ଗଳ୍ପ

ଆହତ ଇଚ୍ଛା

Pradeep Nayak's odia story Aahata Ichchaa

ମୁଁ ବି ଠାରେ ସ୍ବପ୍ନ ଦେଖି ପକାଏ ଖୁବ୍‌ ଗୋଟାଏ ବଡ଼ ସଭାରେ ମୋ ବେକରେ ଉତ୍ତରୀୟ ପକା ଯାଉଚି । ହାତକୁ ବ୍ରୋଞ୍ଚଏ ମୋ କୃତୀ ଲିଖିତ ବଡ଼ ମାନପତ୍ରଟିଏ । ମୋତେ ମୋ କବିତା ସଂକଳନ ପାଇଁ ପ୍ରଶଂସାରେ ପୋତି ଦିଆଯାଉଚି ।

ଆହତ ଇଚ୍ଛା

ମୁଁ ତ ଏତେ ଅସୁନ୍ଦର ନୁହେଁ ଯେ ମୋ ସ୍ତ୍ରୀ ସୁରକ୍ଷା ଅପସନ୍ଦ କରିବ କିମ୍ବା ଯେ କୌଣସି ଭଦ୍ର ମହିଳା ଥରୁଟିଏ ସାରିଥିଲେ ଆଉ କୌଣସି ପରିସ୍ଥିତି ମୁଁ ଆଉ ତାଙ୍କ ଆଖି ସାମ୍ନା ସାମ୍ନି ନ ହୁଏ ବୋଲି କହିବ । ମୋର ଅକାଳ ପକ୍ଵତାରେ ଚୂଳ ପାଚିନି । ମୁହଁ କୁ ଅସୁନ୍ଦର କରିବା ବୋଲି ରେଖାଟିଏ ପଡିନି ସଫା ଗୋରା ନ ହେଲେ ବି ମୁଁ ଗୋରା । ଡେଙ୍ଗା ମଣିଷ ଠୁ ଟିକିଏ କମ ଗେଡା ବି କେହି ଗଣି ପାରିବେ ନାହିଁ ।ବସଷ୍ଟାଣ୍ଡ୍‌ ରେ ଦିନେ କୌତୁହଳ ବଶତଃ କମ୍ପ୍ୟୁଟର ଜାତକ ବାହାର କରିବାକୁ ପାଞ୍ଚଟଙ୍କିଆ ଟି ଗଳାଇ ଦେଖେ ତ ବାହାରି ଆସିଲା ମୋର ସଂକ୍ଷିପ୍ତ ଜାତକ । କନ୍ୟା ରାଶି ଉଚ୍ଚତା ପାଞ୍ଚ ଫୁଟ ଚାରି ଇଞ୍ଚ । ଉଚ୍ଚତା ଅନୁସାରେ ଓଜନ ଅଳ୍ପ ଆବଶ୍ୟକ । ମେଳାପି ଲାଗୁଥିଲେ ବି କେହି ମେଳାପି ବୋଲି ଭାବନ୍ତି ନାହିଁ । ଦାମ୍ପତ୍ୟ ସୁଖ ମୟ ନୁହେଁ ଇତ୍ୟାଦି ଇତ୍ୟାଦି ।

ହେଲେ ବି ମୁଁ ତ ବୁଝିପାରେ ନାହିଁ ଆମ ଦାମ୍ପତ୍ୟରେ ଦୁଃଖ କିଛି ଅଛି ବୋଲି । ହଁ ଓ ଅ ଇଏ ସିନା ମୋର ଏକଲା କଥା ହୋଇପାରେ । ସୁରକ୍ଷା କଥା ତ ଶୁଣା ଯାଇ ନାହିଁ । ଏକ ତରଫା ଭାବେ ମୁଁ ସୁଖୀ ବୋଲି କହିଲେ ଚଳିବକି ?

ସୁରକ୍ଷା ହୃଦୟର ଭାଷା ମୋ ଭଡ଼ାଘରର ସବୁ ଇଞ୍ଚ ଜାଗାରେ ବିଜ୍ଞାପିତ ହୋଇ ସାରିଛି । ସୁଖୀ ପରି ଜଣା ପଡେ ନାହିଁ ସେ । କାଉ ରଡ଼ିବାକୁ ତାଳ ପଡିବା ପରି ମୋ ଚାକିରୀ ମାଫିକ ଭଡା ଘର ଟିଏ ଆଉ ଭଙ୍ଗା ପ୍ୟାନର ପାଇଖାନା , ପଲସ୍ତରା ବିହୀନ ଗାଧୁଆଘର , ସନ୍ତସନ୍ତିଆ ଘର ତଳ ଏ ସବୁ ଠିକ ଆପଣାର ବିମୁଖତାକୁ ଚର୍ବିତ ଚର୍ବଣ କରୁଥିବା ସୁରେଖାର କଥା ସହିତ ଖାପ୍‌ ଖାଇଯାଏ ।

ତା ଠୁ ଆଉ ଅଧିକ ପଇସା ଦେଇ ଫ୍ଲାଟ୍‌ ଟିଏ ନେବା ସମ୍ଭବ ହୁଏନା । ହୁଏ କି ନା ସେ କଥା ବି ମୁଁ ଠିକ୍‌ ଭାବରେ କହି ପାରିବି ନାହିଁ । କାରଣ ସେ ସବୁ ସୁରେଖାର ସାଂସାରିକ ଗଣିତ ର ସମସ୍ୟା ଯେଉଁଥିରେ ମୁଁ ଆଜିଯାଏ ମୁଣ୍ଡ ପୁରାଏ ନାହିଁ । ଗାଁ ରେ ରହୁଥିବା ବୁଢ଼ୀ ମା ପାଇଁ କେବଳ ଦୁଇ ଶହ ଟଙ୍କା ପାଇଁ ଧସେଇ ପଶିବାକୁ ପଡ଼େ । ପ୍ରତି ମାସରେ ମୋ ଦରମା ରାଶି ଭିତରକୁ । ତା ନ ହେଲେ ଅନ୍ୟ କୌଣସି କଥାରେ ମୁଁ ଧାରେନା । ତଥାପି ସବୁ ଜଂଜାଳରୁ ନିର୍ଲିପ୍ତ ହୋଇ ବହୁ ଚେଷ୍ଟା କଲେ ମଧ୍ୟ କିଛି ଅଧିକ ଲେଖା ଲେଖି କରି ପାରେନା । ଲେଖା ଲେଖି ମୋର ସବୁଠୁ ବଡ଼ ରୁଚିରେ ଆସ୍ଥାନ ଜମାଇ ସାରିଛି କେତେ ପତ୍ର ପତ୍ରିକାରେ ଚାପା ହୋଇ ସାରି ମୁଁ ମଧ୍ୟ କେତେଥର ସମାଲୋଚକଙ୍କ ଲେନ୍ସ ବାଲା ଚଷମା ଭିତରକୁ ଆସି ସାରିଛି । ପ୍ରଶଂସକଙ୍କ କେତେ ଚିଠି ବି ଆସୁଛି । ପତ୍ରିକାର ସମ୍ପାଦକମାନେ ମଧ୍ୟ ଲେଖା ମାଗିବାକୁ ଆସୁଛନ୍ତି ।

ଆମ ଅଫିସ ର ପୂର୍ବ ଏମ୍‌. ଡି ଟିକିଏ ରସିକିଆ ଥିଲେ । କେଉଁ ଶୁଭ ମୁହୂର୍ତ୍ତରେ ମୋର ଜୀବନର ଏଇ ନିତିଦିନିଆ ଘଟଣା ଦେଖି ଗୋଟେ ଲାଇସେନ୍ସ ମୁକ୍ତ ସି.ସି .ଆର୍‌ ଲେଖିଦେଇ ଯାଇଛନ୍ତି । ମୁଁ ଗୋଟାଏ କବି ଲେଖକ ଲୋକ । ମୋତେ କେବେ କେମିତି ଆବଶ୍ୟକତା ଅନୁସାରେ ସାହିତ୍ୟ ସଭା ଆଦିକୁ ସବୈତନିକ ଭାବରେ ଛଡା ଯାଇପାରେ । ସେଇ ସାର୍ଟିଫିକେଟ ଖଣ୍ଡକୁ ଲକ୍ଷ୍ମଣ ଭାବି ଓ ତାଙ୍କ ପରବର୍ତ୍ତୀ ଏମ୍‌ .ଡ଼ି ମାନଙ୍କ ପାଦ ମୋ ପର୍ଯ୍ୟନ୍ତ ଡେଇଁ ପାରିନି । ତଥାପି ପଞ୍ଝା ବଢ଼ାଇ ମୋତେ ବିଦାରି ପକାଇବାକୁ ଚେଷ୍ଟା ଯେ କରି ନାହାନ୍ତି ଏକଥା ନୁହଁ ହେଲେ ମୋ ପରି ଲୋକଟାର ସ୍ଵଭାଵ ଯେ ମଲା ମୁର୍ଦ୍ଦାର ପରି ଭାବହୀନ, ରୂଚିହୀନ ଏକଥା ଅନୁଭଵ କଲାପରେ ଚୁପ୍‌ ରହିଯାଇଛନ୍ତି ମନେ ମନେ ବିରକ୍ତ ହୋଇ । ଅଫିସରେ ଥିଲାବେଳେ ବୋଧହୁଏ ସେଇଦିନଟି ଆମ ସେକ୍ସନର ସବୁକାମ ମୋରି ଟେବୁଲ ଉପରକୁ ଆସିଥାଏ । କଚାଯାଏ ମୋତେ ଧୋବାଘର ଲୁଗା ପରି । ଗୁଡ଼ାଏ କାମ ମୋ ଉପରେ ଅଜାଡି ଦେଇ ସହକର୍ମୀ ତଥା ଉପର ଅଫିସର ମାନେ ମୋ ପାରିଲା ପଣିଆ ପରଖୁ ପରଖୁ ଦାନ୍ତ ଚିପି ଚିପି ହସୁଥାନ୍ତି । ମୁଁ କିନ୍ତୁ ସବୁ ଜାଣେ ହେଲେ ହସିପାରେ ନାହିଁ । ବରଂ କାମ ସରିଗଲେ ମୁଁ ଯେତେବେଳେ ହସିପକାଏ ସେତେବେଳେ ସେମାନେ ଗମ୍ଭୀର ହୋଇଯାଆନ୍ତି । ମୋ ଟେବୁଲ ଡ୍ରୟାର ତାଲା ମାରି ବେଗ୍‌ ଖଣ୍ଡକ କାନ୍ଧରେ ଝୁଲେଇ ଅଫିସ୍‌ରୁ ମୋପେଡ଼ ଚଢ଼ି ଘରକୁ ଆସିଗଲେ ଦିନଟି ସରିଗଲା ବୋଲି ଭାବିନିଏ । ମୋ ସଂସାର ପାଇଁ ଦିନରେ ଛଅଘଣ୍ଟା ଦେଇସାରିଲା ପରେ ଭାବେ ଏଥର ଛୁଟି । କାମର ବୋଝରେ ଦୋହଲି ଯାଇଥିବା ମନଟା ଡହଳେଇ ହେଉଥାଏ । ଘରେ ପହଞ୍ଚିଲା ପରେ ଚିକ୍‌ ଚିକିଆ କପ୍‌ରେ କପେ ଚା ଆଉ ମୋ ପସନ୍ଦର ରଙ୍ଗ ଶାଢ଼ୀ ପିନ୍ଧି ହସିହସି କଥା କହୁଥିବା ସ୍ତ୍ରୀ ରେଖାର ପଦେ ମିଠା କଥା । ନ ହେଲେ ନ ହେଇପାରୁ ପଛେ ଅଧିକ କିଛି କାଜୁ କି ବିସ୍କୁଟ ଦି’ଟା । ଘରେ ପହଞ୍ଚି ସାରି ନିଃଶବ୍ଦରେ ଶୋଇବା ଘରକୁ ପଶିଗଲା ବେଳେ ସେ ଦିନ ଏ ଘଟଣା ଘଟିଲା, କଲୋନୀର କେଉଁ ମହିଳାଙ୍କ ସହିତ ରେଖାର ଗପର ପସରା ମେଲି ଯାଇଥାଏ ହସ ଖୁସିରେ । ମୋ ଉପସ୍ଥିତି ବିଷୟରେ ସଚେତନ ଥାଇ ମଧ୍ୟ କେମିତି ଖାମଖିଆଲି ଭାବ ସତରେ ! ମହିଳା ଜଣଙ୍କ ଆତିଥେୟତା ସରିଲା ବେଳକୁ ବଦଳି ସାରିଥାଏ ପିନ୍ଧିଥିବା ଶାଢ଼ୀଟା ସାଙ୍ଗକୁ ରେଖାର ମୁହଁର ରଙ୍ଗ । ବାଃ ରେ ସ୍ୱାମୀଟା ଦାମୀ ଓ ଭଲ ରଙ୍ଗର ଶାଢ଼ୀଟି କ’ଣ ଅପାର ଲୋକଙ୍କ ଆଖି ପାଇଁ କିଣେ କି ? କିଣା ହେବା ବେଳେ ହିଁ ଦେଖିବା ସାର ନା କ’ଣ ? ସଫେଦ ଆକାଶରେ ଭାରି ଭାରି ମେଘର ହଠାତ୍‌ ବରଣ । କିନ୍ତୁ ବେଶି ସମୟ ଆଶଙ୍କାରେ ଘାରି ହେବାକୁ ପଡିନି । ରେଖା ଆରମ୍ଭ କଲା – ମିଶ୍ର ବାବୁଙ୍କ ସ୍ତ୍ରୀ ଆସିଥିଲେ ତାଙ୍କ ତାଙ୍କ ଘର ମ୍ୟୁଜିକ୍‌ ସିଷ୍ଟମ କଥା କହୁଥିଲେ । ବୁଝିଲ, ଯେମିତି ହେଉ ଆମର ଗୋଟେ ମ୍ୟୁଜିକ ସିଷ୍ଟମ କିଣିଆଣ ।

:ସିଏ ପୁଣି ଏବେ କ’ଣ ଦରକାର ପଡିଲା । ମୋ କଣ୍ଠରେ ଅବସନ୍ନତା । ପିଲାମାନେ ଶୁଣିବାକୁ ଯିଦ୍‌ କରୁଛନ୍ତି । ତା ପରେ ଜିନିଷଟେ ଦେଖିବାକୁ ବି ଭାରି ସୁନ୍ଦର । ଥାକରେ ରହିଲେ …। ପିଲାମାନଙ୍କ ସହିତ ରେଖାର ଚାହିଁବା ମିଶିକରି ରହିଥିଲା, ଏ କଥା ମୁଁ ବୁଝି ପାରୁଥିଲି ।

ଏମିତି କେତେ ଜିନିଷ ତମେ କିଣି ସାରିଛ ଯାହାର ଦରକାର ବର୍ଷରେ ଥରେ ବି ହୁଏ ନାହିଁ । ମୋର ଗଲା ତଥାପି ଶାନ୍ତ ଥିଲା ।

:ଓ ହୋ ଗୋଟେ ଭଲ ଜିନିଷ ଯିଏ କିଣିବ ତାକୁ କଣ ପ୍ରତିଦିନ ଲଗାଇବ ନା – କ’ଣ ! ବାହାର ଲୋକଟେ ଘରକୁ ପଶି ଆସିଲେ …

: ମଣିଷର ସବୁ ସଉକ ଜିନିଷ ଯଦି କେବଳ ବାହାର ଲୋକଙ୍କ ଦେଖିବା ପାଇଁ କିଣାଯାଏ , ତା ହେଲେ ସବୁର ମୂଲ୍ୟ କ’ଣ ? ମୋ କଥାର ଇଙ୍ଗିତକୁ ବୋଧହୁଏ ବୋଧହୁଏ ବୁଝିବାକୁ ପ୍ରସ୍ତୁତ ନାହିଁ ରେଖା ବରଂ ନିଜ ଜିଦ୍‌ରେ ହାର ମାନିବାକୁ ଚାହୁଁନାହିଁ , ନାକ ଛିଞ୍ଚାଡି କହିଲା – ଓଃ ତମେ ତା ହେଲେ କହିବ ବହି କିଣ, ଗଦା ଗଦା ମାଗାଜିନ୍‌ ଥାକ ମରା ହଉ ଘରେ , ଏସବୁ ଗଦା ହେଲେ ଘରଟା ଭା…ଆରି ସୁନ୍ଦର ଦିଶିବ । ବୁଝିଲ ଯେମିତି ହଉ …

ପତ୍ନୀଙ୍କ ନାକଅଗକୁ ଉଠିଥିବା ଅଭିମାନକୁ ଟିକେ ଓଠ ଉପରକୁ ଖସେଇ ଆଣିବାକୁ ପଚାରିଲି – ଆଚ୍ଛା ସେଇଟା କେତେ ଦାମ କି ?

: ଏଇ ସାତ ଆଠ ହଜାର ।

: ଏତେ ଗୁଡାଏ ଟଙ୍କା ମୁଁ ପାଇବି କଉଠୁ ? ମୋ କାନ୍ଥରେ ଦୟନୀୟତା ,

:ମିଶ୍ରବାବୁ କେଉଁଠୁ ପାଆନ୍ତି ? ଗୋଟେ ଅପମାନ ବ୍ୟଞ୍ଜିତ ଚଟାପଟ ଉତ୍ତର ସୁରେଖାର ।

: ସିଏ ଜଣେ ପଦସ୍ଥ ଅଫିସର । ମାସକୁ ପଚାଶ ହଜାର ଦରମା ।

: ତମକୁ କେବଳ ଏତିକି ମେଞ୍ଚାଏ ମିଳେ । ଖଟେଇ ହେବାପରି କହିଲା ସେ । ମୋ ଅସାମର୍ଥ୍ୟତା ଉପରେ ଏମିତି ଆପେକ୍ଷ ନୀତିଦିନ ଶୁଣି ଶୁଣି ଦେହସୁହା ହୋଇଗଲାଣି । ରେଖା ରାଗରେ ଗରଗର ହୋଇ ମୂ ଚାଲିଗଲାଣି । ତା’ ଯିବା ବାଟକୁ ଚାହିଁ ରହିଛି ଅପଲକ ଆଖିରେ । କେଉଁ ଭାବାନ୍ତର ମୋ ଚା’ପିଆ ମନଟା ଉପରେ ସବାର ହୋଇ ସାରିଥାଏ । ସତରେ ମଣିଷର ସ୍ୱପ୍ନର ଜଗତ ଆଉ ବାସ୍ତବ ଜଗତ ମଧ୍ୟରେ କେତେ ପାର୍ଥ୍ୟକ ସତରେ ! ମୁଁ ଆଉ କାହା ବଦ୍‌ମିଜାଜ ପ୍ରକୃତିର ଗୁଣ ଗାଇବି ? ରେଖା କଥା ଚିନ୍ତା କରେ … ସବୁବେଳେ ସିଏ ସ୍ବପ୍ନ ରାଇଜରେ ବିଚରଣ କରୁଥାଏ – ନିଜକୁ କେମିତି ଗୋଟିଏ ବାଦଶାହୀ ବୋଲି ଭାବି ହେଉଥାଏ । ଆଉ ଆଜିର ଏ ଦୁନିଆରେ ତାର ଚାହିଦା ମେଣ୍ଟାଇବା ପରି ଲୋକଟିଏ ଅନ୍ତତଃ ମୁଁ ହେଇପାରିନି । ଏଇ ନ ହେଇପାରିବାର ଦୁଃଖ ମଧ୍ୟ କାହାକୁ ଜଣାଇ ପାରେନା । କାହାକୁ ବା କଣ ଜଣାନ୍ତି ? କିଏ ଆଉ ଏଠି ରେଖା ପରି ବ୍ୟର୍ଥ ସ୍ୱପ୍ନର ବିଳାସୀ ନୁହଁ !

ମୁଁ ବି ଠାରେ ସ୍ବପ୍ନ ଦେଖି ପକାଏ ଖୁବ୍‌ ଗୋଟାଏ ବଡ଼ ସଭାରେ ମୋ ବେକରେ ଉତ୍ତରୀୟ ପକା ଯାଉଚି । ହାତକୁ ବ୍ରୋଞ୍ଚଏ ମୋ କୃତୀ ଲିଖିତ ବଡ଼ ମାନପତ୍ରଟିଏ । ମୋତେ ମୋ କବିତା ସଂକଳନ ପାଇଁ ପ୍ରଶଂସାରେ ପୋତି ଦିଆଯାଉଚି । ମଞ୍ଚ ତଳେ ମୋଠୁ ବହୁ ପୁରୁଖା କବିଏ ଭକୁଆ ପରି ବସିଛନ୍ତି । ଏଇପରି ସୁଖଦ ଅନୁଭୂତି ଗୁଡାକୁ କେଉଁଠି ହେଲେ ନୟକତା କରିବାକୁ ସିନା ଜାଗା ପାଏନା କିନ୍ତୁ ତାକୁ ନେଇ ଏକାନ୍ତରେ ରୋମାଞ୍ଚିତ ହୋଇପାରେ । ନିଜ ସହ ନିଜେ ଗଦ୍‌ଗଦ୍‌ ହୋଇପାରେ ।

ପ୍ରେତ୍ୟେକ ମଣିଷର ସ୍ବପ୍ନ ବିଭୋର ମନଟି , ଜୀବନଟି ଅନ୍ୟଠୁ ଖୁବ ନିଆରା କାହାର ଚିନ୍ତା, କାହାର ସ୍ବପ୍ନ ଆଉ କାହା ସହ ଖାପ୍‌ ଖାଏନା । କେହି ବି ସ୍ବପ୍ନ ଦେଖିବାକୁ ଚାହାନ୍ତି ନାହିଁ । ଆଖି ଥାଇ ମଧ୍ୟ ମଣିଷ ଆଖି ନ ଥିବା ପରି । କେବଳ ନିଜ ସ୍ୱପ୍ନର ପ୍ରତିବିମ୍ବ ହିଁ ଦେଖୁଥାନ୍ତି । ସେଠି କିଏ ବା ବୁଝିବା ମୋ ପରି ମଣିଷର ମନକଥା । କେତେ କୋମଳ ଭାବନା ସବୁ ଆସି ଦୁଆରେ ମଥାପିଟି ଫେରିଯାଆନ୍ତି । ଗହଳି ଭିତରେ ଛୁଆ କୁ ହଜେଇବା ପରି ମନରେ ବ୍ୟସ୍ତତା ଲାଗେ ସିନା ଆଉ କିଛି କରିହୁଏନା । ଏଇ କାରଣରୁ କି କଣ ଜୀବନଟା ବୋଝ ପରି ଲାଗେ । ମଣିଷଟା ବି ଗଧ ପରି । ଇଚ୍ଛାହୁଏ ଏମିତି ନିଷ୍ଠୁର ତତ୍ତ୍ୱ ମାନଙ୍କୁ ଛାଡି କୁଆଡେ ପଳାଇ ପାରନ୍ତି କି ! କିନ୍ତୁ ପାରେନା ଓ ପୋଷ୍ଟମ୍ୟାନ୍‌ କି କୋରିଅର ଵାଲା କେଉଁ ପାଠକଙ୍କ ପ୍ରଶଂସା ଚିଠିଟିଏ ହାତରେ ଧରେଇ ଦେଇଗଲେ , କି କେଉଁ ପତ୍ରିକାର ଲେଖକୀୟ କପି ଖଣ୍ଡେ ହାତରେ ପଡିଗଲେ ପୁଣି ସବୁ ରଙ୍ଗ ବଦଳି ଯାଏ । ରେଖା ବି । ସବୁ ସ୍ଵପ୍ନମୟ । ନଥାଉ ଚା ସାଙ୍ଗକୁ ଦି’ଟା ବିସ୍କୁଟ୍‌ କି ପାଣିଚିଆ ହେଇଥାଉ ଡାଲି । ସଂସାରରେ ବଂଚୁଥିବା ମୋ ପରି ମଣିଷର ସ୍ଥିତି ମଧ୍ୟ ସ୍ବପ୍ନିଳ ହୋଇଉଠେ । ଏଇତ ଗାଧାପରି ଦିଶୁଥିବା ଜୀବନଟା ଯେ ଘୋଡ଼ା ! ଉଡ଼ିବାର କ୍ଷମତା ରଖିଥିବା ଘୋଡ଼ା !!

ଲେଖାଲେଖି ପାଇଁ ମାସର ଗୋଟେ ବଡ଼ ଭରସାର ସମୟ ଦ୍ଵିତୀୟ ଶନିବାର ଆଉ ତା ସାଙ୍ଗ ରବିବାର । ଏକାସାଙ୍ଗରେ ଦି ଦିନ ଛୁଟି ମିଳିଗଲେ ଅନେକ କିଛି କରିପାରିବାର ଇଚ୍ଛା ବଳବତ୍ତୀ ହୁଏ ମନରେ । ସବୁକାମ ସାରିଦେଇ ଧୁଆ ପଖଳା ମନ ନେଇ ଟେବୁଲରେ ବସିବାକୁ ହୁଏ ।

ଏଇତ ସେଇ ଦ୍ଵିତୀୟ ଶନିବାର ରବିବାର ରେଖା ସହ ଯାହା ଘଟିଥିଲା ଭାବିଥିଲି ଲେଖାଲେଖି ଛାଡ଼ିଦେବି ବୋଲି । କାଗଜ କଲମ, ଟେବୁଲ ଲ୍ୟାମ୍ପ୍‌, ସବୁ ଫିଙ୍ଗି ଦେବି ନେଇ ବାହାରେ । ବହି ଥାକକୁ କବାଡିବାଲାକୁ ଡାକି ବିକିଦେବି ।

ସଂନ୍ଧ୍ୟା ସମୟ । ଗୋଟେ କବିତା ଲେଖିବି ବୋଲି ବସିଚି । ଗୋଟେ ତୀବ୍ର ଆବେଗରୁ କେମିତି ମୁକୁଳି ଥାଆନ୍ତି ଯେ ! ମୋ ଭାବନାରେ ମୁଁ ଖୁବ୍‌ ନିମଗ୍ନ । ମୋ ବାହାରେ ଯେ ପୃଥିବୀ ଟେ ଅଛି ଅନ୍ତତଃ ଭୁଲି ସାରିଛି ସେଇ ସମୟ ପାଇଁ । ରେଖା ଖୁବ ସଫା ସୁତର ହୋଇ ଗୋଲାପୀ ରଙ୍ଗର ଖୁବ ଭଲ ଦିଶୁଥିବା ଶାଢ଼ୀଟେ ପିନ୍ଧିଚି । ବେଣୀରେ ଫୁଲେ ଫୁଲ । ଗାଢ଼ ମେକପ୍‌ । କେତେବେଳୁ ଆସି ମୋ ପାଖରେ ଠିଆ ହେଇଚି ମୋତେ ଜଣା ନାଇଁ । ଅନ୍ତରଗନ୍ଧ ମୋ ଚାରିକଡ଼େ ପବନରେ ଦୋଳି ଖେଳୁଚି । ହେଲେ ଏଡ଼େ ସୁଗନ୍ଧିତ ଅତର ବାସ୍ନା କଉଠୁ ଆସୁଛି ବୋଲି ମୋର ଜାଣିବାର ବି ଇଚ୍ଛା ନାହିଁ ।

ମୁଁ ଯେ କଉ ଆବେଗର ଆମନ୍ତ୍ରଣରେ ବନ୍ଧା ପଡିଛି ସେ କଥା ମୋ କଲମ, କାଗଜ ଜାଣେ । ଆବେଗ ପ୍ରବଳ ଭାବରେ କଣ ଲେଖି ଚାଲିଚି ଯେ ପଢ଼ିପାରିବ ଭଳି ଫୁରୁସତ ବି ପାଇନି । ମୋ ନିମଗ୍ନ ଦେଖି ଦେଖି ମଧ୍ୟ ରେଖା କହିଲା – ଏ ଚାଲନା ଆଜି ଟିକେ ପାର୍କ ଆଡେ ବୁଲି ଆସିବା । ମୁଁ କିଛି କହିବା ଅବସ୍ଥାରେ ନାହିଁ । ଇସାରାରେ ଯାହା କେବଳ କହିବାକ ଚାହିଁଛି -ପ୍ଲିଜ୍‌ ଏବେ କିଛିବି କୁହନା । ଖୁବ ସୁନ୍ଦର ପ୍ଲଟ ଟିଏ ହାତ ଛଡା ହେଇଯିବ । ଏଇଟି ମାତ୍ର ଇସାରାରେ ବିଷ ଚଢି ଯାଇଥିଲା ରେଖାର ହାଲକା ଫୁଲ୍କା ମନ ଉପରେ । ଭାବିନେଇଥିଲା ମୋ ପରି ଗୋଟାଏ ମଣିଷ ହୃଦୟରେ ପ୍ରେମ ପାଇଁ ଟିକିଏ ଜାଗା ବି ନାହିଁ । ବିରକ୍ତ ହୋଇ କହିଲା ।

: ସବୁବେଳେ ଏଇ ଲେଖାରେ ଧ୍ୟାନ ଥିବ ନା କେବେ ସଂସାର ଧ୍ୟାନ କରିବ !

: ବୁଝିଲ ଭାବୁଛି ଏ କବିତାଟା ଗୋଟେ ବିସ୍ଫୋରଣ ଆଣିବ କବିତା ଜଗତରେ । ମୁଁ କାଗଜ ଉପରୁ ଆଖି ନ ଉଠେଇ କହିଲି ।

: ମୋ କଥା ଶୁଣୁଚ ନା ନାହିଁ ?

: ସେ କଥା ତମ ମନକୁ ପଚାର ।

ବାସ୍ତବରେ ସେଯାଏ ମୁଁ କବିତା ପ୍ରେମରେ ଏତେ ତଲ୍ଲୀନ ଥିଲି ଯେ ମୋ ସ୍ୱର କୋମଳତାରେ ଲତପଥ୍‌ । କିନ୍ତୁ ରେଖା ମୁହଁର ମାଂସପେଶୀ ଗୁଡା ଶକ୍ତ ହେଇ ଉଠୁଥିଲା । ସିଏ ମଧ୍ୟ ଭଲଭାବରେ ଜାଣେ କାବ୍ୟିକ ଭାବାନାଟି ଥରେ ଫେରିଗଲେ ଆଉ ଆସେନା । କେତେଥର ମୁଁ ତା ଶୁଣିବାରେ ଆଗ୍ରହ ନଥିଲେ ବି ମୋ କବି ମନସ୍କତାର ନିରାପତ୍ତା ଦୃଷ୍ଟିରୁ କହିଥିବି । ସବୁ ଜାଣିଶୁଣି ଖପ୍‌ କରି ସେ ଟେବୁଲ୍‌ ଉପରୁ ଲେଖା କାଗଜତାକୁ ଉଠେଇ ନେଇ ଟିକିଟିକି କରି ଚିରି ପବନରେ ଉଡ଼େଇ ଦେଲା । ମୁଁ ଅଟକାଇବାକୁ ସମୟ ପାଇନି । କାଗଜ ଟୁକୁରା ଟୁକୁରା ଗୁଡାକ ପବନରେ ଦୋହଲି ଦୋହଲି ଖସିପଡୁଚି ଚଟାଣରେ ।

ମୋ ଭିତରେ ଗୋଟାଏ ପ୍ରଚଣ୍ଡ ବିସ୍ଫୋରଣ ୱାର୍ଲଡ ଟ୍ରେଡ଼ ସେଣ୍ଟର ଆକ୍ରମଣ ପରି । ମୋ ସତ୍ତା ମଧ୍ୟ ଧରାଶାୟୀ କାଗଜ ଟୁକୁରା ପରି । ମୁଁ ଜୀବନମୃତ ପ୍ରାୟ ଯାହା ଦେଖି ଯାଉଚି । ସ୍ଥିର, ଅଚଳ । ମୋ ଆଖି ଆଗରେ ଠିଆ ହେଇଥିବା ରେଖା ଓ ତା ସମୁଦାୟ ପରିପାଟୀ ପରିବର୍ତ୍ତିତ ହେଇ ସାରିଚି ଏକ ଧ୍ଵଂସକାରୀ ଭୈରବୀ ରୂପରେ । ବିକୃତ, ବିକରାଳ ।

କେମିତି ମୁଁ ଘରୁ ବାହାରି ଆସିଚି , ସମୁଦ୍ର କୂଳ ରାସ୍ତାରେ ଗୋଟେ ଗାଡି ସହ ମୋର ଧକ୍କା ହେଇଚି କିଛି ବି ଜାଣେନା । ଡାକ୍ତରଖାନା ବେଡ଼ରେ ଶୋଇଚି ଚେତା ଆସିବା ଯାଏ । ଦିନକ ପରେ ଆଖି ଖୋଲିବା ବେଳକୁ ବିଛଣା ଧାରରେ ଗୋଟେ ପଟେ ଆମ ଅଫିସର କିଛି ସହକର୍ମୀ, ଆମ ଏମ୍‌ ଡ଼ି । ଅନ୍ୟ ପଟେ ଅପରାଧୀ ପରି ଠିଆ ହେଇଚି ରେଖା । ମଝିରେ ମୋର ସାମର୍ଥ୍ୟହୀନ ଶରୀରଟା ପଡିରହିଚି । ମୁଁ ମନେ ମନେ ସଂସାର ଭିତରେ ସେତୁଟିଏ ହେଇ ନ ପାରିବାର ଅବସୋସ ବିଷୟରେ ଚିନ୍ତା କରୁଚି । ସମସ୍ତେ ଉତ୍ସୁକ ହେଇ ଚାହିଁ ରହିଛନ୍ତି ମୋ ଆଡେ । ଜାଣେନା ଇଚ୍ଛା ନ ଥାଇବି ସଂସାରରେ ଲୋକେ ଅନେକ କୃତ୍ରିମ ହସ ହସିପାରନ୍ତି । ମୁଁ କିନ୍ତୁ ସମସ୍ତଙ୍କ ମୁହଁକୁ ଚାହିଁ ଠାରେ ହସିଦେବାକୁ ଚେଷ୍ଟା କଲି । ହସିଲି ମଧ୍ୟ । ସେମାନେ ଖୁସି ହୁଅନ୍ତୁ ଅବା ନ ହେଇ ପାରନ୍ତୁ ।

ଲୋକପ୍ରିୟ ଲେଖା

To Top