଦେଇ । ସେ ମଧ୍ୟ ରାସ୍ତାରେ ଠିଆ ହେବା ସାହାସ କରେନି । କାଳେ ମୁଁ କିଛି କହିବି, ପଚାରିବି ।

କିନ୍ତୁ ମୋର ଉଦ୍ଦେଶ୍ୟ ଥିଲା କଲେଜ ଭିତରେ କ’ଣ ବା କହିବି । ଯଦି ଘର ପାଖରେ ସୁଯୋଗ ମିଳେ । ମନକଥା କହି ଦେଖିଥାଆନ୍ତି । ସାହାସ ହେଲାନି । ଏମିତି ଯିବା ଆସିବା ମୋର ନିତିଦିନିଆ ରୁଟିନ୍ ପାଲଟିଗଲା ।

ଏମିତି ବି ସୁଯୋଗ ପାଇନି, ଦିନେ ମୋତେ ସେ ତାଙ୍କ ଘର ପାଖରେ ଡାକି କଥାହେବା, ଘର ସଦସ୍ୟଙ୍କ ସହ ପରିଚୟ କରାଇବା ଇତ୍ୟାଦି । ସତେ ଯେପରି ସେ ମୋତେ ଚିହ୍ନିନି । ଯଦି ପରିଚୟ ଦେବ ବା କ’ଣ ବୋଲି । ସମୟ ମଧ୍ୟ ସେ ପ୍ରକାରର ଥିଲା ।

କଲେଜ ପାଠପଢ଼ା ସରିଆସିବା ହେଲାଣି । ପାଠପଢ଼ାରେ ବ୍ୟତିକ୍ରମ ନୁହଁ ଦୁହିଁଙ୍କ । କିନ୍ତୁ ମନକଥା କିଏ କାହାକୁ କହିପାରିନଥିଲୁ । ଇତି ମଧ୍ୟରେ କଲେଜ ଛାଡ଼ିବା ସମୟ ଆସିଗଲାଣି ।

ଦିହେଁ ପରିଶେଷରେ କିଛି ସାହାସ କରି, କ୍ଲାସ୍ ସରିବା ପରେ ଟହଲ ମାରୁ କଲେଜ ପଡ଼ିଆରେ, ଗେଟ୍ ପାଖରେ, କିନ୍ତୁ ନିରବ । ଅନାବନା କଥା । ମୂଳ ପ୍ରସଙ୍ଗ, ମନକଥା କହିବାରେ ସାହାସ ନାହିଁ । କାଳେ ଥିବା ସଂପର୍କଟି ଖରାପ ହେବ । ବାସ୍ କିଛି ସାମାନ୍ୟ ଗପସପର ସାଙ୍ଗ ହୋଇ ରହିଗଲୁ ।

କଲେଜ ଛାଡ଼ିବା ଦିନଟି ଆସିଗଲା । ମନକଥା ମନରେ ହିଁ ରହିଗଲା । କଲେଜ ମୋର ସେଇ ପ୍ରିୟ ସହର ମୋତେ ଛାଡ଼ିବାକୁ ହେଲା । ଛାଡ଼ିଲି ମଧ୍ୟ ।

କଲେଜ୍ ଶେଷ ଦିନ ବହୁତ ଭାବନା । କାଲି ଆଉ କଲେଜ୍ ଆସିବା ଦରକାର ନାହିଁ । ଆସିଲେ ମଧ୍ୟ ସେ କିମ୍ୱା ମୋ ସହପାଠୀ କେହି ନଥିବେ ।

ଯେଉଁ ଦିନ ସହର ଛାଡ଼ି ମୋଟେ ଯିବାକୁ ହେଲା, ତାଙ୍କ ଘରରୁ କିଛି ଦୂର ଦେଇ ମୋ’ ବସ୍ ଯାଏ । ବାସ୍ ଘରଟିକୁ ଚାହିଁଲି । ଏତେ ଭୋରରୁ ସେ ବା କାହିଁକି ଛିଡ଼ା ହୋଇଥିବ ବାହାରେ । ବାସ୍ ସାହିରେ ସମସ୍ତଙ୍କ ବଲ୍ବ୍ ଜଳିଛି । ଶୁନଶାନ। କୋହ ସମ୍ଭାଳି ଚାଲିଛି ବସର ମନ୍ଥର ଗତି ସହ । ବସଟି ଘାଟି ଚଢ଼ିବା ଆରମ୍ଭ କଲା । ବସ୍ ଇଞ୍ଜିନର ସାମାନ୍ୟ ଗର୍ଜନ, ମୋ’ ଆଖିରୁ ଝରୁଥାଏ ଅହରହ ଲୁହ । ଚାଲି ଆସିବାକୁ ହେଲା ମୋ’ ସହରକୁ ।

ସେ ସମୟରେ ନା ମୋବାଇଲ୍ ନା ଯୁଗ ସେତେ ଆଗୁଆ । ଚିଠି ବି ଯଦି ଦେବି କ’ଣ ବୋଲି । କିଛି ତ କହିପାରିନଥିଲି ସମୟ ଥାଉ ଥାଉ । ଏବେ କ’ଣ ବା ଲାଭ ପାଇବି । ଛାଡ଼ ଯାହା ହେବାର ଥିଲା ହେଲା । ଏବେ ଏତେ କଥା ଭାବି ଆଉ କିଛି ଲାଭ ନାହିଁ ।

—-x—-x—-x—-

ବାସ୍ ପାଠପଢ଼ା ସରିଛି। କିଛି କାମ, ସାମାନ୍ୟ ରୋଜଗାରରେ ମନ ଦେଲି। ବହୁତ ସମୟ ପର୍ଯ୍ୟନ୍ତ ଭୁଲିପାରିନି ତାକୁ, ମୋ’ କଲେଜ, କ୍ଲାସ୍ ରୁମ୍, ସେଇ ସହର । ସେ ସବୁ କେବଳ ସ୍ମୃତି ହୋଇ ରହିଗଲା ମୋ’ ଜୀବନରେ । ଥରେ ଅଧେ ଯିବାକୁ ହୁଏ ସେ ସହରକୁ କିଛି କାମରେ । କଲେଜ କାମରେ ଯଦି ଯାଏ, ବହୁତ ଅପେକ୍ଷା କରିବା ପରେ ଦେଖା ହୁଏ ତା ସହ । ପଦେ ଅଧେ କଥା ହୁଏ । କୋହ ଦୁହିଁଙ୍କ ମନରେ କୁହୁଳୁଥାଏ । କିନ୍ତୁ ଏବେ ବି ନୀରବ । ମନ କଥା ପ୍ରକାଶ କରିବା ପାଇଁ ସାହାସର ଅଭାବ ।

ବେଳେବେଳେ ଅକାରଣରେ ମଧ୍ୟ ଦୁଇ/ଚାରି ଥର ଯାଇଥିଲି ତା’ ସହରକୁ । ଦୁଇ/ତିନି ଦିନ ଲଜରେ ରହି ଚେଷ୍ଟା କରିଥିଲି । କଥା ଦିପଦ ହେବି ବୋଲି ଭାବିଲି ଆଉ ବୋଧେ ବାହାନା ମିଳି ପାରିଲାନି ତାକୁ, ଘରୁ ବାହାରିବା ପାଇଁ ।

ମନରେ ପ୍ରବଳ ଇଚ୍ଛା ଥାଇ ମଧ୍ୟ ମନକଥା ମନରେ ମାରି ମନକୁ ବୁଝାଇ ଫେରିଆସିଥିଲି । ପୁଣି ମୋ କାମରେ ବ୍ୟସ୍ତ । କିନ୍ତୁ ନିତି ମନେ ପଡେ଼ ସେଇ ଅଭୁଲା ସ୍ମୃତିର କିଛି ପୃଷ୍ଟା ।

ୟା’ରି ଭିତରେ ମୁଁ ଚାକିରୀ କରି ରୋଜଗାରକ୍ଷମ । ପୁରୁଣା କଥା ଭୁଲି ମୋତେ ଘର ସଂସାର କରିବାକୁ ପଡ଼ିଥିଲା ।

ପନ୍ଦରଟି ବର୍ଷ ପରେ ମୋର ଦୁର୍ଭାଗ୍ୟ, ମୋ ସ୍ତ୍ରୀ ଚାଲିଗଲା ଆରପାରି ଡାକରେ । ଗତ ପାଞ୍ଚ ବର୍ଷ ବାସ୍, ପିଲାଙ୍କ ମୁହଁ ଚାହିଁ ଦିନ କାଟୁଛି । ଆଉ ଦ୍ୱିତୀୟ ବାହା କରିବାର ସ୍ପୃହା ଆଉ ନାହିଁ ଏ ବୟସରେ ।

—-x—-x—-x—-

ହଠାତ୍ ଛବିଶ ବର୍ଷପରେ, ଯାହା ମୁଁ କାହିଁକି ବା ସ୍ୱପ୍ନରେ ସୁଦ୍ଧା ଭବିବି । ଏକ ପରିଚିତ ସ୍ୱର “ନମସ୍କାର” । ଦେଖେ ତ ମୋ ଗଭୀର ଅତୀତର ସ୍ୱର୍ଣ୍ଣୀମ ସ୍ମୃତି ପୃଷ୍ଠାର ନାୟିକା । ସେଇ ଚେହେରା, ସେଇ ହସ ନେଇ ମୋ’ ସାମ୍ନାରେ ଉଭା । କିଛି ସମୟ ମୋ ନିଜ ଆଖିକୁ ବିଶ୍ୱାସ କରିପାରିନଥିଲି ।

ସେ ସମୟରେ ସେ କୁଆଡେ଼ ଗଲା, କେମିତି ଅଛି, କାହାକୁ ବାହାହୋଇଛି, କୌଣସି ଖୋଜ୍ ଖବର ନେଇ ନଥିଲି, ଇଚ୍ଛା ବି କରିନଥିଲି । ପାଖ ବି ନୁହଁ, ତା ସହରଟି ମୋ ଠାରୁ ବହୁତ ଦୂରରେ ।

ବର୍ତ୍ତମାନ ସେ ଆସିଛି ଆଠ ଦଶଦିନ ପାଇଁ କିଛି କାମରେ ମୋ ଅଫିସକୁ । ତା ପୁଣି ମୋ ଦାୟିତ୍ୱରେ ରହିବେ ସେ ଓ ତାର ଟିମ୍ ।

—-x—-x—-x—-

ଅଫିସ୍ କାମ ସକାଳରୁ ସନ୍ଧ୍ୟା ଯାଏ ଚାଲେ । ଏବେ ଦୁହିଁଙ୍କ ପୂର୍ଣ୍ଣ ବିକଶିତ ମସ୍ତିସ୍କ । ଦୁହେଁ ଅଧାରୁ ଅଧିକ ବୟସ ପାରି ହୋଇସାରିଛୁ ।

ଅଫିସ୍ କାମ ସରିଲା ପରେ ମୋର ଘରେ ବା କିଏ ଅଛି ଅତିଥି ସତ୍କାର ପାଇଁ । ଦିହେଁ ବାହାରେ ଟିକିଏ ଚାହା ଜଳଖିଆ କରୁ । କିଛି ଅତୀରର ସ୍ମୃତି ତାଜା ହୁଏ । କିଛି ନୁଆ ଭାବର ବିନିମୟ । ବର୍ତ୍ତମାନର ଯୁଗ ମଧ୍ୟ କଲେଜ୍ ସମୟ ଅପେକ୍ଷା ବେଶ୍ ଆଗୁଆ । ନା ଶିକ୍ଷକ, ନା ଲୋକନିନ୍ଦା, ନା ସମ୍ମାନର ଭୟ । ବହୁତ ସମୟ ମିଳେ କଥାବାର୍ତ୍ତା ପାଇଁ । ଦୁହିଁଙ୍କୁ ଭଲ ଲାଗେ ମଧ୍ୟ ।

—-x—-x—-x—-

– କଲେଜ ସମୟ ବହୁତ ମଜା ଥିଲା ନା ?

– ମଜା ବିଷୟ ଥାଉ, ଗୋଟିଏ କଥା ପଚାରିବି, ସତ କହିବ ? ଯାହା ଛବିଶ ବର୍ଷ ତଳେ ପଚାରିବାର ଥିଲା ।

– ମାନେ, .. ନା .. ହଁ .. କ’ଣ ?

– ମୁଁ ସେ ସମୟରେ ତୁମକୁ ଭଲ ପାଇ ବସିଥିଲି । ତୁମେ ବି ମୋତେ ଭଲ ପାଉଥିଲ ନା ?

– ମାନେ .. ନା .. ହଁ .. କିନ୍ତୁ .. ଛାଡ଼ ..

– ଆଚ୍ଛା ମୋର ସାହାସ ନଥିଲା କହିବା ପାଇଁ, ତମେ ବି ଟିକିଏ ସାହାସ କରିପାରିଲନି ? କିମ୍ୱା କହିବା ପାଇଁ ସୁଯୋଗ ବି ଦେଇନଥିଲ ନା ? ଯଦି ସେମିତି ହୁଅନ୍ତା ଆମ ଜୀବନ ସମୟ କିଛି ଅଲଗା ଥାଆନ୍ତା ନା ?

– ହଁ କିନ୍ତୁ ମୁଁ ପରା ଝିଅ ଟେ । ତମେ ବି ତ ପଦଟେ କହିନ । ପୁଣି କ’ଣ କହିଥାନ୍ତି ଘରେ । ପୁଣି ତ ଘରର ବଡ଼ ଝିଅ । ବାପାଙ୍କ ଦେହ ବିଗିଡ଼ିଲା ପରେ ସମସ୍ତେ ମୋରି ଉପରେ ଆଶା ବାନ୍ଧିଥିଲେ ।

– ହଁ ମୁଁ ମଧ୍ୟ ରୋଜଗାରକ୍ଷମ ନଥିଲି ।

– ହଁ, ଏମିତି କିଛି ପରିସ୍ଥିତି ହିଁ ବାଧକ ସାଜିଥିଲା ଆମ ଭିତରେ ..

– ଆଚ୍ଛା, କୁହ, ଏବେ କ’ଣ ସେ ଇଚ୍ଛା, ଭଲପାଇବା, ସ୍ନେହ, କୋହ ରହିନି ତୁମ ମନରେ ।

– ଏ ସବୁ ଅଳିଆ ନୁହଁ, ମନ ଭିତରୁ ଫିଙ୍ଗି ଦେବା ପାଇଁ । ମନ କଥା ମନରେ ମାରି ବହୁତ କାନ୍ଦିଥିଲି ମୁଁ ମଧ୍ୟ । କିନ୍ତୁ କରାଯାଇପାରେ ଆଉ କ’ଣ ?

– ଏବେ କ’ଣ ଆମ ଅଧୁରା ସ୍ୱପ୍ନ ପୂରା କରିହେବନି ?

– ଏ ସବୁର ନିଷ୍ପତି ନେବା ପାଇଁ ଆଉ ବଡ଼ କିଏ ଅଛି ? ମୋତେ ହିଁ ନେବାକୁ ହେବ ।

—-x—-x—-x—-

ଭାଗ୍ୟର ବିଡ଼ମ୍ୱନା ! କୋଉଠୁ ଆଣି କୋଉଠି ଥୋଇଲା । ଛବିଶଟି ବର୍ଷପରେ ମୋ’ ଅତୀତର ସାଥୀ, ମୁଁ ଆଜି ଫେରି ପାଇଛି । ଅଳସରେ ହେଉ ପଛେ ।

କିନ୍ତୁ ଗୋଟିଏ ଅବଶୋଷ ମୋ ଜୀବନରେ, ମୋ ସ୍ତ୍ରୀକୁ ମୁଁ ହରାଇଛି । ଗୋଟିଏ ଅବଶୋଷ ତା’ ଜୀବନରେ ପରିସ୍ଥିତିର ଚାପାରେ ପଡ଼ି ଗତ ଛବିଶଟି ବର୍ଷ ମୋ ସ୍ମୃତିରେ ସେ ଜଳାଞ୍ଜଳି ଦେଇଛି ତା ଜୀବନର ।

ଲୋକପ୍ରିୟ ଲେଖା

To Top