ଗଳ୍ପ

ଆବର୍ତ୍ତ

Manjurani Mishra's Odia Story Aabartta

ଏଇତ ଦୁନିଆଁ । ସବୁ ସମ୍ପର୍କ ଆପେ ଆପେ ଯୋଡ଼ି ହୋଇଆସେ ଆଉ ଆପେ ଆପେ ଭାଙ୍ଗିଯାଏ । ଫୁଲ ଫୁଟିବାର ଋତୁଟି ଧୂଆଁଳିଆ ଦିଶେ ।

ଆବର୍ତ୍ତ

ଶେଷ ବସନ୍ତର ଅପରାହ୍ନରେ ମେରୁନ୍ ରଙ୍ଗର କାର୍‌ଟା ଯେତେବେଳେ ଗେଟ୍ ପାଖରେ ଥୁଆ ହେଲା, ବିସ୍ମୟରେ ଆଖିତୋଳି ଚାହିଁଲା ଅରୁନ୍ଧତୀ । ଲିପି, ଚିପୁ, କୁଲୁ, ସମସ୍ତେ ଆନନ୍ଦରେ ଚିତ୍କାର କରି ଗାଡ଼ିଟାକୁ ବେଢ଼ିଗଲେ । କିଏ ଗାଡ଼ିଟାକୁ ଆଉଁସି ପକାଇଲା, ଆଉ କେହି ଡୋର୍ ଖୋଲି ବସିପଡ଼ିଲା । କେହି ବାଁ ମିରର୍‌ରେ ମୁହଁ ଦେଖି ନେଲା । ପରମ ଆଗ୍ରହରେ ବୋଉ ବି ଆସି ଉଙ୍କି ମାରିଲା ଦାଣ୍ଡ କବାଟ ସେଫାଳରୁ । ସାରା ପରିବାରଟା ଯେତେବେଳେ ଆନନ୍ଦମୁଖର, ଅରୁନ୍ଧତୀ କେମିତି ହତ୍‌ବାକ୍ ଭଙ୍ଗୀରେ ଠିଆ ହୋଇଥିଲା ।

ଆଜିକାଲିକା ବଜାରରେ ଏମିତି ଗାଡ଼ିର ଦାମ୍ କେତେ ହୋଇପାରେ ? ଅମୃତ କ’ଣ ଏତେ ଟଙ୍କା ବ୍ୟାଙ୍କ ବାଲାନ୍ସ କରିଥିଲା ଗାଡ଼ି କିଣି ସର୍‌ପ୍ରାଇଜ୍ ଦେଲା ? ଅରୁନ୍ଧତୀର ବିଶ୍ୱାସ ହେଲାନି । ଅଥଚ ଆଖି ସାମ୍ନାରେ ସେ ଗାଡ଼ିଟାକୁ ଦେଖୁଛି ।

ଅରୁନ୍ଧତୀ ଦୁର୍ବାବନାର କଳାଦାଗ ସବୁ ପୋଛି ଦେବାକୁ ଲାଗିଲା । ଅମୃତ ତା’ର ସାନଭାଇ । ସେ ଚାକିରୀ କଲାଣି । ମୋଟା ଦରମା ପାଉଛି । ନିଜ ଉପାର୍ଜନରେ ସେ ଯଦି ଗୋଟେ ଗାଡ଼ି କିଣି ପାରିଲା, ଏଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି ? ଏଥିରେ ସେ ଖୁସି ହେବା କଥା । ଅରୁନ୍ଧତୀ ନିଜ ଉପରେ ବିରକ୍ତ ହେଲା ।

ଆଉ ସଞ୍ଜବେଳେ ଖୁସିଗପ କଲାବେଳେ ଅମୃତ ଯେତେବେଳେ ଗାଡ଼ିର ରଙ୍ଗ ବିଷୟରେ ମତାମତ ପଚାରିଲା ସେତେବେଳେ ବହୁତ ତାରିଫ୍ କଲା ଅରୁନ୍ଧତୀ । ତା’ର ମନେପଡ଼ିଲା ତା’ ଷ୍ଟାଫ୍ ତାକୁ ଆକ୍ଷେପ କରିବା କଥା । ଅରୁନ୍ଧତୀ ବାହା ହୋଇନି ବୋଲି ତ ଅମୃତ ଆଉ ଅପେକ୍ଷା କରିପାରିବନି । ଆଉ ଅମୃତ ଯେତେବେଳେ ବାହାହେବ ସେତେବେଳେ ସେ କ’ଣ ଅରୁନ୍ଧତୀର ମତାମତ ଚାହିଁବ ?

ଅରୁନ୍ଧତୀର ଛାତିରେ କ’ଣ ଗୋଟିଏ ଯେମିତି ଅଟକିଗଲା ? ମୁଣ୍ଡବ୍ୟଥା ବାହାନା କରି ସେ ଉଠି ଯାଇଥିଲା । ଏ ଗାଡ଼ି କିଣିବା କଥା ନେଇ ସେ ଏତେ ବିଚଳିତ ହେଉଛି କାହିଁକି ? ସେ କ’ଣ ଈର୍ଷା କରୁଛି ତା’ ସାନଭାଇକୁ ? ନିଜକୁ ନିଜେ ସେ ସଜାଡ଼ି ପାରୁନଥିଲା । କ’ଣ ସବୁ ଯେମିତି ଭୁଲ୍ ହୋଇଯାଉଛି ? କାହିଁକି ଏମିତି ଲାଗୁଛି ତାକୁ ଆଜି ?

ଏତେ ବଡ଼ ଘରଟାରେ କେହି ନାହାନ୍ତି । ବାପା ଯାଇଛନ୍ତି ଟୁର୍‌ରେ । ବୋଉ ଗଲାଣି ମନ୍ଦିରକୁ । ଅମୃତ ପିଲାମାନଙ୍କୁ ନେଇ ନୂଆ ଗାଡ଼ିରେ ବୁଲି ବାହାରିଲାଣି । ତାକୁ ଆବଶ୍ୟ ଡାକୁଥିଲା । ସେ ମନା କଲା । ଖୋଲା ଅଗଣାଟି, କଳା ମିଟି ମିଟି ଅନ୍ଧାର ଉପରେ ତାରା ଭରା ଆକାଶ । ଏମିତି ଅନ୍ଧାରରେ ନିଜକୁ ହଜେଇ ଦେବାକୁ ଇଚ୍ଛା ହେଉଛି ।

କ’ଣ ଆଉ ଭାବୁଛି ଅରୁନ୍ଧତୀ ? ଭାବୁଛି କି ସେ କଙ୍କି, ପ୍ରଜାପତି ଧରା ବୟସ ବେଳର କଥା । ନା ସେ ଭାବୁଛି ତା’ର ଅତିକ୍ରାନ୍ତ ଅତୀତ ପ୍ରୀତିପୂର୍ଣ୍ଣ ବୟସର ଝୁଲନ୍ତ ସ୍ୱପ୍ନର ସହରକୁ । ସ୍ତର ସ୍ତର ଅନ୍ଧାର ଭିତରେ ଠିଆ ହେଲା ଅତୀତ । ଏତେଦିନ ଆଶାର ସ୍ୱର୍ଣ୍ଣ ମୃଗ ପଛରେ ଅଣନିଶ୍ୱାସୀ ହୋଇ ଦୌଡ଼ି ଦୌଡ଼ି ସେ ପାଇଲା କ’ଣ ? ବଞ୍ଚିବାକୁ ହେଲେ ଖେଳ ଶିଖିବାକୁ ହୁଏ । ତା’ର ଆଉ ଖେଳ ଶିଖିବାର ଆଗ୍ରହ ନାହିଁ । ଅନ୍ୟମାନେ ଜିତିଲେ ସେ ଖାଲି ତାରିଫ୍ କରିବ । ଓଠରେ ହସ ବୋଳି ଅଯଥା ସହାନଭୂତି ଜଣେଇବ ।

କଳା ମଚମଚ ଅନ୍ଧାର । ଅନ୍ଧାରର ପାହାଚ ଓହ୍ଲାଇ ଆସୁଛି ସ୍ତବକ । ତାକୁ ପ୍ରବୋଧନା ଦେଉଛି । ଜୀବନଟା ଏକ ଛକା ପଞ୍ଝା ତାସ୍ ଘରର ଖେଳ । ଯିଏ ଖେଳି ଜାଣେ ତା’ର ହୁଏ ନାଲିପାନ ବିବି । ଖେଳ ଖେଳି ଜାଣିଛି ବୋଲି ତ ସ୍ତବକ ସୁଖୀ ହୋଇଛି । ଖେଳି ଜାଣିନି ବୋଲି ତ ଅରୁନ୍ଧତୀ ଅନ୍ତର୍ଦାହର ସମୁଦ୍ର ଭିତରେ ଉବୁଟୁବୁ ହେଉଛି । ନା ସେ ବୁଡ଼ି ପାରୁଛି ନା ସେ କୂଳରେ ଲାଗି ପାରୁଛି ।

ଏ ଅନ୍ଧାରକୁ ଶୋଷି ନେବା ପାଇଁ ତା’ ଓଠରେ ଆକଣ୍ଠ ତୃଷ୍ଣା । ଏ ଅନ୍ଧାରର ବ୍ୟୁହଭେଦ କରି ସେ ଖୋଜୁଛି ଆଉ ଏକ ପରିପୂର୍ଣ୍ଣ ପୃଥିବୀକୁ ।

ଅରୁନ୍ଧତୀ ଅନ୍ଧାରରେ ହସିଦେଲା । ତା’ ବାହାଘର ପାଇଁ ସମସ୍ତେ ବ୍ୟସ୍ତ । ବାପାଙ୍କ ରକ୍ତଚାପ ବଢୁଛି । ବୋଉ ନିତି ଯାଉଛି ଚଣ୍ଡୀ ମନ୍ଦିରକୁ ଘିଅ ଦୀପ ସଜାଡ଼ି । ପୃଥିବୀଟା ସତରେ ଭାରି ସ୍ୱାର୍ଥପର । ମଣିଷ ନିଜର ସ୍ୱାର୍ଥ ଅନ୍ୟଠୁ ହାସଲ କରିପାରିଲେ ପାଏ ତୃପ୍ତି । ସେ ବିବାହ କରିବ, ସ୍ତବକକୁ ନୁହେଁ । ଆଉ ଯାହାକୁ ବିବାହ କରିବ ସେ କ’ଣ ସ୍ତବକ ପରି ଆଉ କେଉଁ ଝିଅକୁ ପ୍ରତାରିତ କରିନଥିବ ! ତା’ ମଧ୍ୟ ଅସମ୍ଭବ ନୁହେଁ ।

ସେ ବାହା ନ ହେଲେ ଘରକୁ ବୋହୂ ଆଣିବାକୁ ବୋଉ ରାଜି ନୁହେଁ । ସାନଭାଇ ବିବାହ କରି ସାରିଲେ ବଡ଼ ଭଉଣୀର ବାହାଘର କଷ୍ଟକର ହୁଏ । ଅନ୍ଧାରରେ ଅରୁନ୍ଧତୀର ମୁହଁ ଭାରି ହୋଇ ଆସିଲା । ଅମୃତ ଯେମିତି ନିଜ ଇଚ୍ଛାରେ ଗାଡ଼ି କିଣିଲା ସେମିତି ନିଜ ଇଚ୍ଛାରେ ଯଦି ବାହା ହୋଇଯାଏ, ତା’ହେଲେ !

ଆକାଶରେ ବିଳମ୍ୱିତ ଚନ୍ଦ୍ର । ବେଶ୍ ଭଲ ଲାଗୁଥିଲା ଏଇ ତାରାଭରା ରାତି । କିନ୍ତୁ ଏ ବିଳମ୍ୱିତ ଚନ୍ଦ୍ର ଆଲୁଅ । ତା’ର ସୁଦୂର ଅତୀତର କଦ୍ଦର୍ମାକ୍ତ ଛାଇ । ଅତୀତକୁ ସେ କ’ଣ ଭୁଲିପାରିନାହିଁ । ଅରୁନ୍ଧତୀ ଆଖି ବୁଜିଦେଲା ।

ତା’ପରେ ସେ ପୃଥିବୀର ଜଣାଶୁଣା ସାଧାରଣ ମଣିଷଟିଏ ପାଲଟିଗଲା । ଏକ ସାଧାରଣ ଘଟଣାକୁ ଅତିବଡ଼ କରି ଭାବିଥିବାରୁ ନିଜ ଉପରେ ବିରକ୍ତ ହେଲା । ଆଉ ଶେଷରେ କ୍ଷମା ଦେଲା ମଧ୍ୟ । ଅମୃତ ତା’ ଗାଡ଼ିରେ ବସାଇ ତାକୁ କଲେଜ୍ ଗେଟ୍ ପାଖରେ ଛାଡ଼ିଦେଲାବେଳେ ସେ ଏଥିପାଇଁ ଗର୍ବ କଲା ମଧ୍ୟ । ତା’ର ଭାଇ ବଡ଼ ହୋଇଛି, ତା’ର ଉନ୍ନତିରେ ପରିବାରର ଉନ୍ନତି ।

ଆଉ ଯେଉଁଦିନ ସେ ଅମୃତର ଡାଏରୀରେ ଅନୁରାଧାର ଫଟୋ ଦେଖିଲା, ସେ ଫେରିଗଲା ଆଉ ଗୋଟେ ପୃଥିବୀକୁ ଯେଉଁଠି ତା’ର ଅତୀତର ମେଞ୍ଚା ମେଞ୍ଚା ଜ୍ୱଳନ ଆଉ ହାହାକାରର ବିଜ୍ଞାପନ ସବୁ ଝୁଲୁଛି । ସେ ଅନୁଭବ କଲା ଅମୃତ ଆଉ ତା’ର ସମ୍ପର୍କର ପାଚେରୀ ଭିତରେ ଫାଟ ଧରିବାକୁ ଆରମ୍ଭ କରିଛି । ସେମାନେ ମନମାଫିକ ଆଉ ଗୋଟିଏ ଗୋଟିଏ ମଣିଷ ପାଲଟି ଯାଇଛନ୍ତି ।

କିଏ ଏହି ପ୍ରବାହକୁ ଅଟକାଇବ ?

ତା’କଲେଜ୍‌ର, ତା’ କ୍ଲାସ୍‌ର ଛାତ୍ରୀ ଅନୁରାଧା

ଅରୁନ୍ଧତୀ ସ୍ତବ୍ଧ ହୋଇଗଲା ।

ସେ କ’ଣ ଏଥିପାଇଁ ବୋଉ ପାଖରେ ଅଭିଯୋଗ କରିବ ପିଲାବେଳେ ଯେମିତି ଅଭିଯୋଗ କରୁଥିଲା । ଅମୁ ମୋ ସିଲଟ୍ ଭାଙ୍ଗିଦେଲା, ବହି ଚିରିଦେଲା, ମୋ ଗଛରୁ ଫୁଲ ଛିଣ୍ଡାଇ ଦେଲା । ଅମୃତକୁ ସେ କ’ଣ ଶାସନ କରିବ ବେତଧରି ? ଅମୃତର ସେ ବୟସ ଆଉ ନାହିଁ ।

ଅରୁନ୍ଧତୀ ନିଜ ଉପରେ ଆଖି ଫେରାଇଲା । ବିବାହ ନ କଲେ ମଧ୍ୟ ସେ କ’ଣ ଅତୀତର ଅଲୀଅଳି ଝିଅ ହୋଇ ଏ ଘରେ ଅଛି ?

ଅରୁନ୍ଧତୀ ନିଜ ପ୍ରଶ୍ନର ଉତ୍ତର ନିଜେ ଆଦାୟ କରିଦେଲା । ତା’ ଜୀବନରେ ଘଟିଥିବା ସବୁ ଦୃଶ୍ୟ ତାକୁ କେମିତି ବିଦୃପ କଲାଭଳି ଲାଗିଲା । ମନେ ହେଲା ନିଜର ସମ୍ମାନ ଜାହିର କରିବା ପାଇଁ ବାଧ୍ୟ ବାଧ୍ୟକତାରେ ଟିକିଏ ପ୍ରଶଂସା ପାଇବା ପାଇଁ କିଏ ଅନ୍ୟକୁ ଆକ୍ଷେପ କରିବା ପାଇଁ ସମସ୍ତେ ଅଭିନୟ କରି ଚାଲିଛନ୍ତି । ସେ ବି ସେମିତି ନିଜ ମନକୁ ତାଲିମ୍ ଦେବା ପାଇଁ ପ୍ରସ୍ତୁତ ହେଲା ଆଉ ଅନ୍ୟମାନଙ୍କ ଆଗରେ ପରୋକ୍ଷରେ ସୁଖୀ ହେବାର ନାଟକଟିଏ ତିଆରି କଲା ।

ଅମୃତ ପ୍ରେମ କରୁଛି । କରୁ, ଠକିଲେ ସେ ଶିଖିବ ।

ସ୍ତବକର ପ୍ରତାରଣା ପାଇଁ ସେ ନିଜକୁ ଦୋଷୀ ମନେ କରୁଥିଲା । ଆଉ ଅମୃତର ଖାପଛଡ଼ା ବ୍ୟବହାର ପାଇଁ ମଧ୍ୟ ।

ଏଇତ ଦୁନିଆଁ । ସବୁ ସମ୍ପର୍କ ଆପେ ଆପେ ଯୋଡ଼ି ହୋଇଆସେ ଆଉ ଆପେ ଆପେ ଭାଙ୍ଗିଯାଏ । ଫୁଲ ଫୁଟିବାର ଋତୁଟି ଧୂଆଁଳିଆ ଦିଶେ । ସମୟ କାହାକୁ ନେଇ କେଉଁଠି ଥୁଏ, କାହା ପାଇଁ ସେଇ ରାସ୍ତା ସହଜ ତ କାହାପାଇଁ ଜଟିଳ । କିଏ ଦୁର୍ଗମ ରାସ୍ତାରେ ପାଦ ଥାପି ଥାପି ଚାଲେ ତ କିଏ ପୁଣି ପଛଘୁଞ୍ଚା ଦିଏ ।

ଜୀବନକୁ ସାମ୍ନା କରିବା ଏତେ ସହଜ ନୁହେଁ । ତଥାପି ଚାଲିବାକୁ ପଡ଼େ ଖସଡ଼ା ରାସ୍ତାରେ । କିଛି ପାଇଲେ କିଛି ଦେବାକୁ ପଡ଼େ । ବେଳେ ବେଳେ କିଛି ନ ପାଇଁ ମଧ୍ୟ ଅକାତରେ ଦେବାକୁ ପଡ଼େ ଅନେକ କିଛି ।

ଦ୍ୱନ୍ଦ ଆଶଙ୍କା ଭୟର ଗଭୀର ହ୍ରଦରେ ତା’ ମନପକ୍ଷୀ ଯେତେବେଳେ ଉଦ୍ଧାର ପାଇବା ପାଇଁ ଉଦ୍‌ଗ୍ରୀବ ହୋଇ ଉଠୁଥିଲା, ସେତେବେଳେ ସବୁ ସମସ୍ୟାର ସମାଧାନ ହୋଇଯାଇଥିଲା ଆପେ ଆପେ ।

ନିଜ ଗାଡ଼ିରେ ବସାଇ ଅମୃତ ଯେତେବେଳେ ଅନୁରାଧାକୁ ଘରକୁ ନେଇ ଆସିଲା କେଉଁ ମନ୍ଦିରରେ ବିବାହ କରି ସେତେବେଳେ ବାପାଙ୍କର ରକ୍ତଚାପ ବଢ଼ି ଯାଇଥିଲା ବହୁତ । ବୋଉର ଆଖି ଲୁହରେ ଠାକୁରମାନେ ଗାଧୋଇ ପଡ଼ିଥିଲେ । ଲିପି, ଚିପୁ, କୁଲୁ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥିଲେ । ତା’ ମନରେ କିନ୍ତୁ କିଛି ବି ଭାବାନ୍ତର ନଥିଲା । ଏମିତି ଗୋଟେ ଘଟଣା ଘଟିବ ବୋଲି ସେ ଯେମିତି ଆଗରୁ ପ୍ରସ୍ତୁତ ହୋଇ ସାରିଥିଲା ।

ଅନୁରାଧାକୁ ସେ ଘର ଭିତରକୁ ନେଇଥିଲା । ସାହିର ସ୍ତ୍ରୀ ଲୋକମାନଙ୍କୁ ବୋହୂ ଦେଖାଇଥିଲା । ଘରଦ୍ୱାର ସଜେଇଥିଲା । ଭୋଜିଭାତର ଆୟୋଜନ କରିଥିଲା । ଏତେ ବଡ ଘଟଣା ଘଟିଗଲା । ଅଥଚ ତା’ ମନରେ ଟିକିଏ ବି ପ୍ରତିକ୍ରିୟା ସୃଷ୍ଟି ହୋଇନଥିଲା । ତା’ ମନର ସବୁ ଆଶା ଅଭିପ୍ସାର ନିର୍ଝରିଣୀ କଠିନ ବରଫର ସ୍ତୂପ ପାଲିଟି ଯାଇଥିଲା । ସକାଳର ଆଲୁଅ ସେଠି ଆଶା କରିବା ବିଡ଼ମ୍ୱନା ।

ଲୋକପ୍ରିୟ ଲେଖା

To Top