ଗଳ୍ପ

ଆହୁତି

T.Durga Prasad Rao's odia Story Aahuti

ମୁଁ ହାରିଗଲି ଲୋ ମା… ତୋତେ ଠିକ୍ ରାସ୍ତାରେ ଚାଲିବା ପାଇଁ ମୁଁ ଦେଇଥିବା ସବୁ ନୀତି ଉପଦେଶ ତୋତେ କିନ୍ତୁ ତୋ ଜୀବନରେ କାମରେ ଲଗାଇବା ପାଇଁ କମ୍ ପଡ଼ିଗଲା । ଏ ଦୁନିଆଁ ହିଁ ଏୟା… ଏଠି ସଜ ମାଛରେ ପୋକ ପକାଇବା ଲୋକଙ୍କ ସଂଖ୍ୟା ଅଧିକ ।

ଆହୁତି

ପୁଅ ଚାଲିଗଲା ପରଠୁ ଭାରି ଏକାଟିଆ ଲାଗୁଥାଏ ବୁଢ଼ୀକୁ । ସ୍ୱାମୀ ମଲା ପରେ କେତେ ଦୁଃଖ କଷ୍ଟରେ ବାର ଘର ପାଇଟି କରି ପୁଅକୁ ମଣିଷ କରିଥିଲା ବୁଢ଼ୀ । ତା ମନଲାଖି ସୁନାନାକୀ ବୋହୁଟିଏ ବି ଆଣିଥିଲା ପାଖ ଗାଁରୁ । ବାହାଘରକୁ ବରଷେ ଯାଇନି କୋଳରେ ନାତୁଣୀ ଖେଳାଇଲା । ହେଲେ ତା ଅଣ୍ଟା ନଇଁ ଆସିଲା ବେଳକୁ ପୁଅର ଆକସ୍ମିକ ବିୟୋଗ ତା ଅଣ୍ଟାକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛି । କରିବ କଣ ? କଥାରେ ଅଛି – ବିଧାତା ଲେଖନ କେ କରିବ ଆନ । ବିଗତ କଥାକୁ ପାଶୋରି କୌଣସିମତେ ଚଳି ଯାଉଥିବା ପରିବାରକୁ ପୁଣି ଗୋଟିଏ ଚଡ଼କ ପଡ଼ିଲା, ଯେଉଁଦିନ ବୋହୁ ତାର ଦୁଇ ବରଷର ଛୁଆକୁ ଛାଡ଼ି ଗାଁ ପିଲା ନଟିଆ ସାଙ୍ଗରେ କୁଆଡ଼େ ଫେରାର୍ ହେଇଗଲା । ଗାଁଟା ଯାକ ହୁରି ହେଲା । ତୁଠରେ ଘାଟରେ ସେଇକଥାକୁ ନେଇ ଚର୍ଚ୍ଚା ଜୋର୍ ଧରିଲା । ଯାହା ଟିକେ ମୁଣ୍ଡ ଟେକି ବୁଢ଼ୀ ଗାଁ ଦାଣ୍ଡରେ ଚାଲି ପାରୁଥିଲା, ସେତକ ବି ସପନ ହେଇଗଲା । ନିନ୍ଦା ଅପବାଦର ଜ୍ୱାଳା ତାର ଭୋକିଲା ପେଟର ଜ୍ୱାଳାଠାରୁ ବଳିଗଲା । ବୋହୁର କଲା କରମର ସିଧାସଳଖ ବୋଝ ବୁଢ଼ୀ ଉପରେ ପଡ଼ିଲା । ଦାଉ ସାଧିଲା ବିହି । ଗାଁରେ ବୁଢ଼ୀକୁ ଆଉ କେହି ଠିକ୍‌ରେ କାମ ଦେଉ ନ ଥିଲେ । ତା ନିସଃଙ୍ଗତାରେ କେହି ତା ସହ ଭଲ ରୂପେ ଆହା ବୋଲି କଥା ପଦେ ହେଉନଥିଲେ । କେବଳ ତା ପଡ଼ୋଶୀ ବଳିଆ ମାକୁ ଛାଡ଼ିଦେଲେ । ବଳିଆ ମା ମଝିରେ ମଝିରେ ବାରି ପଟ ଦେଇ ବୁଢ଼ୀ ଘରେ ପହଞ୍ଚେ । କେଉଁଦିନ ଶୁଖୁଆପୋଡ଼ା ଟିକେ ତ କେଉଁଦିନ ନାତୁଣୀ ପାଇଁ କ୍ଷୀର ଟିକେ ଦେଇ ସେ ତାର ପଡ଼ୋଶୀ ହେବାର କର୍ତ୍ତବ୍ୟ ତୁଲାଇଦିଏ । ବଡ଼ କଷ୍ଟରେ ବୁଢ଼ୀ ଦୁଇ ବର୍ଷର ନାତୁଣୀକୁ ଧରି ଯେନତେନ କରି ଚଳିଯାଏ ।

ଦିନ ଗଡ଼ି ଚାଲିଲା । ସବୁ ଦୁଃଖ କଷ୍ଟରେ ବି ନାତୁଣୀର ହସିଲା ମୁହଁ ଟିକକ ଦେଖିଦେଲେ ବୁଢ଼ୀର ଛାତି କୁଣ୍ଢେମୋଟ ହୋଇ ଯାଉଥାଏ । ପାଟି ଫେରେକେଇ ବୁଢ଼ୀ ନାତୁଣୀର ହସ ସହିତ ହସ ମିଳେଇ ଖୁସି ହେଇଯାଏ । ବୁଢ଼ୀ ନାତୁଣୀର ନାଁ ରଖିଥିଲା ମାଉଲି । ମାଉଲି ଧିରେ ଧିରେ ବଡ଼ ହେଲା । ତାକୁ ଯେତେବେଳେ ପାଞ୍ଚ ବରଷ, ଗାଁର ଛୋଟ ଛୋଟ ପିଲାମାନଙ୍କୁ ପଢ଼ାଇବାର ଦାୟିତ୍ୱ ନେଇଥାଏ ଗୋଟିଏ ଏନ୍.ଜି.ଓ., ଯାହାର କାଳେ ସିଧାସଳଖ ସମ୍ପର୍କ ଥିଲା ବିଦେଶର ଧନୀ ପୁଞ୍ଜିପତିଙ୍କ ସାଙ୍ଗରେ । ସେମାନଙ୍କ ବଦାନ୍ୟତାରେ ଏନ୍.ଜି.ଓ ସଂସ୍ଥା ସେ ପାଖାପାଖି ଚାରି ପାଞ୍ଚ ଖଣ୍ଡ ଗାଁର ଗରିବ ପିଲାଛୁଆଙ୍କୁ ମାଗଣାରେ ପାଠ ପଢ଼ାଇ ମଣିଷ କରାଇବାର ଦାୟିତ୍ୱ ନେଇଥାଏ । ପାଠ ପଢ଼ା ସାଙ୍ଗକୁ ପିଲାମାନଙ୍କୁ ତାଙ୍କ ସ୍କୁଲରେ ମାଗଣା ଖାଇବା ଓ ପିନ୍ଧିବା ମଧ୍ୟ ଦିଆ ଯାଉଥାଏ । ପାଞ୍ଚଖଣ୍ଡ ଗାଁ ପାଇଁ ଗଢ଼ା ହୋଇଥାଏ ଗୋଟିଏ ସ୍କୁଲ । ସବୁ ପିଲାମାନଙ୍କୁ ଚାଲି ଚାଲି ସ୍କୁଲ ପର୍ଯ୍ୟନ୍ତ ନିଇତି ଯିବାକୁ ହୁଏ । ମାଉଲି ବି ତାର କୁନି କୁନି ପାଦରେ ଚାଲି ଚାଲି ଆଉ ଦୁଇ ବଡ଼ ପିଲାଙ୍କ ସାଙ୍ଗରେ ସ୍କୁଲକୁ ଯାଏ । ଦୁଇ ଦିନ ଯଦି ମାଉଲି ସ୍କୁଲକୁ ନ ଯାଏ ଏନ୍.ଜି.ଓ ର ପିଲା ଆସି ବୁଢ଼ୀ ପାଖରେ ବସି ସୁବିଧା ଅସୁବିଧା କଥା ବୁଝିଯାଏ । ମାଉଲି ବା ବୁଢ଼ୀର ଦିହ ପା ଖରାପ ଥିଲେ, ଓଷଦପତ୍ର ଆଣି ଦେଇଯାଏ । ବୁଡ଼ୀ ବି ବୁଝିଯାଏ, ଘରେ ବସି ଛୋଟ ଝିଅ ତ ଆଉ ତା ହାତ ବଟେଇବ ନାଇଁ, ପଢ଼ୁଛି ତ ପଢ଼ୁ । ସେଥିପାଇଁ ଅଲଗା ଖରଚ ତ କିଛି ହେଉନି ।

ମାଉଲିର ବୟସ ବଢ଼ିବାରେ ଲାଗିଲା । ପିଲା ସମୟରେ ଯେତିକି ବି ଗୁଲୁଗୁଲିଆ ଦିଶୁଥିଲା, ବୟସ ବଢ଼ିବା ସହିତ ତା ଦିହମୁହଁ ଫୁଲି ଗୋରା ତକତକ ଶରତ ଆକାଶ ଜହ୍ନ ପରିକା ଦିଶିଲା । ତା ମାର ମୁହଁ ପରି ଗୋଅଲ ପଦୁଅଁଫୁଲିଆ କଅଁଳ ହେଇଆସିଲା ତା ମୁହଁଟି । ବୁଢ଼ୀ ତାକୁ ସବୁଦିନ ସଞ୍ଜରେ ପାଖରେ ବସାଇ ନାନା ଉପଦେଶ ଦିଏ । ସଂସାର ସହିତ ଖାପ ଖୁଆଇ ଚଳିବା ପାଇଁ ନାନା ବିଧି ଆଉ ଉପାୟ ମଧ୍ୟ ବତାଏ । ବୁଢ଼ୀର ଆୟୁଷ ତ ସରି ସରି ଆସୁଛି । ତେଣୁ ବେଳ ଥାଉଣୁ ସେ ଯଦି ନିର୍ଭରଶୀଳ ନ ହେବ, ନିଜ ଦିହପାକୁ ନିଜେ ନ ଜଗିବ, ନିଜ ଭବିଷ୍ୟର ରାସ୍ତା ନିଜେ ଯଦି ତିଆରି ନ କରିବ, ତାହେଲେ ତାକୁ ବହୁ ହୀନସ୍ତାର ଶୀକାର ହେବାକୁ ହେବ ସେକଥା ମଧ୍ୟ ବୁଢ଼ୀ କଥା କଥାରେ ବୁଝାଇଦିଏ । ମାଉଲି ବୁଢ଼ୀର ସେସବୁ ସାରଗର୍ଭକ କଥାକୁ ବୁଝୁ ନ ବୁଝୁ ଜୁଳୁ ଜୁଳୁ କରି ଚାହିଁ ରହେ ବୁଢ଼ୀର ମୁହଁକୁ ଆଉ ସବୁ କଥା ଶେଷରେ ଖୁବ୍ ଜୋର୍‌ରେ ହୁଁ ଟିଏ ମାରେ।

ଦିନେ ବୁଢ଼ୀକୁ ଖୁଉବ୍ ଜୋର୍ ଜର । ମାଉଲି ସ୍କୁଲକୁ ନ ଯାଇ ବୁଢ଼ୀ ପାଖେ ବସି ରହିଲା । ୟା ଭିତରେ ମାଉଲୀ ଛୋଟ ମୋଟ ରନ୍ଧାରନ୍ଧି ଘରକରଣା କାମ ବି ଶିଖିଲାଣି । ଦିନତମାମ ଘରର ନିତ୍ୟକର୍ମ ସାଙ୍ଗକୁ ବୁଢ଼ୀର ସେବା ଯତ୍ନରେ ଲାଗି ରହି ମାଉଲି ବି ଟିକିଏ ଅସୁସ୍ଥ ଅନୁଭବ କରୁଥାଏ । ତା ପରଦିନ ବି ମାଉଲି ସ୍କୁଲକୁ ଯାଇ ପାରିଲା ନାହିଁ । ଏମିତି ତିନି ଚାରି ଦିନ ଗଲା । ବୁଢ଼ୀର ଜର ଛାଡ଼ିଲା ନାହିଁ । ମାଉଲିକୁ ଚିନ୍ତା ମାଡ଼ି ବସିଲା । ନାନା ପ୍ରକାର ଆଶଙ୍କା ତା ମୁଣ୍ଡରେ ବସା ବାନ୍ଧିବାକୁ ଲାଗିଲା । ଦିନକୁ ଦିନ ବୁଢ଼ୀର ବୟସ ଖସୁଛି । ଯଦି ବୁଢ଼ୀର କିଛି ହେଇଯାଏ ? ପାଚିଲା ତାଳ, କେତେବେଳେ କୋଉ କଥା । ନାନା ପ୍ରକାର ପାପ ଛୁଉଁଥାଏ ମାଉଲି ମଥାକୁ । ତାକୁ କିଛି ବୁଦ୍ଧିବାଟ ଦିଶୁନଥାଏ । ବୁଢ଼ୀ ବତେଇଥିବା ସବୁ ଦୁନିଆଦାରୀ ପାଠ ଯେମିତି ପାଣିଚିଆ ହେଇଯାଉଛି ମାଉଲି ପାଖରେ । ଏକା ରାସ୍ତା ଚାଲିବାର ଅଭ୍ୟାସ ଯେ ତାର ନାହିଁ । ହଠାତ୍ ଦେବଦୂତ ପରି ପହଞ୍ଚିଗଲା ଏନ୍.ଜି.ଓର କ୍ଷେତ୍ର ସହକାରୀ ଯୁବକ ମଲାଙ୍ଗ । ଚବିଶି ବରଷର ଭେଣ୍ଡିଆ ଟୋକା ମଲାଙ୍ଗ । ଦିହଟା ତାର କଳା ତେଲିଆ ଚିକ୍କଣ । ବାହା ଦିଟା ବଳିଲା ବଳିଲା । ଏକାଥରେ ଦଶଜଣକୁ କାବୁ କରି ପାରିବାର ସାମର୍ଥ୍ୟ ରଖେ । ଘର ଭିତରକୁ ପଶି ଆସୁ ଆସୁ କହିଲା – ମାଉଲି, ସ୍କୁଲକୁ ଆସୁନୁ ଯେ ? କିଛି ଅସୁବିଧା ନାହିଁ ତ ? ମଲାଙ୍ଗକୁ ଦେଖି ମାଉଲି ପିଣ୍ଡରେ ପ୍ରାଣ ପଶିଲା । ସେ ଯେମିତି ବୁଢ଼ୀର ଦିହ ଖରାପ କଥା କହିଛି, ମଲାଙ୍ଗ ବୁଢ଼ୀକୁ ଟିକିଏ ତନଖି ନେଇ କହିଲା- ମୁଁ ଏଇ ସାଙ୍ଗେ ସାଙ୍ଗେ ଡାକ୍ତର ନେଇ ଫେରୁଛି ତୁ ବୁଢ଼ୀକୁ ଜଗି ବସିଥା । ପକେଟ୍‌ରୁ ବଟିକାଟେ ବାହାର କରି ମାଉଲି ହାତରେ ଧରାଇ ଦେଇ କହିଲା ମୁଁ ଆସିବା ଭିତରେ ବୁଢୀକୁ ଯାହା ହେଲେ ଟିକିଏ ଖାଇବାକୁ ଦେଇ ବଟିକା ଖୁଆଇ ଦେଇଥିବୁ । ମାଉଲି ମଲାଙ୍ଗ କହିବା ମୁତାବକ ବୁଢ଼ୀକୁ କିଛି ଖାଇବାକୁ ଦେଇ ବଟିକା ଖୁଆଇ ଦେଲା । କିଛି ସମୟ ପରେ ମଲାଙ୍ଗ ଏନ୍.ଜି.ଓ.ର ଡାକ୍ତରଙ୍କୁ ଧରି ଘରେ ଆସି ପହଞ୍ଚିଲା । ଓଷଦ ଇଞ୍ଜେକ୍ସନ୍ ସାଲାଇନ୍ ଆଦି ଦେଲା ପରେ ବୁଢ଼ୀର ପ୍ରାଣଟା ବଞ୍ଚିଗଲା । ଦୁଇଦିନରେ ଶେଯରୁ ଉଠି ବୁଢ଼ୀ ଚଲାବୁଲା କଲା । ମାଉଲିର ମନଟା କୃତ୍ୟ କୃତ୍ୟ ହୋଇ ଉଠିଲା ମଲାଙ୍ଗ ପ୍ରତି ।

ଏଣିକି ମଲାଙ୍ଗକୁ ଦେଖିଲେ ମାଉଲିର ମନଟା ଶ୍ରଦ୍ଧା ଆଉ ଭକ୍ତିରେ ନଇଁ ଆସେ । ମଲାଙ୍ଗ ମଧ୍ୟ ଧିରେ ଧିରେ ଆକୃଷ୍ଟ ହୋଇ ଉଠୁଥିଲା ମାଉଲିର ଲାଜୁଆ ଲାଜୁଆ ଆଖିର ଚାହାଣୀରେ, ତାର କିଶୋରୀ ସୁଲଭ ଚପଳ କୋମଳ ବ୍ୟବହାରରେ । ଧିରେ ଧିରେ ଦୁହିଁଙ୍କ ସମ୍ପର୍କ ଆଖିରେ, କଥାରେ ଆଉ ସୀମିତ ନ ରହି ଆଗକୁ ବଢ଼ିଲା । କିଛି ନା କିଛି ବାହାନା କରି ମଲାଙ୍ଗ ଆସି ପହଞ୍ଚେ ମାଉଲି ଘରେ । ଦୁହେଁ ବସି କଣ ସବୁ ଏଣୁ ତେଣୁ କଥା ହୁଅନ୍ତି ଢ଼େର ସମୟ ପର୍ଯ୍ୟନ୍ତ। ବୁଢ଼ୀ ଆଖିରେ ଗଲା କଥାଟା । କହନ୍ତି ନାହିଁ – ଯା ପୁଅକୁ ସାପ କାମୁଡ଼ି ଥାଏ ତା ମା ପାଳ ଦଉଡ଼ି ଦେଖିଲେ ଡରେ । ଗୋଟିଏ ଘଟଣା ତା ଆଖି ଉହାଡ଼ରୁ ବର୍ତ୍ତମାନ ସୁଦ୍ଧା ଲିଭିନାହିଁ, ଆଉ ଗୋଟିଏ କୁ ସେ କେମିତି ପ୍ରଶ୍ରୟ ଦେଇଥାନ୍ତା । ବୁଢ଼ୀ ମାଉଲିକୁ ଡାକି ପାଖରେ ବସାଇ ଘୁରାଇ ଫେରାଇ ବହୁତ ନୀତି ବାଣୀ ଶୁଣାଇଲା । ମାଉଲି ସୁନାପିଲାଟେ ପରି ସବୁ ଶୁଣିଲା । ସେ ବୁଝିପାରିଲା ବୁଢୀର ଚିନ୍ତା ଦକକୁ । ତାପରଦିନ ଠାରୁ ମଲାଙ୍ଗ ଆଉ ଆସିଲା ନାହିଁ ମାଉଲି ଘରକୁ । ବୁଢ଼ୀ ଖୁସି ହେଇଗଲା ଯାହେଉ ନାତୁଣୀଟା ତା ମା ପରି ନୁହେଁ । କହିଲେ ବୁଝୁଛି ପିଲାଟା । ସେ ତୁଛାଟାରେ ସନ୍ଦେହ କରୁଛି ପିଲାଟାକୁ ।

କିଛି ଦିନ ଗଲା । ମଲାଙ୍ଗ ସିନା ଆସିଲା ନାହିଁ, ଏଣିକି ମାଉଲିର ଘରକୁ ଆସିବାରେ ଠିକ୍ ଠିକଣା ରହିଲା ନାହିଁ । ସ୍କୁଲ ଚାରିଟାରେ ଛୁଟି ହେଲେ ମାଉଲିର ସାଢ଼େ ଚାରିଟା ସୁଦ୍ଧା ଘରେ ପହଞ୍ଚିବା କଥା । ହେଲେ ମାଉଲି କେଉଁଦିନ ଛଅଟା କେଉଁଦିନ ସାତଟାରେ ପହଞ୍ଚିଲା । ପଚାରିଲେ କହେ – ମାଟ୍ରିକ୍ ପରୀକ୍ଷା ପାଇଁ ଅଧିକ ସମୟ ପଢ଼ଉଛନ୍ତି ଅବଧାନେ । ବୁଢୀର ମନକୁ ପାପ ଛୁଇଁଲା । ସେ ଜାଣିପାରିଲା ମାଉଲି ପୂର୍ଣ୍ଣଯଉବନା ହେଲାଣି । ତା ଦେହ ମନକୁ ଆକଟ କରିବା ତାପରି ମରଣ ଅପେକ୍ଷାରତ ବୁଢ଼ୀ ପକ୍ଷରେ ସମ୍ବବ ହେବନି । କାହାକୁ କହିପାରୁନଥିଲା ବୁଢ଼ୀ । କାହାର ସାହାଯ୍ୟ ବି ଲୋଡ଼ି ପାରୁନଥିଲା । ଯେତିକି ଅପବାଦର ବୋଝ ସେ ତା ଉତ୍ତର ବୟସରେ ସହିଛି, ଆଉ ସେସବୁକୁ ମନେ ପକାଇ ଦେଇ ଗାଁ ବାଲାଙ୍କୁ ପୁଣି ଥରେ ତା ଉପରେ ଦାଉ ସାଧିବାକୁ ସୁଯୋଗ ଦେବାକୁ ସେ ଚାହୁଁ ନ ଥିଲା । ଶେଷରେ ଦିନେ ବାଧ୍ୟ ହୋଇ ମାଉଲିର ପଢ଼ା ବନ୍ଦ କରିଦେଲା ବୁଢ଼ୀ । ଆଉ ତା ପାଇଁ ବରପାତ୍ର ଖୋଜିବାରେ ଲାଗି ପଡ଼ିଲା । ମାଉଲି ଟିକିଏ ଆଶ୍ଚର୍ଯ୍ୟ ହୋଇ ଆପତ୍ତି କଲା, ତେବେ ବୁଢ଼ୀର ନଛୋଡ଼ବନ୍ଧା ଜିଦ୍ ଆଗରେ ହାର ମାନି ଚୁପ୍ ହୋଇଗଲା ।

ଗାଁ ଗହଳି କଥା । ଛେନାରେ ଜିରା ପଡ଼ିଥିଲେ ମାଛି ପଡ଼ିଛି ବୋଲି କହିବେ । ମାଉଲି ଆଉ ମଲାଙ୍ଗର ମିଳାମିଶା ଗାଁ ବାଲାଙ୍କ ଆଖିରୁ ବାଦ୍ ପଡ଼ି ନ ଥିଲା, ଏବେ ମାଉଲିର ପାଠ ପଢ଼ା ବନ୍ଦ ହେବାଟା ସେମାନଙ୍କ ସନ୍ଦେହ ନିଆଁରେ ଘିଅର କାମ କଲା । ମାର କଳା କାରନାମା ତ ଆଖିରେ ଦେଖିଛନ୍ତି, ଏବେ ଝିଅର ଚାରିତ୍ରିକ ଦୋଷ ତୃଟି ଖୋଜିବାରେ ଲାଗି ପଡ଼ିଲେ ଗାଁ ବାଲାଏ । ଏମିତିରେ ଯେଉଁ କେତେ ଜଣ ଭଲ ଲୋକ ଥିଲେ ସେମାନେ ମଧ୍ୟ ଡରିଲେ ମାଉଲିର ବର ଯୋଗାଡ଼ରେ ମଧ୍ୟସ୍ଥ ହେବାକୁ । ବିନା ମଧ୍ୟସ୍ଥିରେ ବାହାଘର କରିବା ତ ସେ କାଳରେ ଏତେ ସହଜ ନ ଥିଲା । ଯେଉଁ ଅଳ୍ପ କେତୋଟି ପ୍ରସ୍ତାବ ସିଧା ସଳଖ ବୁଢ଼ୀ ପାଖରେ ପହଞ୍ଚେ, ଗାଁ ବାଲାଙ୍କ ଫିସାଦିଆ କଥାରେ ସେତକ ମଧ୍ୟ ଭାଙ୍ଗିଯାଏ ।

ମାଉଲିର ଧିରେ ଧିରେ ବିବାହ ବୟସ ପାର ହେଉଥାଏ । ତାକୁ ନେଇ ଗାଁରେ ଚାଲୁଥିବା ଚର୍ଚ୍ଚା ହେତୁ ଗାଁ ଟୋକାଙ୍କର ସାହସ ବି ଦିନକୁ ଦିନ ବଢ଼ୁଥାଏ । ମାଉଲିକୁ ସେମାନେ ନାନା ପ୍ରକାର ଟାହିଟାପରା ସାଙ୍ଗରେ ଅଶ୍ଳୀଳ ଇଙ୍ଗିତ କରିବାକୁ ମଧ୍ୟ ପଛାଉନଥିଲେ। । ବୁଢ଼ୀର ଧୈର୍ଯ୍ୟର ବନ୍ଧ ଦିନକୁ ଦିନ ହୁଗୁଳା ପଡ଼ି ଆସୁଥିଲା । ତା ସହିତ ବୁଢ଼ୀ ଏବେ ଆଉ ଆଗ ପରି ଚଲାବୁଲା ମଧ୍ୟ କରି ପାରୁନଥିଲା । ଶୋଇ ରହୁଥିଲା ଗୋଟିଏ ଶେଯରେ । ମାଉଲି କାମ ପାଇଟି ପାଇଁ ଗୋଡ଼ କାଢ଼ିବାକୁ ବାଧ୍ୟ ହେଉଥିଲା । ତା ନ ହେଲେ ସେ ଦୁହେଁ ଖାଇବେ କଣ ? ଚଳିବେ କେମିତି ? ବୁଢ଼ୀ ମାଉଲିକୁ ତାର ପେଜୁଆ ଆଖିରେ ଚାହିଁ ଦେଇ ଦୀର୍ଘଶ୍ୱାସ ଛାଡ଼ୁଥିଲା । ସବୁ ଦୋଷଭାର ନିଜ ମୁଣ୍ଡରେ ଲଦି ଭାରି ଅସହାୟ ବୋଧ କରୁଥିଲା ବୁଢ଼ୀ ।

ଦିନେ ବୁଢ଼ୀ ମାଉଲିକୁ ପାଖକୁ ଡାକି କହିଲା – ମୁଁ ହାରିଗଲି ଲୋ ମା… ତୋତେ ଠିକ୍ ରାସ୍ତାରେ ଚାଲିବା ପାଇଁ ମୁଁ ଦେଇଥିବା ସବୁ ନୀତି ଉପଦେଶ ତୋତେ କିନ୍ତୁ ତୋ ଜୀବନରେ କାମରେ ଲଗାଇବା ପାଇଁ କମ୍ ପଡ଼ିଗଲା । ଏ ଦୁନିଆଁ ହିଁ ଏୟା… ଏଠି ସଜ ମାଛରେ ପୋକ ପକାଇବା ଲୋକଙ୍କ ସଂଖ୍ୟା ଅଧିକ । ମୋର ଗୋଟିଏ କଥା ମାନିବୁ ? ମାଉଲି ପ୍ରଶ୍ନବାଚୀ ଆଖିରେ ଚାହିଁଲା ବୁଢ଼ୀ ମୁହଁକୁ।

– ତୁ ସେ ମଲାଙ୍ଗ ସାଙ୍ଗରେ ଘରଛାଡ଼ି ପଳା ।

ମାଉଲି ହାଁ କରି ଚାହିଁଲା ବୁଢ଼ୀର ମୁହଁକୁ । ନିଜ କାନକୁ ସେ ବିଶ୍ୱାସ କରି ପାରୁନଥିଲା । ବୁଢ଼ୀ କହି ଚାଲିଲା ।

– ମୁଁ ଜାଣେ ଲୋ, ସେ ତୋତେ ଚାହିଁ ଚାହିଁ ଏ ପର୍ଯ୍ୟନ୍ତ ବାହା ହେଇନି । ଜାତି ଫାତି କଥା କି ଗାଁ ଲୋକଙ୍କ କଥା ତୁ ମୋଟେ ଚିନ୍ତା କରନା । ମୁଁ ଆଜି କି କାଲି ମରିଯିବି । ମୋର ସେମାନେ ଯାହା କରୁଛନ୍ତି କରନ୍ତୁ, ସେଥିକି ଶୋଚନା ନାହିଁ । ତୋ ଜୀବନ ତ ସଜଡ଼ା ହେଇଯିବ, ହଁ ।

ମାଉଲିର ଆଖି ପତା ଓଦା ହେଇ ଆସିଲା । ବୁଢ଼ୀକୁ ଖୁବ୍ ଜୋର୍‌ରେ ଜାବୁଡ଼ି ଧରି ଭାବପ୍ରବଣ ହୋଇ ଉଠି କହିଲା – ତୋତେ ଛାଡ଼ି ଯିବାର ଥିଲେ ମୁଁ କେବେ ଯାଇ ସାରନ୍ତିଣି । ସେ ମୋତେ ନେବାକୁ ନିଶୁନ ରାତିରେ କେତେ ଥର ଆମର ଏ ବାରିପଟକୁ ଆସିଛନ୍ତି ଆଉ ପ୍ରତିଥର ମୋ ଠୁ ନା ଶୁଣି ନିରାଶ ହେଇ ଫେରିଛନ୍ତି । ମୋ ଜୀବନଟା ତୋତେ ଛାଡ଼ିଦେଇ ଆଉ କଣ ରହିଲା ଲୋ ? ମାଉଲି ବୁଢ଼ୀ ପଣତରେ ନାକ ପୋଛିଲା । ତୁ ଆଉ ଥରେ ଯଦି ମୋତେ ତୋ ଠୁ ଅଲଗା କରିବା କଥା କହିବୁ ତାହେଲେ ମୋ ରାଣ ତୋ ଆଗରେ ମୋ ଜୀବନ ଦେଇଦେବି । ବୁଢ଼ୀ ମାଉଲି ପାଟିରେ ହାତ ଦେଇ କହିଲା – ଛି, ଏ କି କଥା ଲୋ ମା । ମୁଁ ଆଉ କଣ ତୋ ସାଙ୍ଗରେ ସବୁବେଳେ ରହିପାରିବି ?

– ଆଲୋ, ମଲାଙ୍ଗ ଆସୁଛି ତାହେଲେ ?

ମାଉଲି ମୁହଁଟାକୁ ବୁଢ଼ୀର ପଣତରେ ଭଲ ରୂପେ ପୋଛି ପକାଇ ମୁହଁରେ ଲାଜ ରଖି ଏକ ବିଶେଷ ଭାବରେ ମୁଣ୍ଡଟାକୁ ହଲାଇ ଦେଇ କହିଲା – ହଁ..ଅ..।

– ଆଜି ରାତି ବି ଆସିବ?

– ଆସି ପାରନ୍ତି…।

ବୁଢ଼ୀର ମୁହଁ ଉଜ୍ଜଳ ଦିଶିଲା । ରାତି ଖାଇ ସାରିବା ପରେ ମାଉଲି ସହିତ ଖୁବ୍ ଖୁସି ଗପ କଲା ବୁଢ଼ୀ । ସବୁବେଳେ ଚିନ୍ତାରେ ଭାରାକ୍ରାନ୍ତ ବୁଢ଼ୀର ମନ ଉଶ୍ୱାସ ଲାଗୁଥିଲା । ତାର ଚମ ଧୁଡ଼ୁ ଧୁଡ଼ୁ ହାଡୁଆ ହାତରେ ମାଉଲିର ମୁଣ୍ଡଟାକୁ ଆଉଁସି ଦେଇ ଶୋଇବାକୁ ଗଲା ।

ଭୋରୁ ଭୋର ମାଉଲିର ନିଦ ଭାଙ୍ଗିଗଲା ତା ଘର ପାଖରେ କିଛି କୋଳାହଳ ଶୁଣି। ବୁଢ଼ୀକୁ ଉଠାଇ ଦେବାକୁ ଯାଇ ଦେଖେ ତ ବୁଢ଼ୀ ତା ଶେଯରେ ନାଇଁ । କୋଳାହଳକୁ ଲକ୍ଷ୍ୟ କରି ମାଉଲି ବାହାରକୁ ଆସି ଦେଖିଲା ଦୁଇ ଜଣ ଗାଁ ଲୋକ ବୁଢ଼ୀକୁ ଉଠାଇ ତା ଦାଣ୍ଡ ପିଣ୍ଡା ଆଡ଼େ ଖେପି ଆସୁଛନ୍ତି । ସାଙ୍ଗରେ ଆଉରି ଆଠ ଦଶ ଜଣ ଗାଁ ବାଲାଏ ଘଟଣା କଣ ବୁଝିବାକୁ ଚେଷ୍ଟା କରୁଛନ୍ତି । ବୁଢ଼ୀର ଦେହ ଆଉ ତା ପିନ୍ଧାଲୁଗା ପୁରା ଓଦା ଜୁଡୁବୁଡୁ। ଜଣେ କହିଲା- ବୁଢୀକୁ କିଏ କହିଲା ରାତିଅଧିଆ ନଈକୁ ଯିବାକୁ ? ଅନ୍ଧାରରେ ଗୋଡ଼ ଖସି ବୁଢ଼ୀ ଅକାତ ପାଣିରେ ପଡ଼ିଛି । ମାଉଲିର ଚେହେରାରେ ଭୟ ଓ ଆଶଙ୍କାର ତୁମ୍ବୀତୋଫାନ । ସେ ବ୍ୟସ୍ତ ହୋଇ କାନ୍ଦୁଣୁ ମାନ୍ଦୁଣୁ ବୁଢ଼ୀ ପାଖରେ ପହଞ୍ଚି ଯେମିତି ତାକୁ ହଲେଇଦେଇଛି, ତା ଦିହ ପଥର ପାଲଟିଗଲା। ବୁଢୀର ପିଣ୍ଡରୁ ପ୍ରାଣପକ୍ଷୀ ଉଡ଼ି ସାରିଥିଲା ଅନେକ ବେଳୁ…।

ଲୋକପ୍ରିୟ ଲେଖା

To Top